Unknown

 

 

 

 

 

 

 

 

 

ବୋଆ ସିନିଅର୍‌ଙ୍କ ଶେଷଗୀତ

ଶୈଳେନ୍ଦ୍ର ଦ୍ୱିବେଦୀ

 

ସୂଚୀପତ୍ର

 

୧.

ନଦୀର ନାମ ଅଳସକନ୍ୟା

୨.

ପ୍ରଜନ୍ମର ଦୂରତ୍ୱ, ନନ୍ଦୁର ବ୍ଲାକବେରି

୩.

ପ୍ରଫେସର୍‌ ଭାଇରସ୍‌ଙ୍କ କ୍ଲାସ୍‌ରୁମ୍‌

୪.

ମାଓ ଓ ମାଇକ୍ରୋସଫ୍ଟ

୫.

କାହା ବିରୋଧରେ ଏ ଯୁଦ୍ଧ

୬.

ରମ୍ୟ ଦୁର୍ଗ ପାଖର ମିରିଗ

୭.

ବୋଆ ସିନିଅର୍‌ଙ୍କ ଶେଷଗୀତ

୮.

ସରକାରଙ୍କଠାରୁ ଶାସନ ପର୍ଯ୍ୟନ୍ତ

୯.

ରଙ୍ଗୀ ଟାଙ୍ଗରର ବୁଦ୍ଧ

୧୦.

ଆପଣ କଣ ମାଟିମନସ୍କ

୧୧.

କେବଳ ଧୁଆଁ

୧୨.

ଠେଙ୍ଗା ଧର ଜଙ୍ଗଲ ଜଗ

୧୩.

ଗୋଲାପୀ ଶାଢୀ, କଳା ବ୍ଲାଉଜ୍‌

୧୪.

ଚନ୍ଦକା ଜଙ୍ଗଲର କାହାଣୀ

୧୫.

ଆମ ହାତରେ ଆମରି ଭାଗ୍ୟ

୧୬.

ଉଚ୍ଚା ପାଚେରୀ, ଚେନାଏ ଚନ୍ଦ୍ରାଲୋକ

୧୭.

ଅରୁନ୍ଧତୀଙ୍କ ଆଖି, ଗାନ୍ଧୀଙ୍କ ବନ୍ଧୁକ

୧୮.

ଶ୍ରୀ ସୁଶାନ୍ତ ରାଉତ ଏବଂ ଇ-ଶାସନ

୧୯.

ଗୁଜବ, ଅସତ୍ୟ ଏବଂ ଅର୍ଦ୍ଧସତ୍ୟ

୨୦.

ମଲ୍‌ମାୟା, ନିର୍ବାଣ ଓ ଦାସତ୍ୱ

୨୧.

କୃତ୍ରିମ ଜୀବନ, ଅପହଞ୍ଚ ଈଶ୍ଵର

୨୨.

ନିଜ ପାଇଁ ପ୍ରାର୍ଥନା କରିବି ନାହିଁ

୨୩.

ଆପଣ କ’ଣ ଈଶ୍ଵରଙ୍କୁ ଖୋଜୁଛନ୍ତି

୨୪.

ସ୍ରଷ୍ଟାଙ୍କୁ ଖୋଜିବା ଲୋଡ଼ା ନାହିଁ

୨୫.

ରଜାଙ୍ଗଙ୍କୁ ଆଉ ଥରେ

୨୬.

ମନ୍‌ସୁନ୍‌ ପ୍ରଧାନ ପାଇଁ ଫ୍ରକ୍‌ଟିଏ

୨୭.

ଉପରେ ଆଉ ଯାଗା ନାହିଁ

୨୮.

ଅଭିବୃଦ୍ଧିର ଅପହର୍ତ୍ତାମାନେ

Image

 

ନଦୀର ନାମ ଅଳସକନ୍ୟା

 

ଗତ ଅକ୍ଟୋବରରେ ମୋର ଜଣେ ଶିକ୍ଷକଙ୍କୁ ଦେଖା କରିବା ପାଇଁ ମୁଁ ଗାଁକୁ ଯାଇଥିଲି । ଚିତ୍ରୋତ୍ପଳା ନଈକୂଳରେ ସେ ଗାଁ । ସାର୍‌ ଆମ ସ୍କୁଲର ଏନ୍‌ସିସି ଶିକ୍ଷକ ଥିଲେ । ଚମତ୍କାର ଭୂଗୋଳ ବି ପଢ଼ଉଥିଲେ । ଖୁବ୍‌ ମଜା କରନ୍ତି ପିଲାଙ୍କ ସାଙ୍ଗରେ । ଦୀର୍ଘଦିନ ଧରି ଶଯ୍ୟାଶାୟୀ ହେବା ପରେ ବି ସେ ସ୍ପଷ୍ଟ କଥା କହି ପାରୁଥିଲେ ଏବଂ ତାଙ୍କର ସବୁ କଥା ମନେ ଥିଲା । ସାର୍‌ଙ୍କ ଗାଁକୁ ମୁଁ ଆଗରୁ ବି ଯାଇଥିଲି । ନଈ ପାରି ହୋଇ ଯିବାକୁ ପଡ଼େ । ସେଦିନ କଥା ମଝିରେ ସାର୍‌ ପଚାରିଲେ, କିରେ, ତୁ କଣ ଗାଡ଼ିକୁ ନଈ ଆରପଟେ ରଖି ଆସିଲୁ ? ଡ୍ରାଇଭର୍‌ ଅଛିଟି ? ମୁଁ କହିଲି ସାର୍‌, ନଈ ତ ଏକଦମ୍‌ ଶୁଖିଲା । ମଝିରେ ୧୦।୧୨ ମିଟରର ପତଳା ଧାରଟାଏ ... ପାଦେ ପାଣି ହେବ । ଜିପ୍‌ରେ ଏ ପାଖକୁ ଆସିବା ପାଇଁ କିଛି ଅସୁବିଧା ହେଲାନି । ଟିକିଏ ନିରବ ରହି ସାର୍‌ କହିଲେ, ହଁ ଆଉ ସେ ନଈ କାହିଁ ? ମୁଁ ତ ଦି ବର୍ଷ ହେବ ଚଲାବୁଲା କରିପାରୁନି । ନାତିଟୋକା କହୁଥିଲା, ନଈରେ ଏ ବର୍ଷ ଡଙ୍ଗା ମାସେ ଖଣ୍ଡେ ପଡ଼ିଥିଲା । ମୁଁ ଲକ୍ଷ୍ୟ କଲି, ସାର୍‌ ଭାବପ୍ରବଣ ହୋଇ ଆସୁଛନ୍ତି । ସବୁଦିନ ନଈ ପାରି ହୋଇ ସେ ସ୍କୁଲକୁ କେବଳ ପଢ଼େଇବା ପାଇଁ ଆସୁନଥିଲେ, ଚିତ୍ରୋତ୍ପଳା ସହିତ ଯୋଡ଼ି ହୋଇ ରହିଥିଲା ତାଙ୍କ ଜୀବନର ଅନେକ ସ୍ମରଣୀୟ ମୁହୂର୍ତ୍ତ । ସେଇ କଥା ସେ ଆରମ୍ଭ କଲେ ।

 

ତେବେ ମହାନଦୀର ଅନ୍ୟତମ ଶାଖାନଦୀ ଚିତ୍ରୋତ୍ପଳାର ନୁହେଁ, ସ୍ୱୟଂ ମହାନଦୀର ଅବସ୍ଥା ଖରାପ ହୋଇଗଲାଣି । ଭାରତର ଅନ୍ୟତମ ମହାନ୍‌ ନଦୀ ମହାନଦୀ କ୍ରମଶଃ ସଙ୍କୁଚିତ ଏବଂ ଶୁଷ୍କ ହୋଇ ଚାଲିଛି । ଗବେଷଣା ଏ କଥା ସ୍ପଷ୍ଟ କଲାଣି ଯେ ଏହାର ବିସ୍ତୃତ ଜଳଧାରଣ କ୍ଷେତ୍ର (କ୍ୟାଚ୍‌ମେଣ୍ଟ ଏରିଆ)ର କ୍ରମ ଅବକ୍ଷୟ ଏବେ ଏକ ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚି ସାରିଛି-। ଅନ୍ୟୁନ ୮୩,୦୦୦ ବର୍ଗ କିମି ପରିମିତ ମହାନଦୀର ଜଳଧାରଣ କ୍ଷେତ୍ରର ଏକ ବୃହତ୍‌ ଅଂଶ (୭୩,୦୦୦ ବର୍ଗ କିମି) ଅଛି ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ । ଦ୍ରୁତ ଜଙ୍ଗଲକ୍ଷୟ ଏବଂ ଗତ କେତେ ବର୍ଷ ଭିତରେ ଏହାର ଉପରମୁଣ୍ତରେ (ଛତିଶଗଡ଼ରେ) ନିର୍ମିତ ହୋଇଥିବା ବନ୍ଧ ଅନ୍ୟୁନ ୪୦,୦୦୦ ବର୍ଗ କିମି ପରିମିତ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିସାରିଛି । ହୀରାକୁଦ ବନ୍ଧ (ଡ୍ୟାମ୍‌) ନିର୍ମାଣ ପରେ ମହାନଦୀରେ ପ୍ରତିହତ ହୋଇଥିବା ଜଳପ୍ରବାହ ଗତ ୫୦ ବର୍ଷ ଭିତରେ କ୍ରମାଗତ ଭାବରେ ଯେଉଁ ଅନ୍ୟାନ୍ୟ ଚାପର ସମ୍ମୁଖୀନ ହୋଇଛି ସେ ଭିତରେ ଜଙ୍ଗଲ କ୍ଷୟ ବ୍ୟତୀତ ଅନ୍ତର୍ଭୂକ୍ତ ପ୍ରଗତି ନାଁରେ ଜାରି ରହିଥିବା ଆମର ତଥାକଥିତ ଶିଳ୍ପାୟନ, ନଦୀଜଳର ଦୁରୁପଯୋଗ, ପ୍ରଦୂଷଣ ଏବଂ ବାଲି ଖାଦାନ (ସ୍ୟାଣ୍ଡ ମାଇନିଂ) । ତେବେ ନଦୀକୁ ବିଷାକ୍ତ କରିବାରେ ସବୁଠୁ ବଡ଼ ଭୂମିକା ନେଇଛି ପ୍ରଦୂଷଣ । ପରିବେଶ୍‌ବିତ୍‌ମାନେ ଚେତାବନୀ ଶୁଣେଇଲେଣି ଯେ ବର୍ଜ୍ୟର ପ୍ରକ୍ରିୟାକରଣ/ଆଂଶିକ ବିଶୋଧନ ନ ହୋଇ ନଦୀ ଗର୍ଭକୁ ନିଷ୍କାସନ ଅବ୍ୟାହତ ରହିଲେ ଅଦୂର ଭବିଷ୍ୟତରେ ଓଡ଼ିଶାର ନଦୀମାନଙ୍କୁ ଯମୁନା ନଈର ଅବସ୍ଥା ଭୋଗିବା ପାଇଁ ପଡ଼ିବ । ପାଠକମାନଙ୍କ ପାଇଁ ସ୍ପଷ୍ଟ କରୁଛି ଯେ କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅନୁଧ୍ୟାନ ମୁତାବକ ପବିତ୍ର ଗଙ୍ଗାନଦୀର ଅଧାରୁ ଅଧିକ ଏକଦମ୍‌ ବ୍ୟବହାର ଅନୁପଯୋଗୀ ହୋଇସାରିଛି । ଗୋଦାବରୀର ୧୭୦୦ କିମି ଏବଂ ମହାନଦୀର ଅନ୍ତତଃ ୫୦୦ କିମି ସମାନ ଦୁର୍ଦ୍ଦଶାର ସମ୍ମୁଖୀନ-। ଯମୁନାର ବିଶୋଧନ ଜାରି ଥିବା ସତ୍ତ୍ଵେ ଏହା ବିଷକନ୍ୟା ପାଲଟିସାରିଛି । ସତ୍‌ଲେଜ୍‌ରେ ଆଉ ମାଛ ନାହାନ୍ତି । ଓଡ଼ିଶାରେ ମହାନଦୀ ବ୍ୟତୀତ ବ୍ରାହ୍ମଣୀର ସ୍ଥିତି ମଧ୍ୟ ଶୋଚନୀୟ । ୧୯୮୫ରେ ରେଙ୍ଗାଲିରେ ବନ୍ଧ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏହାର ନିମ୍ନାଂଶ ସଙ୍କୁଚିତ ଏବଂ ଶୁଷ୍କ ହୋଇ ସାରିଲାଣି । ଏଇ ନଈ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ଗାଁ ଗୁଡ଼ିକର ଅବସ୍ଥା ସୁଧୁରିବାର ସମ୍ଭାବନା ନାହିଁ ।

 

କୌଣସି ନଈ କେବଳ ଏକ ବହମାନ ସ୍ରୋତ ନୁହେଁ, ନଈ ମଣିଷର ଜୀବନ ଏବଂ ଜୀବିକା ସହିତ ଓତଃପ୍ରୋତ ଭାବେ ଜଡ଼ିତ । ପରିବେଶ୍‌ବିତ୍‌ମାନଙ୍କର ଆଶଙ୍କା ଯେ ସାରା ପୃଥିବୀରେ ନିଜର ଅନୁପମ ଜୈବ ବିବିଧତା ସକାଶେ ପ୍ରସିଦ୍ଧ ଭିତରକନିକାର ହେନ୍ତାଳ ବଣ ଏଇ ଚକ୍ରରେ ପ୍ରଭାବିତ ହେବ । ନିୟମିତ ଲୁଣପାଣି / ଜୁଆର ବାଧାପ୍ରାପ୍ତ ହେଲେ ଏବଂ ବିଶେଷ କରି ଏବେ ଖୋଳା ଯାଉଥିବା ଦୁଇଟି କେନାଲ୍‌ କାର୍ଯ୍ୟକାରୀ ହେବା ପରେ ଭିତରକନିକାର ସମ୍ବେଦନଶୀଳ ଜୈବ ଚରିତ୍ର ଅଧିକ ସ୍ପର୍ଶକାତର ହୋଇଉଠିବ । ଜଳସେଚନ ବ୍ୟବସ୍ଥାରେ ଚାଷ ଜମିର ଉତ୍ପାଦନ ଶକ୍ତି ବଢ଼ାଇବାରେ ନ୍ୟାୟତଃ ପ୍ରତିବନ୍ଧକ ନାହିଁ, ତେବେ ବିକାଶ ନାଁରେ ପର୍ଯ୍ୟାବରଣର ବିନାଶକୁ ପ୍ରଶ୍ରୟ ଦେବା ପାଇଁ ଆମ ପାଖରେ ସତରେ ଆଉ ସମୟ ନାହିଁ । ଜଳ ଉତ୍ସମାନ ପାରମ୍ପରିକ ଗୋଷ୍ଠୀ ସଂଚାଳିତ ପରିଚାଳନାରୁ ବିରତ ରହିବା ଯୋଗୁଁ ରାଜସ୍ଥାନରେ କଣ ଘଟିଛି ସେକଥା ସ୍ପଷ୍ଟ କରିଛନ୍ତି ମାଗାସେସେ ବିଜେତା ରାଜେନ୍ଦ୍ର ସିଂହ । ତାଙ୍କ କହିବା ଅନୁସାରେ ଆଜିକୁ ପ୍ରାୟ ୨୦୦ ବର୍ଷ ତଳେ ହଜାର ହଜାର ଯାତ୍ରୀ ଜୟସଲମର୍‌ରେ ଅଟକୁଥିଲେ ପାଣି ପିଇବା ପାଇଁ । କିନ୍ତୁ ଜଳସମ୍ପଦର ପାରମ୍ପରିକ ପରିଚାଳନା ଥରେ ବିଗିଡ଼ି ଯିବା ପରେ ପରିସ୍ଥିତି ସଙ୍କଟଜନକ ସାବ୍ୟସ୍ତ ହେଲା । ଯାହା ବା ବାକି ଥିଲା ସେ ସନ୍ତୁଳନକୁ ନଷ୍ଟ କଲା ଶିଳ୍ପାୟନ । ଏବେ ରାଜସ୍ଥାନରୁ ମରୁ ଗଙ୍ଗା (ଲୁଣୀ ନଦୀ) ନିଶ୍ଚିହ୍ନ ହେବାକୁ ବସିଲାଣି ।

 

ଆସିବା ଆମ ରାଜ୍ୟକୁ । ଏମ୍‌ସିଏଲ୍‌ ଏବଂ ଏନ୍‌ଟିପିସି ଯୋଗୁଁ ନନ୍ଦିରା (ତାଳଚେର) ଏକ ମୃତ ନଦୀରେ ପରିଣତ ହୋଇସାରିଛି । ବିକାଶର ଗାଣିତିକ ସୂତ୍ର ଦେଖନ୍ତୁ । ଏଇ ଦୁଇଟି ସଂସ୍ଥା ପ୍ରତିଦିନ ନନ୍ଦିରାରୁ ଉଠାନ୍ତି ପଚିଶ କୋଟି ଲିଟର ପାଣି । ପ୍ରତିଦାନରେ ନନ୍ଦିରାକୁ ଏମାନେ ଫେରାନ୍ତି ଫ୍ଲାଇ ଆସ୍‌, ଫସ୍‌ଫରସ୍‌, ଆମୋନିଆ, ୟୁରିଆ ଏବଂ ସଲ୍‌ଫ୍ୟୁରିକ୍‌ ଏସିଡ୍ ପରି ବିଷାକ୍ତ ରାସାୟନିକ ବର୍ଜ୍ୟ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ମୁତାବକ ମହାନଦୀ ଏବଂ ବ୍ରାହ୍ମଣୀ ସମେତ ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା ଏବଂ ବୈତରଣୀ ସେମାନଙ୍କ ପ୍ରାକୃତିକ ବିଶୋଧନ କ୍ଷମତା ହରେଇ ବସିଛନ୍ତି । ଏସବୁ ନଈର ପାଣି ଆଉ ସିଧାସଳଖ ପାନୀୟ ଉପଯୋଗୀ ହୋଇ ରହିନାହିଁ । ଭିନ୍ନ କାରଣରୁ ମୃତ ନଦୀମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ସାରିଛନ୍ତି ସାଳନ୍ଦୀ ଏବଂ ଅଳକା ନଦୀ । ତେବେ ନଦୀ ଜଳ ବିଷାକ୍ତ ହେବା ହିଁ ଏବେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି । ଏକ ତଥ୍ୟ ଅନୁଯାୟୀ ଭାରତ ପ୍ରତିଦିନ ଅନ୍ତତଃ ୩୮,୦୦୦ ନିୟୁତ ଲିଟର ବର୍ଜ୍ୟର ପରିବେଶ ଅନୁକୂଳ ପରିଚାଳନା ଆବଶ୍ୟକ କରୁଥିବା ସ୍ଥଳେ ଏହାର ପ୍ରକୃତ କ୍ଷମତା ୧୨,୦୦୦ ନିଯୁତ ଲିଟର ପ୍ରକ୍ରିୟାକରଣରେ ସୀମିତ ଅଛି । ପୁଣି ଫେରିବା ଆମ ରାଜ୍ୟକୁ । ନଦୀମାନଙ୍କର କ୍ରମ ସଙ୍କୋଚନ ଚିଲିକାର ଜୈବ ବିବିଧତାକୁ ବିପର୍ଯ୍ୟସ୍ତ କରିବା ଆରମ୍ଭ କରିସାରିଛି । ଚିଲିକାକୁ ବାର୍ଷିକ ୫,୨୮୦ ନିୟୂତ କ୍ୟୁବିକ୍‌ ଲିଟର ମଧୁର ଜଳ ନିଷ୍କାସନ କରୁଥିବା ୫୨ଟି ନଈକାଳ ଭିତରୁ ଅଧିକାଂଶ ପୋତି ହୋଇ ଆସିଲେଣି । ହ୍ରଦର ବର୍ଣିଳ ଜୈବ ବିବିଧତାକୁ ସମ୍ଭବ କରେଇବା ପାଇଁ ଲୁଣି ପାଣି ସହିତ ମଧୁର ଜଳର ମିଶ୍ରଣର ଏକ ନିର୍ଦ୍ଦିଷ୍ଟ ମାପ ବା ପରିମାଣ ନିର୍ଣ୍ଣାୟକ ଭୂମିକା ତୁଲେଇ ଥାଏ । ଅତଏବ ଆଗକୁ ପରିସ୍ଥିତି ବିଗିଡ଼ିଯିବାର ସମ୍ଭାବନା ରହିଛି । ସମସ୍ୟା ଏହା ବାଦ୍‌ ବି ଅଛି ।

 

ବିଶେଷଜ୍ଞମାନଙ୍କ ମତ ହେଉଛି, ନଦୀଶଯ୍ୟାରେ ଅନିୟନ୍ତ୍ରିତ ସ୍ୟାଣ୍ଡ ମାଇନିଂ ଅବ୍ୟାହତ ରହିଲେ ଅବସ୍ଥା ଆହୁରି ଖରାପ ହେବ । ଅନିୟନ୍ତ୍ରିତ ବାଲି ଉଠାଣ ନଦୀଶଯ୍ୟାରେ ପ୍ରାକୃତିକ ଜଳଧାରଣ କ୍ଷମତାକୁ ହ୍ରାସ କରୁଛି । ବିଶ୍ଵ ଉତ୍ତପ୍ତୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ନଈମାନଙ୍କ ଚରିତ୍ର ବଦଳେଇବା ତ ଜାରି ରଖିଛି, ତା ସାଙ୍ଗକୁ ମନୁଷ୍ୟକୃତ ଅତ୍ୟାଚାର କିଛି କମ୍‌ ବୀଭତ୍ସ ପ୍ରମାଣିତ ହୋଇନାହିଁ । ସାରା ପୃଥିବୀରେ ଅନେକ ବଡ ବଡ ନଈ ଏଇ ବିପତ୍ତିର ସମ୍ମୁଖୀନ ହୋଇଛନ୍ତି । ଏକ ଅଧ୍ୟୟନ ମୁତାବକ ଗତ ୫୦ ବର୍ଷ ଭିତରେ ପ୍ରଶାନ୍ତ ମହାସାଗରକୁ ନଦୀ ମାନଙ୍କର ମଧୁର ଜଳ ନିଷ୍କାସନ ୬ ପ୍ରତିଶତ ହ୍ରାସ ପାଇଥିବା ସ୍ଥଳେ ଭାରତ ମହାସାଗରରେ ଏହା ହ୍ରାସ ପାଇଛି ୩ ପ୍ରତିଶତକୁ କଲମ୍ବିଆ, ମିସିସିପି ଏବଂ ଗଙ୍ଗା ପରି ବୃହତ୍‌ନଦୀ ଏମାନଙ୍କ ଆୟତନର ୧୦ ଭାଗରୁ ଅଧିକ ହରେଇ ସାରିଛନ୍ତି । ତେବେ ସବୁ ଶେଷ ହୋଇ ଯାଇନାହିଁ । ଇଂଲଣ୍ଡରେ ଶିଳ୍ପ ବିପ୍ଳବ ସହିତ ସମାନ୍ତରାଳ ଭାବେ ବିଷାକ୍ତ ହୋଇ ସାରିଥିବା ଟେମ୍‌ସ ନଦୀକୁ ଅନେକାଂଶରେ ପ୍ରଦୂଷଣ ମୁକ୍ତ କରାଯାଇପାରିଛି । ୧୩ ନିୟୁତ ଲୋକ ନିର୍ଭର କରନ୍ତି ଟେମ୍‌ସ ଉପରେ ଏହାର ଜଳ ପାଇଁ, ଗମନାଗମନ ପାଇଁ । ଖବର ପ୍ରକାଶ ପାଇଛି ଯେ ଟେମ୍‌ସରେ ଏହାର ମୂଳ ୨୨ ପ୍ରଜାତିର ମାଛଙ୍କ ମଧ୍ୟରୁ ୨୦ ପ୍ରଜାତିର ମାଛ ମିଳିଲେଣି । ଶିଳ୍ପ ବିପ୍ଲବ ଉପରାନ୍ତ ୧୫୦ ବର୍ଷ ଧରି ଏ ନଈ ଉପରେ କରାଯାଇଥିବା ଅପରାଧର ପ୍ରାୟଶ୍ଚିତ ନିମନ୍ତେ ବ୍ରିଟେନ୍‌ ସରକାର ଖର୍ଚ୍ଚ କରି ଆସୁଛନ୍ତି ବାର୍ଷିକ ୫୦ ନିୟୁତ ପାଉଣ୍ଡ ବର୍ଷ ବର୍ଷ ଧରି । ଏବେ ବି ଜଳ ବିଶୋଧନ ପାଇଁ ଟେମ୍‌ସରେ କାର୍ଯ୍ୟରତ ୫୮ଟି ପ୍ରକଳ୍ପ । ଦୁର୍ଭାଗ୍ୟ, ଆମ ଦେଶରେ ସରକାରୀ ନିଷ୍ଠା ତ ନାହିଁ, ଯେତିକି ଜନସଚେନତନା ଏ ବାବଦରେ ଆବଶ୍ୟକ ସେତକ ବି ନାହିଁ । ଦେଶର ବୃହତ୍‌ ନଦୀ ମାନଙ୍କର ସଂଯୋଗୀକରଣକୁ ନେଇ ସେମିତି କିଛି ଠୋସ୍‌ କାର୍ଯ୍ୟକ୍ରମ ବି ଆମେ ଏ ଯାଏଁ ହାତକୁ ନେଇନାହୁଁ । ଯାହା କିଛି ହେଉଛି ସେତକ କେବଳ ସୁପ୍ରିମ କୋର୍ଟର ବାଧ୍ୟବାଧକତାରେ ।

 

ଅକ୍ଷୟ ମହାନ୍ତିଙ୍କର ଏକ ପ୍ରସିଦ୍ଧ ଗୀତ ଆରମ୍ଭ ହୋଇଛି ଏଇ ଧାଡ଼ିରୁ । ‘‘ନଦୀର ନାମ ଅଳସକନ୍ୟା ..।’’ ହେଲେ ଅଳସ ଭାଙ୍ଗି, ହାଉଲେ ହାଉଲେ ପାଦ ପକେଇ, ଟିକିଏ ଲାଜଲାଜ ହୋଇ ନଈର ଆଉ ଆଗକୁ ଯିବାକୁ ବଳ ନାହିଁ । ନଈପଠାରେ ଏବେ ବି ହୁଏତ କାଶତଣ୍ଡୀ ଫୁଟୁଛି, ନଈକୂଳ ମନ୍ଦିରରେ ସନ୍ଧ୍ୟାରେ କେହି ଶଙ୍ଖ ବି ହୁଏତ ବଜାଉଛି, ହେଲେ ନଈର ସେ ଲଳିତ ଲାବଣ୍ୟ ଆଉ ନାହିଁ । ସେ ସମ୍ମୋହନ ନାହିଁ । ନଈ କେବଳ ଆମ ଶାସ୍ତ୍ରପୁରାଣରେ ଚିର ସଲିଳା ଏବଂ ପୁଣ୍ୟତୋୟା ହୋଇ ଯାହା ରହିଯାଇଛନ୍ତି । ଅସଲରେ କିନ୍ତୁ ଆମ ସଭ୍ୟତାର ପାପ ବୋହି ବୋହି ସେମାନେ ଖୁବ୍‌ ଥକି ପଡ଼ିଲେଣି ।

(ସମ୍ବାଦ ତା ୧୮/୬/୨୦୧୦)

Image

 

ପ୍ରଜନ୍ମର ଦୂରତ୍ୱ, ନନ୍ଦୁର ‘ବ୍ଲାକ୍‌ବେରି’

 

ଗତ ସପ୍ତାହରେ ନନ୍ଦୁ ସହିତ ମୋର ଦେଖା ହୋଇଥିଲା । ପାଖାପାଖି ୪ ବର୍ଷ ପରେ । ତା ବାପା ଓ ମା ଉଭୟ ମୋ ସହିତ ପଢ଼ୁଥିଲେ । ନନ୍ଦୁ ଏବେ ବିଜେବି କଲେଜରେ (+୨) ୨ୟ ବର୍ଷ ବିଜ୍ଞାନର ଛାତ୍ର । ଖୁବ୍‌ ମେଧାବୀ । ଗତଥର ମୋ ସହିତ ଦେଖା ହେବା ବେଳେ ମତେ ସେ କମିକ୍ସ ଏବଂ ଆନିମେସନ୍‌ ଉପରେ ଗୁଡ଼ାଏ କଥା ପଚାରିଥିଲା । ଅନ୍‌ଲାଇନ୍‌ କମ୍ପ୍ୟୁଟର ଗେମ୍‌ସ ଏବଂ ଗେମ୍‌ କୋଡ୍ କ୍ରାକିଂ ବାବଦରେ ବି । କମିକ୍ସି ପଢ଼ା ମୋର ଖୁବ୍ ସୀମିତ ଥିଲା । ଆନିମେସନ୍‌ ଉପରେ ଆଦୌ ଧାରଣା ନଥିଲା । କମ୍ପ୍ୟୁଟର ଗେମ୍‌ସ ସହିତ ଯଦିଓ ମୁଁ ଅଭ୍ୟସ୍ତ ଥିଲି, ଅନ୍‌ଲାଇନ୍‌ ମୋଡ୍‌ରେ କେବେ ଖେଳି ନଥିଲି । ସେଦିନ ନନ୍ଦୁକୁ ପଚାରିଲି, ଆଉ କମିକ୍ସି ପଢ଼ୁଛୁ ? ନନ୍ଦୁ ହସିଲା-। କହିଲା ଅଙ୍କଲ୍‌, ବେଳ କାହିଁ ? ଆଉ ଅନ୍‌ଲାଇନ୍‌ ଗେମ୍‍ସ ? ମୁଁ ପୁଣି ପଚାରିଲି । ମୁହଁ ଶୁଖେଇ ନନ୍ଦୁ ଉତ୍ତର ଦେଲା, ବାପାଙ୍କୁ ଯେତେ କହିଲେ ବି ସେ ବ୍ରଡ୍‌ବ୍ୟାଣ୍ଡ କନେକ୍‍ସନ ଆଣୁନାହାନ୍ତି । ଆମ ଘରେ ତ ବିଏସ୍‌ଏନ୍‌ଏଲ୍‌ର ପୁରୁଣା ମଡ଼େଲ୍‌ ଡଙ୍ଗଲ୍‌ । ସେଥିରେ ଖୁବ୍‌ ବେଶିରେ ବ୍ରାଉଜିଂ ଏବଂ ଚାଟିଂ ସମ୍ଭବ । ଅନ୍‌ଲାଇନ୍‌ ଗେମ୍‌ସ ପାଇଁ ଯୋଉ ବ୍ୟାଣ୍ଡଓ୍ୟାଇଡ୍‌ଥ୍ ଦରକାର, ମୋର ନାହିଁ-। ଆପଣ ବାପାଙ୍କୁ ପ୍ଲିଜ୍‌ ବ୍ରଡ୍‌ବ୍ୟାଣ୍ଡ ପାଇଁ କୁହନ୍ତୁ ଅଙ୍କଲ୍‌ । ପ୍ରସଙ୍ଗ ବଦଳେଇ ମୁଁ ଏଥର ପଚାରିଲି, ଆଉ ତୋ ପଢ଼ାପଢ଼ି ! ଚଟ୍‌ କରି ଉତ୍ତର ଦେଲା ନନ୍ଦୁ- ସେଇଥିପାଇଁ ତ ମୋର ବ୍ରଡ୍‌ବ୍ୟାଣ୍ଡ ଦରକାର । ଆଇଆଇଟି ପାଇଁ ମୁଁ ଯୋଉ କୋଚିଂ ନେଉଛି ତାର ସବୁ ମକ୍‌ଟେଷ୍ଟ ଆରମ୍ଭ ହେବ ଆର ମାସରୁ- ସବୁ ଅନ୍‌ଲାଇନ୍‌ । ନନ୍ଦୁ ସମସ୍ୟା ବୁଝି ପାରୁଥିଲି । ତେଣୁ ଜୋର୍‌ଦେଇ କହିଲି, ଆଜି ମୁଁ ବାପାଙ୍କ ସହିତ କଥା ହେବି । ଆଛା, ତୋ ସାନ ଭଉଣୀ ନାଚ ଶିଖୁଛି ନା ନାହିଁ ? ତୋ ମା ନୂଆ ଉପନ୍ୟାସ ପଢ଼ା ଜାରି ରଖିଛି ନା ନାହିଁ ? ନନ୍ଦୁ ହସିଲା । କହିଲା, ଅଙ୍କଲ୍‌, ବାପା ତ ତାଙ୍କ ଅଫିସ୍‌ କାମରେ ବ୍ୟସ୍ତ, କିନ୍ତୁ ମାଆ କଥା ଶୁଣି ମତେ ଥରେ ଥରେ ଭାରି ହସ ମାଡ଼ୁଛି । ମା’ ତ ମତେ ଏବେ ବି ଛୋଟ ଛୁଆ ଭାବୁଛି ! ମତେ କହୁଛି, ବାପାରେ, ଆକାଶକୁ ଚାହାଁ, ମାଟିକୁ ଦେଖ, ଗଛରେ ପାଣି ଦେ, କମ୍‌ରେ ଚଳିବା ପାଇଁ ଚେଷ୍ଟା କର, ସବୁବେଳେ କମ୍ପୁଟର ପାଖରେ ନବସି ବାହାର ବହି ପଢ଼ାପଢ଼ି କର । ଜୀବନର ନିଜସ୍ୱ ନୀତିନିୟମ ଅଛି, ମୂଲ୍ୟବୋଧ ସବୁଠୁ ଗୁରୁତ୍ଵପୂର୍ଣ୍ଣ... ଏମିତି କେତେ କଥା । ମାଆ କଥା ମତେ ପଞ୍ଚତନ୍ତ୍ରର ନୀତିବାଣୀ ପରି ଲାଗୁଛି । ବୋରିଂ ଅବଶ୍ୟ ନୁହେଁ, କିନ୍ତୁ କେମିତି ଗୋଟାଏ ପୁରୁଣା... । ନନ୍ଦୁର ମୁଣ୍ଡ ଆଉଁସି ଦେଉ ଦେଉ ମୁଁ କହିଲି, ନନ୍ଦୁରେ, ତୋ ମା ମୂଳରୁ ସେମିତି । କିନ୍ତୁ ତା କଥା ଆଦୌ ପୁରୁଣା ନୁହେଁ । ନନ୍ଦୁର ମୋବାଇଲ୍‌ ରିଂ ହେଲା । ଫୋନ୍‌ରେ କଥା ହେଉ ହେଉ ନନ୍ଦୁ କହିଲା, ଦେଖନ୍ତୁ ଅଙ୍କଲ୍‌, ମୋର ବ୍ଲାକ୍‌ବେରି ବି ନାହିଁ । ଏଇଟା ଗୋଟାଏ ପୁରୁଣା ମଡ଼େଲର୍‌ ମୋବାଇଲ୍‌ ।

 

ନନ୍ଦୁର ସବୁ ଅଭିଯୋଗକୁ ଏକା ବେଳକେ ଅମୂଳକ ମନେ କରିବାର ଯୁକ୍ତିନିଷ୍ଠ କାରଣ ନଥିଲା । ନନ୍ଦୁ ତା ପିଢ଼ିର ପ୍ରତିନିଧି । ଜେନରେସନ୍‌ 'ଓ୍ୱାଇ' ପ୍ରତିନିଧି । ଆମ ପିଢ଼ି ଅଲଗା । ପ୍ରଜନ୍ମଗତ ପାର୍ଥକ୍ୟ ବା ପିଢ଼ି-ପିଢ଼ି ଭିତରେ ସୂକ୍ଷ୍ମ ପ୍ରଭେଦ ଦର୍ଶେଇବା ପାଇଁ ରୀତିମତ ନିୟମକାନୁନ୍‌ / ତତ୍ତ୍ୱ ଯଦିଓ ନାହିଁ, ତଥାପି ପାଶ୍ଚାତ୍ୟ ରୀତିରିଓ୍ୟାଜ୍‌ ଅନୁସରଣ କରି ୧୯୮୨ ରୁ ୧୯୯୫ ମଧ୍ୟରେ ଜନ୍ମ ନେଇଥିବା ପିଲାମାନଙ୍କୁ କୁହାଯାଉଛି 'ଓ୍ୱାଇ ପିଢ଼ି' । ସେଇ ଅନୁସାରେ ବିଂଶ ଶତାବ୍ଦୀର ଗୋଟିଏ ପିଢ଼ିକୁ ଆଉ ଏକ ପିଢ଼ିଠାରୁ ନିଆରା ଚିହ୍ନଟ କରିବା ପାଇଁ ପାଶ୍ଚାତ୍ୟ ମୁଲକମାନଙ୍କରେ ପ୍ରଚଳିତ ବର୍ଗୀକରଣର ସରଳ ଅର୍ଥ ହେବ ଏମିତି । (୧) ଯେଉଁମାନେ ବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଜନ୍ମ ନେଇଥିଲେ ସେମାନଙ୍କୁ କୁହାଗଲା ଇଣ୍ଟର୍‌ବେଲମ୍‌ ପିଢ଼ି । ଇଣ୍ଟର୍‌ବେଲମ୍‌ ପ୍ରଥମ ବିଶ୍ୱଯୁଦ୍ଧ ଶେଷଠୁ ୨ୟ ବିଶ୍ଵଯୁଦ୍ଧ ଆରମ୍ଭ ପର୍ଯ୍ୟନ୍ତ ପ୍ରଲମ୍ବିତ ସମୟ, ଅର୍ଥାତ୍‌ ୧୯୧୮ରୁ ୧୯୩୯ ପର୍ଯ୍ୟନ୍ତ ସମୟ ଖଣ୍ଡକୁ ଇଙ୍ଗିତ କରେ । ପାଶ୍ଚାତ୍ୟ ସମାଜଶାସ୍ତ୍ରୀମାନଙ୍କ ମତ ଯେ ଇଣ୍ଟର୍‌ବେଲମ୍‌ ପିଢ଼ି ବା 'ଜି- ୧' ପିଢ଼ି ପ୍ରଥମ ବିଶ୍ୱଯୁଦ୍ଧରେ ଭାଗ ନେବା ସମ୍ଭବ ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ବେଳକୁ ସେମାନଙ୍କର ସେନାବାହିନୀରେ ଯୋଗ ଦେବାର ବୟସ ବି ଅତିକ୍ରାନ୍ତ ହୋଇ ସାରିଥିଲା । ଏମାନେ ଦୁଇ ଯୁଦ୍ଧ ଭିତରେ ବନ୍ଦୀ ହୋଇ ରହିଥିଲେ, ଏକରକମ । (୨) ଏହା ପରେ ଆସିଲେ ‘ବିଖ୍ୟାତ ପିଢ଼ି' ବା ବିଲ୍‌ଡରସ୍‌ ପିଢ଼ି । ଏମାନଙ୍କ ଉତ୍ପତ୍ତି କାଳ - ପ୍ରଥମ ବିଶ୍ୱଯୁଦ୍ଧ ପରେ ଏବଂ ବିଂଶ ଶତାବ୍ଦୀର ୨ୟ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ । ୧୯୨୯ରେ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ସହିତ ଏମାନଙ୍କର ପରିଚୟ ଥିଲା । (୩) ଏହାପରେ ଆସିଲେ 'ନିରବ ପିଢ଼ି' । ୨ୟ ବିଶ୍ୱଯୁଦ୍ଧରେ ଲଢ଼ିବା ଏମାନଙ୍କ ପାଇଁ ସମ୍ଭବ ହୋଇ ନଥିଲା । ୧୯୨୫ ରୂ ୧୯୪୫ ଭିତରେ ଭୂମିଷ୍ଠ ଏଇ ପିଢ଼ିର ସଦସ୍ୟମାନେ ବୟସରେ କଚ୍ଚା ହୋଇଥିବାରୁ ସୈନିକ ହେବା ପାଇଁ ଅନୁପଯୁକ୍ତ ଥିଲେ । (୪) ୨ୟ ବିଶ୍ୱଯୁଦ୍ଧ ଉପରାନ୍ତ ଉତ୍ପନ୍ନ ପିଢ଼ିକୁ କୁହାଗଲା 'ବେବି ବୁମରସ୍‌ / ବେବି ବଷ୍ଟରସ୍‌ ପିଢ଼ି' । ଏଇ ସମୟ ଖଣ୍ଡରେ ସାରା ପୃଥିବୀରେ ନବଜନ୍ମଙ୍କ ସଂଖ୍ୟା ବେଶ୍‌ ବଢ଼ିଲା, ପ୍ରାୟ ୧୫ ବର୍ଷ ଧରି । ପଶ୍ଚିମା ସଂସ୍କୃତି ଭିତରୁ ବି ସେଇ ସମୟରେ ପ୍ରତିବାଦର ସ୍ୱର ଏକ ପ୍ରତିସଂସ୍କୃତି ଭାବେ ଆତ୍ମପ୍ରକାଶ କଲା । ଏ ପିଢ଼ି ସେଇ ପରିବର୍ତ୍ତନର ଅଂଶ ଥିଲା । (୫) ୟା ପରେ ଆସିଲା 'ଜେନେରେସନ୍‌ ଏକ୍ସ’ ବା ଏକ୍ସ ପିଢ଼ି । ଷାଠିଏ ଦଶକରୁ ଅଶୀ ଦଶକ ଆଦ୍ୟ ଯାଏଁ ଏମାନେ ଭୂମିଷ୍ଠ ହୋଇଥିଲେ । ମୁଁ, ନନ୍ଦୁର ବାପା ଓ ମା ଏଇ ପିଢ଼ିର । ନନ୍ଦୁ ଓ୍ୱାଇ ପିଢ଼ିର । ୨୦୦୦ ପରେ ଆସିଥିବା ପିଢ଼ିକୁ କୁହାଗଲା 'ଜେଡ୍ ପିଢ଼ି' ।

 

ଆପଣା ସମୟର ସ୍ୱତନ୍ତ୍ର ସ୍ଵାଦ ଏବଂ ଚରିତ୍ରକୁ ନେଇ ପ୍ରତ୍ୟେକ ପିଢ଼ି ସ୍ଵତନ୍ତ୍ର । ସମାଜତତ୍ଵବିତ୍‌ମାନଙ୍କ ମତ ହେଉଛି ଏକବିଂଶ ଶତାବ୍ଦୀର ପୃଥିବୀରେ ଯାହା ଆମ ଅଦୃଶ୍ୟରେ ମଣିଷ ମଣିଷ ଭିତରେ ଭୁଲ ବୁଝାମଣା, ବିରାଗ ଓ ବିଦ୍ୱେଷ ସୃଷ୍ଟି କରୁଛି ତାହା ଅନେକାଂଶରେ ସମ୍ପର୍କିତ ପ୍ରଜନ୍ମଗତ ପାର୍ଥକ୍ୟ ସହିତ । ଆମ ସମୟର ପୃଥିବୀରେ ଯେଉଁ ପିଢ଼ି ସବୁ ସଂଖ୍ୟା ଗରିଷ୍ଠ ହୋଇ ରହିଛନ୍ତି ସେମାନେ ହେଲେ ବୁମ୍‌ରସ୍‌ ପିଢ଼ି, ଏକ୍ସ ପିଢ଼ି ଏବଂ ଓ୍ୱାଇ ପିଢ଼ି । ଏମାନେ ଆମ ଜନସଂଖ୍ୟାର ପାଖାପାଖି ଅଶୀ ଭାଗ । ଆମର ଆଲୋଚନା ବିଶେଷ କରି ଓ୍ୱାଇ ପିଢ଼ିକୁ ନେଇ । ପୂର୍ବ ପିଢ଼ି ତୁଳନାରେ ଓ୍ୱାଇ ପିଢ଼ିର ରୁଚି ବୈପ୍ଲବିକ ଭାବେ ଭିନ୍ନ । ନିଜ ପରିବାରିକୁ ଆର୍ଥିକ ଏବଂ ନୈତିକ ସହାୟତା ଯୋଗାଇବାର ଉତ୍ତରଦାୟିତ୍ୱ ଏ ପିଢ଼ିର ନାହିଁ । ଆପଣା ଉପାର୍ଜନର ୭୦ ଭାଗରୁ ଅଧିକ ଅର୍ଥ ଏମାନେ ଖର୍ଚ୍ଚ କରନ୍ତି ମନୋରଞ୍ଜନ, ଖାଦ୍ୟ ଏବଂ ଭ୍ରମଣରେ । ଏକ ସର୍ଭେ ଅନୁଯାୟୀ ଏଇ ପିଢ଼ିର ଅନ୍ତତଃ ୭୦ ଭାଗ ନିୟମିତ ପାର୍ଟିକୁ ଯାନ୍ତି, ଗୀତ ଶୁଣନ୍ତି ଓ ସିନେମା ଦେଖନ୍ତି । ଏମାନଙ୍କ ଜୀବନକୁ ଗଭୀର ଭାବରେ ଛୁଇଁଛି ପ୍ରଯୁକ୍ତି ବିଦ୍ୟା । ମୋବାଇଲ୍‌ ଫୋନ୍‌ର ମେସେଜ୍‌ ସର୍ଭିସ୍‌ ବ୍ୟବହାରରେ ୱାଇ ପିଢ଼ିର ଯୋଗଦାନ ଏକା ୭୫ ପ୍ରତିଶତ । ଅର୍କୁଟ୍, ଫେସ୍‌ବୁକ୍‌ ଏବଂ ଟ୍ଵିଟର୍‌ ପରି ସୋସିଆଲ୍‌ ନେଟ୍‌ୱାର୍କିଂରେ ଉପଭୋକ୍ତାମାନଙ୍କ ମଧ୍ୟରେ ସିଂହ ଭାଗ ଏଇ ପିଢ଼ିର ସଦସ୍ୟ । ବୁମ୍‌ର୍‌ମାନଙ୍କୁ ପ୍ରଭାବିତ କରିଥିଲା ଟେଲିଭିଜନ୍‌, ରକ୍‌ ଆଣ୍ଡ ରୋଲ୍‌, ଶୀତଳ ଯୁଦ୍ଧ, ଏକ୍ସ-ପିଢ଼ିକୁ ପର୍ସନାଲ୍‌ କମ୍ପ୍ୟୁଟର ଏବଂ ଭାଙ୍ଗି ପଡ଼ୁଥିବା ମୂଲ୍ୟବୋଧ ବ୍ୟବସ୍ଥା । ତା ପୂର୍ବ ପିଢ଼ିମାନଙ୍କୁ ପ୍ରଭାବିତ କରୁଥିଲେ ବ୍ୟକ୍ତିତ୍ୱ‌, ଆଇନ୍‌କାନୁନ୍‌, କର୍ତ୍ତୃପକ୍ଷ, ମୂଲ୍ୟବୋଧ ଏବଂ ତଥ୍ୟର ଅନୁଶୀଳନ । ଓ୍ୱାଇ ପିଢ଼ି ପାଇଁ ପ୍ରଭାବର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ସ ହେଲା ନିଜର ଖାସ୍‌ ଗୋଷ୍ଠୀ । ନିଜର ସର୍କଲ । ପୁଣି ଯେ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଅବଧାରଣା, ଦର୍ଶନ ବା କାର୍ଯ୍ୟକଳାପ ଅନ୍ୟର କ୍ଷତି ନ ପହଞ୍ଚେଇଛି, ସେ ଯାଏଁ ଏହାକୁ ଆପଣେଇବାରେ କୌଣସି ତୃଟି ନାହିଁ ବୋଲି ଓ୍ୱାଇ-ପିଢ଼ିର ମତ ।

 

ଏ ସ୍ଥିତିରେ ପୂର୍ବ ପିଢ଼ିମାନଙ୍କ ମୂଲ୍ୟବୋଧ ମାନଙ୍କର ସଂଜ୍ଞା ଏବଂ ସ୍ୱରୂପ ବିବର୍ତ୍ତନ କ୍ରମରେ ନୂଆ ପିଢ଼ିଟି ପାଇଁ କ୍ରମଶଃ ଅନାବଶ୍ୟକ ହୋଇ ପଡ଼ୁଛି । ତେବେ କିଛି ଚିନ୍ତକ ଭିନ୍ନ ମତ ମଧ୍ୟ ଦିଅନ୍ତି । ସେମାନେ କହନ୍ତି, ଭୋଗବାଦ ସହିତ ଯୋଡ଼ି ହୋଇ ରହିଥିଲେ ହେଁ ଆପଣା ଜୀବନ ଦୃଷ୍ଟିରେ ଓ୍ୱାଇ ପିଢ଼ି ପୂର୍ବ ପିଢ଼ିମାନଙ୍କ ତୁଳନାରେ ଯଥେଷ୍ଟ ଉଦାର ଓ ମୁକ୍ତ । ସମ୍ଭବତଃ ଏଇଥିପାଇଁ ଯେ, ନିଜ ଜୀବନରେ ସୁଖ ସୁବିଧା ଏବଂ ସଂପଦକୁ ସେମାନେ ଯେମିତି ଉପଭୋଗ କରିଛନ୍ତି, ସେତିକି ଅନୁଭବ କରିଛନ୍ତି ସଂପଦର ଅସାରତାକୁ, ନିଜ ପିତାମାତାଙ୍କ ଅସ୍ଵସ୍ତିକୁ, ପ୍ରତିଯୋଗିତା ମୋଡ୍‌ରେ ଆଗେଇ ଚାଲିଥିବା ଅଣନିଶ୍ୱାସୀ ମୁହୂର୍ତ୍ତମାନଙ୍କର ଭିଡ଼କୁ-ବୃହତ୍ତର ଅର୍ଥରେ ଏକ ସ୍ୱପ୍ନଭଙ୍ଗକୁ । ସେମାନେ ତେଣୁ ଆଉ ହିସାବ ରଖିବାକୁ ଚାହୁଁନାହାନ୍ତି । ବୋର୍‌ହେବାକୁ ଚାହୁଁନାହାନ୍ତି, କାମ କରିବା ପାଇଁ ବଞ୍ଚୁ ନାହାନ୍ତି, ବରଂ ବଞ୍ଚିବା ପାଇଁ କାମ କରୁଛନ୍ତି-। ସାମାଜିକ ସମସ୍ୟା, ମାନବାଧିକାର, ପରିବେଶ ଏବଂ ସ୍ୱେଚ୍ଛାକୃତ ସେବା ଓ୍ୱାଇ ପିଢ଼ି ଅସ୍ତିତ୍ଵର ଅଂଶବିଶେଷ । ଏଣେ ଏ ପିଢ଼ିର ପୁରୁଣା ପିଢ଼ି ମାନଙ୍କ ପ୍ରତି ଅଭିଯୋଗ ମଧ୍ୟ ରହିଛି । ତାହା ହେଉଛି, ବୟସ୍କମାନେ ସେମାନଙ୍କୁ ମୋଟେ ବୁଝିବା ପାଇଁ ଚେଷ୍ଟା କରୁନାହାନ୍ତି । ଭାରତର ୬ଟି ରାଜ୍ୟରେ ଜେନରେସନ୍‌ଗ୍ୟାପ୍‌ ଉପରେ ନିକଟରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ୭୦ ପ୍ରତିଶତରୁ ଅଧିକ ପିତାମାତା ଚାହାନ୍ତି ନାହିଁ ଯେ ସେମାନଙ୍କ ପିଲା ବିନା ପରାମର୍ଶରେ ତାର ବୟ/ ଗାର୍ଲ ଫ୍ରେଣ୍ଡକୁ ଘରକୁ ଆଣୁ । ଅଧିକାଂଶ ପିତାମାତାଙ୍କ ଭାବ ବିନିମୟ (ସନ୍ତାନ ସହ) ଭିତ୍ତି କରିଥାଏ ନିରୋଳା ପାଠପଢ଼ାକୁ ନେଇ । କେବଳ ୨ ରୁ ୬ ପ୍ରତିଶତ ବାପା ମା ପିଲାମାନଙ୍କ ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ମଝିରେ ମଝିରେ କଥା ହୁଅନ୍ତି । ୮୦ ପ୍ରତିଶତ ପିତାମାତା ପ୍ରେମ ବିବାହକୁ ବିରୋଧ କରନ୍ତି । ସର୍ଭେରୁ ଏକଥା ବି ଜଣା ପଡ଼ିଥିଲା ଯେ ଓ୍ୱାଇ ପିଢ଼ିର ଅନ୍ତତଃ ୭୫ ପ୍ରତିଶତ ସଦସ୍ୟ ସେମାନଙ୍କ ବାପା ମାଙ୍କ ତୁଳନାରେ ଅଧିକ ବିଶ୍ଵାସ କରନ୍ତି ବନ୍ଧୁମାନଙ୍କୁ ।

 

ସେଦିନ ସନ୍ଧ୍ୟାରେ ନନ୍ଦୁ ଘରକୁ ଫୋନ୍‌ କରିଥିଲି । ନନ୍ଦୁର ବାପା ନଥିଲେ । ଫୋନ୍‌ ଧରିଲେ ନନ୍ଦୁର ମାଆ । କହିଲି ନନ୍ଦୁ ପାଇଁ ବ୍ଲାକ୍‌ବେରି ନ ହେଲେ ନାହିଁ, ଅନ୍ତତଃ ବ୍ରଡ୍‌ବ୍ୟାଣ୍ଡ କନେକ୍‌ସନ୍‌ ଅଣାଯାଉ । ଏକଥା ବି କହିଲି ଯେ ନନ୍ଦୁ ଶୁଣୁ କି ନ ଶୁଣୁ, ଜୟା (ନନ୍ଦୁର ମା) ତାକୁ ଆକାଶକୁ ଚାହିଁବାକୁ ବରାବର କହୁ । ଚିରନ୍ତନର କାହାଣୀ ଶୁଣାଉ । ପ୍ରଜନ୍ମର ଦୁରତ୍ୱକୁ ହ୍ରାସ କରିବା ପାଇଁ ସେ ଏମିତି ଚେଷ୍ଟା କରୁଥାଉ । ଜୀବନର ଶତ ପ୍ରତିଶତ ଗୁଗ୍‌ଲ୍‌କରଣକୁ ଅନ୍ତତଃ ଏଇମନ୍ତେ ବିରୋଧ କରାଯାଉ ।

(ସମ୍ବାଦ ତା୧/୧୦/୨୦୧୦)

Image

 

ପ୍ରଫେସର ଭାଇରସ୍‌ଙ୍କ କ୍ଲାସରୁମ୍‌

 

ଦୀର୍ଘ ୧୦।୧୧ ବର୍ଷର ବ୍ୟବଧାନ ପରେ ଏଇ କେତେଦିନ ତଳେ ରାଜଧାନୀର ଏକ ବହି ଦୋକାନରେ ଅବିନାଶ ସହିତ ହଠାତ୍‌ ଦେଖାହେଲା । ଅବିନାଶ ରାଜନୀତି ବିଜ୍ଞାନର ମେଧାବୀ ଛାତ୍ର ଥିଲା । ଆମେ ରେଭେନ୍‌ସାରେ ପଢ଼ିଲାବେଳେ ଅଧିକାଂଶ ଇଞ୍ଜନିୟର୍‌, ଡାକ୍ତର, ବ୍ୟାଙ୍କ ଅଫିସର କିମ୍ବା ବଡ଼ ସରକାରୀ ଚାକିରୀ କରିବାର ସ୍ୱପ୍ନ ଦେଖୁଥିଲେ । ସେ ଦୃଷ୍ଟିରୁ ଅବିନାଶ ବ୍ୟତିକ୍ରମ ଥିଲା । ଆରମ୍ଭରୁ ସେ କହୁଥିଲା, ଅଧ୍ୟାପକ ହେବ - ଖୁବ୍‌ ପଢ଼ିବ ଏବଂ ପଢ଼େଇବ । ଅନ୍ତତଃ ପନ୍ଦର ବର୍ଷ ଆଗରୁ ସେ ପିଏଚ୍‌ଡ଼ି ବି କରି ସାରିଥିଲା । ବର୍ଷକ ତଳେ ତାର ପୋଷ୍ଟିଂ ହୋଇଥିଲା ରାଜଧାନୀର ଏକ ପ୍ରମୁଖ ମହାବିଦ୍ୟାଳୟରେ । ପଚାରିଲି, କଣ ଖବର ଅବିନାଶ ? ତୋ ପଲିଟିକାଲ୍‌ ଫିଲୋସଫି କ୍ଲାସ୍‌ କେମିତି ଚାଲିଛି ? ର‍୍ୟାକ୍‌ରୁ ବହି ଖଣ୍ଡେ ଟାଣି ଆଣି ମୋ ଆଡ଼କୁ ଚାହିଁ ସେ ହସିଲା । ଶୁଖିଲା ହସ । କହିଲା, ବାୟା ନା କ'ଣ ? ପଲିଟିକାଲ୍‌ ଫିଲୋସଫି ମୁଁ କାହାକୁ ପଢ଼େଇବି ? ଫାଙ୍କା ଗ୍ୟାଲେରିକୁ ! ମୁଁ କହିଲି, କାହିଁ, ତୋ ଛାତ୍ରମାନଙ୍କୁ । ମୋ କାନ୍ଧରେ ହାତ ରଖି ଅବିନାଶ କହିଲା, ତୋ ପୁଅ ଏବେ କଣ କରୁଛି କହିଲୁ ? କହିଲି, ଏନ୍‌ଆଇଟିରେ ଇଞ୍ଜିନିୟରିଂ ପଢ଼ୁଛି । ଥାର୍ଡ଼ ଇୟର୍‌ ହେଲା । କାହିଁକି କଣ ହେଲା ? ବହି ଦୋକାନୀଙ୍କ ସହିତ ଆମ ଦି ଜଣଙ୍କ ପରିଚୟ ଦୀର୍ଘ ଦିନର । ଅବିନାଶ ତାଙ୍କୁ ପଚାରିଲା, ଆପଣଙ୍କ ସାନପୁଅର ଲାଷ୍ଟ ସେମିଷ୍ଟର୍‌ ସରିଲାଣି ? ଉତ୍ତର ଆସିଲା, ସାର୍‌ ଦି ମାସ ହେଲା ସରିଲା । ସେ ଉଇପ୍ରୋ ଏବଂ ଇନ୍‌ଫୋସିସ୍‌ରୁ ଅଫର୍‌ ପାଇଛି । ବଡ଼ ତ ଇନ୍‌ଫୋସିସ୍‌ର ବାଙ୍ଗାଲୋର୍‌ କ୍ୟାମ୍ପସରେ । ମୁଁ ଭାବୁଛି ସାନ ବି ଇନ୍‌ଫୋସିସ୍‌ରେ ଜଏନ୍‌ କରିବ । ବହି ଖେଳଉ ଖେଳଉ ଅବିନାଶ ପୁଣି ହସିଲା । କହିଲା, ‘ମୋ ପୁଅ ଇଞ୍ଜନିୟରିଂରେ ଆଡ଼୍‍ମିସନ୍‌ କରିବା ପାଇଁ ତା ମା ସାଙ୍ଗରେ ଯାଇଛି ପିଲାଟି । ସମସ୍ତେ ଇଞ୍ଜନିୟର୍‌ ହେବେ । ଆଉ ଭାଇ ବାକି କିଏ ରହିଲା ରାଜନୀତି ବିଜ୍ଞାନ ପଢ଼ିବ ?’ ଟିକେ ରହିଯାଇ ସେ ପୁଣି କହିଲା, ୟା ଭିତରେ ଇଞ୍ଜନିୟରିଂ ମନୋକ୍ରପିଂ ଏତେ ବ୍ୟାପକ ହୋଇ ସାରିଛି ଯେ ସମାଜ ବିଜ୍ଞାନ, ମନସ୍ତତ୍ତ୍ୱ ଏବଂ ସାହିତ୍ୟ ପରି ବିଭାଗ ସବୁ କ୍ରମଶଃ ନିଶ୍ଚିହ୍ନ ହେବାକୁ ବସିଲେଣି । ଏ ସ୍ଥିତିରେ ପଲିଟିକାଲ୍‌ ଥିଓରି ତା ପାଖରୁ କାହିଁକି କିଏ ବା ଶୁଣିବ !

 

ଆସନ୍ତୁ, ଆଖି ପକେଇବା ଇଞ୍ଜିନିୟରିଂ ଶିକ୍ଷାଦାନ ଉପରେ । କିଛିଦିନ ତଳେ ଗତ ମାଟ୍ରିକ୍‌ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଧିତ କଲାବେଳେ 'ସମ୍ବାଦ' ସଂପାଦକ ଏ ସଂପର୍କରେ ତାଙ୍କ ମତାମତ ରଖିଥିଲେ । ସମସ୍ତେ ଏବେ ଇଞ୍ଜିନିୟର୍‌ ହେବା ପାଇଁ ଚାହୁଁଛନ୍ତି ଏବଂ ପରିବର୍ତ୍ତିତ ପାଣିପାଗରେ ଇଞ୍ଜିନିୟର ହେବା ହିଁ ସବୁଠୁ ସହଜ ହୋଇସାରିଛି । ତେବେ ସରକାର ଏକଥା ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି । ଯୁକ୍ତି ହେଉଛି, ବାର୍ଷିକ ଅଭିବୃଦ୍ଧି ହାର ଏବଂ ଘରୋଇ ଉତ୍ପାଦନରେ ଭାରତ ବିଶ୍ଵର ଅଗ୍ରଣୀ ଅର୍ଥନୀତିମାନଙ୍କ ସମକକ୍ଷ । ତେଣୁ ଆମର ଅଧିକ ଇଞ୍ଜିନିୟର୍‌ ଦରକାର । ନଲେଜ୍‌ କମିଶନ୍‌ ନାସ୍‌କମ୍‌କୁ ଉଦ୍ଧାର କରି କହିଛନ୍ତି ଯେ ୨୦୧୦ ଶେଷ ସୁଦ୍ଧା ଦେଶରେ ୫ଲକ୍ଷ ଯନ୍ତ୍ରୀଙ୍କର ଅଭାବ ଦେଖାଯିବ, ଯେଉଁମାନଙ୍କ ଭିତରୁ ଅନ୍ତତଃ ୭୦ ପ୍ରତିଶତ ଲୋଡ଼ା ହେବେ ବିପିଓ ଶିଳ୍ପରେ । ତେବେ କମିଶନ୍‌ ଏ କଥା ବି ସ୍ପଷ୍ଟ, କରିଛନ୍ତି ଯେ ଗତ ୧୦ ବର୍ଷ ଭିତରେ ଇଞ୍ଜିନିୟରିଂ ଛାତ୍ରଙ୍କ ସଂଖ୍ୟା ବଢ଼ିଛି । ୨୦୦୫-୦୬ ଶିକ୍ଷାବର୍ଷରେ ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଦାଖଲ ହୋଇଥିବା ଛାତ୍ରଙ୍କ ସଂଖ୍ୟା ୭,୯୫,୧୨୦ । ୧୯୯୫-୯୬ରେ ଏଇ ସଂଖ୍ୟା ୨ ଲକ୍ଷରୁ ସାମାନ୍ୟ ଅଧିକ ଥିଲା । ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ଥିବା କଲେଜ ସଂଖ୍ୟା ୨୦୦୬-୦୭ରେ ପହଞ୍ଚିଥିଲା ୧୫୧୨ରେ । ଏହି ଅଭିବୃଦ୍ଧିର ପ୍ରମୁଖ କାରଣ ଥିଲା ଉଦାରୀକରଣ/ଅର୍ଥନୈତିକ ସଂସ୍କାରର ଆବହାୱା ଏବଂ ବ୍ୟାପକ ଘରୋଇ ପୁଞ୍ଜି ବିନିଯୋଗ । ତେବେ ବିଭିନ୍ନ ସ୍ୱାଧୀନ ଅଧ୍ୟୟନ ଏବଂ ସରକାରୀ ସୁତ୍ରକୁ ଆଧାର କରି ନଲେଜ୍‌ କମିଶନ୍‌ ଏକଥା ବି ସ୍ପଷ୍ଟ କରିଛନ୍ତି ଯେ ଇଞ୍ଜିନିୟରିଂ ଅନୁଷ୍ଠାନମାନଙ୍କର ସାଂଖ୍ୟ ସାମର୍ଥ୍ୟ ପ୍ରଶିକ୍ଷଣ କ୍ଷେତ୍ରରେ ଆନୁପାତିକ ଗୁଣବତ୍ତା ଆଣି ପାରିନାହିଁ । ଏ.ଆଇ.ସି.ଟି.ଇ ରିପୋର୍ଟ ମୁତାବକ ୨୦୦୩ ସୁଦ୍ଧା ଏ ସବୁ ଅନୁଷ୍ଠାନରେ ଅଭାବ ଥିଲେ ୫୬,୦୦୦ ଅତିରିକ୍ତ ଶିକ୍ଷକ ଏବଂ ରିସର୍ଚ୍ଚ ସ୍କଲାର୍‌ । ସାତ ବର୍ଷ ପରେ ବି ଶିକ୍ଷା ଦାନ କ୍ଷେତ୍ରରେ ସେଇ ସ୍ଥିତି ତଥାପି ସ୍ପର୍ଶକାତର ହୋଇ ରହିଛି । ଛାତ୍ରମାନଙ୍କୁ ପଢ଼େଇବା ପାଇଁ ଅଭିଜ୍ଞ ଶିକ୍ଷକ ଆମର ନାହାନ୍ତି, ଭଲ କ୍ଲାସ୍‌ରୁମ୍‌ ନାହିଁ, ଭଲ ଲାଇବ୍ରେରୀ ନାହିଁ । ଶିକ୍ଷାନୁଷ୍ଠାନ ବାହାରେ ବାସ୍ତବ ସ୍ଥିତିରେ ସେମାନଙ୍କ ଭୂମିକା କଣ ହେବ, ସେ କଥା ଛାତ୍ରମାନେ ଜାଣନ୍ତି ନାହିଁ । ଏହାର ପରିଣାମ ଏୟା ହୋଇଛି: ଦେଶରେ ବର୍ଷକୁ ଲକ୍ଷ ଲକ୍ଷ ଇଞ୍ଜିନିୟର୍‌ ଡିଗ୍ରୀଧାରୀ ତ ଉତ୍ପନ୍ନ ହେଉଛନ୍ତି, କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ସେମାନଙ୍କ ଭିତରୁ ଅନେକଙ୍କ ପାଇଁ ନିଯୁକ୍ତିର ଉପଯୁକ୍ତ ସୁଯୋଗ ନାହିଁ । ମ୍ୟାକିନ୍‌ସି ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟର୍‌ ଏକ ଅଧ୍ୟୟନ ମୁତାବକ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ମାପକାଠିରେ ଆମ ଦେଶର ୨୫ ପ୍ରତିଶତ ଡିଗ୍ରୀ ଇଞ୍ଜିନିୟର୍‌ ନିଯୁକ୍ତି ପାଇଁ ଆଦୌ ଯୋଗ୍ୟ ନୁହନ୍ତି । ସମସ୍ୟା ଏତିକି ନୁହେଁ, ଇଞ୍ଜନିୟରିଂ ପଢ଼ା ଶେଷ ଭତ୍ତାରୁ ଉଚ୍ଚତର ଅଧ୍ୟୟନ ଏବଂ ଗବେଷଣା ପାଇଁ ଆମର ଆଗ୍ରହ ବି ନାହିଁ । ୨୦୦୪-୦୫ ଶିକ୍ଷାବର୍ଷରେ ସାରା ଦେଶରେ ମାତ୍ର ୯୬୮ ଜଣଙ୍କୁ ଡକ୍ଟରେଟ୍‌ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଆଇଆଇଟି ପରି ରାଷ୍ଟ୍ରାୟତ୍ତ ଶିକ୍ଷାନୁଷ୍ଠାନର ଛାତ୍ର । ନିକଟରେ ଟାଇମ୍‌ସ ଅଫ୍‌ ଇଣ୍ଡିଆରେ (୨୯/୦୭/୨୦୧୦) ପ୍ରକାଶ ପାଇଛି ଯେ ଏନ୍‌ଆଇଟି ରାଉରକେଲାରେ ୨ଟି ପାଞ୍ଚବର୍ଷିଆ ଇଣ୍ଟିଗ୍ରେଟେଡ୍ କୋର୍ସରେ ନାଁ ଲେଖେଇବା ପାଇଁ ଛାତ୍ରମାନେ ଇଚ୍ଛୁକ ନୁହନ୍ତି । ରାଜ୍ୟରେ ଥିବା ଅନ୍ୟତମ ପ୍ରଖ୍ୟାତ ଗବେଷଣା ସଂସ୍ଥା ନାଇଜର୍‌ର ଅବସ୍ଥା ମଧ୍ୟ ପାଖାପାଖି ଏମିତି । ବୃତ୍ତି ପାଇ ଗବେଷଣା କରିବା ପାଇଁ ବି ଆଉ କେହି ପ୍ରସ୍ତୁତ ନୁହନ୍ତି ।

 

ଶିକ୍ଷାବିତ୍‌ମାନଙ୍କର ମତ ହେଉଛି ଯେ ସାମ୍ପ୍ରତିକ ସ୍ଥିତିରେ ସୁଧାର ନ ଆସିଲେ କେଇ ବର୍ଷ ଭିତରେ ଉଚ୍ଚଶିକ୍ଷିତ ବେକାରମାନଙ୍କ ତାଲିକାରେ ସବା ଆଗରେ ରହିବେ ଇଞ୍ଜିନିୟର । ତେବେ ଏଇ ନୈରାଶ୍ୟଜନକ ସ୍ଥିତି ପାଇଁ କେବଳ ଇଞ୍ଜିନିୟର ଅନୁଷ୍ଠାନମାନଙ୍କୁ ଦୋଷ ଦେଇ ହେବ ନାହିଁ, କାରଣ ଇଞ୍ଜିନିୟର ହେବାର ନିଶା ଅନେକାଂଶରେ ସମ୍ପର୍କିତ ଆମର ମନଃସ୍ଥିତି ସହିତ-। ବିଶେଷ କରି ମଧ୍ୟବର୍ଗ ସହିତ । ଏକାଧିକ ଅଧ୍ୟୟନ ଏକଥା ପ୍ରମାଣ କରି ସାରିଲାଣି ଯେ ବେଶ୍‌ କିଛି ଛାତ୍ର ବାଧ୍ୟବାଧକତାରେ ହିଁ ଇଞ୍ଜିନିୟରିଂ ପଢ଼ୁଛନ୍ତି । ଆମକୁ ଗୋଟାଏ ଅଜବ ନିଶା ଘାରିଛି । ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର ଏବଂ ଆଶୁ ପ୍ରତିଷ୍ଠାର ନିଶା, ଯାହାକୁ ଆମେ ଚରିତାର୍ଥ କରୁଛୁ କୌଣସି ନାମୀଦାମୀ କମ୍ପାନୀର ଇଞ୍ଜିନିୟର ଭାବେ ନିଯୁକ୍ତି ହେବାରେ । ଘରେ, ବଜାରରେ ଏବଂ ଶିକ୍ଷାନୁଷ୍ଠାନରେ କେବଳ ଗୋଟିଏ ସ୍ଲୋଗାନ୍‌ ଶୁଭୁଛି - ଆକ୍ରମଣାତ୍ମକ ପ୍ରତିଯୋଗିତାକୁ ଓହ୍ଲାଅ । ଯେମିତି ହେଲେ ଜିତ ।

 

ଦେଶର ଏକ ଅଗ୍ରଣୀ ଇଞ୍ଜିନିୟରିଂ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଜଣେ ଶିକ୍ଷାବିତ୍‌ ଦେଇଥିବା ଅଭିଭାଷଣର ଏକ ଅଂଶ ଉଦ୍ଧାର କରୁଛି । ‘‘ଦେଶର ବେଶ୍‌ କିଛି ଶିକ୍ଷାନୁଷ୍ଠାନ (ଇଞ୍ଜିନିୟରିଂ) ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇ ସାରିଛନ୍ତି, ତେବେ ମୋ ବିଚାରରେ ଏମିତି ଅନୁଷ୍ଠାନମାନେ ଖାଲି ଏକ ମୁହାଁ ହୋଇ ଯାହା ଦଉଡ଼ିଛନ୍ତି । ଯେତେବେଳେ ଆମ ଦେଶରେ ଆଇଆଇଟି ମାନ ପ୍ରତିଷ୍ଠା କରାଯାଇଥିଲା, ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା ଯେ ସେମାନେ ସମାଜ ବିଜ୍ଞାନ, କଳା ଓ ସଂସ୍କୃତି ପରି ବିଭାଗ ବା ପ୍ରସଙ୍ଗମାନଙ୍କ ସହିତ ବରାବର ସଂପୃକ୍ତ ହୋଇ ରହିବେ । ଅଥଚ ଏ ବାବଦରେ ଆମେ ପ୍ରକୃତରେ କିଛି ବି କରିପାରିନାହୁଁ । ବିଜ୍ଞାନ ଏବଂ କାରିଗରୀ ନାଁରେ ଆମେ ଭୟଙ୍କର ଭାବରେ ଯାହା ସୀମିତ ହୋଇସାରିଛୁ । ପୂର୍ଣାଙ୍ଗ ଜ୍ଞାନଠାରୁ ଏବେ ବି ଆମେ ଢେର୍‌ ଦୂରରେ । ବିଜ୍ଞାନର ଜଣେ ଛାତ୍ର ବା ଶିକ୍ଷକ କେବଳ ବୈଜ୍ଞାନିକ ସହିତ ନୁହେଁ, ସମାଜଶାସ୍ତ୍ରୀ ସହିତ ବି ସଂଳାପରତ ହେବ, ଲେଖକ ଏବଂ କଳାକାର ସହିତ ବି ଆତ୍ମୀୟତା ବଢ଼େଇବ । ଅଥଚ ଆମ ଶିକ୍ଷାନୁଷ୍ଠାନମାନଙ୍କରେ ଏ ପରିବେଶର ଦୈନ୍ୟ ଏକ ଭିନ୍ନ ପ୍ରଜାତିର ସ୍ନାତକମାନଙ୍କୁ ଉତ୍ପନ୍ନ କରି ଆସୁଛି, ଯେଉଁମାନେ କେବଳ ଗୋଟାଏ ଦିଗର ପରିଚୟ ହିଁ ଜାଣିଛନ୍ତି-। ଆପଣ ଚାରି ପାଖ ସହିତ ସୃଜନାତ୍ମକ ଭାବରେ ଅସଂପୃକ୍ତ ରହିବାର ମାନସିକତା ଆମକୁ ଅଭୁତ ଭାବରେ ଅନ୍ୟମନସ୍କ ଏବଂ ଜାନ୍ତବ କରିସାରିଛି । ଜୀବନର ବିପୁଳ ବର୍ଣ୍ଣବିଭାକୁ ନିରୋଳା ଇଞ୍ଜିନିୟରିଂର ପାଠ୍ୟକ୍ରମରେ ଆବଦ୍ଧ କରି ରଖିବାର ଆଧୁନିକ ଜୀବନଶୈଳୀ ପ୍ରକୃତରେ ଏକ ବରଦାନ ନୁହେଁ, ବରଂ ଆମର ଏକ ଭୟଙ୍କର ଅକ୍ଷମତା ।’’

 

ସେଦିନ ବହି ଦୋକାନ ଛାଡ଼ିବା ଆଗରୁ ଅବିନାଶ ପଚାରିଥିଲା, 'ଥ୍ରି ଇଡିଅଟ୍‌ସ୍‌' ଦେଖିଛୁ ? ମୁଁ 'ହଁ’ କଲି । ରାଜକୁମାର ହିରାନିଙ୍କ 'ଥ୍ରି ଇଡ଼ିଅଟ୍‌ସ୍‌' ଚଳଚ୍ଚିତ୍ରରେ ସଂପୃକ୍ତ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ବୀରୁ ସହସ୍ତ୍ରବୁଦ୍ଧିଙ୍କୁ ରାଂଚୋ ସମେତ ଅନ୍ୟ କିଛି ପିଲା ସମ୍ୱୋଧନ କରୁଛନ୍ତି 'ଭାଇରସ୍‌' ଭାବରେ । ପ୍ରଫେସର୍‌ ଭାଇରସ୍‌ ଖୁବ୍‌ କଡ଼ା ମିଜାଜ୍‌ର । ଥଟ୍ଟାମଜା, ହସଖୁସି ତାଙ୍କ ଜାତକରେ ବିଲ୍‌କୁଲ୍‌ ନାହିଁ । ପିଲାମାନଙ୍କ ପାଇଁ ତାଙ୍କ ବକ୍ତବ୍ୟ ବେଶ୍‌ ସ୍ପଷ୍ଟ: ପ୍ରତିଯୋଗିତାର ସମ୍ମୁଖୀନ ହୁଅ, ନଚେତ୍‌ ମର । ରାଂଚୋ, ଫରହାନ୍‌, ରାଜୁ, ଚତୁର୍‌, ଏବଂ ସହସ୍ତ୍ରବୁଦ୍ଧି ଚରିତ୍ର ମାଧ୍ୟମରେ ହିରାନୀ କେବଳ ଏକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିନାହାନ୍ତି, ସେ ଆମ ଶିକ୍ଷା ବ୍ୟବସ୍ଥାର ଅସଲ ଖାଲଖମାଗୁଡ଼ାକୁ ଟର୍ଚ୍ଚ ପକେଇ ଚିହ୍ନେଇ ଦେଇଛନ୍ତି । ଆମର ଭଲ ଗ୍ରେଡ୍ ଦରକାର, ଭଲ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ଦରକାର । ପାରସ୍ପରିକତା, ସମ୍ୱେଦନ ଓ ସ୍ନେହର କୌଣସି ସ୍ଥାନ ନାହିଁ ସେ କ୍ୟାମ୍ପସରେ । ସେ ସବୁର ସ୍ଥାନ ତ ନେଇଛି ପ୍ରତିଯୋଗିତା, ଅବସାଦ ଓ ଇର୍ଷା ! ନିଜ ପିଲାମାନଙ୍କୁ ଇଞ୍ଜିନିୟର୍‌ (ମଣିଷ) କରିବା ପାଇଁ ଅଭିଭାବକମାନଙ୍କ ଝୁଙ୍କ ଏବଂ ଛାତ୍ରମାନଙ୍କୁ ଅବିକଳ ମେସିନ୍‌ ପରି ତିଆରି କରିବା ପାଇଁ ଉର୍ଦ୍ଦିଷ୍ଟ ଇଞ୍ଜିନିୟରିଂ ପାଠ୍ୟକ୍ରମ ସଙ୍କେତ କରୁଛି ଏକ ବିବର୍ଣ୍ଣ ଦିଗ୍‌ବଳୟକୁ । ଆମ ସମସ୍ତଙ୍କ ଭିତରେ ଉଜୁଡ଼ି ଆସୁଥିବା ଏକ ଭରପୁର କ୍ଷେତକୁ । ଏଣେ ବଢ଼ିଚାଲିଛି ପ୍ରଫେସର୍‌ ଭାଇରସ୍‌ଙ୍କ ଛାତ୍ର ସଂଖ୍ୟା । ଅବିନାଶ ତେଣୁ ବୀତସ୍ପୃହ ହେବାର ଯଥେଷ୍ଟ କାରଣ ରହିଛି ।

(ସମ୍ବାଦ ତା୧୩/୮/୨୦୧୦)

Image

 

ମାଓ ଓ ମାଇକ୍ରୋସଫ୍ଟ

 

‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ରେ ଗତ ୧୨.୦୪.୨୦୧୦ରିଖ ସଂସ୍କରଣରେ ପାଖାପାଖି ଏଇ ଶିରୋନାମାରେ ପ୍ରକାଶିତ ହୋଇଥିଲା ଖବରଟିଏ । ତହିଁରେ ପ୍ରତୀକାତ୍ମକ ଅର୍ଥରେ ବ୍ୟବହାର କରାଯାଇଥିଲା 'ମାଓ'ଙ୍କୁ ଏବଂ ‘ମାଇକ୍ରୋସଫ୍ଟ'କୁ । ଛତିଶଗଡ଼ର ନକ୍ସଲ ଅଧ୍ୟୁଷିତ ଦାନ୍ତେୱାଡ଼ା ଅଞ୍ଚଳ ଏବଂ ରାୟପୁରରେ ଅବସ୍ଥିତ ରାଜକୁମାର କଲେଜ ଥିଲା ସାମ୍ଭାଦିକଙ୍କ କାହାଣୀର ପ୍ରେକ୍ଷାପଟ୍ଟ । ସେଦିନ ମଧ୍ୟାହ୍ନ ପରେ ପରେ ରାଜକୁମାର କଲେଜର କିଛି ଛାତ୍ର ଘରକୁ ଫେରିବା ପାଇଁ ଅପେକ୍ଷା କରିଥିଲେ । ସେମାନଙ୍କୁ ନେବା ଲାଗି ଆସୁଥିଲା ଦାମୀ କାର୍‌ । ସାମ୍ଭାଦିକଙ୍କ ପ୍ରଶ୍ନରେ ଜଣେ ଛାତ୍ର ଆରମ୍ଭ କଲେ, ୧୮୮୨ ମସିହାରେ ରାଜକୁମାର କଲେଜର ସ୍ଥାପନ ସମ୍ଭବ ହୋଇଥିଲା ବ୍ରିଟିଶ୍‌ ସରକାରଙ୍କ ସୌଜନ୍ୟରୁ । ଖାସ୍‌ ରାଜ ପରିବାରର ପିଲାମାନେ ପଢ଼ିବା ପାଇଁ ଉଦ୍ଦିଷ୍ଟ ଥିଲା ଏଇ ଶିକ୍ଷାନୁଷ୍ଠାନ । କଲେଜ ପଢ଼ା ଶେଷ କରିବା ପରେ ସେମାନେ ଆଗକୁ କଣ କରିବେ ବୋଲି ପଚାରିଥିଲେ ସାମ୍ୱାଦିକ । ଜଣେ ବରିଷ୍ଠ ରାଜନେତାଙ୍କ ପୁଅ କହିଲା, ମୁଁ ଜଣେ ହୃଦ୍‌ରୋଗ ବିଶେଷଜ୍ଞ ହେବି । ଆଉ ଜଣେ କହିଲା, ମୁଁ ସଫ୍ଟଓୟାର୍‌ ଇଞ୍ଜିନିୟର୍‌ ହେବି ନଚେତ୍‌ ଏରୋନଟିକ୍ସ ପଢ଼ିବି । ଆଉ କେତେଜଣ ଭାରତର ବଛା ବଛା ମ୍ୟାନେଜ୍‌ମେଣ୍ଟ‌ ଏବଂ ଇଞ୍ଜିନିୟରିଂ ସଂସ୍ଥାର ନାଁ କହିଲେ । ସେମାନେ ସେଇଠି ପଢ଼ିବା ପାଇଁ ଚାହୁଁଥିଲେ ।

 

ରାଜକୁମାର କଲେଜ ପ୍ରତିନିଧିତ୍ୱ କରୁଥିଲା ଛତିଶଗଡ଼ ପ୍ରାଚୁର୍ଯ୍ୟର । ଅଭାବ ସହିତ ପରିଚିତ ନଥିବା ଏକ ଅଭିଜାତ ବର୍ଗର, ଯେଉଁମାନଙ୍କ ହାତମୁଠାରେ ସଂପଦ ଅଛି, ଉପଭୋଗର ଯାବତୀୟ ସାଧନ ବି ରହିଛି । ସେମାନଙ୍କ ଭିତରୁ ଯେ କେହି ମେଧାବୀ ଛାତ୍ର ନାହାନ୍ତି, ଏ କଥା ନୁହେଁ, ତେବେ ଏମାନଙ୍କ ପାଖରେ ସାମର୍ଥ୍ୟ ଅଛି, ଇଚ୍ଛା ହେଲେ ମେଧା ସହିତ ଏମାନେ ଅଲିଖିତ ସମ୍‍ଝୋତା କରି ଦେଇ ପାରିବେ । ନିଜ କାହାଣୀକୁ ସଂପୂର୍ଣ୍ଣ କରିବା ପାଇଁ ସାମ୍ବାଦିକ ଜଣକ ଯାଇଥିଲେ ରାୟପୁରର ଦକ୍ଷିଣକୁ, ପ୍ରାୟ ୪୦୦ କିମି ଦୂରବର୍ତ୍ତୀ ଏକ ଅଞ୍ଚଳକୁ । ସେଠି ଅଧାନଙ୍ଗଳା ଛୁଆ ସବୁ ଜଙ୍ଗଲରୁ ମହୁଆ ମଞ୍ଜି ଗୋଟାଉଥିଲେ । କିଛି ପିଲା ଛେଳି ଛୁଆଙ୍କ ସାଙ୍ଗରେ ଖେଳୁଥିଲେ । ସେମାନେ ସ୍କୁଲ ଦେଖି ନଥିଲେ । ନିଜ ବୟସ ସଂପର୍କରେ ସେମାନଙ୍କର ଧାରଣା ନଥିଲା । ସେଇଠୁ ଆହୁରି ଦକ୍ଷିଣକୁ ଅନ୍ୟ ଏକ ଗାଁରେ (ପାର୍‌ମପଲ୍ଲୀ) ସାମ୍ବାଦିକଙ୍କର ସାକ୍ଷାତ ହେଲା ପୋଡ଼ା ମୁଡ଼ା ସାଙ୍ଗରେ । ପୋଡ଼ା ମାଓବାଦୀ ଥିଲା ଆଗରୁ । ସରକାର ତାକୁ ସଂସ୍କାର କରି ମୁଖ୍ୟସ୍ରୋତକୁ କୁଆଡ଼େ ଫେରାଇ ଆଣିଥିଲେ । ପୋଡ଼ା କହିଲା ଯେ ତା ବୟସ ସଂପର୍କରେ ତାର ଧାରଣା ନାହିଁ । ଆଉ କିଛି ସେ ଜାଣୁ ନ ଜାଣୁ ପଛକେ, ମାଓବାଦୀଙ୍କ ସହିତ ସାମିଲ୍‌ ଥିବାବେଳେ ସେ ମାର୍କ୍ସ ଏବଂ ଏଙ୍ଗେଲ୍‌ସଙ୍କ ନାଁ ଶୁଣିଥିଲା । ବିଭିନ୍ନ କିସମର ବନ୍ଧୁକ ସହିତ ବି ସେ ପରିଚିତ ଥିଲା । ସାମ୍ବାଦିକ ଲେଖିଛନ୍ତି, ବସ୍ତରର ଏକ ବ୍ୟାପକ ଅଞ୍ଚଳରେ ଶିକ୍ଷା କହିଲେ ପିଲାମାନେ ଯାହା ବୁଝିଥିଲେ ସେସବୁ ପ୍ରକାରାନ୍ତରେ ମାରଣାସ୍ତ୍ରର ଅଧ୍ୟୟନ ହିଁ ଥିଲା, ଯେଉଁ ମାରଣାସ୍ତ୍ର ଧରୁଥିଲେ ମାଓବାଦୀ, ନିରାପତ୍ତା ବାହିନୀ ଏବଂ ସାଲ୍‌ୱାଜୁଡମ୍‌ । ତେବେ ପାଠକେ ଲକ୍ଷ୍ୟ କରିପାରନ୍ତି ଯେ କେବଳ ଦାନ୍ତେୱାଡା/ବସ୍ତର ଇଲାକା ନୁହେଁ, ନକ୍ସଲ ଅଧ୍ୟୁଷିତ ଭାରତର ପ୍ରାୟ ସବୁ ଅଞ୍ଚଳରେ ଅବହେଳିତ ହୋଇ ରହିଛି ଶିକ୍ଷା । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଅସନ୍ତୁଳନ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କଲାଣି । ନଲେଜ୍‌ କମିଶନଙ୍କ ରିପୋର୍ଟ ଅନୁଯାୟୀ ୬ରୁ ୧୪ ବର୍ଷ ବୟସ ବନ୍ଧନୀରେ ଥିବା ଭାରତର ୨୦୦ ନିୟୁତ ପିଲାଙ୍କ ଭିତରୁ ୩୦ ନିୟୁତ ପିଲା ସ୍କୁଲରେ ମୋଟେ ଦାଖଲ ହୋଇପାରନ୍ତି ନାହିଁ । ପେନ୍‌ସିଲ୍‌ରେ ବସି ଉଡ଼ୁଥିବା ଆମ ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅବଶିଷ୍ଟଙ୍କ ମଧ୍ୟରୁ ୮୫ ନିୟୁତ ପଢ଼ା ଅଧାରୁ ଛାଡ଼ନ୍ତି । କେବଳ ପିଲା କାହିଁକି, ଆମ ଶ୍ରମିକମାନଙ୍କ ମଧ୍ୟରେ (୧୫ ରୁ ୨୯ ବର୍ଷ) ସର୍ବନିମ୍ନ ବୃତ୍ତିଗତ ତାଲିମ ପାଉଥିବା ଲୋକଙ୍କ ସଂଖ୍ୟା ମାତ୍ର ୨ ଭାଗ ।

 

ଆସିବା ଉଚ୍ଚ ଶିକ୍ଷାକୁ । ୧୮ରୁ ୨୪ ବର୍ଷ ବୟସ ମଧ୍ୟରେ ଭାରତରେ ନାମ ଲେଖାଉଥିବା ଛାତ୍ର (ଛାତ୍ରୀ ଅନ୍ତର୍ଭୁକ୍ତ) ହାର ଅତି ବେଶିରେ ୧୦ ପ୍ରତିଶତ ହୋଇଥିବା ସ୍ଥଳେ ଅନ୍ୟାନ୍ୟ ବିକାଶଶୀଳ ଦେଶମାନଙ୍କ କ୍ଷେତ୍ରରେ ଏହା ଅନ୍ୟୂନ ୨୫ ପ୍ରତିଶତ । ଅଧିକ ଚିନ୍ତାର କାରଣ ବି ରହିଛି । ନଲେଜ୍‌ କମିସନ ସ୍ପଷ୍ଟ କରିଛନ୍ତି ଯେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ପ୍ରସଙ୍ଗ ଉଠିଲେ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ରହିଥିବା ବ୍ୟାପକ ଅସଂଗତିକୁ ଆଦୌ ଏଡ଼େଇ ଦେଇ ହେବନାହିଁ । ଭାରତରେ ଶିକ୍ଷାନୁଷ୍ଠାନ ସଂଖ୍ୟା କିଛି କମ୍‌ ନୁହେଁ । ୧୯୪୭ରେ ଆମର ଥିଲା ମାତ୍ର ୨୦ଟି ବିଶ୍ୱବିଦ୍ୟାଳୟ । ୨୦୦୫ ସୁଦ୍ଧା ଏହା ପହଞ୍ଚିଥିଲା ୩୫୭ରେ । ୧୯୪୭ରେ ଆମ କଲେଜ ସଂଖ୍ୟା ଥିଲା ୫୦୦ ଯାହା ୨୦୦୫ ସୁଦ୍ଧା ପହଞ୍ଚିଥିଲା ୧୭,୬୨୫ରେ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ସଂଖ୍ୟା ୧୯୫୦ ରେ ୭୦୦ ଥିଲା । ୨୦୦୫ ସୁଦ୍ଧା ଏହା ବୃଦ୍ଧି ପାଇଥିଲା ୪,୭୦,୦୦୦କୁ । ନିକଟରେ ପ୍ରକାଶିତ ହୋଇଥିବା ଏକ ନିର୍ଭରଯୋଗ୍ୟ ସମ୍ୱାଦରୁ ଜଣାପଡ଼ିଛି ଯେ ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ବି ୩୪ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । କର୍ତ୍ତୃପକ୍ଷ ଭଡ଼ାରେ କାମ ଚଳେଇଛନ୍ତି । ତେବେ ଶିକ୍ଷାନୁଷ୍ଠାନମାନଙ୍କର ସାଂଖ୍ୟ ସ୍ଥିତିକୁ ନେଇ ଆମର ଖୁବ୍‌ ଖୁସି ହେବା ପାଇଁ ଯଥେଷ୍ଟ କାରଣ ନାହିଁ । ସ୍ଵାଧୀନତୋତ୍ତର ଭାରତରେ ଉଚ୍ଚ ଶିକ୍ଷା ଯେଉଁ ନୂତନ ଦିଗନ୍ତ ଉନ୍ମୋଚନ କରିବ ବୋଲି ଆଶା କରାଯାଉଥିଲା ପ୍ରକୃତରେ ସେମିତି କିଛି ଘଟିଲା ନାହିଁ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦାରିଦ୍ର୍ୟ ହିଁ ମୁଖ୍ୟ ପ୍ରତିବନ୍ଧକ ହୋଇ ଠିଆ ହେଲା । ତଥ୍ୟ ଅନୁଯାୟୀ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦାଖଲ ହେଉଥିବା ମୋଟ ଛାତ୍ର ହାରର ଏକ କ୍ଷୁଦ୍ର ଅଂଶ ହରିଜନ ଏବଂ ଆଦିବାସୀ । ଏଇ ନୈରାଶ୍ୟଜନକ ସ୍ଥିତିକୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବର୍ଗୀକରଣରେ ଅନୁଶୀଳନ କଲେ ଅଧିକ ବୈଷମ୍ୟ ସହିତ ଆମର ଭେଟ ହେବ । ୨୦୦୧ ଜନଗଣନା ଅନୁଯାୟୀ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହରାଞ୍ଚଳର ୨୪.୫୨ ପ୍ରତିଶତ ଛାତ୍ର ଅନ୍ତର୍ଭୁକ୍ତ ହେଉଥିଲେ ହେଁ ଗ୍ରାମାଞ୍ଚଳ କ୍ଷେତ୍ରରେ ଏଇ ହାର ଥିଲା ୮. ୯୯ ପ୍ରତିଶତ । ପୁଣି ରାଜ୍ୟସ୍ତରକୁ ଆସିଲେ ନାମଲେଖା ହାରରେ ସବୁଠୁ ଖରାପ ସ୍ଥିତି ଥିବା ରାଜ୍ୟମାନଙ୍କ ମଧ୍ୟରେ ଅଛନ୍ତି ତ୍ରିପୁରା (୩.୨ ପ୍ରତିଶତ), ଆସାମ (୬.୬ ପ୍ରତିଶତ) ଛତିଶଗଡ଼ (୭.୬ ପ୍ରତିଶତ), ଓଡ଼ିଶା (୮.୨) ପ୍ରତିଶତ, ଝାଡ଼ଖଣ୍ଡ (୧୦.୩ ପ୍ରତିଶତ) ଏବଂ ସିକିମ (୧୦.୮ ପ୍ରତିଶତ) । ସର୍ଭେ ଅନୁଯାୟୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପ୍ରତି ୧୨ ଜଣ ଛାତ୍ରଙ୍କ ଭିତରେ ଅତି ବେଶୀରେ ସାମିଲ୍‌ ଅଛି ଜଣେ ମାତ୍ର ଗରିବ ଛାତ୍ର ।

 

ଦୁଃଖ ସେତିକି ନୁହେଁ । ଆମ ଭିତରୁ ଯେଉଁ ସ୍ୱଚ୍ଛଳମାନେ ଉଚ୍ଚଶିକ୍ଷିତ ବୋଲାଉଛନ୍ତି ସେମାନଙ୍କ ମଧ୍ୟରୁ ଏକ ସିଂହଭାଗ ନାଁକୁ ଯାହା ଉଚ୍ଚଶିକ୍ଷିତ । ଅର୍ଥାତ୍‌ ଏମାନଙ୍କ ମଧ୍ୟରୁ ୭୦ ଭାଗ ଯେଉଁ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରୁ ଉତ୍ପନ୍ନ ହେଉଛନ୍ତି, ସେସବୁର ଗୁଣାତ୍ମକ ମାନ ଉପରେ ଆରମ୍ଭରୁ ପ୍ରଶ୍ନ ଚିହ୍ନ ଲାଗିଯାଇଛି । ତଥ୍ୟ ଅନୁଯାୟୀ ୨୦୦୬ ସୁଦ୍ଧା ଭାରତର ମୋଟ ମହାବିଦ୍ୟାଳୟ ମାନଙ୍କ ମଧ୍ୟରୁ ଗୁଣାତ୍ମକ ଶିକ୍ଷା (କ ମାନ) ପାଇଁ ଗଣତିରେ ଥିଲେ ମୋଟେ ୨୪୫ଟି ଅନୁଷ୍ଠାନ । ‘ଖ' ଓ 'ଗ' ମାନ 'ନାକ୍‌' ଦ୍ୱାରା ପ୍ରଦତ୍ତ ହୋଇଥିଲା ଯଥାକ୍ରମେ ୧୭୮୫ ଓ ୬୬୮ଟି କଲେଜକୁ । ୧୧,୦୦୦ରୁ ଅଧିକ ଘରୋଇ ମହାବିଦ୍ୟାଳୟର ଶିକ୍ଷାଦାନ ନିମ୍ନମାନର ଥିଲା ବୋଲି ନାକ୍‌ ମତ ଦେଇଥିଲେ । ଏତେ ବର୍ଷ ପରେ ବେପାର ମେଲେଇ ଥିବା ବେଶ୍‌ କିଛି ତଥାକଥିତ ବୃହତ୍‌ ଶିକ୍ଷାନୁଷ୍ଠାନ ସରକାର/ ୟୁଜିସିଙ୍କ ତୀକ୍ଷ୍‌ଣ ନଜରକୁ ଆସିଛନ୍ତି । ବହୁ ଜାଗାରେ ଉଚ୍ଚ ଶିକ୍ଷା ନାଁରେ ଯାହା ଚାଲିଛି, ତାହା ସୌଖୀନ ବେପାର । ଏସବୁ ଘରୋଇ ଅନୁଷ୍ଠାନରେ ମୋଟା ଫି ଦେଇ ଜଣେ ଗରିବ, ମେଧାବୀ ଛାତ୍ର ଦାଖଲ ହେବାର ସମ୍ଭାବନା ପ୍ରାୟ ନାହିଁ । ଉଚ୍ଚ ଶିକ୍ଷା ଦେଉଥିବା ବେଶ୍‌ କିଛି ସରକାରୀ ଅନୁଷ୍ଠାନମାନଙ୍କର ମୋଟା ଫି ଏବେ ପୁଣି ଅନେକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି । ଚଳିତ ପଞ୍ଚବାର୍ଷିକ ଯୋଜନାରେ ରାଷ୍ଟ୍ର ମୋଟ ଯୋଜନା ଅଟଳଳର ୨୦ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିବ ବୋଲି ଲକ୍ଷ୍ୟ ହୁଏତ ରଖିଛି, କିନ୍ତୁ ଉଚ୍ଚ ଶିକ୍ଷାର ଦୃତ ବ୍ୟବସାୟୀକରଣକୁ ନିୟନ୍ତ୍ରଣ ନକଲେ ଆଗକୁ ବୈଷମ୍ୟ ଅଧିକ ସଂପ୍ରସାରିତ ହେବ-

 

ଚିନ୍ତକମାନଙ୍କ ମତ ହେଉଛି, ଶିକ୍ଷାର ଅନିୟନ୍ତ୍ରିତ ଉଦାରୀକରଣ ଜାରି ରହିଲେ ଆଗକୁ ଦୁଇଟି କଥା ହେବ । ଅଧିକାଂଶ ଶିକ୍ଷାନୁଷ୍ଠାନ ଏକ ନୂଆ ପ୍ରଜାତିର ନିରକ୍ଷର ଉତ୍ପନ୍ନ କରିବେ । ସେମାନଙ୍କର ଡିଗ୍ରୀ ଅବଶ୍ୟ ଥିବ, କିନ୍ତୁ ସେ ଡିଗ୍ରୀରେ ମୋଟେ ଦମ୍‌ ନଥିବ । ନାମୀଦାମୀ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ୧୦ ପ୍ରତିଶତ ସୌଭାଗ୍ୟଶାଳୀ ଛାତ୍ରଙ୍କ ପାଖରେ ସେମାନେ ମୋଟେ ଠିଆ ହୋଇପାରିବେ ନାହିଁ । ନୂଆ ପାଠ, ନୂଆ ଶାଠ ଏବଂ ନୂଆ ଦୃଷ୍ଟି କେବଳ ମହଜୁଦ୍‌ଥିବ ସେଇ ସୀମିତ ଉଚ୍ଚଶିକ୍ଷିତଙ୍କ ପାଖରେ, ଯେଉଁମାନଙ୍କ ଭିତରୁ ଅନେକଙ୍କ ବୌଦ୍ଧିକ ପରିପୁଷ୍ଟତାର ଚେର ମେଲିଥିବ ସେମାନଙ୍କ ପୈତୃକ ଅର୍ଥନୈତିକ ଉର୍ବରତା ଭିତରେ । (୨) ଏ ବୈଷମ୍ୟ ଆଗକୁ ଭୟଙ୍କର ମୋଡ଼ ନେବ । ଅପରାଧ ବୃଦ୍ଧି ପାଇବ । ଭାରତ ନଂ ୨, ଭାରତ ନଂ ୧ର ଖୋଲାଖୋଲି ବିରୋଧ କରିବ । ଅନେକ ଆଗରୁ ଏକ ଅସମାନ ଭାରତର ନିର୍ମାଣ ଆରମ୍ଭ ହୋଇସାରିଛି । ଉଦାରୀକରଣ ସହିତ ମୁକ୍ତ ରତିକ୍ରୀଡ଼ାରେ ମଗ୍ନ ଭାରତୀୟ ଅର୍ଥନୀତିରେ ସମାନ୍ତରାଳ ଭାବେ ଅବ୍ୟାହତ ରହିଛି ମାଇକ୍ରୋସଫ୍‌ଟୀକରଣ ଏବଂ ମାଓକରଣ । ଆପଣ ନିଜ ଆଗୋଚରରେ ପକ୍ଷଭୁକ୍ତ ହୋଇ ସାରିଛନ୍ତି ।

(ସମ୍ବାଦ ତା୧୬/୭/୨୦୧୦)

Image

 

କାହା ବିରୋଧରେ ଏ ଯୁଦ୍ଧ ?

 

କେତେଦିନ ତଳେ 'ଗଣଚେତନା' ସ୍ତମ୍ଭରେ ସୁଦର୍ଶନ ଦାସ ନକ୍ସଲଙ୍କ ବିରୋଧରେ ଯୁଦ୍ଧ ପ୍ରସ୍ତୁତିର ସଂକ୍ଷିପ୍ତ ଚର୍ଚ୍ଚା କରି ସାରିଛନ୍ତି । ଏଥରର ଆଲୋଚନା ସେଇ କ୍ରମରେ । ପାଠକ ଜାଣିଛନ୍ତି ଯେ ଅପରେସନ୍‌ ଗ୍ରୀନ୍‌ହଣ୍ଟର ପ୍ରାକ୍‌ ପ୍ରସ୍ତୁତି ଏକ ନିର୍ଣାୟକ ମୋଡ଼ରେ ପହଞ୍ଚି ସାରିଛି । ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ମିଳିତ ନକ୍ସଲ ବିରୋଧୀ ଅଭିଯାନ ନିମନ୍ତେ କେନ୍ଦ୍ର ସରକାର ସି.ଆର୍‌.ପି.ଏଫ୍‌ର ସ୍ୱତନ୍ତ୍ର ଡିଜି ରମଣ ସିଂହଙ୍କୁ ଜାତୀୟ ସଂଯୋଜକ ଭାବରେ ନିଯୁକ୍ତି ଦେଇ ସାରିଛନ୍ତି । ସରକାରଙ୍କ ଅର୍ଧ ସାମରିକ ବାହିନୀ ଏବଂ ଏଇ ସବୁ ରାଜ୍ୟ ସରକାରମାନଙ୍କ ମିଳିତ ଉଦ୍ୟମରେ ମାର୍ଚ୍ଚ ୨୦୧୦ ବେଳକୁ ରୀତିମତ ଗୋଟାଏ ଯୁଦ୍ଧ ଆରମ୍ଭ ହୋଇଯିବ । ତଫାତ୍‌ ଏତିକି ଯେ ଆଭ୍ୟନ୍ତରୀଣ ସୁରକ୍ଷା ଆଢ଼ୁଆଳରେ ଏ ଯୁଦ୍ଧ ଘୋଷଣା ରାଷ୍ଟ୍ର ନିଜ ବିରୋଧରେ ନିଜେ ହିଁ କରିବ । ନକ୍ସଲବାଦ ଆମର ମୁଖ୍ୟ ନିରାପତ୍ତା (ଆଭ୍ୟନ୍ତରୀଣ) ସମସ୍ୟା ଏକଥା ଆମର ହୃଦ୍‌ବୋଧ ହୋଇସାରିଛି । କେବଳ ଗତ ୩ବର୍ଷ ଭିତରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଅନ୍ତତଃ ୨୬୦୦ ଲୋକେ । ଜାନୁଆରୀ ୨୦୦୬ରୁ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶାରେ ମରିଛନ୍ତି ୨,୨୧୨ ଜଣ । ନକ୍ସଲ ଆତଙ୍କ ନେଇ ବିସ୍ତୃତ ପରିସଂଖ୍ୟାନର ଏହା ଗୋଟାଏ ଛୋଟିଆ ଅଂଶ ମାତ୍ର । ତଥାପି ଲାଲ୍‌ଆତଙ୍କ ବିରୋଧରେ ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନକୁ ସରକାର ଯୁଦ୍ଧ ବୋଲି କହିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଗତ ଅକ୍ଟୋବରରେ ଅନୁଷ୍ଠିତ ଦୁଇଟି ପୃଥକ୍‌ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ନକ୍ସଲମାନଙ୍କୁ ଆତଙ୍କବାଦୀମାନଙ୍କ ସହିତ ତୁଳନା କରାଯାଇପାରିବ ନାହିଁ । ସେଇ କାରଣରୁ ସେନାବାହିନୀର ବ୍ୟବହାର ମଧ୍ୟ ହେବ ନାହିଁ । ଶ୍ରୀ ସିଂହ ଏ କଥା ମଧ୍ୟ କହିଛନ୍ତି ଯେ ବିଶେଷ କରି ମଧ୍ୟ ଭାରତରେ ନକ୍ସଲବାଦର ବିକାଶ ପଛରେ କଣ କାରଣ ସବୁ ରହିଛି ସେସବୁ ଟିକିନିଖି ଅନୁଧ୍ୟାନ କରିବାର ସମୟ ଆସିଛି । ଏଣେ ପୁଲିସ୍‌ କୋବାଡ ଘାଣ୍ଡିଙ୍କ ପାଖରୁ ଯେଉଁ ସ୍ୱୀକାରୋକ୍ତି ଆଶା କରୁଥିଲା ତାହା ହାସଲ ହୋଇ ପାରିନାହିଁ । ୬୩ ବର୍ଷ ବୟସ୍କ ସି.ପି.ଆଇ (ମାଓବାଦୀ)ର ପିଲିଟିବ୍ୟୁରୋ ଏହି ସଦସ୍ୟଙ୍କୁ ଗିରଫ କରାଯାଇଥିଲା ସେପ୍ଟେମ୍ବର ୨୧ ତାରିଖରେ । ସବୁଠୁ ମଜା କଥା ହେଉଛି, ପୁଲିସ୍‌ ଯେତେବେଳେ କୋବାଡ଼ଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଛି, ସେତେବେଳେ ସେ ହଠାତ୍‌ ଆରମ୍ଭ କରୁଛନ୍ତି ବାମପନ୍ଥୀ ଦର୍ଶନ ଏବଂ ରାଜନୀତି ଉପରେ ଅନର୍ଗଳ ଭାଷଣ ।

 

ଭାରତୀୟ ଯୋଜନା ଆୟୋଗଙ୍କ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଏ କଥା ସ୍ପଷ୍ଟ କରିଦେଇଛି ଯେ ବ୍ୟାପକ ସାମାଜିକ-ଅର୍ଥନୈତିକ ବୈଷମ୍ୟ ନକ୍ସଲବାଦକୁ ପୃଷ୍ଠପୋଷକତା ଯୋଗାଇ ଚାଲିଛି । ବ୍ୟବସ୍ଥା ନିଜକୁ ନସୁଧାରିଲେ କେବଳ ବନ୍ଧୁକ ମୁନରେ ନକ୍ସଲ ମୁକାବିଲା ସମ୍ଭବ ହେବ ନାହିଁ । ଗବେଷଣାନିଷ୍ଠ ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି ଏ ରିପୋର୍ଟ । ତଥାପି ଏ ଯୁଦ୍ଧ ଘୋଷଣା କାହିଁକି ? ଏହାଠାରୁ ଆହୁରି ବଡ଼ ପ୍ରଶ୍ନ ହେଉଛି, କାହା ବିରୋଧରେ ଏ ଯୁଦ୍ଧ ?

 

ସରକାରୀ ତଥ୍ୟ ଅନୁଯାୟୀ ଦେଶର ୨୨ଟି ରାଜ୍ୟରେ ନକ୍ସଲ ସଂଗଠନ ସକ୍ରିୟ । ମୋଟ ୬୨୬ଟି ଜିଲ୍ଲାରୁ ୨୩୧ ଜିଲ୍ଲାରେ ପାଖାପାଖି ୨୦,୦୦୦ ନକ୍ସଲ ହାତ ହତିଆର ଧରି ରାଷ୍ଟ୍ର ବିରୋଧରେ ଠିଆ ହୋଇଛନ୍ତି । ୨୦୦୧ରେ ନକ୍ସଲ ସଂଗଠନ ସକ୍ରିୟ ଥିଲା ମାତ୍ର ୫୬ଟି ଜିଲ୍ଲାରେ । ରାଷ୍ଟ୍ରର ମିଳିତ ତାକତ୍‌ ଆଗରେ ୨୦,୦୦୦ ଗୋଟାଏ ଖୁବ୍‌ ବଡ଼ ସଂଖ୍ୟା ନୁହେଁ, ତେବେ ଅସ୍ତ୍ର ଧରିଥିବା ନକ୍ସଲଙ୍କ ଠାରୁ କାହିଁ କେତେଗୁଣ ଅଧିକ ହେଉଛି ଏମାନଙ୍କ ପୃଷ୍ଠପୋଷକ ମାନଙ୍କ ସଂଖ୍ୟା । ନଭେମ୍ବର ୯,୨୦୦୯ ସଂଖ୍ୟାରେ 'ଆଉଟ୍‌ଲୁକ୍‌'ରେ ପ୍ରକାଶିତ ଏକ ଲେଖାରେ ଅରୁନ୍ଧତୀ ରାୟ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଟାଏ ମାନସାଙ୍କ ପଚାରିଛନ୍ତି । ସେଇଟି ଏମିତି- ଜମ୍ମୁ କାଶ୍ମୀରରେ ଆତଙ୍କବାଦର ଚରମ ପର୍ଯ୍ୟାୟରେ ଥିଲେ ଅତି ବେଶୀରେ ୩,୦୦୦ ଉଗ୍ରପନ୍ଥୀ-। ସେମାନଙ୍କୁ ନିର୍ମୂଳ କରିବା ପାଇଁ ୬ ଲକ୍ଷ ସୈନିକ ମୁତୟନ କରାଯାଇଥିଲା ବିଭିନ୍ନ ପର୍ଯ୍ୟାୟରେ । ଯଦି ଗୋଟାଏ ଛୋଟିଆ ଉପତ୍ୟକାକୁ ଆତଙ୍କମୁକ୍ତ କରିବା ପାଇଁ ଏତିକି ସୈନ୍ୟ ଆବଶ୍ୟକ, ତେବେ ଏ ଦେଶର ନିୟୁତ ନିୟୁତ ଭୋକିଲା ଲୋକଙ୍କ ସହିତ ଲଢ଼ିବା ପାଇଁ କେତେ ସୈନ୍ୟ ଦରକାର ହେବେ ? ଅରୁନ୍ଧତୀଙ୍କ ସହିତ ଆମ ଭିତରୁ ଅନେକ ହୁଏତ ରାଜି ନ ହୋଇ ପାରନ୍ତି, ବନ୍ଧୁକ ମୁନରେ ତମାମ ଅସନ୍ତୁଳନ/ବୈଷମ୍ୟ ଏକାବେଳକେ ହଟେଇବା ସମ୍ଭବ ନୁହେଁ ବୋଲି ଯୁକ୍ତି ବାଢ଼ିପାରନ୍ତି, ତଥାପି ଆମେ ଲେଖିକାଙ୍କ ସହିତ ସଂପୂର୍ଣ୍ଣ ଅରାଜି ହୋଇପାରିବା ନାହିଁ-। ଅର୍ଥନୀତିର ପଣ୍ଡିତମାନଙ୍କୁ ଭୁଲ ପ୍ରମାଣିତ କରି ଆନ୍ତର୍ଜାତିକ ମାନ୍ଦାବସ୍ଥା ସ୍ଥିତିରେ ଆମର ଅର୍ଥନୈତିକ ଅଭିବୃଦ୍ଧି (୭.୯ ପ୍ରତିଶତ) ହୁଏତ ଘଟୁଥାଇପାରେ, ତଥାପି ଆମ ଭୋକ, ଅବସୋସ ଏବଂ ଅସନ୍ତୁଳନର ଗ୍ରାଫ୍‌ ନିମ୍ନଗାମୀ ହେବାର ନାଁ ତ ଧରୁନାହିଁ । ରାଷ୍ଟ୍ର ବିରୋଧରେ ଲଢ଼ୁଥିବା ଅସନ୍ତୁଷ୍ଟ ମାନଙ୍କୁ ଆପଣ ନକ୍ସଲ, ମାଓବାଦୀ, ଆତଙ୍କବାଦୀ, ଉଗ୍ରପନ୍ଥୀ ଯାହାବି କହିପାରନ୍ତି ତେବେ ଏଇ ସଶସ୍ତ୍ର ପ୍ରତିବାଦ ଯେ ଏକଦମ୍‌ ନିରାଧାର, ଏକଥା କହିବାର ଆସ୍ପର୍ଦ୍ଧା ନ୍ୟାୟତଃ ଆମର ନାହିଁ । ବୈସାଦୃଶ୍ୟର ମାଇନ୍‌ ଆଗ ତ ବିଛେଇଛି ରାଷ୍ଟ୍ର ।

 

ମଧ୍ୟ ଭାରତର ଯେଉଁ ଅଞ୍ଚଳରେ ଆଜି ନକ୍ସଲମାନେ ସକ୍ରିୟ ସେ ଅଞ୍ଚଳର ଅର୍ଥନୈତିକ ସ୍ଥିତି ଉପରେ ଆଖି ପକେଇଲେ ସରକାର ହୁଏତ ଯୁଦ୍ଧ ଡାକରା ନିଅନ୍ତେ ନାହିଁ । ୬୦ ବର୍ଷର ସ୍ୱାଧୀନତା ଆମ ଭିତରୁ ଅଧେ ଲୋକଙ୍କୁ ତଥାପି ଭାରି ଅସହାୟ କରି ରଖିଛି । ଯେଉଁମାନେ ନକ୍ସଲଙ୍କ ଡାକରାରେ ବ୍ୟବସ୍ଥା ବିରୋଧରେ ବନ୍ଧୁକ ଧରୁଛନ୍ତି, ସେମାନେ ବାଧ୍ୟବାଧକତାରେ ହୁଏତ ସେମିତି କରିଛନ୍ତି, କିନ୍ତୁ ବ୍ୟବସ୍ଥା ବିପକ୍ଷରେ ଉଗ୍ର ଅସନ୍ତୋଷ ଅପରିବର୍ତ୍ତିତ ରହିଛି । ଭାରତୀୟ ସମ୍ବିଧାନ ପ୍ରଦତ୍ତ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ନକ୍ସଲ କ୍ୟାଡର୍‌ର ସିଂହଭାଗ ଏକ ଦୁଃଖଦ ବାସ୍ତବିକତାରୁ ହିଁ ଉତ୍ପନ୍ନ ହୋଇଛନ୍ତି । ବନ୍ଧୁକ ନଧରି ବୋଲକରା ପିଲା ପରି ରହିଥିଲେ ବ୍ୟବସ୍ଥା ଯେ ସେମାନଙ୍କ ଉପରେ ସୁନା ବର୍ଷା କରିଥାନ୍ତା, ଏକଥା ବି ଡାହା ମିଛ । ସରକାର ଉପଦ୍ରୁତ ପଛୁଆ ଅଞ୍ଚଳରେ ବିକାଶର ବର୍ଣ୍ଣମାଳା ହୁଏତ ପଢ଼ଉଛନ୍ତି, ତେବେ ଏ ଉଦ୍ୟମ ସହିତ ସମାନ୍ତରାଳ ହୋଇ ରହିଛି ନକ୍ସଲ ଦମନ କାର୍ଯ୍ୟକ୍ରମ । କୌଣସି ସମୟରେ ରାଷ୍ଟ୍ରର ହିଂସାଚରଣ ନକ୍ସଲଙ୍କ ହିଂସାକାଣ୍ଡରୁ ଆଦୌ କମ୍‌ ନୃଶଂସ/ ବୀଭତ୍ସ ସାବ୍ୟସ୍ତ ହୋଇନାହିଁ । ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ନାଗା ବାଟାଲିଅନ୍‌ ଏବଂ ଖାସ୍‌ ସରକାରୀ ପୃଷ୍ଠପୋଷକତାରେ ଗଢା ହୋଇଥିବା ପ୍ରତି ସନ୍ତ୍ରାସର ମାରାତ୍ମକ ଅନୁଷ୍ଠାନ 'ସାଲ୍‌ଓ୍ୟାଜୁଡ଼ମ୍‌'ର ଶିକାର କେବଳ ନକ୍ସଲ ହୋଇ ନାହାନ୍ତି, ହଜାର ହଜାର ସାଧାରଣ ଲୋକେ ବି ହୋଇଛନ୍ତି । ଲାଲ୍‌ଗଡ଼ରେ ପୁଲିସ୍‌ ସନ୍ତ୍ରାସ ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଲାଣି । (୪ ରୁ ୭୪ ପର୍ଯ୍ୟନ୍ତ ହଜାର ହଜାର ଆଦିବାସୀଙ୍କୁ ଜଣେ ନକ୍ସଲ/ମାଓବାଦୀ କହି ଏଡ଼େଇ ଦେଇ ପାରିବ ନାହିଁ) କେବଳ ଲାଲଗଡ଼ରେ ନୁହେଁ, ଓଡ଼ିଶା ସମେତ ଅନ୍ୟାନ୍ୟ ନକ୍ସଲ ପ୍ରବଣ ଅଞ୍ଚଳରେ ପୁଲିସ୍‌/ଅର୍ଧ ସାମରିକ ବାହିନୀର କାର୍ଯ୍ୟାନୁଷ୍ଠାନ ସୀମାଲଂଘନ କରିଛି । ଅନିଶ୍ଚିତତା ଏବଂ ଭୟ ଭିତରେ ନିଗିଡ଼ି ଚାଲିଛି ଜୀବନ । କିଛିଦିନ ତଳେ ଜଣେ ଗାନ୍ଧିବାଦୀ କର୍ମୀ ଛତିଶଗଡ଼ରେ ଭେଟିଥିଲେ ମକଦ୍ଦମ୍‌ ମୁକେ, ଏମ୍‌.ପୋନା, ମାଧ୍ୱୀ ହୁରେ ଏବଂ ସୋଡ଼ି ସମ୍ବୁଙ୍କୁ । ସମସ୍ତେ ଏକଦମ୍‌ ଗରିବ ଥିଲେ । ମକଦ୍ଦମର ସ୍ୱାମୀକୁ ନକ୍ସଲ ସନ୍ଦେହରେ ପୁଲିସ୍‌ ଗୁଳିମାରି ହତ୍ୟା କରିଥିଲା ତାରି ଆଗରେ, ପୋନା ଆଖି ସାମ୍ନାରେ ତାର ଅଶୀ ବର୍ଷର ମାକୁ ଗୁଳି ମରାଯିବା ପରେ ମୃତ ଦେହରୁ ସୁରକ୍ଷା ବାହିନୀ ବିଛିନ୍ନ କରିଥିଲେ ସ୍ତନ । ନକ୍ସଲ ସନ୍ଦେହରେ ହୁରେର ସ୍ଵାମୀଙ୍କୁ ଅତି ନୃଶଂସ ଭାବରେ ମାରି ଦିଆଯାଇଥିଲା । ଆଉ ସମ୍ବୁ । ଘରେ କେହି ନଥିବା ବେଳେ ବିଚାରୀ ସମ୍ବୁକୁ ଘେରି ଯାଇଥିଲେ ସ୍ୱତନ୍ତ୍ର ପୁଲିସ୍‌ ବାହିନୀ । ଜଣେ ଗୁଳିମାରି ତାର ଗୋଟାଏ ଗୋଡ଼କୁ ଅକାମୀ କରି ଦେଇଥିଲା । ଅକ୍ଟୋବର ୨୩ରେ ମାଓବାଦୀଙ୍କ ସର୍ତ୍ତ ମାନି ପଶ୍ଚିମବଙ୍ଗ ସରକାର ଜେଲ୍‌ରୁ ମୁକୁଳେଇଥିବା ଲାଲଗଡ଼ର ୧୪ ଜଣ ଆଦିବାସୀ ମହିଳା ମୋଟେ ଜାଣିନଥିଲେ କଣ ପାଇଁ ସେମାନଙ୍କୁ ଗିରଫ କରାଯାଉଛି । ଏବେ ନାରାୟଣପାଟଣାରେ ଚାଷୀ ମୂଲିଆ ସଂଘର ନାଚିକା ଲିଙ୍ଗାଙ୍କୁ ଗିରଫ କରିବା ନାଁରେ ସମ୍ଭବତଃ ତାହାହିଁ ଘଟୁଛି । ସମାଜଶାସ୍ତ୍ରୀ ମାନଙ୍କର ଆଶଙ୍କା ହେଲାଣି ଯେ ଅର୍ଧସାମରିକ ବାହିନୀଙ୍କ ଦ୍ଵାରା ବର୍ଷ ବର୍ଷ ଧରି ଯଦି ଅପରେସନ୍‌ ଗ୍ରୀନ୍‌ହଣ୍ଟ ଜାରି ରହେ, ତେବେ ସେମାନଙ୍କୁ ପୁଲିସ୍‌ପରି ଉଦ୍ଧତ ଏବଂ ଦୁର୍ନିତୀଗ୍ରସ୍ତ ହେବା ପାଇଁ (ଯାହା ମଣିପୁର, ନାଗାଲାଣ୍ଡ ଏବଂ ଜମ୍ମୁ କାଶ୍ମୀରରେ ଘଟିଥିଲା) ସମୟ ଲାଗିବ ନାହିଁ । ସେତିକି ନୁହେଁ, ଏ ଲଢ଼େଇରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ ସାଧାରଣ ଲୋକେ ଯେଉଁମାନେ ଆତଙ୍କବାଦର ଧାର ଧାରନ୍ତି ନାହିଁ ।

 

ସ୍ୱୀକାର କରିବାରେ ସାମାନ୍ୟ ଦ୍ୱିଧା ନାହିଁ ଯେ ଆମ ସ୍ୱାଧୀନତା ଏବଂ ବିକାଶ ଅନେକ ସ୍ୱପ୍ନକୁ ସାକାର କରିଛି । କିନ୍ତୁ କୃଷକ ଆତ୍ମହତ୍ୟା ଏବଂ ପଞ୍ଚତାରକା ହୋଟେଲର କାଶ୍ମୀରି କବାବ୍‌ ଭିତରେ ଢେର ମୁଳ ପ୍ରଶ୍ନ/ପ୍ରସଙ୍ଗ ଅନୁତ୍ତରିତ ରହିଯାଇଛି । ଏକଥା ବି ସତ ଯେ 'ୟୁଟୋପିଆ' ଭିନ୍ନ ଅନ୍ୟ ଯେ କୌଣସି ସମାଜରେ 'ଅଭାବ' ସହିତ 'ପ୍ରାଚୁର୍ଯ୍ୟ' ବି ତିଷ୍ଠି ରହିବ, ତେବେ ଭୟଙ୍କର ଅସନ୍ତୁଳନ, ଅଂସଗତି/ବୈଷମ୍ୟର ଏ ଅନାହତ ଅପଈଶ୍ଵର କୌଣସି ଉନ୍ନତ ଗଣତନ୍ତ୍ର ସହିତ ସମକାଳୀନ ହୋଇ ଉଧେଇ ପାରନ୍ତେ ନାହିଁ । ଭାରତରେ ଅଥଚ ତାହା ହିଁ ଘଟିଛି । ଅରୁନ୍ଧତୀ ଆମର ସେଇ ପୁରାତନ ସବୁଜ କ୍ଷତକୁ ଯାହା ଟିକିଏ ଉଖୁରେଇ ଦେଇଛନ୍ତି । ଯେଉଁ ଦେଶରେ ଉନ୍ନତି ନାଁରେ ବିସ୍ଥାପିତ ହୋଇଥିବା ପଚାଶ ନିୟୂତ ପରିବାରଙ୍କୁ ଏ ଯାଏଁ ଥଇଥାନ୍‌ କରାଯାଇ ପାରିନାହିଁ, ସେ କ୍ଷେତ୍ରରେ ୩୦୦ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ ପାଇଁ ୧,୪୦,୦୦୦ ହେକ୍ଟର ଉନ୍ନତ ଚାଷ ଜମି କେମିତି ଯୋଗାଡ଼ ହୋଇପାରିଲା ? ବିନା ବିଚାରରେ ଆମ ଜଳ, ଜମି, ଜଙ୍ଗଲ କେମିତି ଟେକି ଦିଆଯାଉଛି ବାଛି ବାଛି କିଛି ସଂସ୍ଥା/ଲୋକଙ୍କ ହାତରେ ? ଗଣତନ୍ତ୍ର ପ୍ରତ୍ୟକ୍ଷ ଭାବରେ ହୁଏତ ପୁଞ୍ଜିବାଦର ଶତ୍ରୁ ନୁହେଁ, କିନ୍ତୁ ଏକ ବ୍ୟବସ୍ଥା ବର୍ଷ ବର୍ଷ ଧରି କେବଳ ପାରିବା ଲୋକଙ୍କୁ ସୁହାଇଛି, ଏ ବାବଦରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆମ ସମସ୍ତଙ୍କ ପାଇଁ ଆସିଛି । କିଶେନ୍‌ଜୀ ଓରଫ୍‌ କୋଟେଶ୍ୱର ରାଓ ଏବଂ କୋବାଡ଼ ଘାଣ୍ଡିଙ୍କ ରାଷ୍ଟ୍ରର ମୂଳୋତ୍ପାଟନ ସୂତ୍ର, ଶ୍ରେଣୀବିହୀନ ସମାଜ ନିର୍ମାଣର ସଂକଳ୍ପ ଆମ ସମସ୍ୟାର ସମାଧାନ ହୁଏତ ହେବ ନାହିଁ, ତେବେ ପୁଞ୍ଜିଭୂତ ଅସନ୍ତୋଷ ବିରୋଧରେ ରାଷ୍ଟ୍ରର ସାମରିକ ସାମର୍ଥ୍ୟ ଏ କ୍ଷେତ୍ରରେ ଆଦୌ ନିର୍ଣ୍ଣାୟକ ବି ସାବ୍ୟସ୍ତ ହେବ ନାହିଁ ।

(ସମ୍ବାଦ ତା ୧୧/୧୨/୨୦୦୯)

Image

 

ରମ୍ୟ ଦୁର୍ଗ ପାଖ ମିରିଗ

 

‘‘ମୁଁ ଦିନ ମଜୁରିଆ ଥିଲି । ଏବେ ମୁଁ ଜଣେ ସଫଳ ପୋଲଟ୍ରି ମାଲିକ ।’’

ସବିତା ମିରିଗ (ବିତ୍ତୀୟ ସହାୟତା : ବେଦାନ୍ତ)

 

ପାଞ୍ଚ ନମ୍ବର ଜାତୀୟ ରାଜପଥରେ କଟକ ଆଡ଼ୁ ଆସିବାବେଳେ ଭୁବନେଶ୍ଵର ସୀମା ଆରମ୍ଭରେ ଆଖିରେ ପଡ଼ିବ ବେଦାନ୍ତର ଏଇ ମସ୍ତବଡ଼ ହୋଡିଂ । ‘‘ଖଣିଠାରୁ ଖୁସି ପର୍ଯ୍ୟନ୍ତ’’, ସବୁଠି ନିଜକୁ ସାବ୍ୟସ୍ତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ପରେ ବେଦାନ୍ତକୁ ଏବେ ପ୍ରଚଣ୍ଡ ଧକ୍କା ଲାଗିଛି । ସମ୍ଭବତଃ ଏହାଠୁ ଅଧିକ ଝଟ୍‌କା ଲାଗିଛି ରାଜ୍ୟ ସରକାରଙ୍କୁ, ଯିଏ କୌଣସି ଅଜ୍ଞାତ (ହୁଏତ ରହସ୍ୟାବୃତ) କାରଣରୁ ଧରି ନେଇଥିଲେ ଯେ ବେଦାନ୍ତର ପୁଞ୍ଜି ବିନିଯୋଗ ରାଜ୍ୟର ଅର୍ଥନୀତିକୁ ବଦଳେଇ ଦେବ । ତେବେ ନିୟମଗିରିର ଅଧିବାସୀ ଅନ୍ତତଃ ଏତିକି ଜାଣିଛନ୍ତି ଯେ ସେମାନଙ୍କ ନିୟମ ରଜା ଏକ ବଡ଼ ଧରଣର ବାହ୍ୟ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି । କେବଳ ନିୟମଗିରି ନୁହେଁ କି ଓଡ଼ିଶାରେ ନୁହେଁ, ସାରା ପୃଥିବୀରେ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ଵାଗତ କରାଯାଇଛି । ଲକ୍ଷ ଲକ୍ଷ ସହାନୁଭୂତିଶୀଳ ଲୋକେ ଆଶ୍ଵସ୍ତ ହୋଇଛନ୍ତି ଯେ ଏବେ ବି ସବୁ କିଛି ସରିଯାଇ ନାହିଁ । ଗଣତାନ୍ତ୍ରିକ ପ୍ରତିବାଦ ଆଜି ବି ଅମାନିଆ ବ୍ୟବସ୍ଥା ବିରୋଧରେ ଏକ ଶକ୍ତିଶାଳୀ ହତିଆର୍‌ ହୋଇ ତିଷ୍ଠି ରହିଛି । ଏଣେ ସରକାର ନିଜ ଜିଦ୍‌ରେ ନଛୋଡ଼ବନ୍ଧା । ନିୟମଗିରି ନ ହେଲେ ନାହିଁ, ବେଦାନ୍ତ ବିଶୋଧନାଗାରର ଭୋକ ମେଣ୍ଟେଇବା ପାଇଁ ଆଖପାଖ ଅଞ୍ଚଳରୁ ବକ୍ସାଇଟ୍‌ ଯୋଗାଡ଼ କରିବା ପାଇଁ ପଡ଼ିବ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ତଲାସ ଜାରି ରହିଛି । ଦୋଷାରୋପ ହେଉଛି ଯେ କେନ୍ଦ୍ର ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପକୁ ଅନୁମୋଦନ ଦେବା ବେଳେ ଜଙ୍ଗଲ ଅଧିକାର ଆଇନ ଏବଂ ରାଜ୍ୟର ସ୍ୱାର୍ଥକୁ ଜାଣିଶୁଣି ଆଖି ବୁଜି ଦିଆଯାଇଛି । କିଛି ବୁଦ୍ଧିଜୀବୀ ଜୟରାମ ରମେଶଙ୍କ ନିଷ୍ପତ୍ତିକୁ ନିରୋଳା ‘ତୋଗଲକୀ' ପର୍ଯ୍ୟାୟର ବୋଲି ସମାଲୋଚନା ମଧ୍ୟ କରୁଛନ୍ତି । ସେମାନଙ୍କ କହିବା କଥା ହେଲା, କେବଳ ବେଦାନ୍ତ ବା ପୋସ୍କୋ ନୁହେଁ, ସାରା ଦେଶରେ ବେଶ୍‌ କିଛି ପ୍ରକଳ୍ପକୁ ଷ୍ଟେଜ୍‌୧ (ପ୍ରଥମ ପର୍ଯ୍ୟାୟ) ମଞ୍ଜୁରୀ ଦିଆଯିବା ପରେ ଚୂଡ଼ାନ୍ତ ମଞ୍ଜୁରୀ ବେଳକୁ ଜୟରାମ ଅକସ୍ମାତ୍‌ ତାଙ୍କର ମତ ପରିବର୍ତ୍ତନ କରୁଛନ୍ତି । ସେମାନେ ଏକଥା ମଧ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ କେବଳ ଏନ୍‌ଜିଓ ମାନଙ୍କ ଭାଷା ହିଁ କୁଆଡ଼େ ବୁଝନ୍ତି । ଆମ ରାଜ୍ୟରେ ଟିଭି କ୍ୟାମେରା ଆଗରେ ପ୍ରାୟ ହୋ-ହଲ୍ଲା କରୁଥିବା କିଛି ନେତାଙ୍କର ଏ ଧାରଣା ତ ନାହିଁ ଯେ ସାକ୍ସେନା କମିଟିର ଏନ୍‌.ସି. ସାକ୍ସେନା ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରାଶାସନିକ ଅଧିକାରୀ ! ଆଉ କିଛି ଏ କଥା ମଧ୍ୟ କହୁଛନ୍ତି ଯେ ଯାହା ଉପରକୁ ଦେଖାଯାଉଛି, ଅର୍ଥାତ୍‌ ସିଭିଲ୍‌ ସୋସାଇଟିର ପ୍ରତିବାଦ, ସାକ୍ସେନା ଏବଂ ଅନ୍ୟାନ୍ୟ କମିଟିର ରିପୋର୍ଟ ଏବଂ ପ୍ରକଳ୍ପ ବାତିଲ୍‌ ପାଇଁ ବର୍ଷ ବର୍ଷ ଧରି ସାରା ପୃଥିବୀରେ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାମାନଙ୍କର ବିରୋଧ, ନିୟମଗିରି ମାଇନିଂ ମଞ୍ଜୁରୀ ପ୍ରତ୍ୟାହାର ପାଇଁ ଏମାନଙ୍କର ଯେତିକି ଭୂମିକା ନାହିଁ, ସେତିକି ଭୂମିକା ଏକା ଅଛି କଂଗ୍ରେସ ଯୁବରାଜ ରାହୁଲ୍‌ ଗାନ୍ଧୀଙ୍କର । ନିଜ ପ୍ରତିଶ୍ରୁତି ରକ୍ଷା କରି ଆଦିବାସୀମାନଙ୍କର ଏଇ ଜାଗ୍ରତ ସିପାହୀ ହିଁ ନିୟମଗିରିକୁ ଆସନ୍ନ ମୃତ୍ୟମୁଖରୁ କୁଆଡ଼େ ରକ୍ଷା କରି ପାରିଛନ୍ତି । ୟା ପଛରେ ଅଛି ଭୋଟ ରାଜନୀତି । ପରିସ୍ଥିତି ଗୋଳମାଳିଆ ହୋଇଯାଇଛି ।

 

କେଇ ଦିନ ତଳେ ମୋର ଦେଖା ହୋଇଥିଲା ଅବିନାଶ ସହିତ । ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ, ମୋର ବନ୍ଧୁ । ଆଲୋଚନା କ୍ରମରେ ମତେ ଚେତେଇ ଦେଲେ ଯେ ଦଳମତ ନିର୍ବିଶେଷରେ ଯେତେବେଳେ ନିୟମଗିରି ପରି ଏକ ସ୍ପର୍ଶକାତର ପ୍ରସଙ୍ଗ ଜାତୀୟ ବା ଆନ୍ତର୍ଜାତୀୟ ସ୍ତରକୁ ଉନ୍ନୀତ ହୁଏ ସେତେବେଳେ କେବଳ ସଂପୃକ୍ତ 'ଥିମ୍‌'ର ଚର୍ଚ୍ଚା ଚାଲି ନଥାଏ, ପ୍ରସଙ୍ଗଟିକୁ ଧରି ଅଲକ୍ଷ୍ୟରେ ପ୍ରକ୍ରିୟାରତ ଥାଏ ତତ୍ତ୍ୱଟିଏ । ସେଇ ଦୃଷ୍ଟିରୁ ନିୟମଗିରି କେବଳ ଜୈବ ବିବିଧତା କିମ୍ବା ଡଙ୍ଗରିଆ କନ୍ଧମାନଙ୍କ କଥା ନୁହେଁ, ନିୟମଗିରି ବରଂ କଳାହାଣ୍ଡିର ବିଶ୍ଵବିଦିତ ଦାରିଦ୍ର୍ୟ ଏବଂ ସେଇ ପୃଷ୍ଠଭୂମିରେ ବେଦାନ୍ତ ପରି ବହୁରାଷ୍ଟ୍ରୀୟ ବୃହତ୍‌ କର୍ପୋରେଟର ଅନୈତିକ ସାମ୍ରାଜ୍ୟ ବିସ୍ତାରର ମେଟାଫର୍‌ । ନିୟମଗିରି ଆନ୍ତର୍ଜାତିକ ସ୍ତରରେ ଅଧିକ ପ୍ରସିଦ୍ଧ ବରଂ ଦାରିଦ୍ର୍ୟ ପାଇଁ । ମୋତେ ଟିକିଏ ଅଡ଼ୁଆ ଲାଗୁଥିଲା । ଅବିନାଶ କହିଲା, ନିୟମଗିରିର ବର୍ଣ୍ଣିଳ ଜୈବ ବିବିଧତା, ଏହାର ମୂଳ ବାସିନ୍ଦା ଡଙ୍ଗରିଆ କନ୍ଧମାନଙ୍କର ନିୟମଗିରି ଉପରେ ନିର୍ଭରଶୀଳତା, ସ୍ଥାନୀୟ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପ୍ରେକ୍ଷାପଟ୍ଟରେ ନିୟମ ପେନୁଙ୍କ ଗୁରୁତ୍ୱ-ଏ ସବୁ ଅବଶ୍ୟ ନିରାଟ ସତ, କିନ୍ତୁ ଗତ କେତେ ବର୍ଷ ଧରି ଏ ସବୁ ସହିତ କଳାହାଣ୍ଡିର ଐତିହାସିକ ଦାରିଦ୍ର୍ୟର ଅଜବ ଯୁଗଳବନ୍ଦୀ ହିଁ ନିୟମଗିରିକୁ ଦାରିଦ୍ର୍ୟ ପର୍ଯ୍ୟଟନର ହଟ୍‌ସ୍ପଟ୍‌ରେ ପରିଣତ କରି ସାରିଛି । ଆଗରୁ ବିଜ୍‌ନେସ୍‌ ଟୁରିଜିମ୍‌, ଡେଭଲପ୍‌ମେଣ୍ଟ ଟୁରିଜିମ୍‌, ଇକୋ ଟୁରିଜିମ୍‌ଏବଂ ସେକ୍ସ ଟୁରୁଜିମ୍‌ପରି ଶବ୍ଦମାନଙ୍କର ବ୍ୟବହାର ସହିତ ମୁଁ ଅଭ୍ୟସ୍ତ ଥିଲି, କିନ୍ତୁ ପଭର୍ଟି ଟୁରିଜିମ୍‌ ବା ଦାରିଦ୍ର୍ୟ ପର୍ଯ୍ୟଟନ ମୋ ପାଇଁ ନୂଆ ଥିଲା । ଅବିନାଶ କହିଲା, ଶବ୍ଦର ରୋମାଞ୍ଚ ଅପେକ୍ଷା ଏହାର ଅନ୍ତର୍ନିହିତ ତାତ୍ପର୍ଯ୍ୟ ମହତ୍ୱପୂର୍ଣ୍ଣ । ବେଦାନ୍ତ ସଂସ୍ଥାର ପ୍ରବେଶ ଏବଂ ପାରିବେଶିକ ଅସନ୍ତୁଳନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବା ଆଗରୁ ନିୟମଗିରି ଥିଲା । ଡଙ୍ଗରିଆ କନ୍ଧମାନେ ଥିଲେ । ତେବେ ନିୟମଗିରିରେ ବେଦାନ୍ତ ପ୍ରକଳ୍ପ ଆରମ୍ଭ ହେବା ପରଠୁ ପରିସ୍ଥିତି କ୍ରମଶଃ ବଦଳିବାରେ ଲାଗିଲା । ସାମ୍ବାଦିକମାନେ ଅକସ୍ମାତ୍‌ ନିୟମଗିରିର ଅର୍ଥନୀତି ଏବଂ ପ୍ରସ୍ତାବିତ ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ଉପରେ ଗବେଷଣା ଆରମ୍ଭ କରି ପକାଇଲେ । ଦିନକୁ ଦିନ ଅଧିକ ଫଟୋଗ୍ରାଫର୍‌ ଆସିଲେ । ନିୟମଗିରିର ବଣ୍ୟସମ୍ପଦ ଉପରେ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରସ୍ତୁତ ହେଲା । ଡଙ୍ଗରିଆମାନଙ୍କ ଜୀବନଶୈଳୀ ଉପରେ ଗବେଷଣା ଜୋର୍‌ ଧରିଲା । ‘ଆଖୋଁ ଦେଖା ହାଲ୍‌' ଦର୍ଶକମାନଙ୍କ ପାଖରେ ପହଞ୍ଚେଇବା ପାଇଁ ଟିଭି ବାଲା ବି କ୍ୟାମେରା ଧରି ଗହଳି କଲେ । ପରିବେଶବିତ୍‌ମାନେ ଘନ ଘନ ସର୍ଭେ କଲେ ଏବଂ ଏକାଧିକ ରିପୋର୍ଟ ପ୍ରକାଶ କରି ପକାଇଲେ । ଛୁଟିଲେ ଢେର୍‌ ଜାତୀୟ ଓ ଆନ୍ତର୍ଜାତୀୟ ମାନବାଧିକାର ସଂସ୍କାର କର୍ମକର୍ତ୍ତା । ଏମାନଙ୍କୁ ଭୁଲ୍‌ ପ୍ରମାଣିତ କରିବା ପାଇଁ ବେଦାନ୍ତ ମଧ୍ୟ ଏଇ ପ୍ରଚାର ସର୍ବସ୍ଵ ବାତାବରଣର ଭରପୂର ଫାଇଦା ନେବାକୁ ଅଣ୍ଟା ଭିଡ଼ିଲା-। ‘ସବିତା ମିରିଗ’ ମାର୍କା ବିଜ୍ଞାପନରେ, ‘ଖଣିଠୁ ଖୁସି ପର୍ଯ୍ୟନ୍ତ’ ସ୍ଲୋଗାନ୍‌ରେ ଏବଂ ଆମ ରାଜ୍ୟରେ ଛୋଟ ବଡ଼ ଶହ ଶହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କୁ ବର୍ଷ ବର୍ଷ ଧରି ପ୍ରାୟୋଜିତ କରିବାରେ ବେଦାନ୍ତ ଲାଗିଗଲା । ହେଲେ ନିୟମଗିରିର ମୂଳ ବାସିନ୍ଦାମାନଙ୍କ ଅର୍ଥନୈତିକ ଜୀବନ ଏସବୁ ଦ୍ଵାରା ଅପ୍ରଭାବିତ ଥିଲା, ଅର୍ଥାତ୍‌ ସେମାନେ ଆଗ ପରି ଥିଲେ । ଏଣେ କିନ୍ତୁ ନିୟମଗିରି ଦାରିଦ୍ର୍ୟ ପର୍ଯ୍ୟଟନ ପ୍ରକଳ୍ପର ଭବ୍ୟ ଶିଳାନ୍ୟାସ ପଡ଼ି ସାରିଥିଲା । ଯେଉଁମାନେ ଏଇ ପ୍ରକଳ୍ପକୁ ସହଯୋଗର ହାତ ବଢ଼େଇଥିଲେ ସେମାନଙ୍କ ଭିତରେ ସାମିଲ୍‌ ଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଖୋଦ୍‌ ବେଦାନ୍ତ ସଂସ୍ଥା, ସ୍ଵେଚ୍ଛାସେବୀ ସଂସ୍ଥା ଏବଂ ସବୁଠୁ ଅଧିକ ସକ୍ରିୟ ଭୂମିକା ତୁଲେଇଥିବା ଗଣମାଧ୍ୟମ ।

 

ନିୟମଗିରି ଦାରିଦ୍ର୍ୟ ପର୍ଯ୍ୟଟନ ନିଜର ଅଭିବୃଦ୍ଧି ପାଇଁ ସ୍ଥାନୀୟ ବାସିନ୍ଦାମାନଙ୍କୁ ଏକ ଅଜବ ଉପାୟରେ ବ୍ୟବହାର ହିଁ କରି ଆସୁଥିଲା । ଆଗରୁ କନ୍ଧମାନଙ୍କର ରଙ୍ଗିନ ଫଟୋରେ କାମ ଚଳୁଥିଲା, କୁରେଇ ଫୁଲର ଅତରରେ କାମ ଚଳୁଥିଲା, ନହେଲେ ଖୁବ୍‌ ବେଶୀରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଉପରେ ଆଧାରିତ ବୃତ୍ତଚିତ୍ରଟିଏ ରାଜଧାନୀରେ ପ୍ରିମିଅର୍‌ କରି ୫୦।୧୦୦ ଭିଆଇପିଙ୍କୁ ନିମନ୍ତ୍ରଣ କରିଦେଲେ ନିୟମଗିରି ବ୍ରାଣ୍ଡର୍‌ କାଟ୍‌ତି ବଢ଼ୁଥିଲା । ମାର୍କେଟିଂ ଏଥର ଏତିକିରେ ଅଟକି ଗଲା ନାହିଁ । ନିୟମଗିରିର ପ୍ୟାକେଜିଂ ବଦଳେଇ ଦିଆଗଲା । ହେଲିକପ୍ଟର୍‌ ହେଉ କି ଭଲ ଗାଡ଼ି, ପର୍ଯ୍ୟଟକକୁ ପହଞ୍ଚେଇ ଦିଆଗଲା ସିଧା ନିୟମଗିରିରେ । ସେଠି ତମ୍ବୁ ପଡ଼ିଲା, କ୍ୟାମ୍ପ୍ ଫାୟାର୍‌ ହେଲା, ପଞ୍ଝାଏ ଆଦିବାସୀ ସେମାନଙ୍କ ପାରମ୍ପରିକ ବେଶ ପୋଷାକ ପିନ୍ଧି, ପାରମ୍ପରିକ ଖାଦ୍ୟ ଖାଇ, ପାନୀୟ ପିଇ ନାଚିଲେ, ଗୀତ ଗାଇଲେ । ପର୍ଯ୍ୟଟନର ବିକାଶ ଏଇମନ୍ତେ ଜାରି ରହିଲା ନିୟମଗିରିରେ । କୁରେଇ ଫୁଲର ଉପତ୍ୟକାରେ । ଅବିନାଶ କଥାରେ ମୁଁ ପ୍ରତିକ୍ରିୟା ପ୍ରକାଶ କରିବା ଆଗରୁ ପୁଣି ଅବିନାଶ କହିଲା, ଶୁଣିବାକୁ କଷ୍ଟ ଲାଗିପାରେ, କିନ୍ତୁ କାହିଁ କେଉଁ ଯୁଗରୁ ଚାରିପାଖର ଦାରିଦ୍ର୍ୟ ଆମକୁ ବ୍ୟଥିତ କରିନାହିଁ, ବରଂ ରୋମାଞ୍ଚିତ କରି ଆସିଛି । ଦାରିଦ୍ର୍ୟକୁ ନେଇ ରାଜନୀତି ବି ଖୁବ୍‌ ପୁରୁଣା । ଏବେ ଢାଞ୍ଚାଗତ ପରିବର୍ତ୍ତନ ଯାହା ହୋଇଛି । ମୁଁ କହିଲି ଆଉ ବିଗତ ୨୦ ବର୍ଷ ଧରି ଆମେ ଆପଣେଇଥିବା ନବ୍ୟ ଉଦାର ଅର୍ଥନୀତି ? ଜଗତୀକରଣ ? ସେ ସବୁ କଣ କାମରେ ଆସୁନାହିଁ ? କିଛି ସମୟ ଚୁପ୍‌ ରହି ଅବିନାଶ ଉତ୍ତର ଦେଲା, ଭାରତର ଅଣ ସଂଗଠିତ କ୍ଷେତ୍ରମାନଙ୍କରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମ ଜନସଂଖ୍ୟାର ୭୭ ପ୍ରତିଶତ ଜିଉଛନ୍ତି ଦୈନିକ ମୁଣ୍ଡ ପିଛା ୨୦ ଟଙ୍କା ରୋଜଗାରରେ । ଏଇ ବର୍ଗରେ ଅନ୍ତର୍ଭୁକ୍ତ ୭୯ ପ୍ରତିଶତ ଅଣ ସଂଗଠିତ ଶ୍ରମିକ ଏବଂ ୮୮ ପ୍ରତିଶତ ହରିଜନ/ ଆଦିବାସୀ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଶିଳ୍ପ ବିକାଶ ନାଁରେ ବେଦାନ୍ତ ପରି ଘରୋଇ ଉଦ୍ୟୋଗ ମାନଙ୍କୁ ଯୋଗେଇ ଦେଉଥିବା ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ରିହାତିର ପରିମାଣ ବର୍ଷକୁ ପାଞ୍ଚ ଲକ୍ଷ କୋଟି ଟଙ୍କା, ଯାହା କେନ୍ଦ୍ର ସରକାରଙ୍କ ବାର୍ଷିକ ବଜେଟ୍‌ର ପାଖାପାଖି ୪୫ ପ୍ରତିଶତ । ସେଇ ତୁଳନାରେ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆମର ବାର୍ଷିକ ବ୍ୟୟ ଅଟକଳ ମାତ୍ର ୪୦,୦୦୦ କୋଟି ଟଙ୍କା । ତଥ୍ୟ ଅନୁଯାୟୀ ଗାଁ ଗହଳିରେ ଜଣେ ଖର୍ଚ୍ଚ କରୁଥିବା ପ୍ରତି ୧ ଟଙ୍କାରୁ ଅତି କମ୍‌ରେ ୭୫ ପଇସା ଚାଲିଯାଉଛି ଥିଲାବାଲାଙ୍କ ପକେଟ୍‌କୁ । ମୁଦ୍ରାସ୍ପୀତି ଗତ ୨ ଦଶନ୍ଧି ଧରି ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି ଗ୍ରାମାଞ୍ଚଳକୁ । ଏକଦମ୍‌ ସାଧାରଣ ଲୋକଟିକୁ ।

 

ସେଦିନ ଆଲୋଚନା ଶେଷ କରିବା ଆଗରୁ ଅବିନାଶ କହିଥିଲା ଯେ ଅଧିକାଂଶ ଚାହାଁନ୍ତି ଯେ ବ୍ୟବସ୍ଥା ଭିତରେ ଦାରିଦ୍ର୍ୟ ଚିର ସବୁଜ ହୋଇ ରହିଥାଉ । ଅଧିକ ଲୋକ ଆମ ଚାରିପାଖରେ ଭୋକିଲା ଓ ବିକଳ ହୋଇ ରହିବାରେ ଯଦି ଆମର ଯୋଗଦାନ ନଥାନ୍ତା, ତେବେ ଏତେ କମ୍‌ ଲୋକଙ୍କ ହାତରେ ଏତେ ଅଧିକ ସଂପଦ କେମିତି ଠୁଳ ହୋଇଥାନ୍ତା ?

 

ବାକି ରହିଲା, କର୍ପୋରେଟ୍‌ ଦାୟିତ୍ୱବୋଧ । ପ୍ରତ୍ୟେକ କର୍ପୋରେଟ୍‌ ସଂସ୍ଥା ତାର ରମ୍ୟ ଦୁର୍ଗର ଚାରିପାଖରେ ମିରିଗମାନଙ୍କୁ ହିଁ ତ ଖୋଜୁଥାଏ ! ସେମାନଙ୍କୁ ପୋଷା ମନେଇବା ପାଇଁ ବରାବର ଦାନା ପକାଉଥାଏ ! ଏକ ଅଜବ ଆତ୍ମତୃପ୍ତିରେ ନିଜ ଦୁର୍ଗର ମଥାନ ଉପରୁ ନିଜେ ନିଜେ ଉତ୍ସାହିତ ହୋଇ ଜୋର୍‌ରେ ସିଟି ବି ବଜଉଥାଏ । କେହି ଜଣେ ଦାର୍ଶନିକ କହି ନଥିଲେ, ‘ଯଦି ତୁମେ ଗରିବମାନଙ୍କୁ ଖାଇବାକୁ ଦେଇପାରୁ ନାହଁ, ସେମାନଙ୍କୁ ଅଲବତ୍‌ ସର୍କସ୍‌ ଦେଖେଇବାର ବ୍ୟବସ୍ଥା କର ।’ ତୋର ମନେ ନାହିଁ ? ମୁଁ, ଭାବୁଥିଲି, ପ୍ରକୃତରେ ଏଠି ଆଉ କଣ ହେଉଛି ? ସର୍କସ ହିଁ ତ ଚାଲିଛି ।

(ସମ୍ବାଦ ତା୨୦/୯/୨୦୧୦)

Image

 

ବୋଆ ସିନିଅର୍‌ଙ୍କ ଶେଷ ଗୀତ

 

ଲାଂଜିଗଡ଼ରେ ବେଦାନ୍ତ ବିଶୋଧନାଗାର ସଂପ୍ରସାରଣକୁ ବିରୋଧ କରି ଆମ୍‌ନେଷ୍ଟି ଇଣ୍ଟର୍‌ନ୍ୟାସନାଲ୍‌ ଜାତୀୟ ପରିବେଶ ଅପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଛି । ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ବିଶୋଧନାଗାରର ପ୍ରସ୍ତାବିତ ସଂପ୍ରସାରଣ ଯୋଜନାକୁ ତୁରନ୍ତ ରୋକାଯାଉ । ଲାଂଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ପରିବେଶ ବିଷାକ୍ତ ହେବା ଆରମ୍ଭ ହୋଇଗଲାଣି । ଏଥି ଯୋଗୁଁ ବିପନ୍ନ ହେବା ପାଇଁ ଯାଉଛନ୍ତି ଡଂଗରିଆ କନ୍ଧ-। ଆମ୍‌ନେଷ୍ଟି ତରଫରୁ ଏ ସଂପର୍କରେ ଏକ ବିସ୍ତୃତ ଅଧ୍ୟୟନ ଭିତ୍ତିକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ନିକଟରେ, ଯାହାର ଶୀର୍ଷକର ମର୍ମାନୁବାଦ ହେବ ଏମିତି: ଆମକୁ ଉପାଡ଼ି ଫିଙ୍ଗି ଦିଅ ନାହିଁ-। ଗତ କିଛିଦିନ ତଳେ ଅନୀଲ ଅଗ୍ରଓ୍ୱାଲଙ୍କ ବେଦାନ୍ତ ଆଉ ଏକ ନୈତିକ ଆଘାତର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ଗୀର୍ଜା ସମୂହର ପେନ୍‌ସନ୍‌ ବୋର୍ଡ ନିଜ ପାଖରେ ଥିବା ବେଦାନ୍ତର ସମସ୍ତ ଅଂଶ ପତ୍ର ବିକି ଦେଇଛନ୍ତି । ଚର୍ଚ୍ଚକୁ ପୁଞ୍ଜିନିବେଶ ବାବଦରେ ନୀତିଗତ ପରାମର୍ଶ ଦେଉଥିବା ବୋର୍ଡର ପରାମର୍ଶ କ୍ରମେ ପାଖାପାଖି ୨.୫ ନିୟୁତ ପାଉଣ୍ଡ ପୁଞ୍ଜି ପ୍ରତ୍ୟାହାର କରାଯାଇଛି । ଏମିତିରେ ପୁଞ୍ଜି ଖୁବ୍‌ ଅଧିକ ନଥିଲା, ତେବେ ଚର୍ଚ୍ଚର ପୁଞ୍ଜି ପ୍ରତ୍ୟାହାର ଥିଲା ବେଶ୍‌ ସାଙ୍କେତିକ । ପାଠକମାନେ ଜାଣନ୍ତି ଯେ ଅନୀଲଙ୍କ ବେଦାନ୍ତ ସଂସ୍ଥା ପଞ୍ଜିକୃତ ଲଣ୍ଡନରେ । ଦୀର୍ଘ ୬ମାସ କାଳ ବେଦାନ୍ତ ସହିତ କଥାବାର୍ତ୍ତା ପରେ ଚର୍ଚ୍ଚ ଏଇ ସିଦ୍ଧାନ୍ତରେ ପହଞ୍ଚିଲା ଯେ ସାଂପ୍ରତିକ ସ୍ଥିତିରେ କିମ୍ବା ଅଦୂର ଭବିଷ୍ୟତରେ ମାନବାଧିକାରକୁ ନେଇ ବେଦାନ୍ତ ପରି ସଂସ୍ଥାଠାରୁ ସମ୍ବେଦନଶୀଳତା/ନ୍ୟାୟ ଆଶା କରିବା ବୃଥା ।

 

ପୁଞ୍ଜି ପ୍ରତ୍ୟାହାର କ୍ଷେତ୍ରରେ ଚର୍ଚ୍ଚ ପ୍ରଥମ ସଂସ୍ଥା ନୁହେଁ । ଗତ ବର୍ଷ ୨.୩ ନିୟୁତ ପାଉଣ୍ଡ ପୁଞ୍ଜି ପ୍ରତ୍ୟାହାର କରିଥିଲା ମାର୍ଟିନ୍‌ କ୍ୟୁରିନ୍‌ ଇନ୍‌ଭେଷ୍ଟମେଣ୍ଟସ୍‌ । ଏହା ଆଗରୁ ୨୦୦୭ରେ ନରଓ୍ୱେ ସରକାର ପ୍ରତ୍ୟାହାର କରିଥିଲେ ପାଖାପାଖି ୧୩ ନିୟୁତ ଡଲାର୍‌ । ସେ ସମୟରେ ସମାନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆହୁରି ଏକ ବିରଳ ଘଟଣା ଘଟିଛି ନିକଟ ଅତୀତରେ । ଜନତାଙ୍କ ସୁରକ୍ଷା ପାଇଁ କାମ କରୁଥିବା ଏକ ଆନ୍ତର୍ଜାତିକ ସଂଗଠନ, 'ସର୍ଭାଇଭାଲ୍‌ ଇଣ୍ଟର୍‌ନ୍ୟାସନାଲ୍‌’ ଗତ ୮ ଫେବୃୟାରୀରେ 'ଅବତାର' ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେମ୍‌ସ୍ କାମେରନଙ୍କୁ ଅନୁରୋଧ କରିଛନ୍ତି ଯେ ନିୟମଗିରିର ଡଂଗରିଆ କନ୍ଧମାନଙ୍କ ପାଇଁ ସେ ବି ସ୍ଵର ଉତ୍ତୋଳନ କରନ୍ତୁ । ସର୍ଭାଇଭାଲ୍‌ର ଏଇ ନିବେଦନର ଅନ୍ତର୍ନିହତ ଅର୍ଥ ନିହିତ ଅଛି 'ଅବତାର' ଚଳଚ୍ଚିତ୍ରରେ । ବିଜ୍ଞାନ ଏବଂ କଳ୍ପନାକୁ ଭିତ୍ତି କରିଛି କାମେରୁନ୍‌ଙ୍କ ଚଳଚ୍ଚିତ୍ରର କାହାଣୀ । ପୃଥିବୀରୁ ୪.୩ ଆଲୋକ ବର୍ଷ ଦୂରରେ ଅବସ୍ଥିତ 'ଅବତାର'ର ପାଣ୍ଡୋରା । ନେ’ଭି ନାମକ ଆଦିମ ଜନଜାତିଙ୍କ ଇଲାକା । ସେଇ ଅଜବ ଅଞ୍ଚଳରେ ଜୀବନ ଯାତ୍ରା ଅଦ୍ଭୁତ । ଜୀବଜନ୍ତୁ ଅଦ୍ଭୁତ । ସେଇଠି ଲମ୍ବା ବେକ ବାଲା ଘୋଡ଼ା ଅଛନ୍ତି, ଜଣେ-ଦି ଜଣଙ୍କୁ ପିଠିରେ ବସେଇ ଅକ୍ଳେଶରେ ଉଡ଼ିପାରୁଥିବା ପ୍ରକାଣ୍ଡ ପକ୍ଷୀ ବି ଅଛନ୍ତି । ସେତିକି ନୁହେଁ, ଆଧୁନିକ ସଭ୍ୟତାରୁ ଢେର୍‌ ଦୂରରେ ଗଢ଼ି ଉଠିଥିବା ସେଇ ଆଦିମ ଇଲାକାରେ ରାତି ବା ଭାରି ଅଜବ । ସଫେଦ ଶିମିଳ ଫୁଲ ପରି ଲାଗେ ପାଣ୍ଡୋରାର ଜଙ୍ଗଲ ରାତି ହେଲେ । ଜ୍ୱଳନ୍ତ, ଭାସମାନ ଫୁଲର ଭ୍ରମ ସୃଷ୍ଟି କରୁଥିବା ଏଇ ସତ୍ତାମାନେ ପ୍ରକୃତରେ ପୂର୍ବଜମାନଙ୍କ ଆତ୍ମା । କରୁଣା ଏବଂ ଆଶୀର୍ବାଦ ବର୍ଷା କରିବା ପାଇଁ ସେମାନେ ଯେମିତି ଘୁରି ଚୁଲୁଥାନ୍ତି । ଏମିତି ଏକ ଇଲାକାର ଅଧିବାସୀ କାହାର କ୍ଷତି କରିବା ପାଇଁ ଚିନ୍ତା ବି କରନ୍ତି ନାହିଁ । ତେବେ ଇଉନ୍‌ବଟାନିୟମ୍‌ କୁହାଯାଉଥିବା ଏକ ବିରଳ ତଥା ମୂଲ୍ୟବାନ ଖଣିଜ ପାଇଁ ସେମାନଙ୍କ ଉପରେ ହାଇଟେକ୍‌ ଆକ୍ରମଣ କରାଯାଉଛି । ଚଳଚ୍ଚିତ୍ରରେ ଶେଷରେ ନେ’ଭି ମାନଙ୍କର ବିଜୟ ହେଉଛି । ଏକଥା ସତ ଯେ ଅବତାରର କାହାଣୀ ଜ୍ଞାତସାରରେ ଡଂଗରିଆ ମାନଙ୍କ ସଂକଟକୁ ବିଚାରକୁ ନେଇ ନଥିଲା, କିନୁ ଅସଲ ଜୀବନ ସହିତ କଳାର ନାଟକୀୟ ଯୁଗଳବନ୍ଦୀ ସମୟର ସବୁ ପ୍ରସ୍ତରେ ଦେଖିବାକୁ ମିଳିଛି । ଦୁଃଖ ହେଉଛି ଚଳଚ୍ଚିତ୍ରରେ ନେ'ଭି ମାନଙ୍କର ଅନ୍ତିମ ବିଜୟ ପରି ନିୟମଗିରି କ୍ଷେତ୍ରରେ ଡଂଗରିଆ ମାନଙ୍କ ଭାଗ୍ୟ ସେତେ ଉଜ୍ଵଳ ଦିଶୁନାହିଁ ।

 

ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ନିୟମଗିରିରେ ବେଦାନ୍ତ ବ୍ୟବସାୟର ଢାଞ୍ଚାଗତ ପରିବର୍ତ୍ତନ ଯାହା ଘଟିଛି । ସାଉଥ୍‌ଓେଷ୍ଟ ଓଡ଼ିଶା ବକ୍‌ସାଇଟ୍‌ ମାଇନିଂ କର୍ପୋରେସନ୍‌ (ଷ୍ଟେର୍‌ଲାଇଟ୍‌ର ନିୟନ୍ତ୍ରଣାଧୀନ ସଂସ୍ଥା ଏବଂ ପ୍ରକଳ୍ପରେ ଏହାର ଅଂଶଧନ ୭୪%) ଏବଂ ଓଡ଼ିଶା ମାଇନିଂ କର୍ପୋରେସନ୍‌ ମିଳିତ ଭାବେ ମାଇନିଂ କରିବେ ବୋଲି କେନ୍ଦ୍ର ସରକାର ନୀତି ଗତ ନିଷ୍ପତ୍ତି ଶୁଣେଇ ସାରିଛନ୍ତି । ଭାରତରେ ମହଜୁଦ୍‌ ବକ୍ସାଇଟ୍‌ର ୫୦ ପ୍ରତିଶତ ଅଛି କେବଳ ଓଡ଼ିଶାରେ । ଗତ ୬୦ ବର୍ଷ ଭିତରେ ଓଡ଼ିଶାର ଖଣିଜ ଉତ୍ତୋଳନ ବାର୍ଷିକ ୨.୮ ନିୟୂତ ମେଟ୍ରିକ୍‌ଟନ୍‌ରୁ ବୃଦ୍ଧିପାଇଛି ବାର୍ଷିକ ୧୭୮.୬ ମେଟ୍ରିକ୍‌ଟନ୍‌କୁ (୬୦ ଗୁଣ) ତଥାପି ଆମ ପେଟ ପୂରିନାହିଁ । ପିଅରକାର୍ଡନରେ ଆମ ଏମ୍‌.ଓ.ପୁ ଅଭିସାର ବି ସରିନାହିଁ । ୨୦୦୨ ରୁ ୨୦୦୮ ଭିତରେ ୫୪ଟି ଏମ୍‌.ଓ.ୟୁ ସ୍ୱାକ୍ଷର କରି ୪୬.୩ ବିଲିୟନ୍‌ ଡଲାର୍‌ ପୁଞ୍ଜି ବିନିଯୋଗର ସ୍ୱପ୍ନ ଆମେ ଦେଖିଛୁ । ଅଥଚ ଦାରିଦ୍ର୍ୟରେ, ଅନାହାର ମୃତ୍ୟରେ, ଶିଶୁ ମୃତ୍ୟରେ ବର୍ଷ ପରେ ବର୍ଷ ଆମେ ନଂ ୧ । ଫେରିବା ବେଦାନ୍ତକୁ । ଲାଂଜିଗଡ ବିଶୋଧନାଗାର ପାଖାପାଖି ଅଛି ୧୨ଟି ଗାଁ । ତଥ୍ୟ ଅନୁଯାୟୀ ୨୦୦୨ରୁ ୨୦୦୪ ମଧ୍ୟରେ ଏ ବାବଦରେ ହୋଇଥିବା ଭୂମି ଅଧିଗ୍ରହଣ ଯୋଗୁଁ ୧୧୮ ପରିବାର ବାସଚ୍ୟୂତ ହୋଇଥିଲେ ଏବଂ ୧୨୨୦ ପରିବାର ସେମାନଙ୍କ ଜମି ବେଦାନ୍ତକୁ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥିଲେ । ଏବେ ବିଶୋଧନାଗାରର ସଂପ୍ରସାରଣ ହେବ ୬ ଗୁଣ ଏବଂ ଏଥିପାଇଁ ଆବଶ୍ୟକ ହେବ ଅନ୍ତତଃ ୮୦୦ ଟି ପରିବାରର ୧୩୪୦ ହେକ୍ଟର ଜମି । ଅନ୍ୟାନ୍ୟ ରିପୋର୍ଟ ଆଧାରରେ ବେଦାନ୍ତ ଆମ୍‌ନେଷ୍ଟି ରିପୋର୍ଟକୁ ଭ୍ରମାତ୍ମକ ବୋଲି ପ୍ରମାଣ କରିବା ପାଇଁ ଚାହୁଁଛି, ହେଲେ ବିସ୍ଥାପିତ/ବିପନ୍ନ ହେବାକୁ ଯାଉଥିବା ଅଧିବାସୀଙ୍କ ପାଖରେ ଖବର ନାହିଁ ଯେ ବିଶୋଧନାଗାର ପ୍ରକଳ୍ପ ଦୀର୍ଘକାଳୀନ ଭିତ୍ତିରେ ସେମାନଙ୍କର କଣ କ୍ଷତି କରିବ । ଖଣି ଠାରୁ ଖୁସି ପର୍ଯ୍ୟନ୍ତ ସ୍ଲୋଗାନ୍‌ ଦେଉଥିବା ବେଦାନ୍ତର ଖୁସିଟି କିନୁ ଅଲବତ୍‌ ନିହିତ ଅଛି କେବଳ ଆମ ଖଣିମାନଙ୍କରେ । ବେଦାନ୍ତର କର୍ପୋରେଟ୍‌ ଦାୟିତ୍ୱବୋଧ ସୀମିତ ରହିଛି ବିଶାଳକାୟ ହୋଡିଂରେ ଏବଂ ଯାବତୀୟ ସାଂସ୍କୃତିକ ଉତ୍ସବ ମାନଙ୍କ ମୁଖ୍ୟ ପୃଷ୍ଠପୋଷକ ସାଜିବାରେ । ଶ୍ଳେଷର ଏମିତି ନୈସର୍ଗିକ ସ୍ଥିତି କେବଳ ତ ସମ୍ଭବ ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ । ଅନୀଲ୍‌ ଅଗ୍ରୱାଲ୍‌ ପୁଣି ଜଗନ୍ନାଥଙ୍କର କୁଆଡ଼େ ପରମ ଭକ୍ତ ଏବଂ ସେ ଓଡ଼ିଶାବାସୀଙ୍କ ସମୃଦ୍ଧି ଚାହାନ୍ତି ବୋଲି ନିକଟରେ କହିଛନ୍ତି । ସେ ଭକ୍ତ ହୋଇପାରନ୍ତି, ତେବେ ଏକଥା ମଧ୍ୟ ତାଙ୍କୁ ବେଶ୍‌ ମାଲୁମ୍‌ ଯେ ଓଡ଼ିଶାରେ ସିଭିଲ୍‌ ସୋସାଇଟି ଖୁବ୍‌ ରୋଗିଣା ।

 

୧୯୯୭ରୁ ଷ୍ଟେଟ୍‌ଲାଇଟ୍‌ ଓ.ଏମ୍‌.ସି ସହିତ କରିଥିବା ଚୁକ୍ତିନାମା (ବକ୍‌ସାଇଟ୍‌ ଉତ୍ତୋଳନ ପାଇଁ) ଶୀତଳ ଭଣ୍ଡାରରେ ଲାଖି ଯାଇଥିଲା ଜୁଲାଇ ୧୯୯୭ରେ ସୁପ୍ରିମକୋର୍ଟ ଦେଇଥିବା ଏକ ଐତିହାସିକ ରାୟ ଯୋଗୁଁ (ସମତା ବନାମ ଆନ୍ଧ୍ର ସରକାର) । ତେବେ ୨୦୦୨ ରେ ରାଜ୍ୟ ସରକାର ସ୍ପଷ୍ଟ କଲେ ଯେ ସମତା ମାମଲାର ରାୟ ଓଡ଼ିଶା ପାଇଁ ପ୍ରଯୁଜ୍ୟ ନୁହେଁ । ସେଇଦିନଠୁ ଆଲୁମିନିୟମ୍‌ ରାକ୍ଷସ ନୂଆ ଅବତାରରେ ମାତିଛି । ନିରୋଳା କାଗଜରେ ବେଦାନ୍ତର ବିନ୍ୟାସଗତ ପରିବର୍ତ୍ତନ ଯାହା ଘଟିଛି କିନ୍ତୁ ହୃଦୟରେ ନୁହେଁ । କେହି ଚୁଝିବା ପାଇଁ ପ୍ରସ୍ତୁତ ନୁହଁନ୍ତି ଯେ ନିୟମଗିରି କେବଳ ଡଂଗରିଆ ମାନଙ୍କ ଭାତହାଣ୍ଡି ନୁହେଁ- ନିୟମପେନୁ ସେମାନଙ୍କ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନର ଆଧାର ବୋଲି । ଡଂଗରିଆମାନଙ୍କ ସଂଖ୍ୟା ଖୁବ୍‌ ଅଧିକ ନୁହେଁ । ଅତି ବେଶୀରେ ୮୦୦୦ । ନୃତତ୍ୱବିତ୍‌ମାନଙ୍କ ମତ ହେଉଛି ସେମାନଙ୍କର ଜୀବନ-ଜୀବିକା ପୂର୍ଣ୍ଣତଃ ନିର୍ଭରଶୀଳ ନିୟମଗିରି ଉପରେ । ଡଂଗରିଆ ମାନଙ୍କ ଜୀବନଚର୍ଯ୍ୟା ଏବଂ ପରମ୍ପରାରେ ନିରୋଳା ନିୟମଗିରିର ମହକ । କୁରେଇ ଫୁଲର ବାସ୍ନା ।
 

ପାଠକମାନଙ୍କୁ ଫେରେଇ ନେଉଛି କେଇଦିନ ତଳର ଏକ ଖବରକୁ । ଫେବୃୟାରୀ ୪ ତାରିଖରେ ଖବରକାଗଜରେ ପ୍ରକାଶିତ ସେଇ ସମ୍ବାଦଟି ଥିଲା ଏମିତି: ଭାରତର ଆଣ୍ଡାମାନ ଦ୍ୱୀପରେ ୬୫,୦୦୦ ବର୍ଷ ଧରି ବସବାସ କରୁଥିବା ଆଦିମ ଜନଜାତି 'ବୋ' ର ଶେଷ ସଦସ୍ୟ ବୋଆ ସିନିଅର୍‌ଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ବୋଆଙ୍କୁ ୮୫ ବର୍ଷ ହୋଇଥିଲା । ଆଣ୍ଡାମାନର ମୂଳବାସିନ୍ଦା ଭାବରେ ରହିଥିବା ଆଦିମ ଜନଜାତିଙ୍କ ସଂଖ୍ୟା ବୋଆଙ୍କ ପରେ ଏବେ ଖସିଆସିଛି ୫୨ କୁ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଆଣ୍ଡାମାନର ଅନ୍ୟ ଏକ ଆଦିମ ଜନଜାତି ଜରୱା କୌଣସି ପ୍ରକାର ବର୍ତ୍ତି ଯାଇଛନ୍ତି । ତେବେ ଆମ ସଭ୍ୟତାର ସଂକ୍ରମଣ (କହି ପାରନ୍ତି ନବ୍ୟ ଉପନିବେଶୀକରଣ) ଅବ୍ୟାହତ ରହିଛି ।

 

ଆମର ସୌଭାଗ୍ୟ, ଡଂଗରିଆ ମାନଙ୍କ ସଂଖ୍ୟା ପାଖାପାଖି ୮,୦୦୦ ଅଛି, କିନ୍ତୁ ନିୟମଗିରିରୁ ବକ୍ସାଇଟ୍‌ ଉତ୍ତୋଳନ ହେଲେ ଏ ସଂଖ୍ୟା ୮୦ ରେ ପହଞ୍ଚିବା ପାଇଁ ବେଶୀ ବର୍ଷ ଲାଗିବ ନାହିଁ । ବୋଆ ସିନିଅର୍‌ଙ୍କୁ ଦୀର୍ଘ ବର୍ଷ ଧରି ଜାଣିଥିବା ଜଣେ ଗବେଷକ କହିଛନ୍ତି ଯେ ବିଚାରୀଙ୍କ ଶେଷ ଜୀବନ ଥିଲା ଭାରି ଏକା ଏକା । ତାଙ୍କ ନିଜ ଭାଷାରେ ମନ ଖୋଲି ଦି’ ପଦ କଥା ହେବେ, ଏମିତି କେହି ଜଣେ ବୋଆଙ୍କୁ ମିଳୁ ନଥିଲେ । ହେଲେ ବୋଆଙ୍କ ହସରେ ଯେମିତି ଯାଦୁ ଥିଲା । ଯେତେବେଳେ ସେ ହସୁଥିଲେ, ତାଙ୍କ ଚାରିପାଖ ହସୁଥିଲା । ଅପ୍ରତିହତ ଏବଂ ନିର୍ମଳ ଥିଲା ସେ ହସ । ଚମତ୍କାର ଗୀତ ବି କୁଆଡ଼େ ସେ ଗାଉଥିଲେ-। ସ୍ୱର୍ଗୀୟା ବୋଆ ସିନିଅର୍‌ଙ୍କ ଶେଷ ଗୀତ ଆପଣ ଇଣ୍ଟରନେଟ୍‌ରେ ଶୁଣିପାରନ୍ତି, ତେବେ ଡଂଗରିଆ ମାନଙ୍କ ପାରମ୍ପରିକ ସଂଗୀତକୁ ରେକର୍ଡ଼ କରିବା ଏବେଠୁ ଆରମ୍ଭ କରିଦିଅନ୍ତୁ ।

(ଅକ୍ଷର/ବିଷୁବ ସଂଖ୍ୟା, ୨୦୧୦)

Image

 

ସରକାରଙ୍କଠୁ ଶାସନ ପର୍ଯ୍ୟନ୍ତ

 

ନିକଟରେ ପ୍ରକାଶିତ ହୋଇଛି ଭାରତୀୟ ସିଭିଲ୍‌ସର୍ଭିସ୍‌ ଉପରେ ପର୍ଯ୍ୟବସିତ ଏକ ସର୍ଭେ ରିପୋର୍ଟ । ଭାରତ ସରକାରଙ୍କ ଦ୍ଵାରା ନୂଆ କରି କରାଯାଇଥିବା ଏଇ ସର୍ଭେରେ ଭାରତୀୟ ପ୍ରାଶାସନିକ ସେବା, ପୁଲିସ ସେବା, ବନ ସେବା ଏବଂ ବୈଦେଶିକ ସେବାର ଅଧିକାରୀଙ୍କ ବ୍ୟତୀତ ଅନ୍ତର୍ଭୁକ୍ତ ହୋଇଥିଲେ ଭାରତୀୟ ରାଜସ୍ୱ ସେବା ସମେତ ଆଉ ପାଞ୍ଚଟି ସର୍ବଭାରତୀୟ ସେବାର ୧୮,୦୦୦ ଅଧିକାରୀ । ସମସ୍ତଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯାଇଥିଲା ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉତ୍ତର ଦେବା ପାଇଁ ଅନୁରୋଧ କରାଯାଇଥିଲା । ଉତ୍ତର ଆସିଥିଲା ୪,୮୦୦ ଜଣ ଅଧିକାରୀଙ୍କ ନିକଟରୁ । ମୋଟ ୧୩ଟି ବିଭାଗରେ ୪୩ଟି ପ୍ରଶ୍ନ ପଚରା ଯାଇଥିଲା । ସେସବୁ ଭିତରୁ କେତୋଟି ପ୍ରଶ୍ନ ଥିଲା ଏମିତି । ଅଧିକାରୀ ନିଜ ବୃତ୍ତିରେ ନିରାପଦ ମଣୁଛନ୍ତି କି ? ବୃହତ୍ତର ସାମାଜିକ ଜୀବନରେ କିଛି ନିଆରା କରି ଦେଖେଇବା ପାଇଁ ସେମାନଙ୍କୁ ସୁଯୋଗ ମିଳୁଛି ନା ନାହିଁ-? ବୃତ୍ତି ସହିତ ସଂଯୁକ୍ତ ନିଜର ଅଭିଜାତ ଷ୍ଟାଟସ୍‌, ଯଥା ବଙ୍ଗଳା, ଗାଡ଼ି, ଚପରାଶୀ-ଏସବୁକୁ ନେଇ ସେମାନଙ୍କର ଅନୁଭବ କଣ ? ସେମାନେ ରାଜନୈତିକ ଚାପର ସମ୍ମୁଖୀନ ହେଉଛନ୍ତି କି ? ଆପଣା ବୃତ୍ତି/କ୍ଷମତା ଆଧାରରେ ସାମାଜିକ ଜୀବନରେ ଇପ୍‌ସିତ ସୃଜନାତ୍ମକ ଯୋଗଦାନ ନ କରି ପାରିଲେ ସେମାନେ ଅବସାଦ, ଅସନ୍ତୁଳନ ଅବା ଅଶାନ୍ତିର ଶିକାର ହେଉଛନ୍ତି କି ? ସରକାରୀ ବୃତ୍ତି ବାହାରେ ଘରୋଇ ଉଦ୍ୟୋଗରେ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ମିଳୁଥିବା ବେତନ ଏବଂ ସୁବିଧା ସୁଯୋଗକୁ ସେମାନେ କେମିତି ଗ୍ରହଣ କରୁଛନ୍ତି ? ନିଜର ଅଭାବ ଅସୁବିଧାରୁ ବ୍ୟକ୍ତ କରିବା ପାଇଁ ସେମାନେ ସମର୍ଥ କି ? ବୃତ୍ତିଗତ ସନ୍ତୋଷ ସେମାନେ ଲାଭ କରୁଛନ୍ତି ନା ନାହିଁ ? ଅତ୍ୟଧିକ କାର୍ଯ୍ୟ ବୋଝ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଛି କି ? ସେମାନେ ରାଜନୈତିକ ନଚେତ୍‌ ବ୍ୟବସ୍ଥାଗତ (ପ୍ରାଶାସନିକ) ଆକ୍ରୋଶର ଶିକାର ହେଉଛନ୍ତି କି ?

 

ପାଠକେ, ସର୍ଭେର ଫଳାଫଳ ଏକ୍‌ଦମ୍‌ ଚମକେଇ ଦେବାପରି ନଥିଲା । ତେବେ ଏ ପ୍ରକାର ସର୍ଭେ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଏଇ ପ୍ରଥମ ଥିଲା । ସର୍ଭେ ସଂପର୍କିତ ଚୂଡ଼ାନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ନିଜ ଚାକିରୀ ଜୀବନରେ ପ୍ରତି ତିନିଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଅନ୍ତତଃ ଜଣେ ଚାକିରୀ ଛାଡ଼ି ଦେବା ପାଇଁ ଚିନ୍ତା କରିଛନ୍ତି ଯଦିଓ ଗତ କେତେ ବର୍ଷ ଭିତରେ ପ୍ରକୃତରେ ଇସ୍ତଫା ଦେଇଥିବା ଅଧିକାରୀଙ୍କ ସଂଖ୍ୟା ଢେର୍‌ କମ୍‌ । ସର୍ଭେରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ଅଧିକାଂଶ ଅଫିସର୍‌ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ, ପୋଷ୍ଟିଂ/ବଦଳିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା କାରଣରୁ ଏବଂ ସେମାନଙ୍କ କାର୍ଯ୍ୟ ଦକ୍ଷତାର ଉପଯୁକ୍ତ ମୂଲ୍ୟାୟନ ନ ହୋଇ ପାରୁଥିବାରୁ ବୀତସ୍ପୃହ ହୋଇ ପଡ଼ିଛନ୍ତି । ଏକଥା ବି ଜଣାଯାଇଛି ଯେ ସର୍ବଭାରତୀୟ ସେବାର ଅଧିକାରୀ ମାନଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର । ଅଣ-ଆଇଏଏସ୍‌ମାନଙ୍କ ଅଭିଯୋଗ ଯେ ନାନା ଫନ୍ଦି ଫିକର୍‌ କରି କେବଳ ଆଇଏଏସ୍‌ ମାନେ ହିଁ ସବୁତକ ଭଲ ପୋଷ୍ଟିଂ ଉପରେ କବ୍‌ଜା କରିଛନ୍ତି । ଚାକିରୀ ନେଇ ବୀତସ୍ଫୃହତାର ଅନ୍ୟାନ୍ୟ କାରଣ ଭିତରେ ଅଛି ଉଦାରୀକରଣ ଉପରାନ୍ତ ଭାରତର ଘରୋଇ ଉଦ୍ୟୋଗମାନଙ୍କରେ ଏବେ ମିଳୁଥିବା ଆକର୍ଷଣୀୟ ବେତନ ଏବଂ ଆନୁଷଙ୍ଗିକ ସୁବିଧା ସୁଯୋଗ । ସର୍ଭେକୁ ନେଇ ସାମାନ୍ୟ ବିଶଦ ଆଲୋଚନାକୁ ଆସିବା ଆଗରୁ ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ପ୍ରାୟ ବର୍ଷକ ତଳେ ହଂକଂ ସ୍ଥିତ ଏକ ସଂସ୍ଥା (ପଲିଟିକାଲ୍‌ଆଣ୍ଡ୍ ଇକୋନୋମିକ୍‌ ରିସ୍କ କନ୍‌ସଲ୍‌ଟାନ୍ସି) ଏସିଆ ମହାଦେଶର ୧୨ ଟି ଅର୍ଥନୀତିର ସିଭିଲ୍‌ସର୍ଭିସ୍‌ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲେ । ରିପୋର୍ଟ ଅନୁଯାୟୀ ସିଙ୍ଗାପୁରର ସିଭିଲ୍‌ସର୍ଭିସ୍‌ ସର୍ବୋଚ୍ଚ ସ୍ଥାନ ପାଇଥିବା ବେଳେ ଭାରତୀୟ ସିଭିଲ୍‌ ସର୍ଭିସ୍‌ର ସ୍ଥାନ ଥିଲା ସବା ପଛରେ । ଭାରତୀୟ ପ୍ରଶାସନକୁ ଏକ ଶ୍ଵାସରୁଦ୍ଧକାରୀ ବ୍ୟବସ୍ଥା ବୋଲି ଏଥିରେ କୁହାଯାଇଥିଲା । ହଂକଂ ସଂସ୍ଥାର ରିପୋର୍ଟକୁ ଠିକ୍‌ ଏବଂ ଆମ ଦେଶର ରିପୋର୍ଟକୁ ତୃଟିପୂର୍ଣ୍ଣ ବୋଲି ଦର୍ଶାଇବାର ଅଭିପ୍ରାୟ ପ୍ରାବନ୍ଧିକର ନାହିଁ । ତେବେ ଏକ ନିରପେକ୍ଷ ଅନୁଶୀଳନ ଏ କଥା ଆପାତତଃ ସ୍ପଷ୍ଟ କରିବ ଯେ ଆମ ସର୍ବଭାରତୀୟ ସେବା ଅଧିକାରୀମାନଙ୍କ ମିଜାଜ୍‌ ପୃଥିବୀର ପରିବର୍ତ୍ତିତ ପାଣିପାଗ ସହିତ ମେଳ ରଖୁନାହିଁ । ଏହାର ମୂଳ କାରଣ ଅଧିକାଂଶ ଅଧିକାରୀମାନଙ୍କ ଅପ୍ରଶସ୍ତ ମାନସିକତାରେ ଯେତିକି ପ୍ରତିଫଳିତ ହୋଇନାହିଁ ସେତିକି ରୋପିତ ହୋଇଛି ଭାରତୀୟ ଶାସନ ବ୍ୟବସ୍ଥାରେ । ଓ୍ୱେଷ୍ଟମିନଷ୍ଟର୍‌ ମଡ଼େଲରେ ତିଆରି ହୋଇଥିବା ଭାରତର ଶାସନ ବ୍ୟବସ୍ଥାରେ ପ୍ରାକ୍‌-ସ୍ୱାଧୀନତା କାଳରୁ ନିଜର ଭିତ୍ତିଭୂମି ସୁଦୃଢ଼ କରି ସାରିଥିଲା ସିଭିଲ୍‌ସର୍ଭିସ । ଔେପନିବେଶିକ ବ୍ରିଟିଶ୍‌ ଶାସନରେ ତୁଙ୍ଗ ଅମଲାମାନଙ୍କୁ ସନ୍ତୁଷ୍ଟ କରି ନିଜ ସାମ୍ରାଜ୍ୟକୁ ଅତୁଟ ରଖିବା ପାଇଁ ବ୍ରିଟିଶ୍‌ ଶାସନ ସତ୍ତା ରୀତିମତ ଯୋଜନା କରିଥିଲା । ଆଇ.ସି.ଏସ୍‌ ବାବୁମାନଙ୍କୁ ଯେତେଦୂର ସମ୍ଭବ ସାଧାରଣ ମଣିଷଠାରୁ ନିରାପଦ ଦୂରତ୍ୱରେ ରଖାଯାଉଥିଲା । ଅର୍ଥାତ୍‌ ଆମ୍‌ଆଦ୍‌ମିର ସଂକ୍ରମଣଠୁ ଦୂରରେ ବ୍ୟବସ୍ଥିତ ଥିଲା ଭାରତୀୟ ସିଭିଲ୍‌ ସର୍ଭିସ୍‌ ଅପରିମିତ କ୍ଷମତା ଏବଂ ବିଳାସର ରମ୍ୟ ଦୁର୍ଗ ଭାବରେ । ଆଶା କରାଯାଉଥିଲା ଯେ ସ୍ୱାଧୀନତା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ । ନେହେରୁ ସିଭିଲ୍‌ସର୍ଭିସ୍‌କୁ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ତାଙ୍କ ସ୍ୱପ୍ନର ଭାରତରେ ଔେପନିବେଶିକ ଢାଞ୍ଚାର ସିଭିଲ୍‌ସର୍ଭିସ୍‌ର କୌଣସି ଆବଶ୍ୟକତା ନାହିଁ ବୋଲି ମନେ କରୁଥିଲେ । ଅଥଚ, ଫଳ ଓଲଟା ହେଲା । ବରିଷ୍ଠ ଅମଲାମାନଙ୍କୁ ସ୍ଵାଧୀନତୋତ୍ତର ରାଷ୍ଟ୍ର ନିରପେକ୍ଷତା, କର୍ତ୍ତବ୍ୟପରାୟଣତା ସହିତ ସମାଜବାଦର ପାଠ ସିନା ପଢ଼େଇବାକୁ ଚାହିଁଲା, କିନ୍ତୁ ଦେଶର ଦ୍ରୁତ ବିକାଶ ପାଇଁ ନେହେରୁଙ୍କ ଶିଳ୍ପାୟନ/ନବନିର୍ମାଣ ଯୋଜନା ଅଚିରେ ସେଇ ଉଚ୍ଚ ଅମଲାମାନଙ୍କୁ ହିଁ ଶାସନର ମଙ୍ଗ ଧରେଇଦେଲା । ରାଷ୍ଟ୍ରାୟତ୍ତ ଉଦ୍ୟୋଗ-ଯେଉଁ ଗୁଡ଼ିକ ଭାରତର ଅସୁସ୍ଥ ଅର୍ଥନୀତିକୁ ସୁଧାରି ପାରିବେ ବୋଲି ଆଶା ରଖାଯାଉଥିଲା, ସେମାନଙ୍କ ମଧ୍ୟରୁ ଅନେକ ଆରମ୍ଭରୁ ରୁଗ୍‌ଣ ଦେଖାଗଲେ । ସେତିକି ନୁହେଁ, ଖୁବ୍‌ କମ୍‌ ଦିନ ଭିତରେ ଆମ ପ୍ରଗତିକୁ ଯୋଜନାବଦ୍ଧ ଭାବେ କ୍ଷତାକ୍ତ କରିବା ଆରମ୍ଭ କରିଦେଲା ଲାଇସେନ୍‌ସିକରଣ । କେନ୍ଦ୍ରୀଭୂତ କ୍ଷମତା କେବଳ ରାଜନୈତିକ ନେତୃତ୍ୱକୁ ନୁହେଁ, ଅମଲାତନ୍ତ୍ରକୁ ବି ବେଶ୍‌ ସୁହାଇଲା । ୧୯୬୬ରେ ଶ୍ରୀମତୀ ଗାନ୍ଧୀ ଭାରତୀୟ ସିଭିଲ୍‌ସର୍ଭିସ୍‌ର ଉଦାସୀନତାକୁ ନେଇ ଅସନ୍ତୁଷ୍ଟ ଥିଲେ, କିନ୍ତୁ ତାଙ୍କ ସମୟରେ ମଧ୍ୟ ସୁଧାର ଆସିଲା ନାହିଁ । ବରଂ ଜରୁରୀକାଳୀନ ସ୍ଥିତିରେ ସିଭିଲ୍‌ସର୍ଭିସ୍‌ ତାର ହୃତ ଔେପନିବେଶିକ ଚରିତ୍ର ଫେରି ପାଇବାରେ ଅନେକାଂଶରେ ସକ୍ଷମ ହେଲା ।

 

୧୯୯୧ରେ ଏ ଦେଶରେ ଉଦାରୀକରଣର ହାୱା ବୋହିବା ଆଗରୁ ବିରଳ ବ୍ୟତିକ୍ରମ ମାନଙ୍କୁ ବାଦ୍‌ ଦେଲେ ସିଭିଲ୍‌ସର୍ଭିସ୍‌ର ଅଧିକାଂଶ ଅଧିକାରୀ ନିଜ ଦୁନିଆରେ ମସ୍ତ ଥିଲେ । ସେମାନେ ଦେଶ ପାଇଁ ସ୍ୱପ୍ନ ଦେଖିବା ଭୁଲି ଯାଇଥିଲେ । ନିଜକୁ ଗଣ ଜୀବନର ସ୍ପନ୍ଦନ ସହିତ ସଂପୃକ୍ତ କରିବା ପାଇଁ ମୋଟେ ଇଚ୍ଛା କରୁନଥିଲେ । ଗୋଳିଆ ପାଣିର କ୍ଷତିଠାରୁ ଲାଭ ଢେର୍‌ ଅଧିକ ଥିଲା । ବଦଳି/ପୋଷ୍ଟିଂ ନେଇ ଏ ଦେଶରେ ଯଥେଷ୍ଟ ଆଗରୁ ଆରମ୍ଭ ହୋଇସାରିଥିବା ଘୋଡ଼ା ବେପାରରେ ସେମାନେ ସାମିଲ୍‌ ହୋଇ ସାରିଥିଲେ । ଅଧିକାଂଶ ଅଧିକାରୀ ଏଇ ସ୍ଥିତିରେ ନିଜକୁ କୌଣସି ନା କୌଣସି ଗୋଷ୍ଠୀଭୁକ୍ତ କରୁଥିଲେ । ଏ ନେଇ ଲବି ଏକ ଲାଭଜନକ ଶିଳ୍ପରେ ପରିଣତ ହୋଇ ସାରିଥିଲା । ସମସ୍ତେ ଲାଭରେ ଥିଲେ- ରାଜନେତା, ପ୍ରଶାସକ ଏବଂ ଆମ ବ୍ୟବସ୍ଥାର ଗଳା ବାଟ (ସର୍ଟକଟ) ଦେଇ ଅହେତୁକ ଫାଇଦା ଉଠାଉଥିବା ଶିଳ୍ପପତି/ବ୍ୟକ୍ତି ବିଶେଷ-। କ୍ଷତିରେ ଥିଲା ଏ ଦେଶ । ଅଧାରୁ ଅଧିକ ଦେଶବାସୀ । ଉଦାରୀକରଣ ଉପରାନ୍ତ ପ୍ରାଶାସନିକ ପାଣିପାଗର ପରିବର୍ତ୍ତନ ଯେଉଁ ବିକେନ୍ଦ୍ରୀକରଣ ଆଣିଲା ଏବଂ ଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବେସରକାରୀ/ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଶେଷଜ୍ଞମାନଙ୍କ ଯୋଗଦାନ ସହିତ ସାଧାରଣ ମଣିଷର ସହଯୋଗ ଲୋଡ଼ିଲା, ତହିଁରେ ସିଭିଲ୍‌ ସର୍ଭିସ୍‌ ଉପରେ ଜମିଥିବା ଉପନିବେଶବାଦର ପରସ୍ତ ପରସ୍ତ ଧୂଳି ଆସ୍ତେଆସ୍ତେ ଉଡ଼ିବାରେ ଲାଗିଲା । ହେଲେ ସରକାର ଶାସନକୁ ଯେତେ ସହଜ ଏବଂ ଯେତେ ପାରଦର୍ଶୀ କରିବା ପାଇଁ ଚାହିଁଲେ ବି ସେଥିରେ ତଥାପି ଗଳାବାଟ ରହିଲା ।

 

ମଜା କଥା ଶୁଣନ୍ତୁ ! ସରକାର ଏସବୁ କଥା ଜାଣିଥିଲେ । ଲାଇନ୍‌ଚ୍ୟୂତ ସିଭିଲ୍‌ସର୍ଭିସ୍‌କୁ ବାଟକୁ ଆଣିବା ପାଇଁ ନାନା କମିଟି ଏବଂ କମିଶନ୍‌ମାନ ବସାଯାଉଥିଲା । ଏକ ତଥ୍ୟ ଅନୁଯାୟୀ ୧୯୪୫-୪୬ ରୁ ୧୯୯୭ ପର୍ଯ୍ୟନ୍ତ ପ୍ରଶାସନିକ ସଂସ୍କାର ଉଦ୍ଦେଶ୍ୟରେ ଗଢ଼ା ହୋଇଥିଲା ଅନ୍ତତଃ ୩୦ଟି କମିଟି ଏବଂ କମିଶନ । ୧୯୬୬ରେ ଗଠିତ କେ.ହନୁମନ୍ତେୟା କମିଟି ପ୍ରଶାସନିକ ସଂସ୍କାର ବାବଦରେ ୫୮୧ଟି ପରାମର୍ଶ ଦେଇଥିଲେ । ତହିଁରୁ ଖୁବ୍‌ କମ୍‌ ପରାମର୍ଶ ଗ୍ରହଣ କରାଯାଇଥିଲା । ଗୋଟିଏ ଉଲ୍ଲେଖ କରୁଛି । ତାହା ହେଉଛି ଭାରତୀୟ ସିଭିଲ୍‌ ସର୍ଭିସ୍‍ର ସବୁ ବର୍ଗକୁ ବ୍ୟାବହାରିକ ଉପଯୋଗ ଭିତ୍ତିରେ ୮ଟି ବର୍ଗରେ ପୁନଃବର୍ଗୀକରଣ କରାଯାଉ ଏବଂ ସେଇ କ୍ରମରେ ଭାରତୀୟ ପ୍ରଶାସନିକ ସେବାକୁ ନିରୋଳା ରାଜସ୍ୱ ପ୍ରଶାସନର ପରିଚୟ ମିଳୁ । 'ସବ୍‌ଜାନ୍‌ତା' ନ୍ୟାୟରେ କେହି ପ୍ରଶାସନିକ ସେବାରେ ନ ରହନ୍ତୁ । ଏ ପରାମର୍ଶ ଗ୍ରହଣ କରାଯାଇନାହିଁ । ଆମର ଏକ ଅଜବ ଧାରଣା ଯେ ପ୍ରାଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ମାନେ ସବୁ କାମ କରିପାରିବେ । ପାଠକ ମାନେ ଜାଣନ୍ତି ଯେ ଦେଶରେ ବିତ୍ତ ପରିଚାଳନା, ଭୂ-ସଂସ୍କାର, ସୂଚନା ବିଜ୍ଞାନ ଏବଂ କୃଷି ପରି ବିଭାଗ ସମ୍ଭାଳୁଥିବା ଅଧିକାରୀମାନେ ବିଶେଷଜ୍ଞ ନୁହନ୍ତି, ଏ ନେଇ ନିର୍ଦିଷ୍ଟ ତାଲିମ୍‌ ସେମାନେ ନେଇ ନାହାନ୍ତି । ସେମାନେ କିନ୍ତୁ ନିଜ ବିଭାଗର ନୀତି ନିର୍ଦ୍ଧାରଣ କରୁଛନ୍ତି । ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ରରେ ୬୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ପ୍ରଲମ୍ବିତ ପ୍ରଶାସନର ଏହା ହିଁ ପରିଚୟ । ତେବେ ସେ ନେଇ ରାଜନୈତିକ ଇଚ୍ଛାଶକ୍ତି ମଧ୍ୟ ନାହିଁ । କାରଣ ନୂତନ ପ୍ରୟୋଗରେ ଶାସନର କାର୍ପଟଦାରମାନଙ୍କର ଭୟଙ୍କର କ୍ଷମତାହାନିର ସମ୍ଭାବନା ଉଜ୍ଵଳ । ଏହା ସତ୍ତ୍ଵେ ସିଭିଲ୍‌ସର୍ଭିସରେ ଅସନ୍ତୋଷର କାରଣ କଣ ହୋଇପାରେ ? ସମାଜତତ୍ତ୍ୱବିତ୍‌ମାନଙ୍କ ମତ ଯେ ଉଦାରୀକରଣ ଅଧିକ ବୟଃପ୍ରାପ୍ତ ହେଲେ ସିଭିଲ୍‌ସର୍ଭିସ୍‌ର ଆନୁଷ୍ଠାନିକ ପ୍ରଭାବକୁ ଏହା ଅନେକାଂଶରେ ହ୍ରାସ କରିବ । ଜଗତୀକରଣର ତତ୍ତ୍ଵ ଅନୁଯାୟୀ ରାଷ୍ଟ୍ର ଆଉ ସର୍ବଗିଳା ତିମି ନୁହେଁ । ରାଷ୍ଟ୍ର ନାଁରେ ଶାସନ ସମ୍ଭାଳୁଥିବା ପଦାଧିକାରୀମାନେ ନିଜକୁ କ୍ଲବ୍‌କ୍ଲାସ୍‌ରେ ନିବୁଜ କରି ରଖିପାରିବାର ସମୟ ନିଷ୍କ୍ରାନ୍ତ ହୋଇସାରିଛି । ନୂଆ ପାଣିପାଗ ହେଉଛି, ପ୍ରଶାସନ ଏଣିକି ରାଷ୍ଟ୍ର, ବଜାର ଏବଂ ସିଭିଲ୍‌ ସୋସାଇଟି ଭିତରେ ସମନ୍ୱୟ ରକ୍ଷା କରିବ । ନୂଆ ବ୍ୟବସ୍ଥାରେ କାହାର ଜଣଙ୍କର ମାମଲତ୍‌କାରି ଚଳିବ ନାହିଁ । ନିଜ ବଙ୍ଗଳାରୁ ବାହାରି ତାକୁ ପାଦ ଥାପିବା ପାଇଁ ପଡ଼ିବ ସମବାୟ ଏବଂ ସମନ୍ଵୟର ସଡ଼କରେ । ଏହା ହିଁ ଅସନ୍ତୋଷର କାରଣ ନୁହେଁ ତ ?

(ସମ୍ୱାଦ ତା ୫/୭/୨୦୧୦)

Image

 

ରଙ୍ଗୀ ଟାଙ୍ଗରର ବୁଦ୍ଧ

 

ତା ୧୨.୦୪. ୧୦ । ସୁକିନ୍ଦାଠାରୁ ମାତ୍ର ୨ କିମି ଗଲେ ପଡ଼ିବ ରଙ୍ଗୀ ଟାଙ୍ଗର । କଳିଙ୍ଗନଗର ଶିଳ୍ପାଞ୍ଚଳଠୁ ଖୁବ୍‌ ଅଧିକ ଦୂର ନୁହେଁ । ଆମେ ସେଠି ପହଞ୍ଚିବା ବେଳକୁ ଅପରାହ୍ନ ୪ଟା ! ଖରାତାତି ତଥାପି କମି ନଥାଏ । ଭାରି ଖାଁ ଖାଁ ଲାଗୁଥାଏ । ଯୁଆଡ଼େ ଚାହିଁବ ମୋରମ୍‌ ମାଟି । ଆଖପାଖରେ କୋଉଠି ମାଟି ଦିଶିବା ସ୍ୱପ୍ନ ଥିଲା । ୨୦।୨୫ ଫୁଟ ଗଭୀରତା ଯାଏ ମାଙ୍କଡ଼ା ପଥର କଟାଯାଇ ସାରିବା ପରେ ପରିତ୍ୟକ୍ତ ହୋଇ ପଡ଼ିଥିଲା ଖାଦାନ୍‌ ସବୁ । ଟିକିଏ ଆଗରେ ୩ୟ ଇଣ୍ଡିଆ ରିଜର୍ଭ ବାଟାଲିୟନ୍‌ ପାଇଁ ଲିଜ୍‌ ମିଳିଥିବା ୬୨ ଏକର ଜମି ଉପରେ ନିର୍ମାଣାଧୀନ ପ୍ରକାଣ୍ଡ କୋଠା ଯାହା ବାରି ହୋଇ ପଡ଼ୁଥାଏ । ଘର ମଥାନରେ, କାଁ ଭାଁ ଦୃଶ୍ୟମାନ ହେଉଥିବା ଗଛ ବୃଛରେ, ଲାଲ ଧୂଳିର ଚାଦର । ସମ୍ଭବତଃ ଏଇଥିପାଇଁ ମାଧପୁର ଅନ୍ତର୍ଗତ ଏଇ ପଡ଼ା ଗାଁର ନାଁ ଲୋକେ ରଖିଥିଲେ ରଙ୍ଗୀ ଟାଙ୍ଗର । ୮୦୦।୯୦୦ ଏକର ପରିମିତ ଜଙ୍ଗଲ କିସମ ଜମିରେ ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ୍‌ ମୋରମ/ ମାଙ୍କଡ଼ା ପଥର ଖାଦାନ ଚର୍ଚ୍ଚାକୁ ଆସିଥିଲା ନଭେମ୍ବର ୧୪,୨୦୦୮ରେ ଯେଉଁଦିନ ରଙ୍ଗୀ ଟାଙ୍ଗରର ବେଆଇନ ଖାଦାନରେ ମାଟି ଅତଡ଼ା ଖସି ପୋତି ହୋଇ ପଡ଼ିଥିଲେ ୧୫ ଜଣ ଶ୍ରମିକ । ପରେ ମୋରମ୍‌ ତଡ଼ାଯାଇ ୧୫ଟି ମୃତଦେହକୁ କେଇ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ରଙ୍ଗୀ ଟାଙ୍ଗରର ବାସିନ୍ଦା । ସମସ୍ତଙ୍କ ବୟସ ୧୮ରୁ ୨୨ ଭିତରେ । ଯୁଆନ୍‌ ମର୍ଦ୍ଦ । ସେଇ ଦିନୁ ଏ ଇଲାକାରେ ବେଆଇନ ଖାଦାନ ଅନ୍ତତଃ ବନ୍ଦ ରହିଛି । ଦେଢ଼ ବର୍ଷ ତଳେ ଦୁର୍ଘଟଣା ଘଟିଥିବା ଖାଦାନଟିର କିଛି ଅଂଶ ପୋତି ହୋଇ ପଡ଼ିଥିଲା । ଠିକ୍‌ ତା ପାଖରେ ସିମେଣ୍ଟରେ ତିଆରି କରାଯାଇଥିଲା ପନ୍ଦର ଜଣ ଶ୍ରମିକଙ୍କ ଉଦ୍ଦେଶ୍ୟରେ ୧୫ଟି ସ୍ମୃତି ସ୍ତମ୍ଭ । ନାଁ ଲେଖାଯାଇଥିଲା: ମାଠା ମୁଣ୍ଡା, ଈଶ୍ଵର ମୁଣ୍ଡା, ମଙ୍ଗଲ ଗାଗରାଇ ।

 

ରଙ୍ଗୀ ଟାଙ୍ଗରର ଜନସଂଖ୍ୟା ୬୦୦ ପାଖାପାଖି ହେବ । ପ୍ରାୟ ୧୦୦ଟି ପରିବାର । ସମସ୍ତେ ଆଦିବାସୀ । ୪୦ରୁ ୫୦ ପରିବାର ପଡ଼ାଗାଁର ଗୋଟାଏ ପଟରେ । ସାହିର ନାଁ ପଥର କଟା । ଆର ସାହି ପ୍ରାୟ ୨୦୦ ମିଟର ଦୁରରେ । ସେଠି ବି ପାଖାପାଖି ସେତିକି ପରିବାର ରହନ୍ତି-। ଦୁର୍ଘଟଣା ଘଟିଥିବା ଖାଦାନ ଦେଖି ଆସିବା ପରେ ଆମେ ଆଗ ପହଞ୍ଚିଥିଲୁ ପଥରକଟା ସାହିରେ-। ସାହିର ପ୍ରଥମ ଘରଟିର ଅବସ୍ଥା ଖରାପ । ଠିକ୍‌ ସମୟରେ ଘର ଛାଉଣି ହୋଇ ନପାରିଥିବାରୁ ମଥାନର ବେଶ୍‌ କିଛି ଅଂଶ ଫାଙ୍କା ଫାଙ୍କା ଦିଶୁଥିଲା । ସେ ଘର ବଳରାମ ଦାସର । ବୟସ ଜମାରୁ ୧୫ କି ୧୬ । ଗାଁରେ ସମସ୍ତେ ତାକୁ ଡାକନ୍ତି ଟିଲି । ପିନ୍‌ପିନ୍‌ ପତଳା ପିଲାଟେ । ମୋ ସହିତ ଥାଆନ୍ତି ସୁକିନ୍ଦା ତହସିଲଦାର । ସେ ମତେ ଚିହ୍ନେଇ ଦେଲେ ଟିଲିକୁ । ଟିଲି ହିଁ ଏବେ ତା ଘରର ଏକମାତ୍ର ସଦସ୍ୟ । ଆଗେ ମା ଯାଇଥିଲା ଯକ୍ଷ୍ମାରେ । ଦେଢ଼ବର୍ଷ ତଳେ ବଡ଼ଭାଇ ମାରା ପଡ଼ିଥିଲା ରଙ୍ଗୀ ଟାଙ୍ଗରର ପଥର ଖାଦାନରେ । ଚାରି ମାସ ତଳେ ବାପ ମରିଛି ଯକ୍ଷ୍ମା ରୋଗରେ । ଆମର ସନ୍ଦେହ ହେଲା ଯେ ଟିଲିକୁ ଯକ୍ଷ୍ମା ହୋଇଥାଇପାରେ । କେମିତି ଚଳୁଛି ଟିଲି-? ଆମେ ପଚାରିଥିଲୁ-। ଉତ୍ତର ଫେରେଇଲା ୨୩।୨୪ ବର୍ଷର ଜଣେ ଯୁବକ । ସେ ଟି ସାର୍ଟ ଓ ନୀଳ ଜିନ୍‌ସ ପିନ୍ଧିଥିଲା । ତା ନାଁ ବୁଦ୍ଧଦେବ ବେହେରା । ରଙ୍ଗୀ ଟାଙ୍ଗରର ସବୁଠୁ ଉଚ୍ଚ ଶିକ୍ଷିତ ଯୁବକ । ଯୁକ୍ତ ଦୁଇ ପରେ ଏବେ ଥାନାରେ ହୋମାଗାର୍ଡ ଚାକିରି ପାଇଛି । ଗାଁର ସେ ସବୁଠୁ ବଡ଼ ଚାକିରିଆ । ବେଶ୍‌ ହସ ହସ ମୁହଁ । ସମସ୍ତେ ଭଲ ପାନ୍ତି ବୁଦ୍ଧଦେବକୁ । ସାର୍‌, ଦି ଟଙ୍କିଆ ଚାଉଳ ପାଉଛି ଟିଲି । ଦିହରେ ବଳ ନାହିଁ । ବିଚରା ଦିନେ ଦିନେ କାହାର ବିଲ ତାଡ଼ିବାକୁ ଗଲେ ଦି ଦିନ ଘରେ ପଡ଼ୁଛି । ବଳରାମର ଘର ମଥାନ ଉପରେ ଉଲୁରି ଯାଇଥିବା ଚାଳ ସନ୍ଧିରେ ପୋତା ହୋଇଥିବା ଲୁହା ପାଇପ୍‌ ଭିତରକୁ ରାସ୍ତା ଏପାଖ ଖୁଣ୍ଟରୁ ସର୍ଭିସ୍‌ ତାର ଟଣା ହୋଇଥିଲା । ଲକ୍ଷ୍ୟ କଲୁ ଯେ ଗାଁରେ ଆଉ କେଇଜଣଙ୍କ ଘରକୁ ମଧ୍ୟ ଖୁଣ୍ଟରୁ ତାର ଟଣା ହୋଇଛି । ବୁଦ୍ଧଦେବ ଆମ ଠାର ବୁଝି ପାରୁଥିଲା । ତେଣୁ କିଛି ପଚାରିବା ଆଗରୁ ଉତ୍ତର ଦେଲା, ସାର୍‌ ବର୍ଷକ ତଳୁ ଆମ ଗାଁରେ କେଇଜଣଙ୍କ ଘରକୁ ସର୍ଭିସ୍‌ ତାର ଟଣାଯାଇଛି । ରାଜୀବଗାନ୍ଧୀ ବିଦ୍ୟୁତ୍‌କରଣ ଯୋଜନାରେ ବିଜୁଳି ଯୋଗାଇ ଦିଆଯିବ ବୋଲି ଆମେ ଶୁଣିଛୁ । ହେଲେ ଏ ଯାଏଁ ବିଜୁଳି ଆସିନି-

 

ସେତେବେଳକୁ କିଛି ଯୁବକ ଆମ ପାଖରେ ଜମା ହୋଇସାରିଥିଲେ । ଆମେ ହୁଏତ ଜନଗଣନା ପାଇଁ ନଚେତ୍‌ ବିଦ୍ୟୁତ ସଂଯୋଗ କରିବା ପାଇଁ ଆସିଥିଲୁ ବୋଲି ସେମାନଙ୍କର ଧାରଣା । ରଙ୍ଗ ଛାଡ଼ି ଯାଇଥିବା ଗୋଟାଏ ଭଙ୍ଗା ସାଇକେଲ୍‌ ପଛରେ ସାନ ପିଲାଟିକୁ ବସେଇ ଆମ ପାଖରେ ଅଟକି ଗଲା ସାଧୁ ମୁଣ୍ଡା । ସାଧୁ ଟଳୁଥିଲା ହାଣ୍ଡିଆ ନିଶାରେ । ବୁଦ୍ଧଦେବ କହିଲା, ସାଧୁ ଦାଦାର ବଡ଼ ପୁଅ ମରିଛି ରଙ୍ଗୀ ଟାଙ୍ଗର ଖାଦାନରେ । ସେଇଦିନୁ ତା ହାଲ୍‌ ଖରାପ୍‌ । ଘରେ ରୋଗିଣା ସ୍ତ୍ରୀ । ଦାଦା ବି ଖାଦାନରେ ସର୍ଦ୍ଦାର କାମ କରୁଥିଲା ଆଜ୍ଞା, ହେଲେ ଦୁର୍ଘଟଣା ଦିନଠୁ ଆମ ଇଲାକାରେ ସବୁ ପଥର ଛଇ (ଖାଦାନ) ସରକାର ବନ୍ଦ କରିଦେଇଛନ୍ତି ।

 

ରଙ୍ଗୀ ଟାଙ୍ଗରେ ପାଠ ପଢ଼ିବା ପାଇଁ ସ୍କୁଲ ନଥିଲା । ଦୂରକୁ ହାତ ଦେଖେଇ ବୁଦ୍ଧଦେବ କହିଲା, ନୂଆ ପ୍ରାଇମେରୀ ସ୍କୁଲ ଏବେ ତିଆରି ଚାଲିଛି ଆଜ୍ଞା । ପିଲା ଦିନେ ମୁଁ ଚାଲି ଚାଲି ସୁକିନ୍ଦା ଯାଉଥିଲି ପଢ଼ିବା ପାଇଁ । ନିର୍ମାଣାଧୀନ ସ୍କୁଲଠୁ ପ୍ରାୟ ୫୦ ମିଟର ଦୁରରେ ଦିଶିଯାଉଥିଲା ଏକ ବେଶ୍‌ ବଡ଼ ପରିତ୍ୟକ୍ତ ପଥର ଖାଦାନ । ଗଭୀର ୨୫ ଫୁଟ୍‌ ହେବ । ଆମେ ସେଇ ଆଡ଼କୁ ଚାହିଁଥିଲୁ । ବୁଦ୍ଧଦେବ କହିଲା, ‘ଖଣି ଦେଖୁଛନ୍ତି ସାର୍‌, ଗଲା ମାସରେ ସୁକିନ୍ଦା ହାଟରୁ ଫେରିଲା ବେଳକୁ ଆର ସାହିର ଜଣେ ପିଲା ହାଣ୍ଡିଆ ନିଶାରେ ସାଇକେଲ୍‌ ସହିତ ସିଧା ଖସି ପଡ଼ିଥିଲା ତା ଭିତରେ । ଭାଗ୍ୟଭଲ ଆଜ୍ଞା, ବଞ୍ଚିଗଲା, ହେଲେ ଗୋଟାଏ ଗୋଡ଼ ଗଲା ।’ ତହସିଲଦାରଙ୍କଠାରୁ ବୁଝିଲି ଯେ ଏକ ଶିଳ୍ପ ସଂସ୍ଥା ପ୍ଲାଂଇ ଆସ୍‌ ପକେଇ ସେଇ ପରିତ୍ୟକ୍ତ ଖାଦାନକୁ ପୋତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

 

ଗାଁ ମୁଣ୍ଡରେ ଜିପ୍‌ ରଖି ଆମେ ପଡ଼ା ଭିତରକୁ ଚାଲି ଚାଲି ଯାଇଥିଲୁ । ପଥର କଟା ସାହିରେ ଖୁବ୍‌ ଅଧିକ ଲୋକ ଆଉ ପଥର କାଟୁ ନଥିଲେ । ସରକାରଙ୍କ ଦୁଇଟଙ୍କିଆ ଚାଉଳ ଏବଂ କିଛି କାମ ନ ମିଳିଲେ ହାଣ୍ଡିଆ ପିଇ ସବୁ ଭୁଲିଯିବା ସେମାନଙ୍କ ଅଭ୍ୟାସରେ ପଡ଼ି ସାରିଥିଲା । ଗାଁରେ କାହାର ନିଜର ବୋଲି କିଛି ଚାଷ ଜମି ନଥିଲା । କେଇମାସ ତଳେ ୨୦।୨୨ ଘର ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ୩୦।୪ ୦ ଡେସିମିଲ୍‌ ଲେଖାଏଁ ଜମିର ପଟ୍ଟା ପାଇଥିଲେ । କାହା ଜଣକ ବାଡ଼ିରେ ପନିପରିବାର ଚିହ୍ନବର୍ଣ୍ଣ ନଥିଲା । ବୁଦ୍ଧଦେବ କହିଲା, ‘‘ଖରାଦିନେ ଆମର ସବୁଠୁ ବଡ଼ ସମସ୍ୟା ପାଣି । ପରିବାପତ୍ର କେମିତି ଫଳିବ ଆଜ୍ଞା । ପାଣି ପାଇଁ ଆମେ ସବୁଦିନ ଯାଉଛୁ ମାଇଲିଏ ବାଟ । ଗାଁକୁ ଲାଗିଛି ରିଜର୍ଭ ବାଟାଲିୟନ୍‌ ଅଫିସ୍‌ । ତାଙ୍କ ନଳକୂଅ ୪୦୦ ଫୁଟ ଗଭୀର । ବ୍ୟବହାର କରିବା ପାଇଁ ଏତେ ଲୋକ ବି ତାଙ୍କର ନାହାନ୍ତି । ହେଲେ ଅଭାବ ଅସୁବିଧାରେ ସେଠୁ ଆମକୁ ପାଣି ଆଣିବା ମନା । କିଏ ଶୁଣୁଛି ଆମ କଥା ?’’ ତହସିଲଦାରଙ୍କ ଡ୍ରାଇଭର୍‌ ଗାଁ ମଝିରେ ଥିବା ଗୋଟାଏ ନଳକୁଅରୁ ପାଣି ବାହାର କରିବା ପାଇଁ ୧୦ ମିନିଟ୍‌ ବିଫଳ ଚେଷ୍ଟା କରିଥିଲା । ହସିଲା ବୁଦ୍ଧଦେବ । ‘‘କାହିଁକି ଲାଗିଛ ଭାଇ, ଗଲା ବର୍ଷ ବସିଥିଲା ଏ କଳ, ହେଲେ ବୋରିଂ ତ ମୋତେ ୪୦ ଫୁଟ୍ । ଖାଲି ବର୍ଷା ଦିନେ ଏ ଟାଙ୍ଗରଟାରେ, ଯାହା ମୁନ୍ଦାଏ ପାଣି ମିଳିବ ।’’ ପଡ଼ାର ଶେଷ ମୋଡ଼ ବୁଲି ଜିପ୍‌ପାଖକୁ ଲେଉଟି ଆସିବା ବେଳକୁ ମୁଁ ପଚାରିଲି, ‘‘ବୁଦ୍ଧଦେବ, ତୁମ ଗାଁରେ ବେଶି ବୟସ୍କ ଲୋକ ତ କାହିଁ ଆଖିରେ ପଡ଼ୁନାହାନ୍ତି ?’’ ପୁଣି ହସିଲା ବୁଦ୍ଧଦେବ । ଅଦ୍ଭୁତ ଥିଲା ସେ ହସ । ଧ୍ୟାନମଗ୍ନ ତଥାଗତଙ୍କ ଓଠରେ ଲାଖିଥିବା ସ୍ନିଗ୍ଧ ହାସ୍ୟରେଖା ପରି ନିର୍ଲିପ୍ତ ଏବଂ ଅପରାହତ । ରଙ୍ଗୀ ଟାଙ୍ଗର ଆକାଶରେ ସେତେବେଳକୁ ଗୋଧୂଳିର ବିପୁଳ ବର୍ଣ୍ଣବିଭା । ସାମାନ୍ୟ ନିରବ ରହି ସେ କହିଲା, ‘‘ଏ ପଡ଼ାରେ ୫୦ ବର୍ଷରୁ ଅଧିକ ବୟସର ମର୍ଦ୍ଦଙ୍କ ସଂଖ୍ୟା ଆଙ୍ଗୁଠିରେ ଗଣି ହୋଇଯିବ । ଭୋକ ଉପାସ, ମଦ ଆଉ ରୋଗରୁ ବର୍ତ୍ତି ପଚାଶ ଛୁଉଁଥିବା ଲୋକ ଏଠି କମ୍‌ ସାର୍‌ । ଆପଣଙ୍କ ସାଙ୍ଗରେ ବୁଲୁଥିବା ଏ ପିଲାଙ୍କ ଭିତରୁ କେବଳ ମୋରି ବାପା ଅଛନ୍ତି । ପଥର ଖଣିରେ କାମ କରି ଜଖମ ହେବା ପରେ ତାଙ୍କର ଗୋଟାଏ ଗୋଡ଼ ପାଞ୍ଚ ବର୍ଷ ତଳୁ କଟାଯାଇଛି । ଏଇଟାତ ସେଇ ଦୃଷ୍ଟିରୁ ଭେଣ୍ଡିଆ ବାପାମାନଙ୍କ ଗାଁ । କମ୍‌ ବୟସର ବିଧବାମାନଙ୍କ ଗାଁ । ଗୋଟାଏ ଅଭିଶପ୍ତ ଗାଁ ...।’’ ଏକ ଅଜବ ଅନୁଭବ ଆମକୁ ଅସାଡ଼ କରିବା ଆରମ୍ଭ କରି ଦେଇଥିଲା ।

 

ରଙ୍ଗୀ ଟାଙ୍ଗରର ଶେଷ ମୁଣ୍ଡରେ ପହଞ୍ଚିବା ବେଳକୁ ସୁନାଝରି ପାହାଡ଼ ଝାପ୍‌ସା ଝାପ୍‌ସା ଦିଶୁଥିଲା ଭଙ୍ଗା ଆଜ୍‌ବେଷ୍ଟସ୍‌ ଛାତ ଥିବା ଗୋଟାଏ ପରିତ୍ୟକ୍ତ କମ୍ୟୁନିଟି ସେଣ୍ଟର ଆଗରେ ଆମେ ହଠାତ୍‌ ଅଟକିଗଲୁ । ଜୋର୍‌ରେ କିଚିରି ମିଚିରି ଶୁଭୁଥିଲା ରାସ୍ତାପାଖ ଗଛରୁ । ଛୋଟ ଛୋଟ ଚଢ଼େଇ ସବୁ ମୁହଁ ଅନ୍ଧାରରେ ସେ ଗଛ ଡାଳରେ ଖୁନ୍ଦି ହୋଇ ପଡ଼ିଥିଲେ । କି ଚଢ଼େଇ ? ପଚାରିଲେ ତହସିଲଦାର । ଘରଚଟିଆ ଆଜ୍ଞା, ଦି ବର୍ଷ ହେବ ଏଇଠି ଅଛନ୍ତି । ପାଖରେ ଆମ ଦେହୁରିର ଘର । ତା ବାଡ଼ିରେ ଥିବା ବଡ଼ କାଜୁ ଗଛ ଭାଙ୍ଗି ପଡ଼ିବା ପରେ ଏମାନେ ଏଇ ଗଛକୁ ଆଶ୍ରା କରିଛନ୍ତି । ଆମ ଦେହୁରି ଭାରି ଧାର୍ମିକ ଲୋକ ଆଜ୍ଞା । ଗାଁର ବୟସ୍କମାନଙ୍କ ଭିତରୁ ସେଇ ତ ଜଣେ ଧଳା ଲୁଗା ପିନ୍ଧି, ଫାର୍ସା ଧରି ଶାଳରେ ବଳି ପକେଇବା ବେଳେ ତା ମୁହଁକୁ କେହି ଚାହିଁ ପାରନ୍ତିନି । ବିଚରା, ବର୍ଷେ ଦି ବର୍ଷ ହବ ଆଉ ବେଶି ଚଲାଚୁଲା କରିପାରୁନି । ଅନ୍ଧାର ହେବା ବେଳକୁ ଆମେ ଜିପ୍‌ ପାଖକୁ ଫେରି ଆସିଥିଲୁ । ସୁନାଝରି ପାହାଡ଼ ଆଉ ଦିଶୁନଥିଲା । ଇଣ୍ଡିଆ ରିଜର୍ଭ ବାଟାଲିଅନ୍‌ ଅଫିସ୍‌ ବାହାରେ ସୋଡ଼ିଅମ୍‌ ଭେପର୍‌ ଜଳୁଥିଲା । ବୁଦ୍ଧଦେବ କହିଲା, ରଜ ବେଳକୁ ଆସିବେ ସାର୍‌ । ସୁନାଝରି ଯିବା । ମୁଁ ହଁ କହିଲି । ବୁଦ୍ଧଦେବର ମୁଣ୍ତ ଆଉଁସି ଦେଲି । ଜିପ୍‌ରେ କିଛି ସମୟ ଯାଏ ଆମେ କଥାବାର୍ତ୍ତା କରିନଥିଲୁ । ଯାଜପୁରରେ ପହଞ୍ଚିବା ବେଳକୁ ରାତି ୧୦ଟା ବାଜି ସାରିଥିଲା । ଜିପ୍‌ରୁ ଓହ୍ଲେଇଲା ବେଳେ ଲାଗିଲା ଯେମିତି ୨।୪ଟା ଘରଚଟିଆ ରଙ୍ଗୀ ଟାଙ୍ଗରରୁ ଉଡ଼ି ଆସିଛନ୍ତି ଆମ ପଛେ ପଛେ ! ଜିପ୍‌ ପଛରୁ କିଚିରି ମିଚିରି ଶୁଭୁଛି !

(ସମ୍ବାଦ ତା୨୩/୦୪/୨୦୧୦)

Image

 

ଆପଣ କ'ଣ ମାଟିମନସ୍କ

 

ଆଜକୁ ପ୍ରାୟ ଆଠ ବର୍ଷ ତଳେ ଏକ ଇସ୍ପାତ ପ୍ରକଳ୍ପ ପାଇଁ ସ୍ଥାନାନ୍ତରିତ ହେବାକୁ ପଡ଼ିଥିଲା ଗୋଟିଏ ଗାଁର ସବୁ ପରିବାରକୁ । ପ୍ରସ୍ତାବିତ ପ୍ରକଳ୍ପ ତରଫରୁ ସେଇ ଗାଁଠୁ ୨୦କିମି ଦୂରରେ ପୁନର୍ବାସ କଲୋନି ନିମନ୍ତେ ଜମି ବି ନିଆଯାଇଥିଲା । ସେଇଠି ତିଆରି ହେଲା ବାସଚ୍ୟୁତମାନଙ୍କ ପାଇଁ ନୂଆ କଲୋନି । କଲୋନିର ଅନ୍ୟ ବାସିନ୍ଦାମାନଙ୍କ ମଧ୍ୟରେ ଥିଲେ ବାସ୍ତରି ବର୍ଷ ବୟସ୍କ ଅବିନାଶ ଚୌଧୁରୀ । (ନାମ ପରିବର୍ତ୍ତିତ) । ଚୌଧୁରୀଏ ଆଗରୁ ତାଙ୍କ ଗାଁର ମୁଖିଆ ଥିଲେ । ପାଞ୍ଚ ଏକରରୁ ଅଧିକ ପୈତୃକ ଜମି ଥିଲା ତାଙ୍କର । ଘର ଆଗରେ ଥିଲା ସୁନ୍ଦର ଛୋଟ ପୋଖରୀଟିଏ । ଘର ପଛକୁ ଆମ୍ବ ବଗିଚା । ଇସ୍ପାତ ପ୍ରକଳ୍ପ ପାଇଁ ରାଷ୍ଟ୍ର ନାଁରେ ସବୁ ଗଲା । ଚୌଧୁରୀ ଏବଂ ବାସଚ୍ୟୁତ ହୋଇଥିବା ତାଙ୍କ ଗାଁର ଅନ୍ୟମାନେ ସରକାରଙ୍କ ପାଖରୁ ଠିକ୍‌ ସମୟରେ ଉଚିତ୍‌ କ୍ଷତିପୂରଣ ଅବଶ୍ୟ ପାଇଥିଲେ । ରେକର୍ଡ ସମୟ ମଧ୍ୟରେ ପୁନର୍ବାସ କଲୋନି ବି ନିର୍ମାଣ ହେଲା । ରାସ୍ତା ତିଆରି ହେଲା । ଗଭୀର ନଳକୂପ ବସିଲା । ପିଲାମାନଙ୍କ ପାଇଁ ସ୍କୁଲ ଏବଂ ବଡ଼ମାନଙ୍କ ପାଇଁ ଛୋଟକାଟର କମ୍ୟୁନିଟି ସେଣ୍ଟରଟିଏ ତିଆରି କରି ନିଜ କର୍ପୋରେଟ ଦାୟିତ୍ୱବୋଧର ପ୍ରମାଣ ଦେଲା କମ୍ପାନୀ । ଏଣେ ରାତିଦିନ ଲାଗି କାରଖାନା ତିଆରି ଚାଲିଥିଲା । ପୁନର୍ବାସ କଲୋନିରେ ପାଦ ଥାପିଥିବା ଯୁବକମାନେ ଅପେକ୍ଷା କରି ରହିଲେ କାରଖାନାରେ କର୍ମନିଯୁକ୍ତି ସୁଯୋଗକୁ । କିନ୍ତୁ କାରଖାନା କାମ ସରିପାରୁନଥିଲା ବୋଲି କମ୍ପାନି କହୁଥିଲା । ବାସଚ୍ୟୁତ ମାନେ କ୍ଷତି ପୂରଣ ତ ପାଇଥିଲେ ହେଲେ ଆଖପାଖରେ କିଣିବା ପାଇଁ ଭଲ ଜମି ନଥିଲା । ଜନବସତିଠୁ ଢେର୍‌ଦୂରରେ ଗଢ଼ି ଉଠିଥିବା ଏଇ ନୂଆ କଲୋନିରେ ନା ଥିଲା ଗଛ, ନା ପୋଖରୀ, ମନ୍ଦିର କି ଘାସପଡ଼ିଆ । ଦୂରକୁ ଦୂରକୁ କେବଳ ଟାଙ୍ଗର ପାହାଡ଼ ହିଁ ଦିଶୁଥିଲା । ଛୋଟମୋଟ ବ୍ୟବସାୟ କରିବା ପାଇଁ କଲୋନିର କିଛି ଲୋକ ପାଖ ସହରମୁହାଁ ହେଲେ । ନଗଦ ପଇସାରେ କିଛି ଭେଣ୍ଡିଆ ନୂଆ ମୋଟର୍‌ସାଇକେଲ୍‌, ଫ୍ରିଜ୍‌, ଟିଭି କିଣିଲେ । ମଦ ମାଂସରେ ପଇସା ଉଡ଼େଇଲେ । କାରଖାନାରେ ବାସଚ୍ୟୁତମାନଙ୍କୁ ନିଯୁକ୍ତି ତଥାପି ମିଳିବା ବାକି ଥିଲା । ତେବେ ଅବିନାଶ ଚୌଧୁରୀଙ୍କ ପରି ବୟସ୍କମାନଙ୍କ କଥା ସଂପୂର୍ଣ୍ଣ ଭିନ୍ନ ଥିଲା । ସକାଳୁ ସେମାନେ ବିଲକୁ ଯାଇ ପାରୁନଥିଲେ, ଗାଁ ପୋଖରୀର କଇଁଫୁଲ, ଆମ୍ଭତୋଟା, ବରଗଛ ସେମାନଙ୍କ ପାଇଁ ଅକସ୍ମାତ୍‌ ସ୍ମୃତି ପାଲଟି ସାରିଥିଲା । ସେମାନଙ୍କଠି ଲକ୍ଷ୍ୟ କରାଗଲା ଏକ ଅସ୍ୱାଭାବିକ ମାନସିକ ସ୍ଥିତି । କେବଳ ନିଜ ଭୁଇଁରୁ ଉତ୍ପାଟିତ ହେବାର ଦୁଃଖ ନୁହେଁ, ଆପଣା ମାଟି, ମନ୍ଦିର, ପୋଖରୀର କଇଁଫୁଲ ଏବଂ ପ୍ରିୟ କୃଷ୍ଣଚୂଡ଼ା ଗଛଠୁ ବିଛିନ୍ନ ହେବାର ଯନ୍ତ୍ରଣା ସେମାନଙ୍କୁ ଗୋଟାପଣେ ଅଶାନ୍ତ କରି ସାରିଥିଲା ।

 

ମନସ୍ତତ୍ତ୍ଵବିତ୍‌ମାନେ ଏଇ ମାନସିକ ଅବସାଦକୁ ଏବେ କହୁଛନ୍ତି, ସୋଲାଷ୍ଟାଲ୍‌ଜିଆ । ପ୍ରଫେସର୍‌ ଗ୍ଲେନ୍‌ ଆଲ୍‌ବ୍ରେକ୍ଟଙ୍କ ଦ୍ୱାରା ୨୦୦୪ ରେ ଲିଖିତ ଏକ ପ୍ରବନ୍ଧରେ ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିବା ଏଇ ଶବ୍ଦର ମୂଳ ଲାଟିନ୍‌ଶବ୍ଦ ସୋଲାସିୟମ୍‌ (ଆରାମ ଅର୍ଥରେ) ଏକ ଗ୍ରୀକ୍‌ଶବ୍ଦ 'ଆଲ୍‌ଜିଆ'ରୁ ଉତ୍ପନ୍ନ, ଯାହାର ଭାବାର୍ଥ ହେବ ଏମିତି : ଆପଣା ନୀତର ନିରାପତ୍ତା ବିପନ୍ନ ହେବାର ଯନ୍ତ୍ରଣା । ଆଠବର୍ଷ ତଳେ ପ୍ରଫେସର୍‌ ଗ୍ଲେନ୍‌ଙ୍କୁ ଡକରା ଆସିଥିଲା ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆର ହଣ୍ଟର ଉପତ୍ୟକାରୁ । ଛ ହଜାର ବର୍ଗମାଇଲ୍‌ ପରିମିତ ଏଇ ସବୁଜ ଉପତ୍ୟକାରେ ସେତେବେଳକୁ ବିପଦଘଣ୍ଟି ବାଜି ସାରିଥିଲା । କୋଇଲା ଖଣିର ଅବିଷ୍କାର ଅଷ୍ଟ୍ରେଲିଆର ସେ ଅଞ୍ଚଳରେ ଯଦିଓ ବହୁବର୍ଷ ଆଗରୁ ହୋଇଥିଲା, ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହାର ଅସଲ ଅଭିବୃଦ୍ଧି ପରଲକ୍ଷିତ ହୋଇଥିଲା ଉପତ୍ୟକାରେ । ବର୍ଷକୁ ଉତ୍ତୋଳିତ ହେଉଥିଲା ୧୦୦ ନିୟତ ଟନ୍‌ରୁ ଅଧିକ କୋଇଲା । ଓପନ୍‌ ପିଟ୍‌ ମାଇନିଂ କାର୍ଯ୍ୟକଳାପ ବ୍ୟାପକ ଅସନ୍ତୁଳନ ଆଣି ସାରିଥିଲା ସ୍ଥାନୀୟ ପରିବେଶରେ । ସେ ଉପତ୍ୟକାର ବାସିନ୍ଦାଙ୍କ ମାନସିକ ସ୍ତରରେ । ମନସ୍ତତ୍ତ୍ଵର ଏଇ ନୂଆ ଦିଗକୁ ଏବେ କୁହାଯାଉଛି ଇକୋ ସାଇକୋଲୋଜି ବା ପାରିବେଶିକ ମନସ୍ତତ୍ତ୍ୱ । ଏହାର ଆଉ ଏକ ନାଁ ହେଉଛି ସବୁଜ ମନସ୍ତତ୍ତ୍ୱ ।

 

୧୯୯୩ରେ ପ୍ରକାଶିତ ଥିଓଡର୍‌ ରୋସ୍‌ଜାକ୍‌ଙ୍କ ଏକ ଗ୍ରନ୍ଥ ‘ଦି ଭଏସ୍‌ ଅଫ୍‌ଦି ଆର୍ଥ’ ରେ ଏଇ ଶବ୍ଦ ବ୍ୟବହୃତ ହୋଇଥିଲା । ତେବେ ଗବେଷକମାନେ କହନ୍ତି ଯେ ୧୯୬୦ ଦଶକରୁ ପରୋକ୍ଷ ଭାବରେ ମନସ୍ତତ୍ତ୍ୱର ଏଇ ନୂଆ ପରିଭାଷା ସହିତ ଆମେ ପରିଚିତ ହୋଇସାରିଛୁ । ସେଇ ମର୍ମରେ ଆମର ମାନସିକ ଅବସ୍ଥା କେବଳ ନିଜ ଚାରିପାଖକୁ ନେଇ ଗଢ଼ି ଉଠିଥିବା ସାମାଜିକ/ପାରସ୍ପରିକ ସଂପର୍କକୁ ଭିତ୍ତି କରିନାହିଁ, ଅର୍ଥାତ୍‌ ଆମର ମାନସିକ ସ୍ୱାସ୍ଥ୍ୟ କେବଳ ଏଇ ଆଧାରରେ ତିଷ୍ଠି ରହିନାହିଁ, ବରଂ ଏହା ପ୍ରଲମ୍ବିତ ମନୁଷ୍ୟ ଚେତନାର ଅନ୍ୟ ଦିଗନ୍ତକୁ; ପ୍ରକୃତି ସହିତ ଆମର ସହଜାତ ନିବିଡ଼ ସଂପର୍କକୁ, ଆକର୍ଷଣକୁ । ହଳଦୀବସନ୍ତ, ପ୍ରଜାପତି, ଗାଁ ପଦ୍ମପୋଖରୀ ଓ ଆମ୍ବବଉଳ ସହିତ ତାର ନିବିଡ଼ତାକୁ । ମାଟି ମନସ୍କତାକୁ । ୧୯୯୬ରେ ‘ସାଇକୋଲୋଜି ଟୁଡେ'ରେ ଏକ ନିବନ୍ଧରେ ଥିଓଡର୍‌ ଯୁକ୍ତି ବାଢ଼ିଥିଲେ ଯେ ମନୋଚିକିତ୍ସକମାନେ ମାନସିକ ରୋଗ ତାଲିକାରେ ୩୦୦ରୁ ଊର୍ଦ୍ଧ୍ୱ ରୋଗ ଯୋଡ଼ି ସାରିଲେଣି । ଏମିତି ଅଧିକାଂଶ ରୋଗ ପଛରେ ସାମାଜିକ ସଂପର୍କର ଅସନ୍ତୁଳନ ହିଁ ମୁଖ୍ୟ ଅପରାଧୀ ବୋଲି ସେମାନେ ଚିହ୍ନଟ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମଣିଷର ମାନସିକ ସ୍ଥିତିକୁ କୌଣସି ଗୋଟିଏ କ୍ଷେତ୍ରରେ ବି ଏମାନେ ସଂଯୁକ୍ତ କରିନାହାନ୍ତି ପ୍ରକୃତି ସହିତ । ପ୍ରକୃତି ମଣିଷକୁ ଧାରଣ କରିଛି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ । ତାର ସକଳ ବିଭାବମାନଙ୍କୁ ପ୍ରକୃତି ହିଁ ପରିପୃଷ୍ଟ କରିଛି । ସବୁଜ ମନସ୍ତତ୍ଵବିତ୍‌ମାନଙ୍କ ମତ ହେଉଛି, ବିପନ୍ନ ପ୍ରାକୃତିକ ସ୍ଥିତିରୁ ଉତ୍ପନ୍ନ ମାନସିକ ଅବସାଦ କେବଳ ବିସ୍ଥାପିତମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ଏଇ ମନଃସ୍ଥିତିର ପରିସୀମା ବିସ୍ତୃତ ଆମ ସମସ୍ତଙ୍କର ଜୀବନଚର୍ଯ୍ୟାକୁ । ନିଜର ସନ୍ତୁଳନ ହରେଇ ବସୁଥିବା ଏ ଛୋଟ ଗ୍ରହର ପ୍ରତିଟି ସହରକୁ, ଗାଁକୁ, ଜନବସତିକୁ ।

 

ଜଣେ ଯୁକ୍ତି କରିପାରେ ଯେ ଆଧୁନିକ ପ୍ରଗତିଧାରାରେ ଶିଳ୍ପଜନିତ ପ୍ରଦୂଷଣ ସ୍ୱାଭାବିକ ପରିଣତ ହୋଇ ଆସିବ, ବଢ଼ୁଥିବା ଲୋକସଂଖ୍ୟାକୁ ଆଖି ଆଗରେ ରଖି ଜାଗା ପାଇଁ ପ୍ରକୃତି ଉପରେ ଆମର ହସ୍ତକ୍ଷେପ ହୁଏତ ହେବ ଗୋଟାଏ ଦୃଷ୍ଟିରୁ ସ୍ୱାଭାବିକ, ତେବେ ଆମେ ଭୁଲିଗଲେ ଚଳିବ ନାହିଁ ଯେ ଏକ ଜୀବନ ସତ୍ତା ଭାବରେ ମଣିଷ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ପ୍ରକୃତି ଓ ପରିବେଶ ସହିତ । ଗବେଷକମାନଙ୍କ ମତରେ ଆମେ ଚିହ୍ନି ନ ପାରୁଥିବା ମାନସିକ ଅଶାନ୍ତି/ଅବସାଦ ଅଦୃଶ୍ୟରେ ନଂଗର ପକେଇଛି ପର୍ଯ୍ୟାବରଣର ଅବକ୍ଷୟରେ । ସେଇ ଦୃଷ୍ଟିରୁ ଗାଁ ତୁଳନାରେ ସହରର ଅଧିକାଂଶ ବାସିନ୍ଦା ଏବେ ଆକ୍ରାନ୍ତ ପାରିବେଶିକ ପକ୍ଷାଘାତରେ ।

କେତେଦିନ ତଳେ ଗୁଣାତ୍ମକ ସହର ଜୀବନ ଉପରେ କରାଯାଇଥିବା ଏକ ସର୍ବେକ୍ଷଣରେ ଆମ ରାଜଧାନୀର ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ଭିତରୁ ଦୁଇଟି ପ୍ରଶ୍ନ ଥିଲା ଏମିତି- ୧. ଏ ସହରରେ ୨୫ ବର୍ଷରୁ ଅଧିକ ସମୟ ଧରି ରହିବା ସତ୍ତ୍ଵେ ଏବଂ ଅର୍ଥନୈତିକ ସ୍ଥିତିରେ ବେଶ୍‌ ସ୍ୱଚ୍ଛଳ ଥିବା ସ୍ଥଳେ ସେ ନିଜ ପାଇଁ ମନଲାଖି ଘରଟିଏ ତିଆରି କରିଛନ୍ତି କି ? ୨. ପ୍ରଫେସର୍‌ ନିୟମିତ ମର୍ନିଂୱାକ୍‌ କରନ୍ତି ନା ନାହିଁ ? ଉଭୟ ପ୍ରଶ୍ନର ଏମିତି ଉତ୍ତର ମିଳିଥଲା ପ୍ରଫେସରଙ୍କ ନିକଟରୁ । ସେ କହିଲେ, ଅନେକ ବର୍ଷ ତଳେ ବିଶ୍ଵବିଦ୍ୟାଳୟ ପରିସରରେ ତାଙ୍କ ଯେଉଁ ନୂଆ କ୍ଵାଟର୍ସ ମିଳିଥିଲା ତା କ୍ୟାମ୍ପସ୍‌ରେ ସେ ଲଗେଇଥିଲେ ଅନେକ ଗଛ । ସେତେବେଳେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍‌ରେ ବି ଅନେକ ଗଛ ଲଗା ଯାଇଥିଲା । କ୍ରମେ ନୂଆ ବିଭାଗମାନ ଖୋଲାହେବାରୁ କ୍ୟାମ୍ପସ୍‌ରୁ ଯଦିଓ କିଛି ଗଛ କଟା ହୋଇଥିଲା ତଥାପି ଚାକିରି ଜୀବନରେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମର୍ନିଂୱାର୍କ ନିଶ୍ଚିତ ଭାବରେ ଥିଲା ଏକ ଭିନ୍ନ ଅନୁଭୂତି । ଅବସର ନେବା ପରେ ସେ ଏମିତି ସ୍ଥାନଟିଏ ଖୋଜୁଥିଲେ ଯେଉଁଠି ଗଛ ଥିବ, ଆକାଶକୁ ଦେଖି ହେଉଥିବ ରାତିରେ । ପାଖାପାଖି ସେମିତି ସ୍ଥାନଟିଏ ସେ ପାଇଥିଲେ ବର୍ଷେ କାଳ ଖୋଜିବା ପରେ-। ସହରଠାରୁ ଅନ୍ତତଃ କୋଡିଏ କିମି ଦୂରରେ । ଗଛ ଲଗେଇବା ପାଇଁ ତାଙ୍କ ପ୍ଲଟରେ ସ୍ଥାନ ଯଥେଷ୍ଟ କମ୍‌ ଥିଲା । ତେଣୁ ସହରଠୁ ଦୂରରେ, ବେଶ୍‌ ବଡ଼ ବଡ଼ ଗଛ ଥିବା ସେ ଅଞ୍ଚଳର ନିରୋଳା ରାସ୍ତାରେ ପ୍ରଫେସର ସସ୍ତ୍ରୀକ ଦୀର୍ଘ ମର୍ନିଂୱାକ୍‌ରେ ବାହାରି ଯାଉଥିଲେ । ହେଲେ ସେ ସୁଖ ବେଶୀଦିନ ରହିଲା ନାହିଁ । ସେଠି ରହିବାର ୨।୩ ବର୍ଷ ପରେ ସେ ଇଲାକା ବଦଳି ଗଲା । ରାସ୍ତା ଓସାରିଆ ହେଲା । ରାସ୍ତାକଡ଼ରେ ଥିବା ଗଛ ସବୁ କାଟି ଦିଆଗଲା । ସରକାରୀ ଯୋଜନାକ୍ରମେ କେଇବର୍ଷ ଭିତରେ ସେ ଅଞ୍ଚଳ ପରିଣତ ହୋଇସାରିଥିଲା ଏକ ତଥାକଥିତ ଟେକ୍ନୋଲୋଜି ପାର୍କରେ ।

ପ୍ରଫେସର୍‌ ତେଣିକି ମର୍ନିଂୱାକ୍‌ ବନ୍ଦ କରି ଦେଇଥିଲେ । ତାଙ୍କ ମତରେ ଏକ ଅନୁପମ, ଅପ୍ରଦୂଷିତ ସକାଳକୁ ସମ୍ଭବ କରେଇବାର ସମସ୍ତ ଉପାଦାନ ହରେଇ ବସିଥିଲା ସେ ଇଲାକା । ଆକାଶ ସେଠି ସଂକ୍ଷିପ୍ତ ହୋଇସାରିଥିଲା କ୍ରଂକ୍ରିଟ୍‌ ଜଙ୍ଗଲ ଫାଙ୍କରେ । କାରଖାନାର ସାଇରନ୍‌, ଗାଡ଼ିମଟରର ଶବ୍ଦ ଏବଂ ଧୂଆଁ ଭିତରେ ଉଜୁଡ଼ି ସାରିଥିଲା ସକାଳର ସ୍ନିଗ୍ଧତା ।

ଏସବୁ ସତ୍ତ୍ଵେ ବି ଆମର ସୌଭାଗ୍ୟ ଯେ ପୃଥିବୀର ଏ ଯାଏଁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରକୃତି ସହିତ ଅନ୍ତରଙ୍ଗ ହୋଇ ରହିଛନ୍ତି ସ୍ଥାନୀୟ ଅଧିବାସୀ । ଜେମ୍‌ସ୍‌ କାମେରନ୍‌ଙ୍କ 'ଅବତାର'ରେ ନେ'ଭିମାନଙ୍କ ମାଟିମନସ୍କତାକୁ ଏବଂ ଅସଲ ସ୍ଥିତିରେ ନିୟମଗିରି ସହିତ ଡଂଗରିଆମାନଙ୍କ ଅପୂର୍ବ ସଂପୃକ୍ତିକୁ ଆପଣ କହିପାରିବେ ସୋଲିଫିଲିଆ । ଇଏ ବି ଏକ ନୂଆ ଶବ୍ଦ ଯାହାର ମର୍ମାନୁବାଦ ହେବ ଏମିତି: ‘ଏକ ନିର୍ଦ୍ଦିଷ୍ଟ ଇଲାକା ସହିତ ଏକାତ୍ମ/ଅନ୍ତରଙ୍ଗ ହେବାର ଅନୁରାଗ' । ତେବେ ଆମ ଭିତରୁ ଅଧିକାଂଶ ଏଇ ଅନୁଭବଠୁ ଯଥେଷ୍ଟ ଦୂରରେ । କାରଣ ଆମର ମାଟି ନୁହେଁ, କଂକ୍ରିଟ୍‌ଦରକାର । ଜଙ୍ଗଲରେ ଜୀବନ୍ତ ହରିଣ ନୁହେଁ, ଆମ ଡ୍ରଇଂରୁମ୍‌ରେ ତାର ଶିଂଗ ସଜା ହେବା ଦରକାର । ଏକ ଅଜବ ଫସିଲ୍‌ ସଭ୍ୟତାର ଅଜବ ପଦପାତ ।

(ସମ୍ବାଦ ତା ୨୬/୩/୨୦୧୦)

Image

 

କେବଳ ଧୂଆଁ

 

ନନ୍ଦିଗ୍ରାମ ହିଂସାକାଣ୍ଡର ଚାରିମାସ ପରେ ଅର୍ଥନୀତିଜ୍ଞ ଶ୍ରୀ ଅମର୍ତ୍ୟ ସେନ୍‌ ‘ଟେଲିଗ୍ରାଫ୍‌’କୁ ଏକ ସାକ୍ଷାତକାର ଦେଇଥିଲେ । ଖବରକାଗଜର ଜୁଲାଇ ୨୩, ୨୦୦୭ ସଂସ୍କରଣରେ ପ୍ରକାଶିତ ହୋଇଥିବା ଶ୍ରୀ ସେନ୍‌ଙ୍କ ସେଇ ସାକ୍ଷାତକାରଟି ବେଶ୍‌ ବିତର୍କିତ ହୋଇ ପଡ଼ିଥିଲା । ଉଦାରୀକରଣ ଉପରାନ୍ତ ଭାରତୀୟ ଅର୍ଥନିତୀର ଗତି ତଥା ଅଭିବୃଦ୍ଧିକୁ ନେଇ ଅନେକ ସମୟରେ ଅଶ୍ଵସ୍ତି ଅନୁଭବ କରିଥିବା ସେନ୍‌ ନିଜ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ ଯେ କୃଷି କ୍ଷେତ୍ରରୁ ଆଧୁନିକ ଶିଳ୍ପ ପ୍ରଗତି ପର୍ଯ୍ୟନ୍ତ ଲମ୍ବା ରାସ୍ତା ଅତିକ୍ରାନ୍ତ କରିବାକୁ ହେଲେ ଏବଂ ସେଇ କ୍ରମରେ ଦାରିଦ୍ର୍ୟରୁ ମୁକ୍ତି ପାଇବା ପାଇଁ ହେଲେ ଦ୍ରୁତ ଶିଳ୍ପାୟନକୁ ଆଦୌ ଅଣଦେଖା କରି ହେବ ନାହିଁ । ଅର୍ଥାତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ଚାଷୀକୁ ତାର ଜମି ଦେବାକୁ ହିଁ ପଡ଼ିବ । ଶ୍ରୀ ସେନ୍‌ଙ୍କର ଯୁକ୍ତି ଥିଲା ଯେ ଚାଷୀ ଭୂମି ଅଧିଗ୍ରହଣକୁ ବିରୋଧ କରିପାରେ, ଇଞ୍ଚେ ଜମି ଦେବ ନାହିଁ କହି ରାସ୍ତାକୁ ଓହ୍ଲେଇପାରେ, ତେବେ ଶିଳ୍ପକୁ ବିରୋଧ କଲେ ଶେଷରେ କ୍ଷତି ସେଇ ଗରିବ ଲୋକଟିର ହିଁ ହେବ-। ସାକ୍ଷାତକାରଟି ଅବଶ୍ୟ ଆଧାରିତ ଥିଲା ପଶ୍ଚିମବଙ୍ଗର ଶିଳ୍ପାୟନ ଉପରେ, କିନ୍ତୁ ଏହାର ଛିଟିକା ଅନ୍ୟଠି ବେଶ୍‌ ପଡ଼ିଥିଲା । ଏ ବାବଦରେ ବୁଦ୍ଧିଜୀବୀମାନଙ୍କର ପ୍ରତିକ୍ରିୟା ମଧ୍ୟ କମ୍‌ ଚର୍ଚ୍ଚିତ ନଥିଲା-। ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ଅମର୍ତ୍ୟ ସେନ୍‌ ସମ୍ଭବତଃ ମୁଦ୍ରାର ଗୋଟିଏ ପାଖ ହିଁ ଦେଖିପାରୁଛନ୍ତି କିମ୍ବା ଆର ପାଖଟି ସେ ଜାଣିଶୁଣି ଦେଖୁନାହାନ୍ତି । ପ୍ରତିକ୍ରିୟାରେ ନିର୍ଦ୍ଦିଷ୍ଟ ଭାବରେ ଟାଟାର ସିଙ୍ଗୁର ପ୍ରକଳ୍ପ ଉପରେ କୁହାଯାଇଥିଲା ଯେ ପଶ୍ଚିମବଙ୍ଗ ସରକାର ଟାଟାଙ୍କ ମିଜାଜ୍‌ ଖୁସ୍‌ କରିବା ପାଇଁ ୮୫୦ କୋଟି ଟଙ୍କାର ସବ୍‌ସିଡି ଘୋଷଣା କରୁଛନ୍ତି, ଯେଉଁ ସବ୍‌ସିଡ଼ିର ଭାର ପରୋକ୍ଷରେ ସାଧାରଣ ଲୋକ ହିଁ ବୋହିବ । ଅନ୍ୟପକ୍ଷରେ ନାନୋ ପ୍ରକଳ୍ପର ଟାଟା ବିନିଯୋଗ କରିବା ପାଇଁ ଥିବା ରାଶିର ଆକଳିତ ପରିମାଣ ଥିଲା ମାତ୍ର ୧୦୦୦ କୋଟି ।

 

ସ୍ୱାଧୀନତା ପରଠୁ ଏ ଯାଏଁ ବିଭିନ୍ନ ପ୍ରକଳ୍ପ ପାଇଁ ଅନ୍ତତଃ ୫୦ ନିୟୁତ ଲୋକଙ୍କୁ ବିସ୍ଥାପିତ ହେବା ପାଇଁ ପଡ଼ିଛି । ବିସ୍ଥାପନ ବିକାଶ ନିମନ୍ତେ ଅପରିହାର୍ଯ୍ୟ ବୋଲି ଯୁକ୍ତି କରାଯାଇପାରେ, ହେଲେ ଭାରତରେ ବିକାଶ ନିମନ୍ତେ ବିସ୍ଥାପନର କାନ୍‌ଭାସ୍‌ସତରେ ଭାରି ଅଜବ-। ଆମ ତଥାକଥିତ ପ୍ରଗତିର ରଥ ଚକ ବାଛି ବାଛି ଯେମିତି ଚାପି ଦେଇଛି ଆଗରୁ ଚାପି ହୋଇ ରହିଥିବା ଅନଗ୍ରସର ଅଧିବାସୀଙ୍କୁ । ଆଦିବାସୀ ଏବଂ ହରିଜନଙ୍କ । ଏ ଯାଏଁ ବିସ୍ଥାପିତ ହୋଇଥିବା ପରିବାରଙ୍କ ଭିତରୁ ଶତକଡା ୬୦ ଭାଗ ହେଉଛନ୍ତି ଆଦିବାସୀ ଏବଂ ଦଳିତ । ୟୁଏନ୍‌ଡିପିର ତଥ୍ୟ ଅନୁଯାୟୀ ୧୯୪୭ ପରଠାରୁ କେବଳ ଓଡ଼ିଶାରେ ବିସ୍ଥାପିତ ହୋଇଛନ୍ତି ଏକଲକ୍ଷ ପରିବାର । ଏହା ବାଦ୍‌ ଆଉ ଦୁଇ ନିୟତ ପରିବାର ଅଛନ୍ତି ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ପରୋକ୍ଷ ଭାବରେ । ଜଳସେଚନ/ଜଳ ବିଦ୍ୟୁତ/ବୃହତ୍‌ ନଦୀବନ୍ଧ ଯୋଜନା ଭାରତରେ ବିସ୍ଥାପନକୁ ମୁଖ୍ୟ ଖୋରାକ୍‌ ଯୋଗାଇ ଆସିଛି । ଭାରତ ହେଉଛି ଏମିତି ବୃହତ୍‌ବନ୍ଧ ନିର୍ମାଣରେ ପୃଥିବୀର ତିନି ନମ୍ବର ଦେଶ । ଏ ଯାଏଁ ୩୬୦୦ରୁ କିଛି ଅଧିକ ବନ୍ଧ ନିର୍ମାଣ ହୋଇସାରିଛି ଏବଂ ଅନ୍ତତଃ ଆଉ ୭୦୦ ବନ୍ଧ ନିର୍ମାଣଧୀନ ଅଛି । ବିସ୍ଥାପିତ ସଂଖ୍ୟାର ପାଖାପାଖି ୬୦ ଭାଗ କେବଳ ଜଳସେଚନ ପ୍ରକଳ୍ପ ମାନଙ୍କର ଦେୟ । ଏ ସଂପର୍କରେ ସରକାରଙ୍କ ପାଖରେ ସଠିକ୍‌ ତଥ୍ୟ ନାହିଁ । କୁହାଯାଏ ଯେ ସରକାରୀ ସଂଖ୍ୟାର ଆଉ ୪୫ ଗୁଣ ପରିବାର 'ବିସ୍ଥାପିତ' ସଂଜ୍ଞାଭୁକ୍ତ ହେବେ ଖୁବ୍‌ ସହଜରେ । ବିଶ୍ୱବ୍ୟାଙ୍କର ଏକ ଆକଳନ ଅନୁଯାୟୀ ଭାରତରେ ଏ ଧରଣର ପ୍ରତିଟି ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କ ସଂଖ୍ୟା ହାରାହାରି ୧୩,୦୦୦ । ତେବେ ବିସ୍ଥାପନ ତୁଳନାରେ ଆମ ଥଇଥାନ ଏବଂ ପୁନର୍ବାସ ଯୋଜନାର ଚିତ୍ର ଜମାରୁ ଭଲ ନୁହେଁ । ଭୂମି ଅଧିଗ୍ରହଣ ଆଇନ ତ ଏହାର ଔପନିବେଶିକ ଛାଞ୍ଚରୁ ଏଯାଏଁ ମୁକ୍ତି ପାଇପାରି ନାହିଁ । ଏଣେ ସଂଘ ନାଁରେ ଜାତୀୟ ସ୍ୱାର୍ଥ ଦର୍ଶାଇ ଭୂମି ଅଧିଗ୍ରହଣ ଆମେ ଜାରି ରଖିଛୁ । ଚିନ୍ତକମାନଙ୍କ ମତ ଯେ ଗୋଟାଏ ମାନ୍ଧାତା ଅମଳର ଆଇନକୁ ଢାଲ କରି ବନ୍ଧୁକ ମୂନରେ ଜଣକୁ ତା ଭିଟାମାଟିରୁ ତଡ଼ି ଦେବା ଯେତିକି ସହଜ, ତା'ର ଥଇଥାନ ତା' ଠାରୁ ଅନ୍ତତଃ ପାଞ୍ଚ ଗୁଣ କଷ୍ଟକର । ଅଥଚ ଓଡ଼ିଶା ସମେତ ଭାରତର ଅନ୍ୟାନ୍ୟ ରାଜ୍ୟରେ ସଙ୍କଟର ଏ ସ୍ଥିତି ଆଉ କାହାକୁ ଅଛପା ନାହିଁ । ସରକାରଙ୍କୁ ବର୍ଷ ବର୍ଷ ଧରି ପ୍ରଶ୍ନ ବି ପଚରା ଯାଉଛି । ଶିଳ୍ପାୟନ ହଉ, ମନା ନାହିଁ । ପ୍ରଗତି ବେଗବାନ ହେଉ, ବାରଣ ନାହିଁ । କିନ୍ତୁ ରାଷ୍ଟ୍ର ଜନସ୍ୱାର୍ଥର ଦ୍ଵାହି ଦେଇ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରିବ କାହିଁକି ? ଟାଟା, ମିତ୍ତଲ, ଅମ୍ବାନି, ପୋସ୍କୋ ବା ଜିନ୍ଦଲ ପରି ଅତି ବୃହତ୍‌ଘରୋଇ ଉଦ୍ୟୋଗମାନଙ୍କ ବ୍ୟାବସାୟିକ ସ୍ୱାର୍ଥକୁ କେଉଁ ନ୍ୟାୟରେ ଜନସ୍ୱାର୍ଥ ବୋଲି କୁହାଯିବ ? ଘରୋଇ ଶିଳ୍ପ ସଂସ୍ଥାମାନଙ୍କ ମୁନାଫା/ଲାଭାଂଶ ପ୍ରତ୍ୟକ୍ଷ ରାଷ୍ଟ୍ରୀୟ ସଂପଦ ହେବାର ବିଧାନ ଯେତେବେଳେ ଆମ ଦେଶରେ ନାହିଁ, ସେତେବେଳେ ଏକ ଗାଣତାନ୍ତ୍ରିକ ରାଷ୍ଟ୍ର ଖାସ୍‌ଘରୋଇ ସ୍ୱାର୍ଥକୁ କାହିଁକି ଦେଖିବ ? ସରକାର/ରାଷ୍ଟ୍ର ନିୟାମକ ନହୋଇ ଘରୋଇ ଉଦ୍ୟୋଗ ମାନଙ୍କର ପୃଷ୍ଠପୋଷକତା କରିବା କେଉଁ ଆଦର୍ଶବୋଧରେ ? ସବୁବେଳେ କେବଳ ଦରିଦ୍ର ମାନେ ହିଁ କାହିଁକି ବିସ୍ଥାପିତ ହେବେ ? ସରକାର ଆଉ ଏକ ମେଗା କର୍ପୋରେସନ୍‌ ନୁହନ୍ତି ତ ? ଆମ ବ୍ୟବସ୍ଥା ଏସବୁ ପ୍ରଶ୍ନର ଉତ୍ତର ଦେଇ ପାରି ନାହିଁ । ହୁଏତ ଦେଇ ପାରିବ ନାହିଁ ମଧ୍ୟ ।

 

ଏବେ ଆସିବା କଳିଙ୍ଗ ନଗରକୁ । ଚାରି ବର୍ଷ ତଳେ ଘଟିଥିବା ଗୁଳିକାଣ୍ଡର ରକ୍ତଛିଟା ଏ ଯାଏଁ ଲିଭିନି ଶିଳ୍ପାଞ୍ଚଳରୁ । ସରକାରୀ ପରିସଂଖ୍ୟାନ ଅନୁଯାୟୀ ନୀଳାଚଳ ଇସ୍ପାତ ନିଗମକୁ ମିଶେଇ ଅନ୍ତତଃ ଦଶଟି ମଧ୍ୟମ ଏବଂ ବୃହତ୍‌ଶିଳ୍ପ ସଂସ୍ଥା (ଇସ୍ପାତ) ଡେରା ପକେଇ ସାରିଛନ୍ତି କଳିଙ୍ଗ ନଗରରେ । ଆଠଟି ସଂସ୍ଥା ଉତ୍ପାଦନ ଆରମ୍ଭ କରି ସାରିଛନ୍ତି । ଏସବୁ ସଂସ୍ଥା ପାଇଁ ଅଧିଗ୍ରହଣ କରାଯାଇଛି ୪,୮୮୬ ଏଳର ଘରୋଇ ଜମି । ୟା ବାଦ୍‌ ୩୯୨୭ ଏକର ସରକାରୀ ଜମି ବି ଯୋଗାଇ ଦିଆଯାଇଛି । ଶିଳ୍ପାଞ୍ଚଳ ପାଇଁ ସିଧାସଳଖ ଭାବରେ କ୍ଷତିଗ୍ରସ୍ତ (ସଂପୂର୍ଣ୍ଣ) ହୋଇଛି, ଚାନ୍ଦିଆ, ଗୋବରଘାଟୀ ଏବଂ ଗାଡ଼ପୁର । ଏହା ବାଦ୍‌ ଅଛି ୨୫ଟି ଗାଁ/ପଡ଼ା ଗାଁ ଯେଉଁ ଗାଁ ସବୁ ପରୋକ୍ଷ ଭାବରେ କିଛି କମ୍‌ କ୍ଷତିଗ୍ରସ୍ତ ହୋଇନାହାନ୍ତି । ଅଗଷ୍ଟ ୨୦୦୯ ସୁଦ୍ଧା କଳିଙ୍ଗନଗରରେ ମୋଟ ବିସ୍ଥାପିତ ପରିବାର ସଂଖ୍ୟା ୧୬୬୩ ଏମାନଙ୍କ ଭିତରୁ ଆଦିବାସୀ ପରିବାର ସଂଖ୍ୟା ୧୧୬୩ ବିଭିନ୍ନ ପ୍ରକଳ୍ପରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ପରିବାର ସଂଖ୍ୟା ୬୫୦ ଏବଂ କର୍ମନିଯୁକ୍ତି ବାବଦରେ ଆର୍ଥିକ ସହାୟତା ପାଇଥିବା ପରିବାର ସଂଖ୍ୟା ୨୯୨ । ଅର୍ଥାତ୍‌ ୮୨୧ ଟି ପରିବାର ଆଜି ବି ବାସ୍ତୁହରା ହୋଇ ବିକଳ୍ପ ଅନ୍ନ ସଂସ୍ଥାନକୁ ଅପେକ୍ଷା କରିଛନ୍ତି । ୪୪୪ ପରିବାର ଆଶ୍ରୟ ନେଇଛନ୍ତି ଅସ୍ଥାୟୀ ଟ୍ରାନ୍‌ଜିଟ୍‌ କ୍ୟାମ୍ପରେ । ପୁନର୍ବାସ ବାବଦରେ ଖର୍ଚ୍ଚକୁ ଆସିବା-। କୁହାଯାଇଛି, ଟାଟା ଷ୍ଟିଲ୍‌, ଜିନ୍ଦଲ୍‌, ନୀଳାଚଳ, ଭିସା, କେ.ଜେ ଇସ୍ପାତ ଏବଂ ରୋହିତ୍‌ ଫେରୋଟେକ୍‌ ୨୦୦୮ ଶେଷ ସୁଦ୍ଧା ଥଇଥାନ ଏବଂ ପୁନର୍ବାସ ବାବଦରେ ବିନିଯୋଗ କରିଛନ୍ତି ମୋଟ ୬୮ କୋଟି ଟଙ୍କା । ଚୁକ୍ତିନାମା ଅନୁଯାୟୀ ଏମାନଙ୍କ ଦ୍ଵାରା ପର୍ଯ୍ୟାୟଭୁକ୍ତ ଭାବେ ବିନିଯୋଗ ହେବା ପାଇଁ ଥିବା ରାଶିର ଆକଳନ ହେଉଛି ୩୪,୧୪୦ କୋଟି ଟଙ୍କା । ସେଇ ଅନୁପାତରେ ଏଇ ସଂସ୍ଥା ମାନେ ପୁନର୍ବାସ ବାବଦରେ ଖର୍ଚ୍ଚ କରିଛନ୍ତି ବିନିଯୋଗ ସକାଶେ ଉଦ୍ଦିଷ୍ଟ ରାଶିର ମାତ୍ର ୦.୧୯ ପ୍ରତିଶତ ।

 

ଚାରିବର୍ଷ ତଳେ ପୁଲିସ୍‌କାଟି ନେଇଥିବା ହାତ ପାପୁଲି ମୃତକଙ୍କ ପରିବାରଙ୍କୁ ହୁଏତ ଫେରେଇ ଦିଆଯାଇଛି, କିନ୍ତୁ କଳିଙ୍ଗନଗର କ୍ଷତ ଶୁଖି ନାହିଁ । ଶିଳ୍ପ ପାଇଁ ଜମି ଅଧିଗ୍ରହଣ ଅବ୍ୟାହତ ଅଛି । ନୂଆ ଜମି ପାଇଁ ଇଡ୍‌କୋ ଏବେ ବି ଦରଖାସ୍ତ କରୁଛି । ଲେଖକ ଏବଂ ସାମ୍ବାଦିକ ଶ୍ରୀ ପି, ସାଇନାଥ କେତେବର୍ଷ ତଳେ ବିସ୍ଥାପନ ସଂପର୍କିତ ତାଙ୍କର ଏକ ପ୍ରବନ୍ଧରେ ଚମକ୍ତାର ପ୍ରଶ୍ନଟିଏ ପଚାରିଥିଲେ । ଏ ଦେଶ କାହାର ? ଭାରତ କଣ କେବଳ ସଂପନ୍ନ ମାନଙ୍କର, ପାରିବା ଲୋକଙ୍କର ? କଣ ପାଇଁ ଅନଗ୍ରସର ମାନଙ୍କର ସ୍ୱାର୍ଥ କେବେ ବି ଜାତୀୟ ସ୍ୱାର୍ଥର ମାନ୍ୟତା ପାଏ ନାହିଁ ?

 

ଗତ ଡିସେମ୍ବରରେ ଦେଖିବାକୁ ସୁଯୋଗ ମିଳିଥିଲା ପ୍ରତିଷ୍ଠିତ ନାଟ୍ୟସଂସ୍ଥା ନାଟ୍ୟ ଚେତନାର ଏକ ପ୍ରଭାବଶାଳୀ ନାଟକ । ‘ଧୂଆଁ’ । କୋରାପୁଟ ଅଞ୍ଚଳର ସାତଟି ଗାଁରୁ ପାଇଥିବା ତଥ୍ୟ ଆଧାରରେ ନାଟକଟିର ପରିକଳ୍ପନା କରାଯାଇଥିଲା । ପାଠକଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ସେଇ ସାତଟି ଗାଁ କ୍ଷତିଗ୍ରସ୍ତ ହୋଇଥିଲା ବିସ୍ଥାପନ ଯୋଗୁଁ । ନାଟକର ଅଣପାରମ୍ପରିକ ଉପସ୍ଥାପନ ଆରମ୍ଭ ହୋଇଥିଲା ଧୂଆଁରୁ । ଘର, ଡଙ୍ଗର, ପଦର, ଝରଣା ଓ ନଦୀ ସହିତ ଗୋଟାଏ ଇଲାକାର ତମାମ ମଣିଷ ସେମାନଙ୍କ ସନ୍ତୁଳନ ହରେଇ ବସିଥିଲେ- ଧୂଆଁ ଯୋଗୁଁ । ତେବେ ଯଥେଷ୍ଟ ସାଙ୍କେତିକ ଅର୍ଥରେ ବି ଧୂଆଁର ବ୍ୟବହାର ହୋଇଥିଲା ନାଟକଟିରେ । ସମସ୍ତେ ସମସ୍ତଙ୍କୁ ଧୂଆଁ ମାରୁଥିଲେ ଜଗତକରଣ ଏବଂ ଦୃତ ଶିଳ୍ପାୟନ ପରିପ୍ରେଷୀରେ ସରକାର ଲୋକଙ୍କୁ ବହୁରାଷ୍ଟ୍ରୀୟ କମ୍ପାନି/ପୁଞ୍ଜିପତି ସରକାରଙ୍କୁ/ନେତାଙ୍କୁ । ନେତା ଭୋଟରଙ୍କୁ ଏବଂ ପରିବର୍ତ୍ତିତ ସ୍ଥିତିରେ ଲୋକେ ନିଜ ନିଜକୁ ନାଟକରେ ଚରିତ୍ର ସବୁ ଧୂଆଁ ପିଇ ଯେତିକି କାଶୁ ନଥିଲେ ସେତିକି କାଶୁଥିଲେ ଦେହ ସହିତ ମନର ସଂକ୍ରମଣ ସକାଶେ । ଭୀଷଣ ଅସ୍ୱସ୍ତିରେ ସେମାନେ କାଶୁଥିଲେ । କାଶୁ ନଥିଲେ ତ କାନ୍ଦୁଥିଲେ । ସେଦିନ ଗୋବରଘାଟୀରୁ ଫେରିବା ବେଳେ ସନ୍ଧ୍ୟା ହେବା ପାଇଁ ତଥାପି ବେଶ୍‌ବାକି ଥିଲା । ହେଲେ ଜିନ୍ଦଲ୍‌କାରଖାନାର ଆଖପାଖ ଅଞ୍ଚଳ ସବୁ ଅସ୍ପଷ୍ଟ ଦିଶୁଥିଲା । ଲାଗୁଥିଲା, ଯେମିତି କୁହୁଡ଼ି ଘୋଡ଼େଇ ପକେଇଛି ସେ ଇଲାକାକୁ । ମୋ ସହିତ ଥିବା ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ପଚାରିଥିଲି, ହଠାତ୍‌ ଏତେ ଅନ୍ଧାରିଆ ଲାଗୁଛି କାହିଁକି ? ପଛ ସିଟ୍‌ରୁ ଏକ ସଂକ୍ଷିପ୍ତ ଉତ୍ତର ଆସିଥିଲା- ସାର୍‌ ଧୂଆଁ । ମୁଁ ଚାରିଆଡ଼କୁ ଥରେ ଆଖି ବୁଲେଇ ନେଲି । ଡ୍ରାଇଭରକୁ ଫଗ୍‌ଲାଇଟ୍‌ ଅନ୍‌ କରିବା ପାଇଁ କହିଲି । ଦୂରରୁ ଦୂରକୁ କେବଳ ଧୂଆଁ ହିଁ ଦିଶିଯାଉଥିଲା । ସେଠି ଯେମିତି ମାଟି ନଥିଲା, ଗଛ ନଥିଲେ, ଆକାଶ ବି ନଥିଲା । ଜୀବନ ନଥିଲା । ଥିଲା କେବଳ ଧୂଆଁ ।

(ସମ୍ବାଦ ତା୧୫/୦୧/୨୦୧୦)

Image

 

ଠେଙ୍ଗା ଧର, ଜଙ୍ଗଲ ଜଗ

 

ତା ୦୨/୦୨/୦୭ (ଏସିଆନ୍‌ଏଜ୍‌)- ଢେଙ୍କାନାଳର କଙ୍କଡ଼ାହାଡ଼ ବ୍ଳକ୍‌ ଅନ୍ତର୍ଗତ କନ୍ଧାର ଗାଁର ଅନ୍ୟୁନ ୧୫ ଜଣ ଉଗ୍ରପନ୍ଥୀ (ମାଓବାଦୀ)ଙ୍କ ଆକ୍ରମଣରେ ୩ଜଣ ଜଙ୍ଗଲ ବିଭାଗ କର୍ମଚାରୀ ନିହତ । ପ୍ରାପ୍ତ ସୂଚନା ଅନୁଯାୟୀ ସେଦିନ ସକାଳେ ମାଓବାଦୀମାନେ ଫରେଷ୍ଟ ବିଟ୍‌ହାଉସ୍‌ ଉପରେ ସଶସ୍ତ୍ର ହମ୍‌ଲା କରି ଘନଶ୍ୟାମ ବେହେରା, କୁମୁଦଚନ୍ଦ୍ର ସାମଲ ଏବଂ ନୀଳମଣି ମଳିକଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରିଥିଲେ । ସେମାନଙ୍କ ତଣ୍ଟି କାଟି ଦିଆଯାଇଥିଲା । ପରେ ତିନିଜଣଙ୍କ ମୃତ ଦେହକୁ ଜଙ୍ଗଲରେ କିଛି ବାଟ ଘୋଷାରି ନେବା ପରେ ମାଓବାଦୀମାନେ ମୃତକମାନଙ୍କ ମୁଣ୍ଡକୁ ପଥରରେ ଛେଚି ବିକୃତ କରି ପକାଇଥିଲେ । ଦୁଇ ଜଣ ଫରେଷ୍ଟ ଗାର୍ଡ (ନିରସ୍ତ୍ର) କୌଣସି ପ୍ରକାର ଜୀବନ ବଞ୍ଚାଇ ଫେରି ପାରିଥିଲେ । ମୁଖ୍ୟମନ୍ତ୍ରୀ ଏଇ ଘଟଣାର ନିନ୍ଦା କରିବାରେ ହେଳା କରିନଥିଲେ ।

 

ତା ୧୩/୦୬/୨୦୦୭ (ହିନ୍ଦୁ) ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟସ୍ଥ ତିରିଡ଼ା ଗ୍ରାମରେ ଜଙ୍ଗଲ ବିଭାଗ କର୍ମଚାରୀ ଦ୍ଵାରା ଏକ ବୃହତ୍‌ ଆନ୍ତଃଜିଲ୍ଲା ଚୋରାକାଠ ଚାଲାଣ ର‍୍ୟାକେଟ୍‌ ଠାବ । ସିଆର୍‌ପିଏଫ୍‌ ଏବଂ ଜଙ୍ଗଲ ବିଭାଗର ମିଳିତ ତଲାସି ଅଭିଯାନରେ ଏକ ବେଆଇନ୍‌ କରତ କଳର ସନ୍ଧାନ । ବିପୁଳ ଚୋରା କାଠ ଜବତ ।

 

ତା ୦୩/୦୨/୨୦୦୮ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକରେ ଗଙ୍ଗପୁର ଏକ ଛୋଟିଆ ଗାଁ । ତେବେ ଏହାର ଅନୁକୂଳ ଭୌଗୋଳିକ ଅବସ୍ଥିତି (ଘୁମୁସର ଦକ୍ଷିଣ ଡିଭିଜନ୍‌କନ୍ଧମାଳର ବାଲିଗୁଡ଼ା ଡିଭିଜନ୍‌ ଏବଂ ପାରଳାଖେମୁଣ୍ଡି ଡିଭିଜନ୍‌ନିକଟବର୍ତ୍ତୀ) କାଠ ମାଫିଆଙ୍କୁ ବେଶ୍‌ ସୁହାଉଛି-। ଏକ ଆକଳନ ଅନୁଯାୟୀ ଏ ଗାଁରେ ଦୈନିକ ଦଶ ଲକ୍ଷ ଟଙ୍କାର ଚୋରା କାଠ କାରବାର ହେଉଛି । ନିଜକୁ ସୁରକ୍ଷା ଦେବା ପାଇଁ ଓସ୍ତାଦ୍‌ କାଠ ମାଫିଆମାନେ ଢାଲ କରିଛନ୍ତି ଅନ୍ତତଃ ୨୦୦ କୌଳିକ ବଢ଼େଇ ପରିବାରଙ୍କୁ । ବେଆଇନ ଭାଟେ ଏ ଗାଁରେ ଏକାଧିକ କରତ କଳ ଚାଲିଛି । ନିୟମିତ ଜଙ୍ଗଲ କ୍ଷୟ ବି ଘଟୁଛି ।

 

ତା ୨୭/୦୭/୨୦୦୯ ଶିମିଳିପାଳ ଅଭୟାରଣ୍ୟରେ ନକ୍ସଲ ହମ୍‌ଲା ପରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି । ଗତ ମାର୍ଚ୍ଚର ନକ୍ସଲ ହମ୍‌ଲା ପରେ ଜଙ୍ଗଲ କର୍ମଚାରୀମାନେ ଡ୍ୟୁଟିରେ ଯୋଗ ଦେବା ପାଇଁ ନାରାଜ । ବିଶେଷ କରି ନଅଁଣ ଓ ଦୁଦୁରଚମ୍ପାରେ ବେଆଇନ୍‌ ଗଛ କଟା ଏବଂ ଶିକାର ବ୍ୟାପକ ଭାବରେ ପରିଲକ୍ଷିତ ।

 

ତା ୨୦/୧୦/୨୦୦୯ (ହିନ୍ଦୁ) ଫରେଷ୍ଟର ପ୍ରଭାତ କୁମାର ଦାସଙ୍କୁ କାଠ ମାଫିଆଙ୍କ ନୃଶଂସ ଆକ୍ରମଣରୁ ବଞ୍ଚାଇବା ପାଇଁ ବ୍ରହ୍ମପୁରର ସୋରଡ଼ା ରେଞ୍ଜ ଅଫିସର କିରଣକାନ୍ତ ସାହୁ ଗୁଳି ଚଳାଇବାରୁ ଦୁଇ କାଠ ମାଫିଆ ଆହତ । ସେଦିନ ଘୁସୁମର ଡିଭିଜନ୍‌ ଅନ୍ତର୍ଗତ ମୁଣ୍ଡପିଟା ଜଙ୍ଗଲରେ କାଠ ଚୋରି ହେଉଥିବା ଖବର ପାଇ ତୁରନ୍ତ ପହଞ୍ଚିଥିଲେ ଛ' ଜଣ ଜଙ୍ଗଲ କର୍ମଚାରୀ । ୨୭ଟି ବିରାଟ କାଠ ଗଣ୍ଡିକୁ ବୋହି ନେବା ପାଇଁ ମଇଁଷି/ବଳଦଗାଡ଼ିର ସବୁ ବ୍ୟବସ୍ଥା କରିସାରିଥିଲେ ମାଫିଆ । ଜଙ୍ଗଲ କର୍ମଚାରୀମାନଙ୍କ ବାଟ ଓଗାଳିବା ପାଇଁ ମଇଁଷି ମାନଙ୍କୁ ଘଉଡ଼େଇ ଦିଆଗଲା । କୌଶଳ କ୍ରମେ ମାଫିଆମାନେ କାବୁ କରିନେଲେ ଫରେଷ୍ଟରଙ୍କୁ । ସୁରକ୍ଷାକର୍ମୀଙ୍କ ତୁଳନାରେ ସେମାନଙ୍କ ସଂଖ୍ୟା ୪ ଗୁଣ ଅଧିକ ଥିଲା । ପ୍ରଚୁର ମାଡ଼ ଦିଆଗଲା ଫରେଷ୍ଟରଙ୍କୁ । ଯେତେବେଳେ ଆହତ ଅବସ୍ଥାରେ ତାଙ୍କୁ ଜଙ୍ଗଲ ଭିତରକୁ ଘୋଷାରି ନେବା ପାଇଁ ଉଦ୍ୟମ ହେଲା, ରେଞ୍ଜ ଅଫିସର୍‌ ବାଧ୍ୟ ହୋଇଥିଲେ ଗୁଳି ଚଲାଇବା ପାଇଁ । ଗୁରୁତର ଆହତ ଅବସ୍ଥାରେ ଫରେଷ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

ତା ୨୦/୦୧/୨୦୧୦ରିଖ- ଗତ ରାତିରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରଣପୁର ରେଞ୍ଜର ଯଶୋଦାପୁର ଜଙ୍ଗଲରେ କାଠମାଫିଆମାନଙ୍କ ବୀଭତ୍ସ ଆକ୍ରମଣରେ ଫରେଷ୍ଟର୍‌ ସୋମନାଥ ବେହେରା ନିହତ ଏବଂ ଆଉ ପାଞ୍ଚ ଜଣ କର୍ମଚାରୀ ଆହତ । ସେଦିନ ରାତିରେ ୩୦।୪୦ ଜଣ କାଠମାଫିଆଙ୍କ ସମ୍ମୁଖୀନ ହୋଇଥିଲେ ଫରେଷ୍ଟର୍‌ ଶ୍ରୀ ବେହେରା ଏବଂ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ତାଙ୍କ ସାଥୀ । ତେବେ କାଠ ମାଫିଆଙ୍କ ମିଳିତ ଆକ୍ରମଣର ପ୍ରତିରୋଧ କରିବା ପାଇଁ ଅସମର୍ଥ ହୋଇଥିଲେ ସୁରକ୍ଷା ବାହିନୀ । ଜୀବନ ବଞ୍ଚେଇବାକୁ ଚେଷ୍ଟା କରି ଶ୍ରୀ ବେହେରା ଏବଂ ତାଙ୍କର କିଛି ସାଥୀ ଜଣଙ୍କ ଘରକୁ ପଶି ଯାଇଥିଲେ । ତେବେ କବାଟ ଭାଙ୍ଗି ଘର ଭିତରୁ ଟାଣି ଆଣି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ସୋମନାଥଙ୍କୁ ।

 

ପାଠକମାନଙ୍କୁ ମନେ ପକେଇ ଦେଉଛି ପ୍ରାୟ ଛ' ବର୍ଷ ତଳର ଏକ ଘଟଣା । ସେ ବର୍ଷ ବିଶ୍ଵ ଜଙ୍ଗଲ ଦିବସ ଉପଲକ୍ଷେ ଜଙ୍ଗଲ ସୁରକ୍ଷା ପାଇଁ ପ୍ରାଣ ହରେଇଥିବା କର୍ମଚାରୀମାନଙ୍କ ପରିବାରଙ୍କୁ ଏବଂ ଆହତ ହୋଇଥିବା କର୍ମଚାରୀମାନଙ୍କୁ ସରକାର ପୁରସ୍କାର ଦେବାପାଇଁ ଘୋଷଣା କରିଥାନ୍ତି । ତେବେ ନିର୍ଦ୍ଧାରିତ ଉତ୍ସବ ଦିନ ମୃତକଙ୍କ ପରିବାରବର୍ଗ ସମେତ ଜଙ୍ଗଲ ବିଭାଗର କର୍ମଚାରୀ କେହି ଜଣେ ବି ସଭାରେ ଯୋଗ ଦେଇନଥିଲେ । ଅଣଗେଜେଟେଡ୍‌ (ଜଙ୍ଗଲ ବିଭାଗ) କର୍ମଚାରୀଙ୍କ ସହିତ ପୁରସ୍କାର ବର୍ଜନ ନେଇ ସମାନ ପ୍ରତିକ୍ରିୟା ପ୍ରକାଶ କରିଥିଲେ ତିନିଜଣ ଫରେଷ୍ଟ ଗାର୍ଡଙ୍କ ବିଧବା । ଏଇ ଘଟଣା ଆଗରୁ ଜଙ୍ଗଲ ବିଭାଗର କର୍ମଚାରୀମାନେ ଧାରଣା ଦେଇଥିଲେ ଅଧିକ କ୍ଷତିପୂରଣ ଏବଂ କାଠ ମାଫିଆଙ୍କ ମୁକାବିଲା ପାଇଁ ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ଭିତ୍ତିଭୂମି ଦାବୀ କରି । ସେମାନଙ୍କ ଦାବୀ ଅସଙ୍ଗତ ନଥିଲା । କର୍ମଚାରୀ ସଂଗଠନର ତଥ୍ୟ ଅନୁଯାୟୀ ୧୯୯୫ରୁ ୨୦୦୩ ମଧ୍ୟରେ ମାଫିଆଙ୍କ ଆକ୍ରମଣରେ ନିହତ ହୋଇଥିଲେ ୩୦ଜଣ ଫରେଷ୍ଟ ଗାର୍ଡ । ଆହତ ହୋଇଥିଲେ ଅନ୍ୟୂନ ୫୦୦ । ସରକାରୀ ତଥ୍ୟ ଅନୁସାରେ ମୃତକଙ୍କ ସଂଖ୍ୟା କିନ୍ତୁ ଥିଲା ୮ ଏବଂ ଆହତଙ୍କ ସଂଖ୍ୟା ୨୨୦ ।

 

ମେ ୨୦୦୫ରେ ପ୍ରକାଶିତ ନିର୍ଭରଯୋଗ୍ୟ ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଓଡ଼ିଶା ଜଙ୍ଗଲରୁ ବେଆଇନ ଭାବେ କଟାଯାଉଥିବା କାଠ ଏବଂ ଚୋରାଚାଲାଣ ହେଉଥିବା କେନ୍ଦୁପତ୍ର ଓ ଶାଳପତ୍ରର ମୂଲ୍ୟ ୧୦୦୦ କୋଟି ଟଙ୍କା । ଶତାଦ୍ଦୀର ସର୍ବବୃହତ୍‌ଖଣି ଦୁର୍ନୀତି ଯୋଗୁଁ ଓଡ଼ିଶା ଜଙ୍ଗଲରୁ ବେଆଇନ୍‌ ଭାବେ ଉତ୍ତୋଳିତ ହୋଇଥିବା ଖଣିଜକୁ ହିସାବକୁ ନେଲେ ଏହି କ୍ଷତିର ପରିମାଣ ହେବ କାହିଁ କେତେ ଗୁଣ । ଅଥଚ ସେ ତୁଳନାରେ ଆମ ଜଙ୍ଗଲ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସେମିତି ପ୍ରଭାବଶାଳୀ ନୁହେଁ । ଗତ କିଛି ମାସ ତଳେ ଫରେଷ୍ଟ ସର୍ଭେ ଅଫ୍‌ଇଣ୍ଡିଆର (୨୦୦୯) ରିପୋର୍ଟ ପ୍ରକାଶ ପାଇବା ପରେ ଆମ ଭିତରୁ କିଛି ଲୋକ ଏବଂ ବିଶେଷ କରି ଜଙ୍ଗଲ ବିଭାଗର ବଡ଼ବାବୁମାନେ ଭାରି ଖୁସି ଜଣାପଡ଼ୁଥିଲେ । ୨୦୦୫ରୁ ୨୦୦୭ ଭିତରେ ଆମ ଜଙ୍ଗଲ ୧୦୦ ବର୍ଗ କିମି ବଢ଼ିଥିଲା । ତେବେ ସାତକୋଣିଆ, ଆଠ ମଲ୍ଲିକ, କେନ୍ଦୁଝର, ବୌଦ୍ଧ, ବାଲିଗୁଡ଼ା, ଶିମିଳିପାଳ, ପାଳଲହଡ଼ା, ଗଞ୍ଜାମ, ବଣେଇ ଓ ଢେଙ୍କାନାଳ ଜଙ୍ଗଲରେ କାଠମାଫିଆମାନଙ୍କ ରାଜ୍‌ ବଢ଼ିଥିଲା । ୟା ସହିତ ଆମର ଘଂଚ ଜଂଗଲ ହ୍ରାସ ବି ପାଇଥିଲା ।

 

ବିଡ଼ମ୍ୱନା ଦେଖନ୍ତୁ । ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ୧୯୫୦ ଦଶକରୁ ମିଳିତ ଜଙ୍ଗଲ ପରିଚାଳନା କରାଯାଉଛି । ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଅଗଷ୍ଟ ୧୯୮୮ରେ ଏ ବାବଦରେ ବିଧିବଦ୍ଧ ଭାବେ ଏକ ସଂକଳ୍ପ/ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୨୦୦୫ ସୁଦ୍ଧା ରାଜ୍ୟର ୧.୭ ନିୟୁତ ପରିବାରଙ୍କୁ ସରକାର ସାମିଲ୍‌ କରିଛନ୍ତି ମିଳିତ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ । ଏ ତୁଳନାରେ ଆମର ସଫଳତା କାହିଁ ? ରାଜ୍ୟରେ ଅତି ଘଞ୍ଚ ଜଙ୍ଗଲର ପରିମାଣ ମାତ୍ର ୭,୦୭୩ ବର୍ଗ କିମି (୪.୫୪ ପ୍ରତିଶତ) । ଗତ ସର୍ଭେ ତୁଳନାରେ ଆମେ ହରେଇ ସାରିଛେ ୪ ବର୍ଗ କିମି ଅତି ଘଞ୍ଚ ଏବଂ ୨୭ ବର୍ଗ କିମି ମଧ୍ୟମ ଘଞ୍ଚ ଜଙ୍ଗଲ ।

 

ଏଇ କିଛି ଦିନ ତଳେ ଦେଖା ହୋଇଥିଲା ଖୋର୍ଦ୍ଧା ବନଖଣ୍ଡର ପଦସ୍ଥ ଅଧିକାରୀ ଥିବା ଜଣେ ବନ୍ଧୁଙ୍କ ସହିତ । ସେଦିନ ସୋମନାଥଙ୍କ ଗାଁରୁ ସେ ଫେରୁଥିଲେ । ଜଙ୍ଗଲର ସୁରକ୍ଷା କଥା ତାଙ୍କୁ ପଚାରିଲି ବନ୍ଧୁଙ୍କ ଉତ୍ତର ଥିଲା ସ୍ପଷ୍ଟ । ସେ କହିଲେ, ଓଡ଼ିଶାର ଜଙ୍ଗଲ ଜଗିବା ପାଇଁ ଯେତିକି କର୍ମଚାରୀ ନିୟୋଜିତ ହୋଇଛନ୍ତି ସେତିକି ଆଦୌ ପର୍ଯ୍ୟାପ୍ତ ନୁହନ୍ତି । କେବଳ ଗ୍ରାମ୍ୟ ସୁରକ୍ଷା କମିଟି/ସବୁଜ ବାହିନୀ ଯଥେଷ୍ଟ ନୁହନ୍ତି । ମାଫିଆଙ୍କୁ ମୁକାବିଲା କରିବା ପାଇଁ ଆମର ଦରକାର ରୀତିମତ ତାଲିମ ପାଇଥିବା କର୍ମଚାରୀ, ଆଧୁନିକ ଅସ୍ତ୍ରଶସ୍ତ୍ର । ଜଙ୍ଗଲରେ ଆମ କର୍ମଚାରୀ ପ୍ରତିଦିନ ସମ୍ମୁଖୀନ ହେଉଛନ୍ତି ଅସ୍ୱାଭାବିକ ସ୍ଥିତିର । ଉଭୟ ନକ୍ସଲ ଏବଂ କାଠ ମାଫିଆ ଆମରି ଉପରେ ଦାଉ ସାଧୁଛନ୍ତି । ଆମର ଗାଡ଼ି ନାହିଁ, ଭିଏଚ୍‌ଏଫ୍‌ ସେଟ୍‌ ନାହିଁ । ବନ୍ଧୁକ ବି ନାହିଁ । କାଠ ଚୋରି ଏବଂ ଶିକାର କେସ୍‌ ତ ଆମେ ଦେଉଛୁ, ହେଲେ ସେସବୁ କେସ୍‌ ଲଢ଼ିବା ପାଇଁ ଆମ ବିଭାଗରେ ପଇସା ବି ନାହିଁ । ଟିକିଏ ରହିଯାଇ ସେ ପୁଣି କହିଲେ, କେବେ କେମିତି ଜଙ୍ଗଲ ବୁଲି ଆସିବା ପାଇଁ ସମସ୍ତଙ୍କୁ ଭଲ ଲାଗେ, ଜଙ୍ଗଲ ବଢ଼ିଲେ ସରକାର ବି ଭାରି ଖୁସି ହୁଅନ୍ତି, ହେଲେ କେହି ବୁଝନ୍ତି ନାହିଁ ଯେ ପ୍ରାୟ ୧୫ ବର୍ଗ କିମି ଜଙ୍ଗଲକୁ ସୁରକ୍ଷା ଯୋଗାଉଥିବା ଗୋଟାଏ ବିଟ୍‌ହାଉସ୍‌କୁ ଜଣେ (ନିରସ୍ତ୍ର) ଫରେଷ୍ଟ ଗାର୍ଡ ଜଗିବ କେମିତି ? ଚାରି ପାଞ୍ଚଟି ବିଟ୍‌ହାଉସ୍‌କୁ ନେଇ ଗୋଟାଏ ସେକ୍ସନ୍‌ ଯାହାର ମୁଖ୍ୟ ଜଣେ ଫରେଷ୍ଟର୍ । କେତେଜଣ ଫରେଷ୍ଟରଙ୍କୁ ନେଇ ଜଣେ ମାତ୍ର ରେଞ୍ଜ ଅଫିସର୍‌ । ଆଉ ଆମ ନିୟମ ଅନୁଯାୟୀ ମାରଣାସ୍ତ୍ର କେବଳ ଉପଲବ୍ଧ ରେଞ୍ଜ ଅଫିସର ପାଖରେ । ସେତିକି ନୁହେଁ, ନୂତନ ନିଯୁକ୍ତି ବାଧାପ୍ରାପ୍ତ ହୋଇଥିବାରୁ ଆମ ରାଜ୍ୟରେ ନିୟୋଜିତ ଜଣେ ଫରେଷ୍ଟ ଗାର୍ଡର ବୟସ ହାରାହାରି ୫୫ । ଏ ସ୍ଥିତିରେ ଆମେ ଜଙ୍ଗଲ ଜଗିବୁ କେମିତି ? ପୁଣି ନିରୋଳା ଠେଙ୍ଗାଟି ମାନ ଧରି ?

 

ବନ୍ଧୁଙ୍କ ସ୍ଵରରେ ଅଭିମାନ ଥିଲା । ବ୍ୟବସ୍ଥା ପ୍ରତି ଅସନ୍ତୋଷ ବି । ମୁଁ ତଥାପି ପଚାରିଥିଲି ସୋମନାଥର ପରିବାର କ୍ଷତିପୂରଣ ପାଇଲେ ନା ନାହିଁ ? ବନ୍ଧୁ କହିଲେ ସୋମନାଥ ସେଦିନ ମରି ସାରିବା ପରେ ବି ଦୂର୍ବୃତ୍ତମାନେ ତାକୁ ହାଣି ଚାଲିଥିଲେ । ହେଲେ ସରକାରୀ ଭାବେ ଆମେ ତାକୁ ଶହୀଦ୍‌ କହିପାରିବୁ ନାହିଁ । ଜଣେ ସୈନିକ ସୀମାନ୍ତରେ ଶତ୍ରୁ ଗୁଳିର ଶିକାର ହେଲେ, ‘ଶହୀଦ’ କୁହାଯିବ, ନକ୍ସଲ ହମ୍‌ଲାରେ ପୁଲିସ୍‌ ଟଳିପଡ଼ିଲେ ସିଏ ବି ଶହୀଦ୍‌ ହେବ, କିନ୍ତୁ ଫରେଷ୍ଟର୍‌ଟିଏ କାଠମାଫିଆଙ୍କ ନିର୍ମମ ଟାଙ୍ଗିଆ ଚୋଟରେ ଖଣ୍ଡଖଣ୍ଡ ହେବା ପରେ ମଧ୍ୟ ଶହୀଦ୍‌ ବୋଲାଇବ ନାହିଁ । ସନ୍ଧ୍ୟା ହୋଇ ଆସିଥିଲା । ବନ୍ଧୁ କହିଲେ, ବୋଧହୁଏ ଗଛ/ଜଙ୍ଗଲ ଏ ଦେଶରେ ଗୁରୁତ୍ଵପୂର୍ଣ୍ଣ ନୁହନ୍ତି । ସେଇଥିପାଇଁ ହୁଏତ ଜଙ୍ଗଲ ଜଗିବା ପାଇଁ ସରକାର ଆମକୁ ବନ୍ଧୁକ ନ ଦେଇ ଠେଙ୍ଗା ଧରେଇ ଦେଇଛନ୍ତି ।

(ସମ୍ୱାଦ ତା୧୭/୦୨/୨୦୧୦)

Image

 

Unknown

ଗୋଲାପି ଶାଢୀ, କଳା ବ୍ଲାଉଜ୍‌

 

ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ଡ୍ରେସ୍‌କୋର୍ଡ ପ୍ରଣୟନ କରିବେ ବୋଲି ଏବେ ଚିନ୍ତା କରୁଛନ୍ତି । ଏହା ଆଗରୁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ ମାନଙ୍କ ନିମନ୍ତେ (ଶିକ୍ଷୟତ୍ରୀ ଅନ୍ତର୍ଭୁକ୍ତ) ୟୁନିଫର୍ମ ପ୍ରଚଳନ ହୋଇସାରିଛି । ଏବେ ପୁଣି ଚର୍ଚ୍ଚା ଜୋର୍‌ ଧରିଲାଣି ଯେ-ଆଗକୁ ଶାଢ଼ୀର ରଙ୍ଗ ବଦଳିବ । କେବଳ ବ୍ୟତିକ୍ରମ ଦେଖାଦେଇଛି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀମାନଙ୍କ କ୍ଷେତ୍ରରେ । ରାଜ୍ୟରେ ଆବଶ୍ୟକ ଅନୁସାରେ ସମ୍ବଲପୁରୀ ମଠା ଶାଢୀ ମିଳୁନଥିବାରୁ ସେମାନଙ୍କ କ୍ଷେତ୍ରରେ ଡ୍ରେସ୍‌କୋର୍ଡ ଲାଗୁ କରିବା ପାଇଁ ସମୟ ଦିଆଯାଇଛି । ଆସିବା ପ୍ରାଥମିକ ଶିକ୍ଷାକୁ । ମନେ ହେଉଛି ଆମ ଶିକ୍ଷା କ୍ଷେତ୍ରରେ ଯେମିତି ନିରୋଳା ରଙ୍ଗର ମହୋତ୍ସବ ପାଳନ ହେଉଛି । ରାଜ୍ୟରେ ଅଛି ଅନ୍ତତଃ ୫୬,୦୦୦ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସେଥିରେ ନିଯୁକ୍ତ ପାଖାପାଖି ୧,୬୦,୦୦୦ ଶିକ୍ଷକ । ୟୁନିଫର୍ମକୁ ବାଧ୍ୟତାମୂଳକ କରାଯିବା ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କେବଳ ବୁଦ୍ଧିଜୀବୀ ନୁହଁନ୍ତି, ସାଧାରଣ ଲୋକେ କହୁଛନ୍ତି ଯେ ସରକାର ଶିକ୍ଷା ସମସ୍ୟାର ଅସଲ ସମାଧାନ ପାଇଁ ଚେଷ୍ଟା ନକରି ଶୃଙ୍ଖଳା ବିଧାନ ଏବଂ ସଂସ୍କାର ନାଁରେ ସ୍ୱେଚ୍ଛାଚାର ଚଳାଇଛନ୍ତି । ଶିକ୍ଷାନୁଷ୍ଠାନ ପରିସରରେ ଅନ୍ୟ କୌଣସି ଆଖିଦୃଶିଆ ପରବର୍ତ୍ତନ ଆଣିବାକୁ ଚେଷ୍ଟା ନକରି ସବା ଆଗ ଶିକ୍ଷକ ମାନଙ୍କୁ ତୁଣ୍ଡି ପିନ୍ଧେଇବାକୁ ନିରୋଳା ମଧ୍ୟଯୁଗୀୟ ମାନସିକତା ବୋଲି ସେମାନେ କହୁଛନ୍ତି । ଡ୍ରେସ୍‌କୋର୍ଡକୁ ନେଇ ଅନ୍ୟଆଡ଼େ ବି ବିତର୍କ ଏବଂ ପ୍ରତିକ୍ରିୟା ପ୍ରକାଶ ପାଉଛି । ଗତ ସେପ୍ଟେମ୍ୱର ୨୦୧୦ ରେ ଆମ ପଡ଼ୋଶୀ ଦେଶ ଚୀନର ଜିଆଙ୍ଗ୍‌ସୁ ପ୍ରଦେଶରେ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକମାନଙ୍କ ସ୍ତରରେ ଡ୍ରେସ୍‌କୋର୍ଡକୁ ଲାଗୁ କରିବା ପାଇଁ ଉଦ୍ୟମ କରି ବିବାଦମାନ ହୋଇପଡ଼ିଛନ୍ତି । ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୪ ତାରିଖରେ ଚୀନ୍‌ର ପୂର୍ବ ଜିଆଙ୍ଗ୍‌ସୁ ପ୍ରଦେଶରେ ସ୍ଥାନୀୟ କର୍ତ୍ତୃପକ୍ଷ ଶିକ୍ଷକମାନଙ୍କ ବ୍ୟକ୍ତିତ୍ୱକୁ କୁଆଡ଼େ ଅଧିକ ‘ଶୋଭନୀୟ' ତଥା ‘ମର୍ଯ୍ୟାଦାବନ୍ତ' କରିବା ପାଇଁ ନୂଆ ଡ୍ରେସ୍‌କୋର୍ଡ ଲାଗୁ କରିଛନ୍ତି । ତେବେ ନିରୋଳା ପରିଧାନକୁ ଭିତ୍ତିକରିନାହିଁ ୧୫ଦଫା ସମ୍ୱଳିତ ସଂପୃକ୍ତ ନିର୍ଦ୍ଦେଶନାମା । ଏଥିରେ କୁହାଯାଇଛି ଯେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଲୋଚାକୋଚା, ଅପରିଷ୍କାର, ଟାଇଟ୍‌ଫିଟ୍‌ କିମ୍ୱା ପାରଦର୍ଶୀ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ । ପ୍ରସାଧନ ସାମଗ୍ରୀ ଏବଂ ଗହଣା ବ୍ୟବହାର ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି ।

 

କେଇଦିନ ତଳେ ଏକଥା ବି ପ୍ରକାଶ ପାଇଥିଲା ଯେ କ୍ୟୋଙ୍ଗ୍‌ହୋ-ୟିନ୍‌ନାମକ ହଂକଂର ଜନୈକା ଶିକ୍ଷୟିତ୍ରୀ ତିନିବର୍ଷ ମୋକଦ୍ଦମା ଲଢ଼ିବା ପରେ ଶେଷରେ ନ୍ୟାୟ ପାଇଛନ୍ତି । ୨୦୦୭ ରେ କ୍ୟୋଙ୍ଗ୍‌ ଚାକିରୀ କରିଥିବା ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷଙ୍କ ଆଚରଣ (ଡ୍ରେସ୍‌କୋର୍ଡ ନେଇ) ବ୍ୟଥିତ କରିଥିଲା ତାଙ୍କୁ । ସ୍ୱାଧୀନଚେତା କ୍ୟୋଙ୍ଗ୍‌ଙ୍କ ଅଭିଯୋଗ ଥିଲା ଯେ ତାଙ୍କୁ ଏଥିପାଇଁ ନିଦ ହେଲାନାହିଁ । ସେ ଭୀଷଣ ଅନ୍ୟମନସ୍କ ରହିଲେ । ମାନସିକ ସନ୍ତୁଳନ ହରେଇ ବସିଲେ ଏବଂ ମାତ୍ର କେଇ ସପ୍ତାହ ଭିତରେ ତାଙ୍କ ଓଜନ ଦଶ ପାଉଣ୍ଡ କମିଗଲା । ତିନିବର୍ଷ ବିଚାର ପରେ ସ୍କୁଲଟିର ଅଧ୍ୟକ୍ଷ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ କ୍ୟୋଙ୍ଗ୍‌ଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ ଏବଂ ସେ ଚାକିରୀ ହରେଇଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ । ଏବେ ଆସିବା ଆମ ଦେଶକୁ । ଏଥର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ । ଏଇ ବର୍ଷ ମେ ମାସ ଆଠ ତାରିଖ (୨୦୧୦ ମସିହା) ସଂସ୍କରଣରେ 'ଦି ଟେଲିଗ୍ରାଫ୍‌' ସମେତ ଅନ୍ୟାନ୍ୟ ଖବରକାଗଜ ପ୍ରକାଶ କରିଥିବା ଖବରଟି ଥିଲା ଏମିତି: ପଶ୍ଚିମବଙ୍ଗର ସିଙ୍ଗୁର ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟର ସାତଜଣ ଶିକ୍ଷୟିତ୍ରୀ ଡ୍ରେସ୍‌କୋର୍ଡକୁ ବିରୋଧ କରି କଲିକତା ଉଚ୍ଚ ନ୍ୟାୟାଳୟରେ ଏକ ମୋକଦ୍ଦମା ରୁଜୁ କରିଥିଲେ । ମାମଲାର ବିଚାର କରି ଜଷ୍ଟିସ୍‌ ଜୟନ୍ତ ବିଶ୍ଵାସ ରାୟ ଶୁଣେଇଥିଲେ ଯେ ‘‘ଏକଥା ସତ ଯେ ପରିଧାନ ନେଇ ଶିକ୍ଷକମାନଙ୍କର ମାର୍ଜିତ ରୁଚି ରହିବା କଥା, ତେବେ ସେମାନେ ଯେହେତୁ ଶିକ୍ଷିତ, ପୋଷାକ ପରିଚ୍ଛଦର ଶୋଭନୀୟତା ପ୍ରସଙ୍ଗ ସେମାନଙ୍କ ବିଚାରବୋଧ ଉପରେ ଛାଡ଼ିଦେବା ଉଚିତ୍‌ ।’’ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପକୁ ନ୍ୟାୟାଳୟ ସମାଲୋଚନା କରିଥିଲେ । ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ସିଙ୍ଗୁରସ୍ଥିତ ଗୋଲାପ ମୋହିନୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ରଙ୍ଗିନ ବର୍ଡ଼ର ଥିବା ଧଳାଶାଢୀ ପିନ୍ଧିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ନିଜର ୨୦ ପୃଷ୍ଠା ଦୀର୍ଘ ରାୟରେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଶିକ୍ଷକ / ଶିକ୍ଷୟିତ୍ରୀ କଣ ପିନ୍ଧିବେ ସେ ନେଇ କର୍ତ୍ତୃପକ୍ଷ 'ଫତ୍‌ୱା' ଜାରି ନକରି ବରଂ ଧ୍ୟାନ ଦେବା କଥା କେମିତି ଶିକ୍ଷାଦାନ ପାଇଁ ଏକ ଅନୁକୂଳ / ଆଦର୍ଶ ବାତାବରଣ ସୃଷ୍ଟି କରିହେବ, କେମିତି ଶିକ୍ଷାପାଇଁ ଭିତ୍ତିଭୂମିର ବିକାଶ କରାଯିବ ।

 

ଆମ ରାଜ୍ୟରେ ଏବେ ଲୋକେ ଠିକ୍‌ ତାହାହିଁ କହୁଛନ୍ତି । ଏଠି ପ୍ରାଥମିକ ଶିକ୍ଷା ଢେର୍‌ ଅବହେଳିତ । କେଇ ବର୍ଷ ଧରି ସର୍ବଶିକ୍ଷା ଅଭିଯାନ ଯୋଗୁଁ ଅବଶ୍ୟ ଢେର୍‌ ପକ୍କା ସ୍କୁଲ ଘର ତିଆରି ହୋଇଛି ଏବଂ ଚୂନ ଧଉଳା କାନ୍ଥରେ ପେନ୍‌ସିଲ୍‌ ଉପରେ ବସି କୁନିକୁନି ପିଲା ଯୋଡ଼ିଏ ଲେଖାଁ ଉଡ଼ୁଛନ୍ତି । ବାସ୍‌ ସେତିକି ! ଏବେ, ଶିକ୍ଷାର ହାଲ୍‌ ଉପରେ ଖୋଦ୍‌ ସରକାରଙ୍କୁ ଶୁଣିବା । ୨୪ ମାର୍ଚ୍ଚ ୨୦୦୪ରେ ପ୍ରକାଶ ପାଇଥିଲା ‘ଓଡ଼ିଶା ହ୍ୟୁମାନ୍‌ ଡେଭ୍‌ଲପ୍‌ମେଣ୍ଟ ରିପୋର୍ଟ' । ୩୫୧ ପୃଷ୍ଠା ସମ୍ୱଳିତ ଏଇ ରିପୋର୍ଟକୁ ପ୍ରକାଶ କରିଥିଲା ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ । ସରକାର ସ୍ୱୀକାର କରିଥିଲେ ଯେ ଭିଜନ୍‌ ୨୦୨୦ ଏବଂ ଦ୍ରୁତ ଅର୍ଥନୈତିକ ବିକାଶର ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଶିକ୍ଷା କ୍ଷେତ୍ରରେ ଅନେକ କିଛି କରିବା ପାଇଁ ପଡ଼ିବ । ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଅପୂର୍ଣ୍ଣତା ଏବଂ ଅସମାନତା ଉଦ୍‌ବେଗଜନକ ହୋଇ ରହିଛି । ୧୯୯୧ ରୁ ୨୦୦୧ ଭିତରେ ଯଦିଓ ରାଜ୍ୟର ମୋଟ୍‌ ସାକ୍ଷରତା ହାର ୧୫% ବୃଦ୍ଧି ପାଇଛି (୪୯.୦୯% ରୁ ୬୩.୬୧%) ତଥାପି ଆମେ ଖୁବ୍‌ ଖୁସି ହେବାର କାରଣ ନାହିଁ । କେ.ବି.କେ ଜିଲ୍ଲା ମାନଙ୍କରେ ସାକ୍ଷରତା ହାର ୫୦%ରୁ କମ୍‌ । ଏହା ସବୁଠୁ କମ୍‌ ମାଲ୍‌କାନାଗିରିରେ (୩୧.୨୬%) । ଲିଙ୍ଗଗତ ବୈଷମ୍ୟ କ୍ଷେତ୍ରରେ ସବୁଠୁ ପଛୁଆ ନବରଙ୍ଗପୁର, ଯେଉଁଠି ମହିଳା ସାକ୍ଷରତା ହାର ମାତ୍ର ୧୧.୦୨% । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ସାକ୍ଷରତା ହାର ଯଥାକ୍ରମେ ୮୦.୯୫% ଏବଂ ୬୦.୪୪% । ସାମାଜିକ ବର୍ଗୀକରଣକୁ ହିସାବକୁ ନେଲେ ଜନଜାତି ଏବଂ ହରିଜନ ମାନଙ୍କ କ୍ଷେତ୍ରରେ ଏ ସ୍ଥିତି ତ ସ୍ପର୍ଶକାତର । ସାମାନ୍ୟ ଭିତରକୁ ଗଲେ ଆମେ ପାଇବା ଯେ ଉଚ୍ଚ ପ୍ରାଥମିକ ଶିକ୍ଷା ପରେ ମାଧ୍ୟମିକ ଶିକ୍ଷା ସଂପୂର୍ଣ୍ଣ କରୁଥିବା ଛାତ୍ର ଏବଂ ଛାତ୍ରୀଙ୍କ ସ୍ଥିତି ଯଥାକ୍ରମେ ୮.୫% ଓ ୪.୧% । ଏଣେ ପ୍ରାଥମିକ ସ୍କୁଲରେ ଦାଖଲ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୯୪୭-୪୮ ରୁ ୨୦୦୩-୦୪ ମଧ୍ୟରେ ଯଦିଓ ୩୦ ଗୁଣ ବଢ଼ିଛି, ୧୯୮୦ ଏବଂ ୧୯୯୦ ଦଶକକୁ ବିଚାରକୁ ନେଲେ ଏ କ୍ଷେତ୍ରରେ ଆମର ଭେଟ ହେବ ନୈରାଶ୍ୟଜନକ ସ୍ଥାଣୁତା ସହିତ । ଅର୍ଥାତ୍‌, ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏଇ ଦୁଇ ଦଶନ୍ଧି ମଧ୍ୟରେ ବାର୍ଷିକ ଅଭିବୃଦ୍ଧି (!) ଚିନ୍ତାର କାରଣ ! ୧୯୮୦ରୁ ୧୯୯୦ ଦଶକ ମଧ୍ୟରେ ପ୍ରାଥମିକ ସ୍କୁଲରେ ଦାଖଲ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି (-) ୨.୭୧% ଏବଂ ୨.୭୮୪ । ସେହିପରି ଉଚ୍ଚ ପ୍ରାଥମିକ ସ୍ତରରେ ଏହା ୫.୮୬% ଏବଂ (-) ୧.୭୪% ଏବଂ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏହା ୯.୭୬% ଏବଂ ୪.୧୩% । ଏପରିକି ଥରେ ସ୍କୁଲରେ ଦାଖଲ ହେବା ପରେ ଲଗାତର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀ ସଂଖ୍ୟା ବି ଉତ୍ସାହଜନକ ନୁହେଁ । ଛାତ୍ରମାନଙ୍କ କ୍ଷେତ୍ରରେ ଏହା ୫୩.୪୪ ଶତାଂଶ ଏବଂ ଛାତ୍ରୀ ମାନଙ୍କ କ୍ଷେତ୍ରରେ ଏହା ୪୬.୭୧ ଶତାଂଶ । ପୁଣି ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଏଇ ସ୍ଥିତି ଛାତ୍ରମାନଙ୍କ କ୍ଷେତ୍ରରେ ସର୍ବାଧିକ ୨୪.୭୨ ଶତାଂଶ ଏବଂ ଛାତ୍ରୀମାନଙ୍କ କ୍ଷେତ୍ରରେ ୧୮.୨୯ ଶତକଡା । ମଧ୍ୟାହ୍ନ ଭୋଜନ ପ୍ରଚଳନ ଯଦିଓ ପରିବର୍ତ୍ତନ ଆଣୁଛି, ତଥାପି ଉଚ୍ଚ ପ୍ରାଥମିକ ସ୍ତରରେ ଅନ୍ତତଃ ୫୯ ଶତକଡା ଛାତ୍ରଛାତ୍ରୀ ପଢା ଶେଷ କରୁନାହାନ୍ତି । ସମସ୍ୟା ଏତିକି ନୁହେଁ । ଯେତିକି ଶିକ୍ଷକ ଆମର ରହିବା କଥା ସେତିକି ନାହାନ୍ତି । ଯେଉଁମାନେ ବି ଅଛନ୍ତି ସେମାନଙ୍କ ବୃତ୍ତିର ସ୍ଥିରତା ନାହିଁ । ଶିକ୍ଷକ ମାନଙ୍କ ତାଲିମ ଏ ଯାଏଁ ପ୍ରଭାବଶାଳୀ ହୋଇପାରିନାହିଁ । ଶିକ୍ଷା ବର୍ଷରୁ ଅଧେ ସମୟ ବିତିଯାଉଥିଲେ ବି ପିଲାମାନଙ୍କୁ ପାଠ୍ୟ ପୁସ୍ତକ ମିଳିପାରୁନାହିଁ । ଏବଂ ସବୁଠୁ ଦୁଃଖ ହେଉଛି ପ୍ରାଥମିକ ଶିଷା ଯେତିକି ରୋଚକ ହେବା କଥା ସେତିକି ହୋଇପାରୁ ନାହିଁ । ଅନ୍ୟପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ସମାନ୍ତରାଳ ଅଭିବୃଦ୍ଧି ଘଟୁଛି । ମୋଟା ଦରମା/ ଫି ଦେଇ ପିଲାମାନେ ସେଠି ପଢ଼ିବା ପାଇଁ ଏକରକମ ବାଧ୍ୟ ହେଉଛନ୍ତି । ଅର୍ଥାତ୍‌ ରାଜ୍ୟରେ କେବଳ ଉଚ୍ଚ ଶିକ୍ଷା ନୁହେଁ, ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ଦ୍ରୁତ ବ୍ୟବସାୟୀକରଣ ଭିତ୍ତି କରିଛି ପ୍ରାଶାସନିକ ଉଦାସୀନତାକୁ । ଗତ କେଇବର୍ଷ ଧରି ପ୍ରାଥମିକ ଶିକ୍ଷା ଉପରେ କରାଯାଇଥିବା ମୂଲ୍ୟାୟନ (‘ଅସର'ର ଅଧ୍ୟୟନ ଅନ୍ତର୍ଭୁକ୍ତ) ସ୍ପଷ୍ଟ କରିସାରିଛି ଯେ ଏ କ୍ଷେତ୍ରରେ ଆମର ଗୁଣାତ୍ମକ ଉପଲବ୍ଧି ନାହିଁ । ଠେଲି ପେଲି କୌଣସି ପ୍ରକାର ହାଇସ୍କୁଲ ଶିକ୍ଷା ଶେଷ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଅନ୍ତତଃ ୬୦ ଭାଗ ସେମାନଙ୍କ ମାତୃଭାଷାରେ ଶୁଦ୍ଧ ପାରାଗ୍ରାଫ୍‌ଟିଏ ଲେଖିପାରିବାର କ୍ଷମତା ରଖନ୍ତି ନାହିଁ । ତୃଣମୂଳ ସ୍ତରରେ ସମସ୍ୟା ବି ବସା ବାନ୍ଧିଛି । ନିକଟରେ ଅବସର ନେଇଥିବା ଜଣେ ଶିକ୍ଷକଙ୍କର ମତ ଯେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଶିକ୍ଷାର ବାତାବରଣ ହିଁ ନାହିଁ । ସ୍କୁଲ ପରିଚାଳନାକୁ ନେଇ ଗଢା ହୋଇଥିବା ଭି.ଇ.ସି ପରି କମିଟି ସଂପୃକ୍ତ ଶିକ୍ଷାୟତନର ଶିକ୍ଷାଦାନ ଉପରେ ଗୁରୁତ୍ଵ ନଦେଇ ସ୍କୁଲର ନିର୍ମାଣ/ସଂପ୍ରସାରଣ/ନବୀକରଣ ଏବଂ ତଦୁପରାନ୍ତ ଲାଭାଂଶ ବଣ୍ଟନ ନେଇ ବ୍ୟସ୍ତ । ଯେଉଁଠି ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ନେଇନାହିଁ, ସେଠି ଏବେ ବି ଏହା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରୁଛି । ଏଣେ ଜନଗଣନାଠାରୁ ଆରମ୍ଭ କରି ଭୋଟର ତାଲିକା ସଂଶୋଧନ, ବିପିଏଲ୍‌ ସର୍ଭେ ଏବଂ ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ପୃଥକ୍‌ ପ୍ରଶାସନିକ ପରିସର ଶିକ୍ଷକମାନଙ୍କୁ ବରାବର ସେମାନଙ୍କ ମୁଖ୍ୟସ୍ରୋତରୁ (ଶିକ୍ଷାଦାନ) ଦୂରେଇ ରଖୁଛି । ବୁଦ୍ଧିଜୀବୀଙ୍କ ମତ ଯେ ଶିକ୍ଷକସମାଜର ଦ୍ରୁତ ରାଜନୀତିକରଣ ପ୍ରତ୍ୟକ୍ଷ ଭାବରେ ସରକାର ହିଁ ସମ୍ଭବ କରାଉଛନ୍ତି - ସେମାନଙ୍କୁ ନିଜ ପରିଧି ବାହାରେ ମୁତୟନ କରି । ଏ ସ୍ଥିତିରେ ସ୍କୁଲରେ ପାଠପଢ଼ା କଣ ହେବ ?

 

ଶିକ୍ଷା ବାବଦରେ ଆମର ନିଜ ବ୍ୟୟବରାଦ ମଧ୍ୟ ଆଖିଦୃଶିଆ ନୁହେଁ । ୧୯୯୦-୯୧ରୁ ୨୦୦୦-୦୧ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ବ୍ୟୟ ଅଭିବୃଦ୍ଧି ଥିଲା ମାତ୍ର ୨% । ଏବେ ସାମାନ୍ୟ ସାନ୍ତ୍ୱନା ଯେ ଓଡ଼ିଶା ତାର ମୋଟ୍‌ ଘରୋଇ ଉତ୍ପାଦନର ଅନ୍ତତଃ ୬ଶତାଂଶ ଖର୍ଚ୍ଚ କରୁଛି ଶିକ୍ଷାରେ । ତେବେ ୧୯୫୧ - ୫୨ରୁ ୨୦୦୦-୦୧ ମଧ୍ୟରେ ପ୍ରାଥମିକ/ଉଚ୍ଚ ପ୍ରାଥମିକ ସ୍ତରରେ ଛାତ୍ରପିଛା ସରକାରୀ ବ୍ୟୟ ବଢ଼ିଛି ମାତ୍ର ୨.୮ ଗୁଣ । ପୁଣି ସରକାର ସ୍କୁଲ ଶିକ୍ଷା ବାବଦରେ ଖର୍ଚ୍ଚ କରୁଥିବା ଅର୍ଥର ୯୫ ପ୍ରତିଶତ ହେଉଛି କେବଳ ଶିକ୍ଷକମାନଙ୍କ ଦରମା । ଏହା ସରକାରୀ ପରିସଂଖ୍ୟାନ । ଏଥିରେ କ'ଣ ଗୁଣାତ୍ମକ ଅଭିବୃଦ୍ଧି ସମ୍ଭବ ? ଓଡ଼ିଶା ପରି ରାଜ୍ୟରେ ଆହୁରି ବିଡ଼ମ୍ୱନା ଯେ ଏଠି ଭୂତ ସ୍କୁଲ ଏବଂ ଭୂତ ଶିକ୍ଷକମାନେ ବି ଆରାମରେ ଅଛନ୍ତି । କିଛି ଶିକ୍ଷକ ବଦଳିଆରେ କାମ ଚଳେଇଛନ୍ତି । ବୌଦ୍ଧ ପରି ଜିଲ୍ଲାରେ ୩୬୫ ଟି ରାଜସ୍ୱ ଗ୍ରାମରେ ଆଜିବି ପ୍ରାଥମିକ ବିଦ୍ୟାଳୟଟିଏ ନାହିଁ । ଓଡ଼ିଶାରେ ଶିକ୍ଷା ଅଧିକାର ଆଇନ୍‌ ଲାଗୁ ହୋଇସାରିଲାଣି । ସହସ୍ରାବ୍ଦୀ ବିକାଶରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସରକାର ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଆଣନ୍ତୁ, ସଂସ୍କାର ଆଣନ୍ତୁ- ମନା ନାହିଁ । ‘‘ତା ସହିତ ହାତୀ ପିଠିରେ ବସିଛି ବାଘ.....ବାଘ ପିଠିରେ ଛେଳି’’ ମାର୍କା ଅଜବ/ଅବାସ୍ତବ ସିଲାବସ୍‌ରେ ବୈପ୍ଳବିକ ପରିବର୍ତ୍ତନ ଆସୁ । ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯାଉ । କିନ୍ତୁ ଶୃଙ୍ଖଳା ନାଁରେ ଗୋଲାପୀ ଶାଢୀ ଏବଂ କଳା ବ୍ଲାଉଜ୍‌ ଆମ ଶିକ୍ଷା ସଂସ୍କାରର ମାର୍ଗଦର୍ଶକ ନ ହେଉ ।

Image

 

ଚନ୍ଦକା ଜଙ୍ଗଲର କାହାଣୀ

 

ତା୦୧.୦୪.୨ ୦୧୦ । ସନ୍ଧ୍ୟା ହେବା ପାଇଁ ତଥାପି କିଛି ସମୟ ବାକିଥାଏ । ଆମେ ଠିଆ ହୋଇଥିଲୁ ଚୂଡ଼ଙ୍ଗଗଡ଼ ଦୁର୍ଗର ଭଗ୍ନାବଶେଷ ନିକଟରେ । ଏକଦା ଘଞ୍ଚ ଜଙ୍ଗଲ ଥିବା ଏଇ ଅଞ୍ଚଳରେ ଦୁର୍ଗ ତିଆରି ହୋଇଥିଲା ଦ୍ୱାଦଶ ଶତାବ୍ଦୀରେ । ସେଦିନ ଆମ ସହିତ ଥିଲେ ଚନ୍ଦକା ବନଖଣ୍ଡ ଅଧିକାରୀ । ସେ କହୁଥାନ୍ତି, ଆଉ ଏକ ପ୍ରାଚୀନ ଦୁର୍ଗର ଅବଶେଷ ଆପଣ ପାଇବେ ଚୁଆଳିଗଡ଼ରେ । ରାଜା ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱ କାଳରେ ନିର୍ମିତ ଏଇ ଦୁର୍ଗମାନଙ୍କର ପୁନରୁଦ୍ଧାର ହେବାର ଅବସ୍ଥା ନଥିଲା, ତେବେ ଚୂଡ଼ଙ୍ଗଗଡ଼ ଦୁର୍ଗର ସୀମା ଚିହ୍ନଟ କରୁଥିବା ପଥର ପାଚେରିର କିଛି ଅଂଶ ଏବଂ ଦୁର୍ଗର ସ୍ଥାପତ୍ୟ ଏବେ ବି ଦର୍ଶକକୁ ବାନ୍ଧି ରଖିବା ପାଇଁ ଥିଲା ଯଥେଷ୍ଟ, । ଆମଠୁ ମାତ୍ର କେଇ ମିଟର ଦୂରରେ ଡିଆଁ ମାରି ରାସ୍ତା ଉପରକୁ ଉଠିଲା ଠେକୁଆଟିଏ-। କେତେ ସେକେଣ୍ଡ ସେଇଠି ବସି କାନ ଡେରି ଚାରିଆଡ଼କୁ ଚାହିଁଲା । ଆମେ ଜିପ୍‌ ପାଖକୁ ଫେରି ଆସିଥିଲୁ । ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି ତରଫରୁ ଦଶଦିନିଆ ଅଧ୍ୟୟନ କ୍ରମରେ ଚନ୍ଦକାକୁ ଆସିଥିବା ଦୁଇଜଣ ଯୁବ ଗବେଷକ ସାମିଲ୍‌ ଥିଲେ ଆମ ସହିତ । ଚନ୍ଦକା ଉପରେ ସଂକ୍ଷିପ୍ତ ଆଲୋକପାତ କରୁଥିଲେ ଡିଏଫ୍‌ଓ । ଏ ଜଙ୍ଗଲର ଶେଷ ବାଘ ଲମ୍ଫ ମାରିଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୬୭ରେ । ତାପରେ ଏଠି ଆଉ ବାଘ ନାହାନ୍ତି । ତେବେ ଜୈବ ବିବିଧତା ଏବଂ ନିଜର ଅନନ୍ୟ ସୌନ୍ଦର୍ଯ୍ୟ ପାଇଁ ଚନ୍ଦକା ଆକର୍ଷିତ କରୁଛି ବାର୍ଷିକ ପ୍ରାୟ ୧୫ହଜାର ପର୍ଯ୍ୟଟକଙ୍କୁ । ଇକୋ ଟୁରିଜିମ୍‌ (ପ୍ରକୃତି ପର୍ଯ୍ୟଟନ) ଯୋଜନାରେ ଭିତ୍ତିଭୂମିର ବିକାଶ ଜାରି ରହିଛି-। ଆମେ ବୁଆଳିଗୁଡ଼ରେ ପହଞ୍ଚିବା ବେଳକୁ ଜଙ୍ଗଲରେ ରାତି ହୋଇ ସାରିଥିଲା । ମୋର ମନେ ପଡ଼ିଲା, ଲମ୍ଫ ମାରିଥିବା ସେ ମହାବଳ ବାଘର ନାଁ ନନ୍ଦନକାନନ କର୍ତ୍ତୃପକ୍ଷ ଦେଇଥିଲେ 'କାନନ' ।

 

ରାଜ୍ୟ ରାଜଧାନୀଠୁ ମାତ୍ର ୨୦ କିମି ଦୂର ଚନ୍ଦକା- ତମପଡ଼ା ଅଭୟାରଣ- : ପୂର୍ବଘାଟ ପର୍ଵତମାଳାର ଉତ୍ତରପୂର୍ବ ସୀମାରେ । ଏକଦା ଏହା ବିସ୍ତୃତ ମଧ୍ୟ ଭାରତ ଅରଣ୍ୟ ଶୃଙ୍ଖଳାରେ ହାତୀଙ୍କ ଭୂସ୍ୱର୍ଗ ଭାବରେ ପରିଚିତ ଥିଲା । ଅଭୟାରଣ୍ୟର ଆରଣ୍ୟକ ଚରିତ୍ର ପର୍ଣମୋଚି । ତେବେ ଠାଏ ଠାଏ ଆପଣ ପାଇବେ ଚିରହରିତ୍‌ ବୃଷରାଜି । ଯାହା ପର୍ଯ୍ୟଟକଙ୍କ ଦୃଷ୍ଟିରୁ ଏଡ଼େଇ ଯିବ ନାହିଁ ତାହା ହେଉଛି ଜଙ୍ଗଲର ବେଶ୍‌ କିଛି ଅଞ୍ଚଳରେ ବଢ଼ିଥିବା କଣ୍ଟାବାଉଁଶ ବୁଦା । ହାତୀର ପ୍ରିୟ ଖାଦ୍ୟ ବାଉଁଶ । ଆଗରୁ ଜଙ୍ଗଲରେ ବାଘ, କଲରାପତରିଆ, ସମ୍ବର, ହରିଣ, କୁଟ୍ରା, ବାର୍‌ହା ଏବଂ ଗୟଳ ପରି ଜନ୍ତୁଙ୍କ ସ୍ଥିତି ବେଶ୍‌ ଭଲ ଥିଲା । ଭୁବନେଶ୍ୱର ରାଜଧାନୀ ହେବା ପରେ ଜଙ୍ଗଲ ଉପରେ ଚାପ ବଢ଼ିଲା । ଏହାର କ୍ରମ ପରିଣତି ହେଲା ଦ୍ରୁତ ଜଙ୍ଗଲ କ୍ଷୟ, । ବିଶେଷ ଭାବରେ ହାତୀମାନଙ୍କର ଆବାସସ୍ଥଳୀ ବିପନ୍ନ ହେଲା । ୧୭୩ ବର୍ଗ କିମି ପରିମିତ ଏଇ ଜଙ୍ଗଲକୁ ଅଭୟାରଣ୍ୟର ମାନ୍ୟତା ମିଳିଥିଲା ୧୯୮୨ରେ ।

 

ଆକାଶରେ ଜହ୍ନ ଆସିବା ବେଳକୁ ଆମେ ୨/୩ କିମି ଚାଲି ଆସିଥାଉ । ହାତୀ ପଲ ସେଦିନ ପାଖାପାଖି ଥିଲେ ବୋଲି ଜଣେ ରେଞ୍ଜ ଅଫିସର୍‌ ଡିଏଫ୍‌ଓଙ୍କୁ ଭିଏଚ୍‌ଏଫ୍‌ରେ କହିବା ପରେ ଆମେ ପୁଣି ଗାଡ଼ି ପାଖକୁ ଫେରି ଆସିଲୁ । ଜଣେ ଗବେଷକ ହାତୀ କଥା ଶୁଣିବା କ୍ଷଣି ତାଙ୍କ ପାଞ୍ଚସେଲିଆ ମ୍ୟାଗ୍‌ଲାଇଟ୍‌ଟର୍ଚ ଚାରିଆଡ଼କୁ ପକାଉଥାନ୍ତି । ପ୍ରାୟ ୩୦।୪୦ ମିଟର ଦୂରରେ ଟର୍ଚ ଆଲୁଅ ପଡ଼ିଲା ଗୋଟିଏ କୁନି ହରିଣ ଛୁଆର ମୁହଁ ଉପରେ । ନୀଳ ନୀଳ ଦିଶୁଥାଏ ତାର ଆଖିଯୋଡ଼ିକ । ମା ହରିଣ ସମ୍ଭବତଃ ଟିକିଏ ଆଗରୁ ଚାଲିଯାଇଥାଏ । ହଠାତ୍‌ହରିଣ ଛୁଆଟି ଦୌଡ଼ିବା ଆରମ୍ଭ କଲା । ତାକୁ ଲକ୍ଷ୍ୟ କରି ଟର୍ଚ ଆଲୁଅ ବି ଆଗକୁ ପଡ଼ୁଥାଏ । 'ଟର୍ଚ ବନ୍ଦ କରନ୍ତୁ’ କହି ଆଖି ପିଛୁଳାକେ ଟର୍ଚ ଛଡ଼େଇ ଆଣିଲେ ତିଏଫ୍‌ଓ । ଭାଇ, ମାରିବ ମୋ ଛୁଆଟାକୁ ନା କଣ-? ଖୁବ୍‌ବ୍ୟସ୍ତ ହୋଇ ପଡ଼ିଥାନ୍ତି ସେ । ଯୁବ ଗବେଷକ ସେତେବେଳକୁ ୨।୩ଥର ‘ସରି ସାର୍‌' କହିସାରି ଥାନ୍ତି । ଟର୍ଚରେ ହରିଣ ଛୁଆର କଣ କ୍ଷତି ହେବ ବୋଲି ମୁଁ ଡିଏଫ୍‌ଓଙ୍କ ପଚାରିଥିଲି । ସେ କହିଲେ, ଏତେ ଶକ୍ତିଶାଳୀ ଟର୍ଚ ଆଲୁଅ ଛୁଆ ଆଖିରେ ପଡ଼ିଲେ ସେ ଆଉ କିଛି ଦେଖିପାରିବନି । ତା ଭୟରେ ଦୌଡ଼ିବା ପାଇଁ ଚେଷ୍ଟା କରି ସେ ଗଛରେ ବାଡ଼େଇ ହୋଇଥାନ୍ତା । କିଏ ଜାଣେ ଆମରି ଆଗରେ ଛଟପଟ ହୋଇ ମରି ବି ଯାଇଥାନ୍ତା ! ନିଜ ତତ୍ତ୍ୱାବଧାନରେ ଥିବା ଜଙ୍ଗଲ ଏବଂ ଏହାର ଜୀବଜନ୍ତୁଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ସେଇ ଉତ୍ତରରୁ ସ୍ପଷ୍ଟ ବାରି ହେଉଥିଲା-। କିଛି ସମୟ ପରେ ଆମେ ପହଞ୍ଚି ସାରିଥିଲୁ କୁମାରଖୁଣ୍ଟିରେ । ୧୯୯୪ରେ ନିର୍ମିତ ଏଇ ଓ୍ୟାଚ୍‌ଟା ଓ୍ୟାର୍‌ରୁ ଜହ୍ନ ଆଲୁଅରେ ଚନ୍ଦକା ଅପୂର୍ବ ଲାଗୁଥାଏ ସେତେବେଳକୁ । ହାତୀ ଉପରେ ଆରମ୍ଭ ହେଲା ଆମର ଆଲୋଚନା । ଡିଏଫ୍‌ଓ କହିଲେ, ୨୦୦୭ ଗଣନା ଅନୁସାରେ ଏଠି ହାତୀ ସଂଖ୍ୟା ଥିଲା ୬୭, ତେବେ କ୍ରମାଗତ ଜଙ୍ଗଲ କ୍ଷୟ ଏବଂ ଅଭୟାରଣ୍ୟ ଭିତରେ ଜନବସତି ହାତୀ ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ନିରାପତ୍ତା ହାନିର ମୁଖ୍ୟ କାରଣ ହୋଇଛି । ଅଭୟାରଣ୍ୟ ଭିତରେ ଏବେ ବି ଅଛି ଗୋଟିଏ ରାଜସ୍ୱ ଗ୍ରାମ ଏବଂ ପାଞ୍ଚଟି ଜନବସତି (ପିଠାଖିଆ, ନୂଆକୂଅ ଏବଂ ଢୋଲକାଠ ଆଦି) । ଜଙ୍ଗଲ ଭିତରେ ରହୁଥିବା ପରିବାର ସଂଖ୍ୟା ଅନ୍ୟୂନ ୩୭୫ ଏବଂ ଲୋକସଂଖ୍ୟା ୧୩୨୨ । ଏହା ବ୍ୟତୀତ ଅଛନ୍ତି ୧୩୧ ଅନୁପ୍ରବେଶକାରୀ ପରିବାର । ସରକାରଙ୍କ ସ୍ଥାନାନ୍ତରୀକରଣ ଯୋଜନା ଏଠି ଖୁବ୍‌ ସଫଳ ହୋଇପାରିନାହିଁ । ଅନ୍ୟ ପକ୍ଷରେ ପ୍ରତ୍ୟକ୍ଷ ଭାବରେ ୨ ବର୍ଗ କିମି ଅଞ୍ଚଳ ଜଙ୍ଗଲ ଅଛି ଏମାନଙ୍କ ଦଖଲରେ । ଚଳପ୍ରଚଳ, କୋଳାହଳ, ଡାକବାଜି ଯନ୍ତ୍ରର ବ୍ୟବହାର ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପରିବ୍ୟାପ୍ତ ଅନ୍ତତଃ ୩୦ ବର୍ଗ କିମି ଅଞ୍ଚଳକୁ । ଚନ୍ଦକାର ବନ୍ୟପ୍ରାଣୀ ମାନଙ୍କ ପାଇଁ ଏହା ହିଁ ସବୁଠୁ ବଡ଼ ତ ବିପଦ । ସେତିକି ନୁହେଁ, ଅଭୟାରଣ୍ୟ ପରିସୀମାର ୫କିମି ବ୍ୟାସାର୍ଦ୍ଧ ଭିତରେ ମୁକ୍ତ ଚାରଣ କରନ୍ତି ୭୦,୦୦୦ ଗାଈ, ଛେଳି ଓ ମଇଁଷି । ଜଙ୍ଗଲର ପ୍ରାକୃତିକ ନବୀକରଣରେ ଚାରଣ ହିଁ ମୁଖ୍ୟ ଅନ୍ତରାୟ ।

 

ରାତି ୧୦ଟା ବାଜି ସାରିଥାଏ । ଆମେ ଆଜି ବାମ୍ବୁ ହଟ୍‌ରେ ରହିବା । ପ୍ରସ୍ତାବ ଦେଲେ ଡିଏଫ୍‌ଓ । ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ ବ୍ୟବସ୍ଥା ଅଛି ଡେରାସରେ, ତମପଡ଼ା ଫରେଷ୍ଟ ବଙ୍ଗଳା, ଅମ୍ବିଲୋ ଏବଂ କୁମାର ଖୁଣ୍ଟି ଓ୍ୟାଚ୍‌ ଟାଓ୍ୟାର୍‌ରେ । ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡିବାରି । ଦାସପୁର ଏବଂ ଭୋଳା ଆରକ୍ଷିତ ଜଙ୍ଗଲ ମଝିରେ ଯାଇଥିବା ଶେର୍‌ଶାହ ସୁରିଙ୍କ ଷୋଡ଼ଶ ଶତାବ୍ଦୀରେ ନିର୍ମିତ ଗ୍ରାଣ୍ଟ ଟ୍ରଙ୍କ୍‌ ରୋଡ଼୍‌ ଧାରରେ ଅବସ୍ଥିତ ଗୋଡ଼ିବାରିର ସୁଦୃଶ୍ୟ ପ୍ରବେଶ ଦ୍ଵାର । ତାହା ଡେରାସ ଅଭୟାରଣ୍ୟର ଅନ୍ୟତମ ପ୍ରବେଶ ପଥ । ୨୦୦୫ ରେ ତିଆରି ହୋଇଥିବା ଦୁଇବଖୁରିଆ ବାଉଁଶ ଘର ପାଖରେ ଏବେ ତିଆରି ହୋଇଛି ଆଉ ଦୁଇ ବଖରା କାଠର ଘର । ଡେରାସ୍‌ ଡ୍ୟାମ୍‌ ଉପରୁ ଜହ୍ନରାତି ବେଶ୍‌ ଉପଭୋଗ୍ୟ । ଅଭୟାରଣ୍ୟରେ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନମାନଙ୍କ ଭିତରେ ଅଛି କୋଚିଲା ବେରଣା, ବାଉଁଶ ବେରଣା, ନଅରଥଳି, ଶାଳବାରି, ମାଣ୍ଟୁ ଓ ଝଲରା । ଜଙ୍ଗଲ ଭିତରେ ଅଛନ୍ତି ପ୍ରତ୍ୟକ୍ଷ ଆମ୍ବ ଖଳି ଠାକୁରାଣୀ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଠାକୁରାଣୀଙ୍କୁ ମହାସମାରୋହରେ ଆରାଧନା କରାଯାଏ । ଏଥିପାଇଁ ଅନ୍ଧାରୁଆ ଗାଁରୁ ଆସେ ତେଲ, ଭୋଳାରୁ କ୍ଷୀର ଏବଂ ଘିଅ । ସେଦିନ ଶୋଇବା ଆଗରୁ ଡିଏଫ୍‌ଓଙ୍କୁ ଆମେ ଅଭୟାରଣ୍ୟର ଜୀବଜନ୍ତୁଙ୍କ କଥା ପଚାରିଥିଲୁ । ସେ କହିଲେ ଯେ ଅଭୟାରଣ୍ୟର ଅନ୍ତତଃ ୩୭ ଭାଗ ଅଞ୍ଚଳରେ ବହଳ ଜଙ୍ଗଲ ଅଛି । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦକାରେ ଅଛନ୍ତି ଭାଲୁ, ଗଧିଆ, ହରିଣ, ବାର୍‌ହା, ଶାଳିଆପତନି, ଅଜଗର ଏବଂ ଇଗଲ୍‌-। କେତେଦିନ ତଳେ ଜଣେ ପର୍ଯ୍ୟଟକ କଲରାପତରିଆ ଦେଖିଥିଲେ ବୋଲି ମଧ୍ୟ ପ୍ରକାଶ କରଛନ୍ତି-

 

ଡେରାସରେ ସୂର୍ଯ୍ୟୋଦୟ ଚମତ୍କାର ଲାଗୁଥିଲା । ସକାଳୁ ଆମେ ନେଚର୍‌ ଟ୍ରେକ୍‌ରେ ବାହାରି ପଡ଼ିଲୁ । ପ୍ରାୟ ଦୁଇଘଣ୍ଟାର ଟ୍ରେକିଂ ଭିତରେ ଆମେ ଦେଖିଥିଲୁ ଦୁଇଟି ବୃହତ୍‌ ଫିସିଂ ଇଗଲ୍‌, ଗୋଟିଏ ଜାଗାରେ ୧୦।୧୨ଚି ବଣ କୁକୁଡ଼ା, ୩ଟି ମୟୂର ଏବଂ ଏକ ଜଳାଶୟରେ ଗୋଟିଏ ପାରାଡ଼ାଇଜ୍‌ ଫ୍ଲାଇ କ୍ୟାଚର୍‌ । ଅପରାହ୍ନରେ ଆମେ ଜିପ୍‌ରେ ବୁଲି ବାହାରିଲୁ ଅଭୟାରଣ୍ୟ ଭିତରକୁ । ଡେରାସଠୁ ଅମ୍ବିଲୋ ଯିବା ରାସ୍ତାରେ ହଠାତ୍‌ ଗୋଟିଏ ଜାଗାରେ ବ୍ରେକ୍‌ଦେଲା ଡ୍ରାଇଭର୍‌ । କଣ ହେଲା ? ମୁଁ ପଚାରିଲି । ସାର୍‌, ଆଗ ବାଁ ପାଖ ଗଛରୁ ଏ ପାଖ ଗଛକୁ ଡିଆଁ ମାରିଲା ଜାଏଣ୍ଟ୍‌ ସ୍କୁଇରେଲ୍‌। ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇ ନଥାଏ । ଆମ ଡାହାଣ ପାଖ ଶାଳ ଗଛର ଡାଳରେ ବସି ତଳକୁ ଚାହିଁଥାଏ କଉତୁକିଆ ଜାଏଣ୍ଟ ସ୍କୁଇରେଲ ଟିଏ (ବେଲରା ମୂଷା) । ଲାଗୁଥାଏ, ଯେମିତି ଫଟୋଗ୍ରାଫ୍‌ ଦେବା ଭଙ୍ଗୀରେ ଆମକୁ ଚାହିଁଛି । ଡିଏଫ୍‌ଓ ଖୁବ୍‌ଖୁସି ଜଣାପଡ଼ୁଥାନ୍ତି । ବେଲରା ମୂଷାଙ୍କ ସ୍ଥିତି କେବଳ ଚନ୍ଦକାରେ ନୁହେଁ, ସବୁଠି ଭାରି କମ୍‌ । ନିଶ୍ଚିହ୍ନ ପ୍ରାୟ ବିରଳ ଜୀବ ଭାବରେ ଏହା ଆଇଯୁସିଏନ୍‌ ରେଡ୍‌ବୁକ୍‌ରେ ସ୍ଥାନ ପାଇସାରିଛି । ଏହାର ଲାଞ୍ଜ ଦେହ ତୁଳନାରେ ଲମ୍ବା ଏବଂ ପେଟ ପାଖ ଧଳା । ଗୋଟାଏ ଖେପାରେ ୫ମିଟର ପର୍ଯ୍ୟନ୍ତ ଡାଳକୁ ଡାଳ ଡିଆଁ ମାରିପାରେ ଏହି ମୂଷା ।

 

ରାତ୍ରିଭୋଜନ ପରେ ଆମେ କୁମାରଖୁଣ୍ଟିରେ ରହିବୁ ବୋଲି ସ୍ଥିର ହୋଇଗଲା । ଡିଏଫ୍‌ଓଙ୍କ ଲାପ୍‌ଟପ୍‌ରେ ଚନ୍ଦକା ଉପରେ ଏକ ବୃତ୍ତ ଚିତ୍ର ଦେଖିବା ପରେ ଆମେ ଜିପ୍‌ରେ ବସିଲୁ-। ୨।୩ କିମି ଯାଇଛୁ ନା ନାହିଁ, ଡାହାଣକୁ ଗୋଟାଏ ମୋଡ଼ ବୁଲିବା କ୍ଷଣି ହଠାତ୍‌ ବ୍ରେକ୍‌ କଷିଲା ଡ୍ରାଇଭର୍‌ । ଆମଠୁ ପ୍ରାୟ ୩୦।୪୦ ଫୁଟ ଦୂରରେ ଥିଲେ ଗୋଟାଏ ଛୁଆ ହାତୀକୁ ମିଶେଇ ୬ଟି ହାତୀ । ଆମକୁ ଡର ତ ଲାଗୁଥିଲା, ହେଲେ ଭାରି ଖୁସି ବି ଲାଗୁଥିଲା ଯେ ଜଙ୍ଗଲରେ ଆମର ହାତୀ ସହିତ ଭେଟ ହେଲା । ଡ୍ରାଇଭର୍‌ ବ୍ୟାକ୍‌ ଗିଅରରେ ଜିପ୍‌ କିଛି ବାଟ ପଛକୁ ନେବାବେଳେ ଡିଏଫ୍‌ଓ କହିଲେ, ‘‘ଗଲା ବର୍ଷ ରାତିରେ ୩ଘଣ୍ଟା କାଳ ଅଟକି ରହିଥିଲି ଗୋଡିବାରି ଫେରିବା ରାସ୍ତାରେ- ଏମିତି ପଲେ ହାତୀଙ୍କ ପାଇଁ । ମୁଁ ପଛକୁ ଫେରିବାକୁ ଚାହୁଁନଥିଲି-। ହାତୀପଲ ବି ଜିଦ୍‌କରିବା ପରି ପ୍ରାୟ ୩ଘଣ୍ଟା କାଳ ରାସ୍ତାରୁ ହଟି ନଥିଲେ ।’’

(ସମ୍ବାଦ ତା ୦୯/୦୪/୨୦୧୦)

Image

 

ଆମ ହାତରେ ଆମ ଭାଗ୍ୟ

 

ଗୋଷ୍ଠୀ ଜୀବନରେ ସାର୍ବଜନୀନ ସଂପଦ/ସମ୍ବଳର ଉପଯୋଗ ନେଇ ଆମେ ହୁଏତ ସଚେତନ । ତେବେ ବର୍ଷ ବର୍ଷ ଧରି ଆମର ବଦ୍ଧମୂଳ ଧାରଣା ରହିଛି ଯେ ରାଷ୍ଟ୍ରୀୟ ନଚେତ୍‌ ବ୍ୟକ୍ତିଗତ ପରିଚାଳନା ଅଭାବରେ ଏ ସବୁର ସଦୁପଯୋଗ ପ୍ରାୟ ଏକ ଅସମ୍ଭବ ବ୍ୟାପାର । ଏକଥା ବି ସତ ଯେ ଆମର ଏଇ ଧାରଣାକୁ କ୍ରମାଗତ ଭାବେ ଦୃଢ଼ କରିବାରେ ରାଷ୍ଟ୍ରର (ବା ବ୍ୟବସ୍ଥାର) ସକ୍ରିୟ ଭୂମିକାଟିଏ ରହିଛି । ସେଥିପାଇଁ ଆମ ଗାଁ ନଈର ପାଣି କି ମାଛ ଆମର ନୁହେଁ-। ଆମ ଜଙ୍ଗଲ କି ଜମି ଆମର ନୁହେଁ । ଖଣିଠାରୁ ଖୁସି ପର୍ଯ୍ୟନ୍ତ ସବୁର ଭାଗ୍ୟବିଧାତା ହୁଏତ ଆମ ରାଷ୍ଟ୍ର, ନଚେତ୍‌ କୌଣସି ବୃହତ୍‌ ଘରୋଇ ଉଦ୍ୟୋଗ । ଅଥଚ ୨୦୦୯ର ନୋବେଲ୍‌ ପୁରସ୍କାରର ଅନ୍ୟତମ ବିଜେତା (ଅର୍ଥନୀତି) ଏଲିନର ଓଷ୍ଟ୍ରମ୍‌ ଏମିତି ଏକ ଅବଧାରଣାକୁ ତ୍ରୁଟିପୂର୍ଣ୍ଣ ବୋଲି ସାବ୍ୟସ୍ତ କରିଛନ୍ତି । ଏଥର ସମସ୍ତେ ଆଶା କରୁଥିଲେ ଯେ ଭୀଷଣ ଅର୍ଥନୈତିକ ମାନ୍ଦାବସ୍ଥା ପୃଷ୍ଠଭୂମିରେ ବଜାର ଭିତ୍ତିକ ଅର୍ଥନୀତିର ପ୍ରବକ୍ତାମାନଙ୍କୁ ନୋବେଲ୍‌ ପୁରସ୍କାର ମିଳିବ ନାହିଁ । ଅବିକଳ ତାହାହିଁ ଘଟିଛି । ଏ ବର୍ଷର ଦୁଇ ନୋବେଲ୍‌ ବିଜେତା ଗବେଷଣା ମୁଖ୍ୟସ୍ରୋତ ଅର୍ଥନୀତି ଚକଡ଼ା ବାହାରେ ହିଁ ଠାବ କରିଛନ୍ତି ଗୋଟାଏ ଅପେକ୍ଷାକୃତ ନୂଆ ପ୍ରସ୍ତକୁ। କେବଳ ବଜାର ନୁହେଁ, ମୌଳବାଦୀ ବଜାରନୀତି ନୁହେଁ, ବହୁ ରାଷ୍ଟ୍ରୀୟ ଉଦ୍ୟୋଗମାନଙ୍କର କସରତ ବି ନୁହେଁ- ଏସବୁର ବାହାରେ ବି ପରିଷ୍କାର ସଡ଼କଟିଏ ପଡ଼ିଛି ସାର୍ବଜନୀନ ପରିତ୍ରାଣକୁ । ଏଥରର ଆଲୋଚନା ଶ୍ରୀମତୀ ଓଷ୍ଟ୍ରମ୍‌ଙ୍କ ସେଇ ବଳିଷ୍ଠ ତତ୍ତ୍ଵକୁ ନେଇ ।

 

ଗୋଷ୍ଠୀ ସମ୍ବଳ କହିଲେ ଆମେ କେବଳ ପ୍ରାକୃତିକ ସମ୍ପଦକୁ ବୁଝିବା ନାହିଁ, କାରଣ ଆମେ ତିଆରି କରିଥିବା କିଛି ସମ୍ପଦ/ସମ୍ବଳ (ଯଥା ଜଳ ଯୋଗାଣ ବ୍ୟବସ୍ଥା) ବି ସେଇ ଭିତରେ ରହିବ । ତେବେ ଗୋଷ୍ଠୀ ସମ୍ବଳର ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ର ହେଉଛି ଏହାର ତୁଳନାତ୍ମକ ସ୍ଥାୟିତ୍ୱ । ପ୍ରାକୃତିକ ଦୁର୍ବିପାକକୁ ବାଦ୍‌ଦେଇ ଗୋଟାଏ ଗାଁ ତାର ଚାରଣଭୂମିକୁ ଦୀର୍ଘଦିନ ଧରି ଚିରହରିତ୍‌ ରଖିପାରିବ, ଯେ ଯାଏଁ ବ୍ୟକ୍ତିଗତ ସ୍ୱାର୍ଥ/ହସ୍ତକ୍ଷେପ ନଚେତ୍‌ ଅନିୟନ୍ତ୍ରିତ ଚାରଣ ଏକ ସଙ୍କଟଜନକ ସ୍ଥିତିରେ ନ ପହଞ୍ଚିଛି । ଏଇ ସାର୍ବଜନୀନ ସହଯୋଗ ରକ୍ଷା କରିପାରିବ ଆମ ଜଳସଂପଦ, ଜଙ୍ଗଲ, ଚାରଣ ଭୂମି ଏବଂ ପରିବେଶକୁ । ଏ ପାଠ ପୃଥିବୀ ପାଇଁ ଏକଦମ୍‌ ନୂଆ ନୁହେଁ । ଅନେକ ଦେଶ, ଅନେକ ସଂସ୍କୃତିରେ ଆପୋଷ ଉପଲବ୍ଧି ଗୋଷ୍ଠୀ ସମ୍ବଳର ଉପଯୁକ୍ତ ରକ୍ଷଣାବେକ୍ଷଣ କରିପାରିଛି । ଖୁବ୍‌ ଦୂରକୁ ଯିବାର ଆବଶ୍ୟକତା ନାହିଁ । ଆମ ରାଜ୍ୟରେ ଆଜି ବି କିଛି ଗାଁ ଅଛି ଯେଉଁଠି ଗୋଠ/ଗାଁ ଗାଡ଼ିଆ ପରି ସାର୍ବଜନୀନ ସଂପଦର ଯତ୍ନ ନିଆଯାଇ ପାରୁଛି । ପିଢ଼ି ପରେ ପିଢ଼ି ଗାଁ ବାଲା ସେଇ ଗାଡ଼ିଆରୁ ଦଳ ସଫା କରୁଛନ୍ତି । ଆବଶ୍ୟକ ହେଲେ ଗାଡ଼ିଆକୁ ଗଭୀର କରୁଛନ୍ତି । ପଙ୍କ କାଢ଼ୁଛନ୍ତି, ବଢ଼ି ଆସିଲେ ସେଥିରେ ନୂଆ ପାଣି ଛାଡ଼ୁଛନ୍ତି । ଚାନ୍ଦା କରି ମାଛ ଜାଆଁଳ ବଢ଼ାଉଛନ୍ତି ଆଉ ବର୍ଷ ଶେଷରେ ମାଛ ଧରା ହେଲେ ଗାଁର ସମସ୍ତଙ୍କ ଘରକୁ ସେ ମାଛ ଯାଉଛି । ଗୋଷ୍ଠୀ ସମ୍ପଦର ଉପଯୋଗ ନେଇ ଏଲିନରଙ୍କ ସୁଦୀର୍ଘ ଗବେଷଣା ଯୁକ୍ତରାଷ୍ଟ୍ରକୁ ବାଦ୍‌ଦେଲେ ବିସ୍ତୃତ ଭାରତ, ନେପାଳ ଏବଂ କେନିଆକୁ । ନେପାଳରେ ଗୋଷ୍ଠୀ ଉଦ୍ୟମରେ ପାରମ୍ପରିକ ଜଳସେଚନ ପ୍ରଣାଳୀ ଯଥେଷ୍ଟ ପ୍ରଭାବିତ କରିଛି ଓଷ୍ଟ୍ରମ୍‌ଙ୍କୁ । ପାରମ୍ପରିକ ପ୍ରଣାଳୀ ତୁଳନାରେ ସରକାର ତିଆରି କରିଥିବା ବୃହତ୍‌ ନଦୀବନ୍ଧ ଏମିତିରେ ଉପରକୁ ତ ଭାରି ସଫାସୁତୁରା ମନେ ହେଉଛି କିନ୍ତୁ ଏକ ବୃହତ୍‌ ଜଳସେଚନ ବ୍ୟବସ୍ଥାରେ ଉପର ମୁଣ୍ଡ ଓ ତଳ ମୁଣ୍ଡ ଚାଷୀମାନଙ୍କ ମଧ୍ୟରେ ଯେମିତି ଆଉ ଗୋଟାଏ ଅଦୃଶ୍ୟ ବନ୍ଧ ପଡ଼ିପାଇଛି । ଯେଉଁମାନେ ଉପରମୁଣ୍ଡରେ ଆବଶ୍ୟକତାଠାରୁ ଅଧିକ ପାଣି ପାଇବା ପାଇଁ ସକ୍ଷମ ହେଉଛନ୍ତି ସେମାନେ ତଳମୁଣ୍ଡ ଚାଷୀଙ୍କ କଥା ଚିନ୍ତା କରିବା ପାଇଁ ମୋଟେ ପ୍ରସ୍ତୁତ ନୁହନ୍ତି । ସେଠି ସହଯୋଗ ବା ସଦିଚ୍ଛାର ଚିହ୍ନବର୍ଣ୍ଣ ନାହିଁ । ଅଥଚ ପାରମ୍ପରିକ ଜଳସେଚନ କ୍ଷେତ୍ରରେ ସମସ୍ତେ କାନ୍ଧକୁ କାନ୍ଧ ମିଳେଇ ଠିଆ ହୋଇଛନ୍ତି । ସେଇଠି କେହି କାହାର ପ୍ରତିଦ୍ଵନ୍ଦ୍ୱୀ ନୁହନ୍ତି ।

 

ଏଲିନରଙ୍କ ଗବେଷଣା ଏ କଥା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ସାର୍ବଜନୀନ ସମ୍ବଳର ସଦୁପଯୋଗ ନେଇ ସବୁ କ୍ଷେତ୍ରରେ ଜଣେ ନିଶ୍ଚିତ ହୋଇପାରିବ ନାହିଁ । ତେବେ ଅଧିକାଂଶ କ୍ଷେତ୍ରରେ ପାରସ୍ପରିକତା ଯେଉଁ ଗୁଣାତ୍ମକ ଉପଯୋଗ ସମ୍ଭବ କରାଇଛି, ତାହା ଆଶ୍ରା କରିଛି ସ୍ଥାନୀୟତା ଭିତ୍ତିରେ ସାଧାରଣ ମଣିଷର (ସମ୍ବଳ ଉପଯୋଗ ଦୃଷ୍ଟିରୁ ସେମାନଙ୍କୁ ଗୋଟାଏ ଦୃଷ୍ଟିରୁ ହିତାଧିକାରୀ କହିପାରନ୍ତି) ସମଝଦାରୀ, ଦୀର୍ଘ ଅଭିଜ୍ଞତା ଏବଂ ସେଇ ଅଭିଜ୍ଞତାରୁ ଉତ୍ପନ୍ନ ଅନୁଶାସନ ଓ ନିୟମକାନୁନ ଉପରେ । ସେ ସବୁ ନିୟମକାନୁନ ପ୍ରଣୟନ ପାଇଁ କୌଣସି ଗ୍ରନ୍ଥ ବା ବିଶେଷଜ୍ଞ ପରାମର୍ଶ ଯେତିକି ଲୋଡ଼ା ଯାଇ ନାହିଁ, ସେତିକି ଆବଶ୍ୟକ ହୋଇଛି ନିଜର ଭାଗ୍ୟକୁ ସଜାଡ଼ିବାର ଦୁଃସାହସ, ପ୍ରତିବଦ୍ଧତା ଏବଂ ବୃହତ୍ତର ଅର୍ଥରେ ପାରସ୍ପରିକତା । ସହଯୋଗର ସେଇ ଅଦ୍ଭୁତ ଧାରାକୁ ନିଜ ତତ୍ତ୍ୱରେ ଏମିତି ଉପସ୍ଥାପନ କରିଛନ୍ତି ଏଲିନର୍‌ ।

 

୧)

ଗୋଷ୍ଠୀ ସମ୍ପଦର ସାର୍ବଜନୀନ ଉପଯୋଗ ନିମନ୍ତେ ଅନୁଶାସନ/ନୀତି ସୃଷ୍ଟି ହୋଇଥିବ ଏବଂ ତାହା ହିତାଧିକାରୀମାନେ ହିଁ ସ୍ଥିର କରିଥିବେ ।

 

 

୨)

ସଂପଦର ରକ୍ଷଣାବେକ୍ଷଣ ଏବଂ ଉପଯୋଗ ନେଇ ଦ୍ୱନ୍ଦ୍ଵ ଉପୁଜିବ, ତେଣୁ ସେଥିପାଇଁ ଆପୋସ ସମାଧାନ ନିମନ୍ତେ ବ୍ୟବସ୍ଥା ଥିବ ।

 

୩)

ବ୍ୟକ୍ତି ସ୍ତରରେ ଗୋଷ୍ଠୀ ସମ୍ବଳର ରକ୍ଷଣାବେକ୍ଷଣ (ବ୍ୟକ୍ତି) ତହିଁରୁ ପାଉଥିବା ସୁବିଧାର ଆନୁପାତିକ ହୋଇଥିବ ।

 

 

୪)

ସଂପଦର ସାମଗ୍ରିକ ପରିଚାଳନା ନ୍ୟସ୍ତ ଥିବ ହିତାଧିକାରୀମାନଙ୍କ ଉପରେ ନଚେତ୍‌ ଏମିତି ଜଣଙ୍କ ଉପରେ ତାହା ନ୍ୟସ୍ତ ହୋଇଥିବ ଯିଏ ସେମାନଙ୍କ ନିକଟରେ ଉତ୍ତରଦାୟୀ ହୋଇଥିବ ।

 

 

୫)

ଦୀର୍ଘକାଳୀନ ଭିତ୍ତିରେ ସମ୍ବଳର ସାମୂହିକ ରକ୍ଷଣାବେକ୍ଷଣରେ ହୁଏତ ବିଘ୍ନ ଉପୁଜିବା ଏଥିପାଇଁ ଦଣ୍ଡବିଧାନ ମଧ୍ୟ କରାଯିବ । ତେବେ ଖିଲାପ କରୁଥିବା ହିତାଧିକାରୀ ପ୍ରତି ଦଣ୍ଡର ମାତ୍ରା ପ୍ରଥମେ କୋହଳ ହୋଇ କ୍ରମଶଃ କଠିନ ହେବ ।

 

 

୬)

ସାର୍ବଜନୀନ ସଂପଦର ରକ୍ଷଣାବେକ୍ଷଣ ସେଇ ସ୍ଥିତିରେ ଅଧିକ ସଫଳ ହେବ, ଯେତେବେଳେ ନିଷ୍ପତ୍ତି ନେବାର ଅଧିକାର ସୀମିତ ନ ହୋଇ ହେବ ଗଣତାନ୍ତ୍ରିକ ।

 

 

୭)

ଯେଉଁ ଗୋଷ୍ଠୀଟି ସମ୍ବଳର ରକ୍ଷଣାବେକ୍ଷଣ ସ୍ଥାନୀୟ ଭାବେ ନିଜ ହାତକୁ ନେଇଥିବ, ସେ ବାବଦରେ ତାକୁ ସ୍ୱୀକୃତି ମିଳୁଥିବ ଗୋଷ୍ଠୀ ବାହାରୁ ଅର୍ଥାତ୍‌ ବ୍ୟବସ୍ଥା ପାଖରୁ ।

 

 

୮)

ଯେଉଁଠି ସମ୍ବଳ/ସଂପଦ ତୁଳନାତ୍ମକ ଭାବେ ବୃହତ୍‌ ହୋଇଥିବ, ସେ ସ୍ଥିତିରେ ସଫଳତା ନିମନ୍ତେ ତା ସହିତ ସଂପୃକ୍ତ ଥିବେ ଏକାଧିକ ସ୍ତରରେ ଏକାଧିକ ସ୍ଥାନୀୟ ଅନୁଷ୍ଠାନ ।

 

ଏଲିନର୍‌ ଅର୍ଥନୀତିର ଅଧ୍ୟାପକ ନୁହନ୍ତି । ତାଙ୍କର ପାଠ ରାଜନୀତି ବିଜ୍ଞାନ । ଅଥଚ ଗବେଷଣା ତାଙ୍କୁ ଅଧିକାଂଶରେ ଯୋଡ଼ିଛି ଅର୍ଥନୀତି ସହିତ । ନୋବେଲ୍‌ ପୁରସ୍କାର ଘୋଷଣା ପରେ ଏକ ସାକ୍ଷାତକାରରେ ତାଙ୍କୁ ପଚରା ଯାଇଥିଲା ଯେ ନିଜର କୃତିକୁ ସେ କାହା ସହିତ ସଂପୃକ୍ତ କରିବା ପାଇଁ ଦାବୀ କରିବେ- ରାଜନୀତି ବିଜ୍ଞାନ, ଅର୍ଥନୀତି ନା ସମାଜତତ୍ତ୍ୱ ସହିତ ? ଉତ୍ତରରେ ଏଲିନର୍‌ କହିଥିଲେ, ବରଂ ମୁଁ ଭାବୁଛି ମୋର ଗବେଷଣା/ନିଷ୍କର୍ଷ ଆମେ ସମସ୍ତେ ସମ୍ମୁଖୀନ ହେଉଥିବା ସାମାଜିକ ଦ୍ୱନ୍ଦ୍ୱମାନଙ୍କର ଅଧ୍ୟୟନ । ଆଜିକୁ ପ୍ରାୟ ୪୦ ବର୍ଷ ତଳେ ଗ୍ୟାରେଟ୍‌ ହାର୍ଡିନଙ୍କ ଗବେଷଣା ସ୍ପଷ୍ଟ କରିଥିଲା ଯେ ସାଧାରଣ ଲୋକେ ସାର୍ବଜନୀନ ସଂପଦର ଆଦୌ ସଦୁପଯୋଗ କରିପାରିବେ ନାହିଁ । ସେମାନେ ସବୁ ଲୁଟି ନେବେ, ନଷ୍ଟ କରିଦେବେ । ଗଣ ସଂପଦର ଏଇ ଦୁଃସ୍ଥିତିକୁ କୁହାଯାଉଥିଲା, ଟ୍ରାଜେଡି ଅଫ୍‌ ଦି କମନ୍‌ସ' ଯୁକ୍ତି ଦର୍ଶାଯାଇଥିଲା, ଏସବୁ ସମ୍ବଳ ଉପରେ ନିୟନ୍ତ୍ରଣ ରହିବ ରାଷ୍ଟ୍ରର । ନଚେତ୍‌ ଘରୋଇ ମାଲିକାନାରେ ଏସବୁର ବିକାଶ କରାଯିବ । ଏଲିନର୍‌ଙ୍କ ତତ୍ତ୍ଵ ଏଇ ଦୁଃସ୍ଥିତିର ଅନ୍ତ ଘଟାଇବା ପାଇଁ ଗ୍ରହଣ ଯୋଗ୍ୟ ଏକମାତ୍ର ସୂତ୍ର ହୁଏତ ନୁହେଁ, ତେବେ ଏହା ଏକ ବଳିଷ୍ଠ ବିକଳ୍ପ । ଅବିକଳ ତତ୍ତ୍ୱ ଅନୁଯାୟୀ ନହେଲେ ହେଁ ଗତ କେତେବର୍ଷ ଧରି ଆମ ରାଜ୍ୟରେ ଆରମ୍ଭ ହୋଇଥିବା ପାଣି ପଞ୍ଚାୟତ ଏବଂ ବନ ସଂରକ୍ଷଣ ସମିତି ଏଇ ଢାଞ୍ଚାରେ ସାମିଲ କରିଛି ସ୍ଥାନୀୟ ହିତାଧିକାରୀ ମାନଙ୍କୁ ନିଜ ଭାଗ୍ୟକୁ ନିଜେ ସଜାଡ଼ିବା ପାଇଁ ଏବଂ ଗୋଷ୍ଠୀ ସମ୍ପଦର ସାମୂହିକ ପରିଚାଳନା ପାଇଁ । ତେବେ ଦୁର୍ଭାଗ୍ୟ ଉଭୟ କ୍ଷେତ୍ରରେ ଆମର ଉପଲବ୍ଧି ଆଖିଦୃଶିଆ ନୁହେଁ । ପରୋକ୍ଷରେ ଆମେ ହୁଏତ ସ୍ୱୀକାର କରିନେଉଛୁ ଯେ ଜନସଂଖ୍ୟା ବୃଦ୍ଧି, ଉତ୍କଟ ଅଭାବ ଏବଂ ବଜାର ଭିତ୍ତିକ ଅର୍ଥନୀତିର ବ୍ୟକ୍ତିଧର୍ମୀ ଆବହାୱାରେ ସାଧାରଣ ମଣିଷର ମାନସିକ ସ୍ଥିତି ଯାହା ସେଥିରେ ସମବାୟ ଚେତନାରେ ଆମକୁ ବାନ୍ଧି ରଖିବାର ଆଶା ଏକଦମ୍‌ କ୍ଷୀଣ । ତେବେ ଏହା ବାଦ୍‌ ବି ବିଚାର ଅଛି । ସମାଜ ବିଜ୍ଞାନୀମାନଙ୍କ ମତ ହେଉଛି, ଏମିତି ଏକ ସ୍ଥିତିରେ ବ୍ୟବସ୍ଥା ପାଖରୁ ଯେଉଁ ପ୍ରକାର ସହଯୋଗ ଏବଂ ଉତ୍ସାହ ମିଳିବା କଥା, ସେତକର ଘୋର ଅଭାବ ଏ ରାଜ୍ୟରେ । ଏ ବିଷୟରେ ଚିନ୍ତା କରିବାର ସମୟ ଆସିଛି ।

 

କୁହାଯାଉଛି, ଏକବିଂଶ ଶତାବ୍ଦୀର ରାଷ୍ଟ୍ରଠୁ ଅନେକ କ୍ଷେତ୍ରରେ ଅଧିକ ପରାକ୍ରମୀ ସାବ୍ୟସ୍ତ ହୋଇଛନ୍ତି ବହୁରାଷ୍ଟ୍ରୀୟ ବ୍ୟାବସାୟିକ ସଂସ୍ଥା । ସେମାନଙ୍କ ଉପରେ ବ୍ୟବସ୍ଥାର ଗୋଟାଏ ଛାୟା ନିୟନ୍ତ୍ରଣ ଯାହା ରହିଛି । ନିରାଟ ସତ ହେଉଛି, ମୁକ୍ତ ବଜାର ଅର୍ଥନୀତିର ମଙ୍ଗୁଆଳ ଭାବରେ ସେମାନେ କବ୍‌ଜା କରିବା ଅବ୍ୟାହତ ରଖିଛନ୍ତି ଆମ ନଈନାଳକୁ, ଜମିକୁ, ଜଙ୍ଗଲକୁ ଓ ଖଣିଖାଦାନକୁ । ଅର୍ଥନୀତିର ବଜାରୀକରଣକୁ ସେମାନେ ଅକ୍ଳେଶରେ ପହଞ୍ଚେଇ ଦେଇଛନ୍ତି ସ୍ଵଚ୍ଛଳଙ୍କ ଲିଭିଂ ରୁମ୍‌ରେ । ଆଉ ଅସ୍ୱଚ୍ଛଳ/ଅନଗ୍ରସରଙ୍କ କ୍ଷେତ୍ରରେ - ଅନ୍ତତଃ ସେମାନଙ୍କ ଗାଁ ମୁଣ୍ଡ ଦୋକାନରେ, ଯେଉଁଠି ଆମ ଐତିହ୍ୟ, ସଂସ୍କୃତି ଏବଂ ମୂଲ୍ୟବୋଧ ଏକ ଅଜବ ଯୌଗିକ ସତ୍ତାରେ ପରିବର୍ତ୍ତିତ ହୋଇ ନିଜର ଚେର ହରେଇ ବସିଛନ୍ତି । ଉପ-ନିବେଶବାଦର ଏକ ସ୍ପଷ୍ଟ ମାନସିକ ପ୍ରସ୍ଥ ଅର୍ଥନୀତିର ଗୋଲାମ ପାଲଟି ସାରିଛନ୍ତି । ସଂପୂର୍ଣ୍ଣ ଜ୍ଞାତସାରରେ । ବଜାରଠୁ ଦୂରରେ ଯେ ଅର୍ଥନୀତିର ଏକ ଭିନ୍ନ ଦିଗ୍‌ବଳୟ ଅଛି, ଯେଉଁଠି ସେନ୍‌ସେକ୍ସ, ଦଲାଲ୍‌, ଷ୍ଟ୍ରିଟ୍, ଡଲାର୍‌, ୟୁରୋ ଏବଂ ଜିଡିପି ପରି ଶବ୍ଦମାନ ଅନୁପସ୍ଥିତ ଥାଇ ବି ସାଧାରଣ ମଣିଷ ପାଇଁ ଆପାତତଃ ଏକ ପରିପୂର୍ଣ୍ଣ ଜୀବନର ନକ୍ସା ଅଛି, ଏକଥା ଆମକୁ ଚେତେଇ ଦେଇଛନ୍ତି ଏଲିନର୍‌ । ତେଣିକି ଆପଣ ଚେଷ୍ଟା କରିପାରନ୍ତି । ଖଣିଠାରୁ ଖୁସି ପର୍ଯ୍ୟନ୍ତ ସବୁ ସାଧାରଣ ମଣିଷର ବୋଲି ଦାବୀ ଅବଶ୍ୟ କରିପାରନ୍ତି ।

(ସମ୍ୱାଦ- ତା ୨୬/୧/୨୦୧୦)

Image

 

ଉଚ୍ଚା ପାଚେରୀ, ଚେନାଏ ଚନ୍ଦ୍ରାଲୋକ !

 

ସୂଚନା ଅଧିକାର ଆଇନ ଦେଶରେ ଲାଗୁ ହେବା ପାଞ୍ଚ ବର୍ଷ ପୂରି ସାରିଛି । (ଅକ୍ଟୋବର ୧୨, ୨୦୦୫) । ସ୍ୱାଧୀନୋତ୍ତର ଭାରତରେ ଏ ଯାବତ୍‌ ପ୍ରଣୟନ କରାଯାଇଥିବା ଆଇନମାନଙ୍କ ଭିତରେ ସୂଚନା ଅଧିକାର ଆଇନ ସାଧାରଣ ନାଗରିକ ଜୀବନରେ ଏକ ନିରବ ବିପ୍ଳବର ଆରମ୍ଭ କରିସାରିଛି । ଗୋପନୀୟତା ରକ୍ଷା ନାଁରେ ବ୍ୟବସ୍ଥାର ଅସଲ ଦୁର୍ବଳତା ଏବଂ ଅନ୍ଧାର ଉପରେ ପ୍ରଶାସନର ମୋଟା ଲୁହା ଚାଦର ବରାବର ଘୋଡ଼େଇ ଦିଆଯାଉଥିଲା । ନାଁକୁ ଆମେ ପୃଥିବୀର ସର୍ବ ବୃହତ୍‌ ଗଣତନ୍ତ୍ର ହୁଏତ ବୋଲାଉଥିଲୁ, କିନ୍ତୁ ଆମ ବ୍ୟବସ୍ତା ଭିତରକୁ ସାଧାରଣ ନାଗରିକଟିଏ ନିରେଖି ଚାହିଁବ (ପ୍ରଶ୍ନ ପଚାରିବା ତ ଦୂରର କଥା)- ଏ ସୁଯୋଗ ତାର ନଥିଲା । ସେଇ ଦୃଷ୍ଟିରୁ ଭାରତୀୟ ଗଣତନ୍ତ୍ର ଗଣସଶକ୍ତୀକରଣର ବାଟ ଓଗାଳି ଛିଡ଼ା ହୋଇଥିଲା । ପାଞ୍ଚ ବର୍ଷ ଭିତରେ ସେଇ ସ୍ଥିତି ଆଶ୍ଚର୍ଯ୍ୟଜନକ ଭାବରେ ବଦଳି ଯାଇନଥିଲେ ବି କେତେକାଂଶରେ ବଦଳି ସାରିଛି । ‘ସୂଚନାରେ ନାହିଁ କିଛି ଅଜଣା’ ସ୍ଲୋଗାନ୍‌ ଆମ ରାଜନୈତିକ ବ୍ୟବସ୍ଥା ଏବଂ ଆତ୍ମତୃପ୍ତ ଅମଲାତନ୍ତ୍ରର ମେଘନାଦ ପାଚେରି ଡେଇଁ ଭିତର ଘରକୁ ଉଙ୍କି ମାରିବାରେ କ୍ରମଶଃ ସଫଳ ହେବାରେ ଲାଗିଛି । ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ହୋଇଥିବା ମହା ଦୁର୍ନୀତିର ପ୍ରାଥମିକ ପର୍ଦ୍ଦାଫାଶ ଅନେକାଂଶରେ ସମ୍ଭବ ହୋଇଛି ସୂଚନା ଅଧିକାର ଆଇନର ସଫଳ ପ୍ରୟୋଗ ଯୋଗୁଁ । ମହାରାଷ୍ଟ୍ର ପରି ରାଜ୍ୟରେ ବ୍ୟାପକ ଗଣ ସଚେତନତା ଏଇ ଆଇନକୁ ଗ୍ରାମାଞ୍ଚଳରେ ମଧ୍ୟ ବେଶ୍‌ ସଫଳ କରାଇବାରେ ଲାଗିଛି । ସୂଚନା ଅଧିକାର କର୍ମୀ ଏବଂ ବୁଦ୍ଧିଜୀବୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନରେ ଆଣିବାକୁ ଚେଷ୍ଟା କରୁଥିବା ବିବାଦମାନ ସଂଶୋଧନ ଅନ୍ତତଃ ସ୍ଥଗିତ ରହିଛି-। ତଥାପି ଇପ୍‌ସିତ ଉତ୍ତରଦାୟିତ୍ୱ ଏବଂ ପାରଦର୍ଶିତା ଆସିବା ପାଇଁ ଢେର୍‌ବାକି ରହିଛି । ଆରମ୍ଭରୁ ଆଇନଟିର ଗଳା ଚିପିବା ପାଇଁ ବସିଥିବା ସଂସ୍ଥା/ଅନୁଷ୍ଠାନ ଏବଂ ରାଜନୀତି-ଅମଲାତନ୍ତ୍ର ମଧୁଚନ୍ଦ୍ରିକାରୁ ଉତ୍ପନ୍ନ ନ୍ୟସ୍ତ ସ୍ଵାର୍ଥ ସର୍ବସ୍ୱ ସତ୍ତା ତଥା କ୍ଷମତାପନ୍ନ ବ୍ୟକ୍ତି ବିଶେଷ ସୂଚନା ଅଧିକାର ଆଇନର ଉପଯୋଗ କରି ଜନଜୀବନରେ ଦୁର୍ନୀତିର ପର୍ଦାଫାଶ କରିବା ପାଇଁ ଚେଷ୍ଟା କରୁଥିବା କର୍ମୀମାନଙ୍କ ଉପରେ ନୃଶଂସ ଆକ୍ରମଣ ଜାରି ରଖିଛନ୍ତି ।

 

ଏଇ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୯ଜଣ ସୂଚନା ଅଧିକାର କର୍ମୀ ପ୍ରାଣ ହରେଇଛନ୍ତି ମାଫିଆଙ୍କ ଆକ୍ରମଣରେ। ଏମାନଙ୍କ ମଧ୍ୟରେ ଅଛନ୍ତି ଅମିତ୍‌ ଜେଠ୍‌ୱା । ୩୩ ବର୍ଷ ବୟସ୍କ ଏଇ ନିର୍ଭୀକ ଯୁବକ ଗିର୍‌ ଅଭୟାରଣ୍ୟର ସୁରକ୍ଷାକୁ ନେଇ ଗୁଜରାଟ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମୋକଦ୍ଦମା ଦାଏର କରିଥିଲେ । ଅଭୟାରଣ୍ୟରେ ଆଇନ୍‌ ଉଲ୍ଲଂଘନ କରାଯାଇ ମାଇନିଂ ଚାଲିଥିଲା ଏବଂ ଏଥିରେ ସଂପୃକ୍ତ ଥିଲେ ଜୁନାଗଡ଼ର ଲୋକସଭା ସଦସ୍ୟ । ସ୍ପଷ୍ଟ ଦିବାଲୋକରେ ଅମିତ୍‌ଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । ଜୁଲାଇ ୨୦ ରେ । ୨୨ ମେ ରେ ପ୍ରାଣ ହରେଇଥିଲେ ଦତ୍ତାତ୍ରେୟ ପାଟିଲ୍‌ । କୋହ୍ଲାପୁର (ମହାରାଷ୍ଟ୍ର) ମ୍ୟୁନିସିପାଲ୍‌ କୋର୍ପୋରେସନ୍‌ର ନିର୍ବାଚନରେ ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ ଆଣିଥିଲେ । ୨୧ ଏପ୍ରିଲରେ ସ୍ଥାନୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଆର୍ଥିକ ତଥା ପରିଚାଳନାଗତ ବିଶୃଙ୍ଖଳା ଅଭିଯୋଗ କରି ଔରଙ୍ଗାବାଦ (ମହାରାଷ୍ଟ୍ର)ରେ ଜୀବନ ଦେଲେ ବିଥଲ୍‌ ଗିଟ୍ଟେ । ତାଲିକା ଏତିକିରେ ସରିନାହିଁ । ୧୧ ଏପ୍ରିଲ୍‌ରେ ସୋଲା ରଙ୍ଗା ରାଓ (କୃଷ୍ଣା ଜିଲ୍ଲା, ଆନ୍ଧ୍ରପ୍ରଦେଶ) ସ୍ଥାନୀୟ ମଣ୍ଡଳ ପରିଷଦ ଦୁର୍ନୀତିର ଖୋଳତାଡ଼ କରି ଏବଂ ୨୬ ଫେବୃୟାରୀରେ ବଦ୍‌ଲାପୁର (ମହାରାଷ୍ଟ୍ର) ପୌର କର୍ତୃପକ୍ଷଙ୍କ ଦୁର୍ନୀତିକୁ ପଦାରେ ପକେଇ ଅରୁଣ ସାଓନ୍ତ ସମାନ ଅବସ୍ଥା ଭୋଗିଛନ୍ତି । ଫେବୃଆରୀ ୧୪ରେ ବେଗୁସରାଇର (ବିହାର) ଶଶୀଧର ମିଶ୍ର, ଫେବୃୟାରୀ ୧୧ରେ ଅହମଦାବାଦ ( ଗୁଜୁରାଟ)ର ବିଶ୍ରମ ଲକ୍ଷ୍ମଣ ତୋତିୟା ପଞ୍ଚାୟତ/ବ୍ଲକ ଦୁର୍ନୀତି ଏବଂ ବେଆଇନ୍‌ ବିଦ୍ୟୁତ ଯୋଗାଉଥିବା ଘରୋଇ ସଂସ୍ଥା ସହ ସ୍ଥାନୀୟ କର୍ତୃପକ୍ଷଙ୍କ ସଂଦିଗ୍ଧ ଭୂମିକାକୁ ପଦାରେ ପକେଇ ପ୍ରାଣ ହରେଇଛନ୍ତି । ଏମାନଙ୍କ ବ୍ୟତୀତ ଅଛନ୍ତି ସତୀଶ ସେଟ୍ଟି (ଲୋନାଭାଲା ଏବଂ ପିଂପରି-ଚିଂଚ୍‌ଓ୍ୟାତ୍‌ ଅଞ୍ଜଳରେ ଜମି ମାଫିଆଙ୍କ ପଛରେ ପଡ଼ି) ଏବଂ ଉତ୍ତରପ୍ରଦେଶରେ ପଞ୍ଚାୟତ ଦୁର୍ନୀତିକୁ ବିରୋଧ କରି ବିଜୟ ପ୍ରତାପ ଓରଫ ବାବୁସିଂହ ସୂଚନାକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣର ନଜିର ମଧ୍ୟ ଏ ବର୍ଷ କିଛି କମ୍‌ ନୁହେଁ । ଜାନୁଆରିରେ ନୟନା କାଠପାଳିଆ, ମାର୍ଚ୍ଚରେ ସୁମେରା ଅବ୍‌ଦୁଲାଲି ଏବଂ ନସିର୍‌ଜମଲ୍‌, ଏପ୍ରିଲରେ ଅଭୟ ପାଟିଲ୍‌, ମେ ରେ ଦେବୀ ଗୋଏକା ଏବଂ ଜୁଲାଇରେ ଏ ତାଲିକାରେ ଅଛନ୍ତି ଅଶୋକ ସିନ୍ଧେ । ଅଧିକାଂଶ କ୍ଷେତ୍ରରେ ନୈରାଶ୍ୟଜନକ ହେଉଛି ପୁଲିସ୍‌ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନରେ ଶିଥିଳତା । ପୁଲିସ୍‌ ମତରେ ଘରୋଇ ବିବାଦ, ଜମିଜମା ମାମଲା ଏବଂ ପୂର୍ବ ବିବାଦକୁ କେନ୍ଦ୍ର କରି ହେଉଛି ଏଭଳି ହତ୍ୟା ଏବଂ ଆକ୍ରମଣ ମାମଲା ।

 

ପାଠକେ ଜାଣନ୍ତି ଯେ ସୂଚନା ଅଧିକାର ଆଇନରେ 'ସୂଚନା କର୍ମୀ'ର କୌଣସି ସଂଜ୍ଞା ନାହିଁ । ଅନ୍ୟ ପକ୍ଷରେ ୨୦୧୦ ରେ ପ୍ରାଣ ହରେଇ ଥିବା ନାଗରିକମାନଙ୍କ ଭିତରେ ଅଛନ୍ତି ସମାଜସେବୀ, ଓକିଲ, କୃଷକ ଏବଂ ଖବରକାଗଜ ବିକାଳି । ତଫାତ୍‌ ଏତିକି, ନିଜ ଚାରିପାଖରେ ଘଟୁଥିବା ବ୍ୟବସ୍ଥାଗତ ଅସଂଗତି ଏବଂ ଅନ୍ୟାୟ ବିରୋଧରେ ଏମାନେ ସୂଚନା ଅଧିକାର ଆଇନର ପ୍ରୟୋଗ କରିଥିଲେ । କେତେକାଂଶରେ ସଫଳ ବି ହୋଇଥିଲେ । ଏଥର ଯିବା ଟିକିଏ ଭିତରକୁ । ଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଦାବୀ ବେଶ୍‌ ପୁରୁଣା । ଆଜିକୁ ପ୍ରାୟ ୨୨୫ ବର୍ଷ ତଳେ ଏ ଦିଗରେ ସଚେତନ ଭାବରେ ପ୍ରଥମ ଚେଷ୍ଟା ହୋଇଥିଲା ସ୍ୱିଡେନରେ । ଆମଦେଶରେ ଗତ ଶତାବ୍ଦୀର ସତୁରି ଦଶକରେ ସୂଚନା ଅଧିକାର ଏକ ଆନ୍ଦୋଳନର ରୂପ ନେଇଥିଲା ଯେତେବେଳେ ରାଜସ୍ଥାନର ‘ମଜଦୁର କିଶାନ ଶକ୍ତି ସଂଗଠନ' ଗ୍ରାମାଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥର ହିସାବ ଜାଣିବା ପାଇଁ ଚାହିଁଲେ । ୧୯୯୬ରେ ଏହାର ଅନୁପ୍ରେରଣାରେ ଜନ୍ମ ନେଇଥିଲା ନେସ୍‌ନାଲ୍‌ କ୍ୟାମ୍ପେନ୍‌ ଅନ୍‌ ପିପୁଲ୍‌ସ ରାଇଟ୍‌ ଟୁ ଇନ୍‌ଫର୍‌ମେସନ୍‌ । ପରେ ଏକାଧିକ ଚିଠା ବିଲ୍‌ ପ୍ରଣୟନ ଉତ୍ତାରୁ ଏବଂ ଆଦୌ ଲାଗୁ କରାଯାଇ ପାରିନଥିବା ଫ୍ରିଡମ୍‌ ଅଫ୍‌ ଇନ୍‌ଫର୍‌ମେସନ୍‌ ଆଇନ- ୨୦୦୨ ପରେ ଅରୁଣା ରାୟ, ଆନ୍ନା ହଜାରେ ଏବଂ ଅରବିନ୍ଦ କେଜ୍‌ରିଓ୍ୟାଲ୍‌ଙ୍କ ପରି ସଂକଳ୍ପବଦ୍ଧ କର୍ମୀଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା ଏବର ସୂଚନା ଅଧିକାର ଆଇନ୍‌ ୨୦୦୫ ।

 

ସମଭାବାପନ୍ନ କେଇ ଜଣ ବନ୍ଧୁଙ୍କ ଧରି, ନିରାପଦ ସରକାରୀ ଚାକିରୀର ଲୋଭ ଛାଡ଼ି ୨୦୦୦ ମସିହାରେ ଦିଲ୍ଲୀର ସୁନ୍ଦର ନଗରୀରେ ଅରବିନ୍ଦ ଆରମ୍ଭ କରିଥିଲେ ‘ପରିବର୍ତ୍ତନ’ । ‘ପରିବର୍ତ୍ତନ’ ସାଧାରଣ ଅର୍ଥରେ ଏନ୍‌ଜିଓ ନଥିଲା, ଟ୍ରଷ୍ଟ ବା ସେମିତି କିଛି ସଂସ୍ଥା/ସଂଗଠନ ନଥିଲା, ବରଂ ଏହା ଥିଲା କିଛି ସମର୍ପିତ ମଣିଷଙ୍କର ନିଆରା ଅନ୍ଦୋଳନ । ପରିବର୍ତ୍ତନ ସାଧାରଣ ନାଗରିକର ସ୍ୱାର୍ଥକୁ ଦେଖୁଥିଲା, ନିଜର ଦାବି ପୂରଣ ନହେଲେ ସତ୍ୟାଗ୍ରହର ମାର୍ଗକୁ ଓହ୍ଲାଉଥିଲା । ଦିଲ୍ଲୀରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ପରିଚ୍ଛନ୍ନ କରିବା ମୂଳରେ ଏହାର ପ୍ରମୁଖ ଯୋଗଦାନ ଥିଲା-। ଘର ଘର ବୁଲି ଦରଖାସ୍ତ ସଂଗ୍ରହ ଜନଶୁଣାଣି, ପଥପ୍ରାନ୍ତ ନାଟକ ପରି ଜନସଚେତନତା କାର୍ଯ୍ୟକ୍ରମ, ଧାରଣା, ର‍୍ୟାଲି ସବୁ ହାତକୁ ନେଇଥିଲା-ପରିବର୍ତ୍ତନ । ୟା ପଛରେ ଗୋଟାଏ ଠୋସ୍‌ ସତ ଥିଲା । ସେଇଟି ଏମିତି । ଭାରତରେ ଗଣତନ୍ତ୍ର ଅଛି କିନ୍ତୁ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ସମାନ୍ତରାଳ ଭାବେ କ୍ରିୟାଶୀଳ ଅଛି ପ୍ରଭାବଶାଳୀ ଅମଲାତାନ୍ତ୍ରିକ ବ୍ୟବସ୍ଥା । ସାଧାରଣ ମଣିଷର ବିକାଶକୁ ଯେତିକି ରୋକୁନାହିଁ ଦାରିଦ୍ର୍ୟ, ସେତିକି ପଥରୋଧ କରୁଛି ସୂଚନାର ଅଭାବ ଏବଂ ସେଇ ନ୍ୟାୟରେ ଶାସନରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରି ନପାରିବାର ଗ୍ଲାନି । ଶାସନ ବ୍ୟବସ୍ଥା ଏବଂ ସାଧାରଣ ନାଗରିକ ଭିତରେ ଏଇ ପ୍ରଲମ୍ବିତ ଶୂନ୍ୟସ୍ଥାନ ହିଁ ସକଳ ଦୁର୍ନୀତି ଏବଂ ଅନ୍ଧାରର ଇଲାକା । ଏକ ଅସ୍ୱସ୍ତିକର ଉପନିବେଶ । ପାଞ୍ଚବର୍ଷ ଭିତରେ ସୂଚନା ଅଧିକାର ଆଇନ ଶାସନର ଉଚ୍ଚା ପାଚେରୀକୁ ଏକାବେଳକେ ହୁଏତ ଅତିକ୍ରମି ପାରିନାହିଁ, କିନ୍ତୁ ଗୋଟାଏ ସଫଳ ପ୍ରୟାସର ଆରମ୍ଭ ହୋଇସାରିଛି ।

 

କେଇ ଦିନ ତଳେ ଏକ ସୂଚନା ଅଧିକାର କର୍ମଶାଳାରେ ଜଣେ ସାମ୍ୱାଦିକ ବନ୍ଧୁ କ୍ଷୋଭର ସହିତ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରୁଥିଲେ । ସେ କହିଲେ–ଜିଲ୍ଲାର ଅନ୍ୟାନ୍ୟ ବିଭାଗରୁ ସଂପୂର୍ଣ ନହେଲେ ହେଁ ଅନ୍ତତଃ ଆଂଶିକ ତଥ୍ୟ ବା ସୂଚନା ପାଇବାରେ ସେ ସଫଳ ହୋଇଛନ୍ତି, ହେଲେ ପାଞ୍ଚବର୍ଷ ଧରି ଗୋଟିଏ ବିଭାଗର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ସମ୍ଭବ ହୋଇପାରିନାହିଁ । ସେଇଟି ହେଲା ପୁଲିସ୍‌ ବିଭାଗ । ଯେତେଥର ସେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପାଖରେ ପହଞ୍ଚିଛନ୍ତି ତାଙ୍କୁ ପଚରାଯାଇଛି- ଆପଣ ପୁଲିସ୍‌ପାଖରୁ ତଥ୍ୟ ନେବା ପାଇଁ ଆଗ ଚିନ୍ତା କଲେ କେମିତି ? ସେ ସୂଚନା ଆଇନ ଫାଇନ୍‌ ଆମକୁ ପଢ଼ାନ୍ତୁନି । ଆଇନ୍‌ କାନୁନ୍‌କୁ ଡରନ୍ତୁ । ଅନ୍ୟ ଆଡ଼େ ଯାନ୍ତୁ । ଆପଣ କିନ୍ତୁ ତଥାପି ଖୁସି ହୁଅନ୍ତୁ । ଅନ୍ତତଃ ୬୦ ବର୍ଷ ଧରି କଏଦ ହୋଇ ରହିଥିବା ଏକ ଅନ୍ଧାରୁଆ ଇଲାକାରେ ଚେନାଏ ଜହ୍ନ ଆଲୁଅ ତ ପଡ଼ିଛି ।

(ସମ୍ୱାଦ ତା-୧୯ ନଭେମ୍ୱର ୨ ୦୧୦)

Image

 

ଅରୁନ୍ଧତୀଙ୍କ ଆଖି, ଗାନ୍ଧୀଙ୍କ ବନ୍ଧୁକ

 

ଗତ ମାର୍ଚ୍ଚ ୨୯ ‘ଆଉଟ୍‌ଲୁକ୍‌’ ସଂଖ୍ୟାରେ ନକ୍ସଲଙ୍କ ଉପରେ ଅରୁନ୍ଧତୀ ରାୟ ଲେଖିଥିବା ପ୍ରବନ୍ଧ ବିବାଦୀୟ ହୋଇପଡ଼ିଛି । ଲେଖିକାଙ୍କ ଦାନ୍ତେୱାଡ଼ା ଗସ୍ତକୁ ଭିତ୍ତି କରିଛି ପ୍ରବନ୍ଧଟି-। ଦୁର୍ଯୋଗକୁ ଏପ୍ରିଲ୍‌ ୬ରେ ସେଇ ଜଙ୍ଗଲରେ ମାଓବାଦୀଙ୍କ ବର୍ବର ଆକ୍ରମଣର ଶିକାର ହୋଇଛନ୍ତି ୭୬ଜଣ ସି.ଆର୍‌.ପି.ଏଫ୍‌ ଯବାନ । ଏହି ଘଟଣା ପରେ ଅରୁନ୍ଧତୀଙ୍କ ଲେଖା ବିରୋଧରେ ପ୍ରତିବାଦ ଆହୁରି ତୀବ୍ର ହୋଇଛି । ଗାନ୍ଧୀବାଦୀମାନେ ଆପତ୍ତି ଉଠେଇଛନ୍ତି ଯେ ନକ୍ସଲମାନଙ୍କୁ ‘ବନ୍ଧୁକ ଧରିଥିବା ଗାନ୍ଧିବାଦୀ’ ବୋଲି ଅଭିହିତ କରି ଗାନ୍ଧୀଙ୍କ ଆଦର୍ଶର ଘୋର ଅପମାନ କରାଯାଇଛି । ଯେଉଁଠି ବନ୍ଧୁକର କଥା ଉଠେ, ହିଂସାର ପ୍ରସଙ୍ଗ ଆସେ, ସେଠି ଗାନ୍ଧୀ ବିଲ୍‌କୁଲ୍‌ ନଥାନ୍ତି । ଠିକ୍‌ କଥା । ବୁଦ୍ଧିଜୀବୀମାନଙ୍କ ମତ ଯେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ମାଓବାଦୀଙ୍କୁ ନେଇ କଳ୍ପନା ପ୍ରବଣ ହେବା ଗୋଟାଏ କଥା, ବାସ୍ତବିକ ସ୍ଥିତିର ସମୀକ୍ଷା କରିବା ଭିନ୍ନ କଥା । ଅରୁନ୍ଧତୀ ମୋଟେ ପ୍ରାକ୍ଟିକାଲ୍‌/ବାସ୍ତବବାଦୀ ନୁହନ୍ତି, ବରଂ ସେ ରୋମାଣ୍ଟିକ୍‌ମନେ ହେଉଛନ୍ତି ଉପନ୍ୟାସ ଶୈଳୀରେ ଲେଖା ହୋଇଥିବା ତାଙ୍କ ପ୍ରବନ୍ଧରେ । କେତେକାଂଶରେ ସେକଥା ବି ଠିକ୍‌ ।

 

ଆସନ୍ତୁ ଆଲୋଚନା କରିବା, କ’ଣ ଅରୁନ୍ଧତୀ ଉପସ୍ଥାପନ କରିଛନ୍ତି ତାଙ୍କ ପ୍ରବନ୍ଧରେ । ସେ ଲେଖିଛନ୍ତି, ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଅଞ୍ଚଳ ବେଶ୍‌କିଛି ବର୍ଷ ଧରି ଗୋଟାଏ ଅଦ୍ଭୁତ ଇଲାକାରେ ପରିବର୍ତ୍ତିତ ହୋଇସାରିଛି । ଏଠି ପୋଲିସ୍‌ମାନେ ଭୟରେ ୟୁନିଫର୍ମ ପିନ୍ଧନ୍ତି ନାହିଁ, ୟୁନିଫର୍ମ ପିନ୍ଧନ୍ତି ନକ୍ସଲ । ନିରୀହ ଆଦିବାସୀ ଜଣେ ଯଦି ଏନ୍‌କାଉଣ୍ଟରରେ ମରିଯାଏ, ତେବେ ପୋଲିସ୍‌ ଲାସ୍‌କୁ ତୁରନ୍ତ ପିନ୍ଧେଇ ଦିଏ ହଳେ ପୁରୁଣା ମାଓବାଦୀ ୟୁନିଫର୍ମ । କେବଳ ଦାନ୍ତେୱାଡ଼ାର ଜଙ୍ଗଲ ନୁହେଁ, ପୁରାଣ ପ୍ରସିଦ୍ଧ ଦଣ୍ଡକାରଣ୍ୟର ପାଖାପାଖି ୬୦,୦୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଏବେ ମାଓବାଦୀଙ୍କ କବ୍‌ଜାରେ । ଗୋଟାଏ ପାଖରେ ବିଶ୍ୱର ନେତୃତ୍ୱ ନେବାପାଇଁ ଅଣ୍ଟା ଭିଡ଼ୁଥିବା ପ୍ରକାଣ୍ଡ ରାଷ୍ଟ୍ର ଭାରତ । ଆରପାଖରେ କେଇ ହଜାର ନକ୍ସଲ-। ରାଷ୍ଟ୍ର ସହିତ ସମ୍ମୁଖ ଯୁଦ୍ଧରେ ଲଢିବା ପାଇଁ ନକ୍ସଲଙ୍କର ସଂଖ୍ୟା ସାମର୍ଥ୍ୟ ନାହିଁ, ତାକତ୍‌ ନାହିଁ, ହେଲିକପ୍ଟର୍‌ ଗନ୍‌ ସିପ୍‌, ଥର୍ମାଲ୍‌ ଇମେଜିଂ/ଲେଜର ସଞ୍ଚାଳିତ ଯନ୍ତ୍ରପାତି ନାହିଁ- ଏକଥା ସେମାନେ ଜାଣନ୍ତି । ‘ଅପରେସନ୍‌ ଗ୍ରୀନହଣ୍ଟ’ ନାଁରେ ଆରମ୍ଭ ହୋଇଥିବା ଯୁଦ୍ଧରେ ସେମାନେ ଜିତି ପାରିବେ ନାହିଁ ବୋଲି ହୁଏତ ଜାଣନ୍ତି । ଏହା ସତ୍ତ୍ୱେ ବି ସେମାନେ ଲଢ଼ୁଛନ୍ତି । ଅରୁନ୍ଧତୀ ଲେଖିଛନ୍ତି, ପଚାଶ ଦଶକରୁ ଆରମ୍ଭ ହୋଇଥିବା ଏ ନିଆଁ ସେମିତି କୁହୁଳୁଛି । ଏବେ ଆନ୍ଦୋଳନ ତୀବ୍ର ହୋଇଛି ଛତିଶଗଡ଼ରେ, ଓଡ଼ିଶାରେ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଯୋଉଠି ଲକ୍ଷଲକ୍ଷ ଆଦିବାସୀ ଅଛନ୍ତି ଏବଂ ଯୋଉଠି କଳକାରଖାନା ବସେଇବା ପାଇଁ ସେମାନେ ରହୁଥିବା ଇଲାକାକୁ ଖାସ୍‌ ଟାର୍ଗେଟ୍‌ କରାଯାଉଛି । ବ୍ରିଟିଶ୍‌ ଶାସନ କାଳରେ, ହୋ, ଓରାଓଁ, କୋହ୍ଲ, ସାନ୍ତାଳ, ମୁଣ୍ଡା ଏବଂ ଗଣ୍ଡମାନେ ବିଦ୍ରୋହ କରୁଥିଲେ । ସ୍ୱାଧୀନତାର ୬୦ ବର୍ଷ ପରେ ବି ଭାରତରେ ଆଦିବାସୀ ମାନଙ୍କ ସ୍ଥିତି ସୁଧୁରି ନାହିଁ । ଜମି, ଜଳ ଓ ଜଙ୍ଗଲକୁ ରକ୍ଷା କରିବା ପାଇଁ ଏମାନେ ଲଢ଼ୁଛନ୍ତି । ପ୍ରସଙ୍ଗକ୍ରମେ କର୍ଣ୍ଣାଟକର ଲୋକାୟୁକ୍ତଙ୍କ ରିପୋର୍ଟକୁ ଉଦ୍ଧାର କରି ପ୍ରବନ୍ଧରେ କୁହାଯାଇଛି ଯେ ଘରୋଇ କମ୍ପାନୀ ମାନେ ଉତ୍ତୋଳନ କରୁଥିବା ପ୍ରତି ଟନ୍‌ ଲୁହାପଥର ପାଇଁ ସରକାରଙ୍କୁ ଟିକସ ଦିଅନ୍ତି ଟ୨୭/- । ଅନ୍ୟ ପକ୍ଷରେ ପ୍ରତି ଟନ୍‌ରୁ କମ୍ପାନୀ ପାଏ ଟ୫୦୦୦/- । ଅର୍ଥନୀତିର ଇଏ କେଉଁ ବିଶେଷ ସମୀକରଣ?

 

ଅରୁନ୍ଧତୀ ଲେଖିଛନ୍ତି, ଛତିଶଗଡ଼ ପୋଲିସ୍‌କୁ ଗରିଲା ଯୁଦ୍ଧରେ ଅତି ଉନ୍ନତ ପ୍ରଶିକ୍ଷଣ ଦେବା ପାଇଁ ଜଣେ ବିଗ୍ରେଡ଼ିୟର୍‌ ସ୍ୱତନ୍ତ୍ର ଅନୁଷ୍ଠାନଟିଏ ଭାରି ଯତ୍ନରେ ଖୋଲିଛନ୍ତି । ସେତିକି ନୁହେଁ-। ଦାନ୍ତେୱାଡ଼ା/ବସ୍ତର ଅଞ୍ଚଳରେ ନକ୍ସଲଙ୍କୁ ସମର୍ଥନ ଦେଉଥିବା ଆଦିବାସୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ଅତୀତରେ ସେମାନଙ୍କ ଗାଁ ଗଣ୍ଡା ପୋଡ଼ି ଦିଆଯାଇଛି । ସରକାରୀ ପୃଷ୍ଠପୋଷକତାରେ ‘ସାଲୱାଜୁଡ଼ମ୍‌’ ପରି ପ୍ରତି ସନ୍ତ୍ରାସର ଭୟଙ୍କର ଅନୁଷ୍ଠାନ ଏବେ ବି ସକ୍ରିୟ ଅଛି-। ଯୋଉ ବୟସରେ ପିଲାମାନେ ପାଠ ପଢ଼ିବା କଥା ସେ ବୟସରେ ସେମାନେ ବନ୍ଧୁକ ଚଳେଇବା ଅଭ୍ୟାସ କରୁଛନ୍ତି । ବର୍ଷ ବର୍ଷ ଧରି ଆନ୍ଦୋଳନ ପରେ ଏବେ ବି ସେ ଅଞ୍ଚଳର ଆଦିବାସୀମାନେ କେନ୍ଦୁପତ୍ର ବିଡ଼ା ପିଛା ପାଉଛନ୍ତି ୧ ଟଙ୍କା । ଅଥଚ ଠିକାଦାରମାନେ ଗୋଟାଏ ଋତୁରେ ତହିଁରୁ ଲାଭ ପାଉଛନ୍ତି ୧୬ ଲକ୍ଷରୁ ୫୫ ଲକ୍ଷ ଟଙ୍କା । ଗୋଟାଏ ଘରୋଇ କାଗଜକଳକୁ ଛତିଶଗଡ଼ ସରକାର ଶାଗମାଛ ମୂଲ୍ୟରେ ସମର୍ପି ଦେଇଛନ୍ତି ବିସ୍ତୃତ ଜଙ୍ଗଲ, ୪୫ ବର୍ଷ ପାଇଁ । ସେଥିରୁ ବାଉଁଶ କଟାଯିବ । ଇଏ ଏକ ଅଜବ ଜଙ୍ଗଲର ଅଜବ ଅର୍ଥନୀତି । ଅଥଚ ସରକାରୀ ଜଙ୍ଗଲଜମି ଆଇନ ପ୍ରଣୟନର ଢେର୍‌ ଆଗରୁ ଦଣ୍ଡକାରଣ୍ୟର ମୂଳ ଅଧିବାସୀମାନଙ୍କୁ ନକ୍ସଲମାନେ ବାଣ୍ଟି ସାରିଛନ୍ତି ୩ ଲକ୍ଷ ଏକର ଜଙ୍ଗଲଜମି । ଏସବୁ ଗଉଁଡ଼ିଆମାନଙ୍କ ନିଯନ୍ତ୍ରଣରୁ ମୁକ୍ତ କରାଯାଇଛି ।

 

ଅରୁନ୍ଧତୀ ଲେଖିଛନ୍ତି, ଏହା ନିରୋଳା ସଂଯୋଗ ହୋଇପାରେ, ତେବେ ୨୦୦୫ରେ ପ୍ରଧାନମନ୍ତ୍ରୀ ନକ୍ସଲ କାର୍ଯ୍ୟକଳାପକୁ ଭାରତର ସବୁଠୁ ବଡ଼ ନିରାପତ୍ତା ପ୍ରସଙ୍ଗ ବୋଲି ଅଭିହିତ କରିବା ଆଗରୁ ସେଇ ବର୍ଷ ଏପ୍ରିଲ୍‌ରେ ଛତିଶଗଡ଼ ସରକାର ୧୭,୦୦୦ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରଖିଥିବା ଦୁଇଟି ଇସ୍ପାତ କମ୍ପାନୀ ସହ ଏମ୍‌. ଓ.ୟୁ ଦସ୍ତଖତ କରିସାରିଥିଲେ । ଠିକ୍‌ ସେଇବର୍ଷ ଜୁନ୍‌ମାସରେ ମହେନ୍ଦ୍ର କର୍ମାଙ୍କ ନେତୃତ୍ୱରେ ଗଢ଼ା ହୋଇଥିଲା ସୁପ୍ରସିଦ୍ଧ ‘ସାଲୱାଜୁଡ଼ମ୍‌’-। ପ୍ରବନ୍ଧରେ ଉଲ୍ଲେଖ ରହିଛି ଯେ ନିକଟ ଅତୀତରେ ଏକ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ହୋଇଥିବା ଜନଶୁଣାଣିରେ (EIA) ଯୋଗ ଦେଇଥିଲେ ଭଡ଼ାସୂତ୍ରରେ ଆସିଥିବା ପ୍ରାୟ ୫୦ ଜଣ ଆଦିବାସୀ । (ଅରୁନ୍ଧତୀ ଛାଡ଼ି ଯାଇଛନ୍ତି ଯେ, ଉକ୍ତ ଜନଶୁଣାଣିରେ ବିରୋଧ ପ୍ରଦର୍ଶନ ପାଇଁ ଆସୁଥିବା ଆଦିବାସୀମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯଥେଷ୍ଟ ପୂର୍ବରୁ ଅଟକାଇ ରଖାଯାଇଥିଲା) ଗଣମାଧ୍ୟମମାନଙ୍କର ଲୋଭନୀୟ କର୍ପୋରେଟ୍‌ ବିଜ୍ଞାପନ ହାତଛଡ଼ା କରିବାର ମନ୍ଦ ଉଦ୍ଦେଶ୍ୟ ନଥିବାରୁ ସେମାନେ ଚୁପ୍‌ ରହିଲେ । ପ୍ରବନ୍ଧରେ ଉଲ୍ଲେଖ ରହିଛି ଯେ, ‘ଚେତନା ନାଟ୍ୟ ମଞ୍ଚ’ରେ ସାମିଲ ହୋଇ ସାରିଛନ୍ତି ୧୦,୦୦୦ ରୁ ଅଧିକ ଆଦିବାସୀ । ଭୋକ ଉପାସରେ ବି ସେମାନେ ଗୀତ ଗା’ନ୍ତି, ନାଚନ୍ତି, ଅଭିନୟ କରନ୍ତି, ଜଙ୍ଗଲରେ ମାଇଲ ମାଇଲ୍‌ ବୁଲି । ‘କ୍ରାନ୍ତିକାରୀ ମହିଳା ସଂଗଠନ’ ନାଁରେ କାମ କରୁଛି ଆଉ ଏକ ସଂଗଠନ । ଏମାନଙ୍କ ସଦସ୍ୟ ସଂଖ୍ୟା ୯୦,୦୦୦ ରୁ କମ୍‌ ନୁହେଁ । ଗୋଟାଏ ଦୃଷ୍ଟିରୁ ଉଭୟ ସଂଗଠନର ସଦସ୍ୟ ନକ୍ସଲ । ଗ୍ରୀନ୍‌ହଣ୍ଟରେ କ’ଣ ଏମାନଙ୍କୁ ବି ନିପାତ କରାଯିବ ?

 

ଅରୁନ୍ଧତୀ ପ୍ରବନ୍ଧରେ ଠାଏ ଲେଖିଛନ୍ତି, ସେଇ ଜଙ୍ଗଲ ମୂଲକରେ ପ୍ରାଇମେରୀ ସ୍କୁଲ ଘର ନିର୍ମାଣ କରାଯାଇଛି ବଙ୍କର ଶୈଳୀରେ ଯାହା ଯବାନମାନଙ୍କୁ ସୁହାଇବ । ଅନାହାର ଏବଂ ପୁଷ୍ଟିହୀନତା ଯୋଗୁଁ ଅଧିକାଂଶ ଜଙ୍ଗଲ ବାସିନ୍ଦା ରକ୍ତହୀନତା ଏବଂ ଯକ୍ଷ୍ମାର ଶିକାର ହେଉଛନ୍ତି । ଜଙ୍ଗଲରେ ଡାକ୍ତରଖାନା ନାହିଁ । ପ୍ରବନ୍ଧରେ ଆଉ ଠାଏ ଅଛି ସରକାରୀ ସନ୍ତ୍ରାସର ଏକ ମର୍ମସ୍ପର୍ଶୀ ଚିତ୍ର । ଜୁଲାଇ ୬, ୨୦୦୯ରେ ଚାମ୍‌ରିର ପୁଅକୁ ନିରାପତ୍ତା ବାହିନୀ ଏନ୍‌କାଉଣ୍ଟର୍‌ରେ ମାରିଦେଲେ । ଶିକାର ହୋଇଥିବା ବାର୍‌ହାକୁ ଭାରା ବାନ୍ଧି କାନ୍ଧେଇ ନେବା ପରି ଚାମ୍‌ରି ପୁଅର ଲାସ୍‌କୁ ଗୋଟାଏ ବାଉଁଶରେ ବାନ୍ଧି ସେମାନେ ନେଇଗଲେ । ଚାମ୍‌ରି ପୁଅର ମୃତଦେହ ଫେରେଇ ଆଣିବା ପାଇଁ ତାଙ୍କ ପିଛା କଲା । ମୁଣ୍ଡ ବାଡ଼େଇ କାନ୍ଦିଲା । ପୋଲିସ୍‌କୁ ନେହୁରା ହେଲା । ତହୁଁ ପୋଲିସ୍‌ ଉତ୍ତର ଫେରେଇଥିଲେ, ‘‘ତୋ ପୁଅ ମୁଣ୍ଡରେ ଇନାମ୍‌ ଅଛି । ଲାସ୍‌ ନନେଲେ ଇନାମ୍‌ କାହୁଁ ମିଳିବ ?’’ ଚାମ୍‌ରି ତଥାପି ଗୁହାରି କରୁଥିଲା । କିଛି ବାଟ ଆସିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଲାସ୍‌କୁ ରାସ୍ତା କଡ଼ରେ ଥୋଇ ଦେଇ କ୍ଲାନ୍ତ ନିରାପତ୍ତା ବାହିନୀ ଚା ପିଇଲେ । ସେମାନେ ଖୁସିଥିବା ଲକ୍ଷ୍ୟ କରି ଚାମ୍‌ରି ପୁଣି ନେହୁରା ହେଲା ତା ପୁଅର ଲାସ୍‌ ଫେରେଇ ଦେବାକୁ । ତହୁଁ ତୃପ୍ତ ଶବବାହକମାନେ ଉତ୍ତର ଦେଲେ, ‘ହେ ବୁଢ଼ୀ ଶୁଣ, ଆଜି ଯୋଉ ଗାତରେ ଅନ୍ୟମାନଙ୍କ ଲାସ୍‌ ପକେଇ ଆମେ ପୋଡି ଦେଇଛୁ, ସେଇଠିକୁ ତୁ ଯା-ସେ’ଠି ଦି’ମୁଠା ମାଟି ପକେଇଦେ ତୋ ଆତ୍ମା ଶାନ୍ତି ପାଇବ । ତୋ ପୁଅ ଲାସ୍‌ ପାଇବା କଥା ଭୁଲିଯା ।’

 

ପାଠକେ, ପଢ଼ା ଲେଖା ବେଳେ ଅରୁନ୍ଧତୀ ଚଷମା ଅବଶ୍ୟ ପିନ୍ଧନ୍ତି । ତେବେ ମୋଟାମୋଟି ତାଙ୍କ ଆଖି ବେଶ୍‌ ଭଲ ଅଛି । ପ୍ରାବନ୍ଧିକଙ୍କର ବ୍ୟକ୍ତିଗତ ମତ ଯେ ପ୍ରବନ୍ଧଟିର ଆୟତନ ସମ୍ଭବତଃ ପୃଥୁଳ ହେବାରୁ ଅରୁନ୍ଧତୀ ଦାନ୍ତେୱାଡ଼ା/ଛତିଶଗଡ଼ ସମ୍ବନ୍ଧରେ ଆଉ କେତୋଟି କଥା ଲେଖିବାକୁ ଛାଡ଼ି ଯାଇଛନ୍ତି । ଅତଏବ ଅରୁନ୍ଧତୀଙ୍କ ମୂଳ ପ୍ରବନ୍ଧର ଏକ ପୃଷ୍ଠବନ୍ଧ ଏମିତି ହୋଇପାରନ୍ତା । (୧) ଦାନ୍ତେୱାଡ଼ା ଜିଲ୍ଲାର ମୋଟ ଜନସଂଖ୍ୟାର ୭୭% ହେଉଛନ୍ତି ଆଦିବାସୀ । ଖ୍ରୀ.ପୂ ୬୦୦ ରୁ ୧୩୨୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏ ମୂଲକରେ (ନଳ ଏବଂ ନାଗଙ୍କ ସମୟରେ) ପ୍ରତିଷ୍ଠିତ ଥିଲା ସାଧାରଣତନ୍ତ୍ର ସମୃଦ୍ଧ ପରମ୍ପରା । (୨) ଛତିଶଗଡ଼ରେ ନକ୍ସଲ ଅଧ୍ୟୁଷିତ ୧୧ଟି ଜିଲ୍ଲାରେ ହି ଅଛି ରାଜ୍ୟର ତମାମ ଖଣିଜ ଏବଂ ବନଜ ସଂପଦ । ସାରା ଭାରତରେ ଗଚ୍ଛିତ ଥିବା ଲୁହାପଥରର ୨୩ ଭାଗ କେବଳ ଅଛି ଛତିଶଗଡ଼ରେ । ଜଙ୍ଗଲ, ଜଳ ଓ ଜମିର କର୍ପୋରେଟୀକରଣ ନିମନ୍ତେ ତେଣୁ ପ୍ରଥମ ଆକ୍ରମଣ ହେଉଛି ଆଦିବାସୀଙ୍କ ଉପରେ ଯେଉଁମାନେ ପୁରୁଷ ପୁରୁଷ ଧରି ଏ ଅଞ୍ଚଳରେ ରହିଛନ୍ତି । (୩) ଅରୁନ୍ଧତୀ ମାର୍ଚ୍ଚ ୨୦୦୯ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଦତ୍ତ ଏକ ଗୁରୁତ୍ଵପୂର୍ଣ୍ଣ ଡ୍ରାଫଟ୍‌ ରିପୋର୍ଟ (ଏବେ ଗାଏବ) ସଂପର୍କରେ ଦି’ ପଦ ଲେଖିବାକୁ ଭୁଲି ଯାଇଛନ୍ତି । ଡ୍ରାଫଟ୍‌ ରିପୋର୍ଟର ଏକ କ୍ଷୁଦ୍ର ଅଂଶ ଉଦ୍ଧାର କରୁଛି । ‘‘ସାଲୱାଜୁଡମ୍‌’’ର ଆଦ୍ୟ ପୃଷ୍ଠପୋଷକମାନଙ୍କ ଭିତରେ ଥିଲେ ଟାଟା ଏବଂ ଏସାର । ଏହାର ପ୍ରଥମ ଆକ୍ରମଣର ଶିକାର ହୋଇଥିଲା ମୁରିଆ ଗାଁ । ସରକାରୀ ପରିସଂଖ୍ୟାନ ଅନୁଯାୟୀ ୬୪୦ଟି ଗାଁକୁ ଜାଳିପୋଡ଼ି ମାଟିରେ ମିଶେଇ ଦିଆଯାଇଥିଲା । ୩,୫୦,୦୦୦ ଆଦିବାସୀଙ୍କୁ ବାସ୍ତୁହରା କରି ଦିଆଗଲା । ମହିଳାମାନଙ୍କୁ ଧର୍ଷଣ କରାଯାଇଥିଲା । ଯେଉଁ ହତଭାଗ୍ୟମାନେ ଜଙ୍ଗଲକୁ ଖସି ଯାଇପାରିଲେ ନାହିଁ, ସେମାନଙ୍କୁ ଅଡ଼େଇ ନିଆଗଲା ରିଫ୍ୟୁଜି କ୍ୟାମ୍ପମାନଙ୍କୁ, ଯୋଉ କ୍ୟାମ୍ପ ଦାୟିତ୍ଵରେ ଥିଲେ ‘‘ସାଲଓ୍ୱାଜୁଡ଼ମ୍‌’’ ର ସଦସ୍ୟ ।

 

ଅହିଂସାକୁ ବୌଦ୍ଧିକ ସମର୍ଥନ ଦେବା ଏବଂ ହିଂସାଠୁ ‘ପ୍ରକୃତରେ’ ଦୂରରେ ରହିବା ଭିତରେ ଯଥେଷ୍ଟ ଫରକ୍‌ ଅଛି । ନିର୍ଦ୍ଦିଷ୍ଟ ଭାବରେ ନକ୍ସଲବାଦ ପାଇଁ ଦାୟୀ ନହେଲେ ହେଁ ଆମ ଚାରିପାଖରେ ଦୃଶ୍ୟମାନ ଭୟଙ୍କର ସାମାଜିକ-ଅର୍ଥନୈତିକ ବୈଷମ୍ୟ ପାଇଁ କେବଳ ଆମ ବ୍ୟବସ୍ଥା/ରାଷ୍ଟ୍ର ନୁହେଁ, ଆମେ ହିଁ ସମାନ ପରିମାଣରେ ଦାୟୀ । ସମାନ ପରିମାଣରେ ଆମେ ହିଂସ୍ର-। ଅନ୍ୟାୟ ଏବଂ ଅସଂଗତି ବିରୋଧରେ ସ୍ୱର ଉତ୍ତୋଳନ କରିବାର ଯୁ ଆମ ଭିତରୁ କେତେ ଜଣଙ୍କର ଅଛି ? ଗାନ୍ଧୀ କହିଥିଲେ ସତ୍ୟାଗ୍ରହୀକୁ ସବା ଆଗ ଭୟରୁ ମୁକ୍ତି ପାଇବା ପାଇଁ ହେବ । ରାଜ୍ୟର ଭୟ, ରାଷ୍ଟ୍ରର ଭୟ, ପରିବାରର ଭୟ । ଆମ ତଥାକଥିତ ଶାନ୍ତିକାମୀମାନଙ୍କ ଭିତରେ ସତରେ କେତେଜଣ ଭୟମୁକ୍ତ ? ପ୍ରଶ୍ନ ନକ୍ସଲ ହିଂସାକୁ ସମର୍ଥନ କରିବାର ନୁହେଁ, ପ୍ରଶ୍ନ ବୈଷମ୍ୟକୁ ପ୍ରତିହତ କରିବା ପାଇଁ ଆମ ଆନ୍ତରିକ ଉଦ୍ୟମର । ନିଷ୍ଠାର । ସାମୂହିକ ପ୍ରତିବାଦର । ବିଗତ କେତେ ବର୍ଷ ଧରି ଅର୍ଥନୈତିକ ପ୍ରଗତିକୁ ବିଧାତା ମଣୁଥିବା ଆମ ଶାସନ ବ୍ୟବସ୍ଥା ଆଦିବାସୀଙ୍କୁ କ୍ଷତିଗ୍ରସ୍ତ କରିଚାଲିଛି । ବିଖଣ୍ଡିତ କରିଆସିଛି । ଏଣେ ନିଜ ସୁବିଧା ପାଇଁ ଗାନ୍ଧୀଙ୍କୁ ବି ଆମେ ବ୍ୟବହାର କରିବାରେ ଲାଗିଛୁ । ଗାନ୍ଧୀ ବନ୍ଧୁକ ଧରିବା ପାଇଁ କହୁନଥିଲେ ଠିକ୍‌, କିନ୍ତୁ ହିଂସା ଏବଂ ଭୀରୁତା ଭିତରୁ ଗୋଟିଏକୁ ବାଛିବାକୁ କୁହାଗଲେ ଗାନ୍ଧୀ ହିଂସାକୁ ବାଛିବେ ବୋଲି କହିଥିଲେ । ଏବେ ଆମେ ନିଜକୁ ପ୍ରଶ୍ନ ପଚାରିବାର ସମୟ ଆସିଛି । ଆମେ ଭୀରୁ ନୁହେଁ ତ । ମାନବିକ ମୂଲ୍ୟବୋଧ ଏବଂ ମର୍ଯ୍ୟାଦାକୁ ସାବ୍ୟସ୍ତ କରିବା ପାଇଁ ଯଦି ବନ୍ଧୁକ ଏକ ଐତିହାସିକ ଆବଶ୍ୟକତା ବୋଲି କେହି ଦ୍ୱାହି ଦିଏ, ତେବେ ଆମେ କେବଳ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବା ଅରୁନ୍ଧତୀଙ୍କ ଆଖିକୁ (ବିଚାର) ଦୋଷ ଦେଇ ନିଶ୍ଚିନ୍ତରେ ବସିଗଲେ ଚଳିବ ନାହିଁ । ସବାଆଗ ନିଜକୁ ସଜାଡ଼ିବାକୁ ପଡ଼ିବ । ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପଡ଼ିବ । ଗାନ୍ଧୀ ଧରେଇ ଦେଇଯାଇଥିବା ଅଦୃଶ୍ୟ ବନ୍ଧୁକରେ ବାରୁଦ ଅଲବତ୍‌ ଭରିବା ପାଇଁ ହେବ । ହେଲେ, ଗଣଚେତନାରେ ସେ ବାରୁଦ କାହିଁ ?

(ଗୋକର୍ଣ୍ଣିକା ୨ୟ ସଂଖ୍ୟା, ୨୦୧୦)

Image

 

ଶ୍ରୀ ସୁଶାନ୍ତ ରାଉତ ଏବଂ ଇ-ଶାସନ ଉପାଖ୍ୟାନ

 

ଜୁଲାଇ ୩୧ ତାରିଖ ୨୦୧୦ । କଳାହାଣ୍ଡିର ସୁଶାନ୍ତ ରାଉତ । ତାର ନିଜର କମ୍ପ୍ୟୁଟର ନଥିଲା କି ଇ-ମେଲ୍‌ଆଇ.ଡି କ’ଣ ସେ ବିଷୟରେ ଧାରଣା ନଥିଲା । ତେବେ ତା ଭାଗ୍ୟ ଭଲ ଥିଲା । ରାଜ୍ୟରେ ଇ-ଅଭିଯୋଗ ବ୍ୟବସ୍ଥାର ଶୁଭାରମ୍ଭ ଦିନ ହିଁ (୩୧ ଜୁଲାଇ) କଳାହାଣ୍ଡି ଜିଲ୍ଲା ପ୍ରଶାସନ ସୁଶାନ୍ତର ଅଭିଯୋଗ ନେଟ୍‌ରେ ପଠେଇ ଦେଇଥିଲେ । ସେଇ ଦିନ ହିଁ ତାର ଟିକିତ୍ସା ପାଇଁ ତୁରନ୍ତ ମଂଜୁର ହେଲା ଟ୩୦,୦୦୦ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ।

 

ଇ-ଅଭିଯୋଗ ମାଧ୍ୟମରେ କଟକ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳର ଜଣେ ମହିଳା ମଧ୍ୟ ଉପକୃତ ହୋଇଥିଲେ । ନିଜ ଗାଁ ରାସ୍ତା ପାଇଁ ବର୍ଷ ବର୍ଷ ଧରି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବୁଝେଇବାରେ ବିଫଳ ହେବାପରେ ସେଦିନ ସେ ଇ-ଅଭିଯୋଗ କରିବା ପାଇଁ ସ୍ଥିର କରିଥିଲେ । ସରକାର ସ୍ପଷ୍ଟ କରିଛନ୍ତି ଯେ ପୃଥିବୀର ଯେ କୌଣସି ସ୍ଥାନରୁ, ଯେ କୌଣସି ସମୟରେ ଜଣେ ନାଗରିକ ତାର ସମସ୍ୟା ଜଣେଇ ପାରିବ । ଏବେ ଏବେ ଆରମ୍ଭ ହୋଇଥିବା ଇ-ଅଭିଯୋଗ ବ୍ୟବସ୍ଥା ସରକାରଙ୍କ ଇ-ଶାସନ ଯୋଜନାର ଏକ ଅଂଶ କିଛି ଏହା ପ୍ରକୃତରେ ଲୋକଙ୍କ କାମରେ ଆସିବ ବୋଲି କହୁଥିବା ବେଳେ ଆଉ କେହି ଏହି କାଯ୍ୟକ୍ରମକୁ ‘ଇ-ଟକମା’ ବୋଲି ମଧ୍ୟ କହୁଛନ୍ତି-। ଆସନ୍ତୁ ଆଖି ପକେଇବା ଇ-ଗଭର୍ଣ୍ଣାନ୍ସ ଉପରେ ।

 

ମେ ୧୮, ୨୦୦୬ରେ ଭାରତ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ଦେଇଥିଲେ ଇ-ଶାସନ ଯୋଜନାକୁ । ଏଥିରେ ଅନ୍ତର୍ଭୁକ୍ତ ଥିଲା ୨୭ଟି ମିଶନ୍‌ ମୋଡ଼୍‌ ପ୍ରକଳ୍ପ । ତେବେ ଏହାର ଢେର୍‌ ଆଗରୁ, ଅଶୀ ଦଶକର ଶେଷ ପର୍ଯ୍ୟାୟରୁ ସରକାର ପ୍ରଶାସନକୁ ଇ-ଶାସନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ କାମ ଆରମ୍ଭ କରିସାରିଥିଲେ । ଏଥିରେ କେବଳ କେନ୍ଦ୍ର ସରକାର ନୁହେଁ, ରାଜ୍ୟ ସରକାର ମଧ୍ୟ ସଂପୃକ୍ତ ଥିଲେ । ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ପଯ୍ୟାୟ କ୍ରମେ ସବୁଠୁ ସାଧାରଣ ଲୋକଟି ପାଖରେ ସହଜରେ ପହଞ୍ଚି ପାରିବ, ତା ଗାଁ ରେ/ ଅଞ୍ଚଳରେ ଏବଂ ଏହା ପ୍ରଶାସନକୁ ଅଧିକ ନିକଟତର ତଥା ପାରଦର୍ଶୀ କରିବ, ଏହାହିଁ ଥିଲା ଇ-ଶାସନର ଦୃଷ୍ଟି ଏବଂ ଦର୍ଶନ । ଏଥିପାଇଁ ଭାରତର ଗାଁ ଗହଳିରେ କମନ୍‌ ସର୍ଭିସ୍‌ ସେଣ୍ଟର୍‌ମାନ ଖୋଲାଯିବ । କେବଳ ସରକାରଙ୍କ ଦ୍ଵାରା ଏତେ ବ୍ୟାପକ ବ୍ୟବସ୍ଥା ସଂଭବ ହୋଇପାରିବ ନାହିଁ । ତେଣୁ କାର୍ଯ୍ୟକ୍ରମ ସହିତ ଅନୁବନ୍ଧିତ କରାଯାଇଥିଲା ବିଶେଷଜ୍ଞମାନଙ୍କୁ । ଏ ବାବଦରେ ଅଭିଜ୍ଞତା ଥିବା (ପ୍ରଯୁକ୍ତିଗତ) ସଂସ୍ଥାମାନଙ୍କୁ । ଜୁନ୍‌ ୨୦୧୦ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ମୋଟ୍‌ ୮୧,୦୨୫ ଟି କମନ୍‌ ସର୍ଭିସ୍‌ ସେଣ୍ଟର ଖୋଲି ସାରିଛି ବୋଲି ଜଣାପଡ଼ିଛି । ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ବିନିଯୋଗ କରାଯାଇଛି । ଏ କ୍ଷେତ୍ରରେ ଆମ ରାଜ୍ୟ ବି ପଛରେ ନାହିଁ । ୧୪ ଜୁନ୍‌ ୨୦୦୬ ରେ ରାଜ୍ୟ ସରକାର ସୂଚନା ବିଜ୍ଞାନ ଏବଂ ଏହା ଜରିଆରେ ଆଗକୁ ଉପଲବ୍ଧ ହେବାକୁ ଥିବା ସେବାକ୍ଷେତ୍ରମାନଙ୍କୁ ଚିହ୍ନଟ କରି ରୋଡ୍‍ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି । ଆଗରୁ ୨୦୦୪ ରେ ନିର୍ଦ୍ଦିଷ୍ଟ ନୀତି ବି ପ୍ରଣୟନ କରିଛନ୍ତି ।

 

ସଂକ୍ଷେପରେ ଇ-ଶାସନକୁ ନେଇ ଆମର ରୋଡ୍‌ ମ୍ୟାପ୍‌ଟି ଏମିତି (୧) ରାଜ୍ୟ ସରକାର ନାଗରିକମାନଙ୍କୁ ଯୋଗାଇ ଦେଉଥିବା ଅଧିକାଂଶ ସେବା କ୍ରମଶଃ ଉପଲବ୍ଧ ହେବ ଓେବ୍‌ ଜରିଆରେ (୨) ଏଥିପାଇଁ ବ୍ୟାପକ ନେଟ୍‌ଓ୍ୱାର୍କିଂ ହେବ । ରାଜ୍ୟସ୍ତରୀୟ ଡାଟା ସେଣ୍ଟର ପ୍ରତିଷ୍ଠା ହେବ ଭୁବନେଶ୍ୱରରେ ଏବଂ ଜିଲ୍ଲା ସ୍ତରୀୟ କେନ୍ଦ୍ର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ । (୩) ନେଟ୍‌ୱର୍କିଂ ପ୍ରଲମ୍ବିତ ହେବ ବ୍ଳକ ଏବଂ ପଞ୍ଚାୟତ ସ୍ତରକୁ । (୪) ସୂଚନା କ୍ଷେତ୍ରରେ ଧନୀ, ଗରିବ, ସମର୍ଥ -ଅସମର୍ଥ ମଧ୍ୟରେ ତାରତମ୍ୟ ହ୍ରାସ ପାଇଁ ସରକାର ବରାବର ଚେଷ୍ଟା କରିବେ । ପ୍ରଥମ ପର୍ଯ୍ୟାୟରେ ୧୫ଟି ବିଭାଗ ଅଧୀନରେ ଅନ୍ୟୂନ ୨୦୦ ଟି ସେବାକ୍ଷେତ୍ରକୁ ବିଚାରକୁ ନେଲେ ସରକାର । ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଯେ ୨୦୦୮ ସୁଦ୍ଧା ଏସବୁ ସେବା ଜନତାଙ୍କ ଦୁଆର ମୁହଁରେ ପହଞ୍ଚେଇବା ପାଇଁ ଅନ୍ତତଃ ୮୫୫୫ଟି କମନ୍‌ ସର୍ଭିସ୍‌ସେଣ୍ଟର ଖୋଲାଯିବ । ରାଜ୍ୟ ବ୍ୟାପି ଓ୍ୱାଇଡ଼୍‌ ଏରିଆ ନେଟ୍‌ୱାର୍କିଂ (ସ୍ୱାନ୍‌) ଜରିଆରେ ରାଜଧାନୀ ଭୁବନେଶ୍ୱରରୁ ସୁଦୂର ଗାଁ ଗଣ୍ଡା ଯାଏ ଲକ୍ଷ ଲକ୍ଷ ସାଧାରଣ ଲୋକ ସଂଯୁକ୍ତ ହୋଇ ରହିବେ ଶାସନ ସହିତ । ଇ-ଶାସନ ପ୍ରକରଣରେ ସରକାର ଆପଣାର କ୍ରମ ବିବର୍ତ୍ତନକୁ ନିଜ ଓେବ୍‌ସାଇଟ୍‌ରେ ନାନା ରଙ୍ଗରେ ଦର୍ଶେଇଛନ୍ତି ଏମିତି- (୧) ୨୦୦୦ ମସିହା/ପ୍ରଥମ ତରଙ୍ଗ- ନାଗରିକମାନେ ସୂଚନା ପାଇବା ପାଇଁ ସୁଯୋଗ ସୃଷ୍ଟି (୨) ୨୦୦୪ ମସିହା/୨ୟ ତରଙ୍ଗ-ଏଇ ସୁଯୋଗର ସଂପ୍ରସାରଣ ଏବଂ ସୂଚନା ଆଦାନ ପ୍ରଦାନ (୩) ୨୦୦୬ ମସିହା/ତୃତୀୟ ତରଙ୍ଗ-ନାଗରିକର ବ୍ୟାବହାରିକ ଆବଶ୍ୟତାକୁ ଆଖି ଆଗରେ ରଖି ଉପଲବ୍ଧ ସେବା ସମୂହର ପୁନଃ ରୂପାୟନ/ ପୁନଃ ପ୍ରସୂତି । (୪) ୨୦୨୦ ମସିହା/ ଚତୁର୍ଥ ତରଙ୍ଗ ଜ୍ଞାନକୁ ହିଁ ଭିତ୍ତି କରିଥିବା ସରକାର/ ଶାସନର ପ୍ରତିଷ୍ଠା ।

 

ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ୨୦୧୦ ଶେଷ ହେବା ପାଇଁ ଆଉ ୪ ମାସ ବାକି ଅଛି, କିନ୍ତୁ ଆମେ ଅଟକି ରହିଛେ ତଥାକଥିତ ସୂଚନା ବିପ୍ଳବର ୨ୟ ତରଙ୍ଗ ପାଖରେ ସ୍ୱାନ୍‌ ଜରିଆରେ ଏ ଯାଏଁ ଅଧିକାଂଶ ବ୍ଲକକୁ ଜିଲ୍ଲା କେନ୍ଦ୍ରମାନଙ୍କୁ ସଂଯୁକ୍ତ କରାଯାଇ ପାରିନାହିଁ । ଯେଉଁ ବ୍ଲକମାନଙ୍କୁ ଏ ସୁବିଧା ମିଳିଛି ସେ କ୍ଷେତ୍ରରେ ଭିଡିଓ କନ୍‌ଫରେନ୍‌ସିଂର ବ୍ୟବସ୍ଥା ମଧ୍ୟ ନାହିଁ । ବିଡ଼ିଓ ଥିବା ଜଣେ ବନ୍ଧୁ କହିଲେ ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ବ୍ଲକ୍‌ ଡାଟା ସେଣ୍ଟର୍‌ କହିଲେ ଯାହା ବୁଝାଉଛି ତାହା ପ୍ରକୃତରେ ଏକ ବାତାନୁକୂଳିତ ପ୍ରକୋଷ୍ଠ । ଗୋଟିଏ ଜେନେରେଟର୍‌, ଡେସ୍କଟପ୍‌ଟିଏ ଏବଂ ଆଇ.ପି ଫୋନ୍‌ । ଜିଲ୍ଲା ସ୍ତରରେ ଥିବା ଡାଟା ସେଣ୍ଟର୍‌ ଅନେକାଂଶରେ ଅବ୍ୟବହୃତ ସୋ ପିସ୍‌ । ବାକି ରହିଲା କମନ୍‌ସର୍ଭିସ ସେଣ୍ଟର । ସେସବୁ ନାଁକୁ ଚାଲିଛି । ବନ୍ଧୁ ଜଣଙ୍କ କହିଲେ ଜିଲ୍ଲା, ସବ୍‌ଡିଭିଜନ୍‌, ତହସିଲ ଏବଂ ବ୍ଲକ୍‌ ସ୍ତରରେ ମିଳୁଥିବା ସରକାରୀ ସେବା ନାଗରିକମାନଙ୍କୁ କମନ୍‌ ସର୍ଭିସ୍‌ସେଣ୍ଟର୍‌ ଜରିଆରେ ଯୋଗାଇ ଦେବା ପାଇଁ ତଥ୍ୟର ଯେଉଁ (ଡିଜିଟାଇଜେସନ୍‌) ଜରୁରୀ, ଏ ଯାଏଁ ତାହା ହୋଇନାହିଁ । ଅତଏବ ପରିଣତି ଏୟା ହୋଇଛି । (୧) ଶତକଡ଼ା ୭୦-୭୫ ଭାଗ ସର୍ଭିସ୍‌ସେଣ୍ଟର୍‌ ନିରୋଳା କାଗଜରେ ଚାଲିଛି । (୨) ଅବଶିଷ୍ଟ ସେଣ୍ଟରରେ ଡିଟିପି ହେଉଛି, ମୋବାଇଲ୍‌ ଭାଉଚର୍‌ଇ-ରିଚାର୍ଜ ହେଉଛି । କାଁ ଭାଁ କେଉଁଠି ରେଳ ଟିକେଟ୍‌ ବୁକିଂ ହେଉଛି । ଏହାହିଁ ଆମର ସକଳ ଇ-କ୍ରାନ୍ତି । ଦୁଃଖ ଏତିକି ନୁହେଁ, ଆଉଟ୍‌ସୋର୍ସିଂ ପ୍ରକ୍ରିୟାରେ ଗାଁ ଗହଳରେ ଖୋଲିଥିବା ବେଶ୍‌ କିଛି କେନ୍ଦ୍ରରୁ ସରକାରଙ୍କ ନାଁରେ ସଂପୃକ୍ତ ଘରୋଇ ଭେଣ୍ଡର୍‌/ସଂସ୍ଥା ଭଲ ଦି-ପଇସା ହାତ କରିଦେଇଛନ୍ତି । ସରକାରୀ ଷ୍ଟାମ୍ପ ବାଜିଗଲେ ତେଣିକି ଠକିବା, ଏ ଅନଗ୍ରସର ରାଜ୍ୟରେ, ବିଶେଷ କରି ଗାଁ-ଗହଳିରେ ଭାରି ସହଜ । ସଚେତନ ଭାବରେ ଥରେ ଆପଣ ଚିନ୍ତା କଲେ ଏକଥା କ୍ରମଶଃ ସ୍ପଷ୍ଟ ହୋଇଆସିବ ଯେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ସହଯୋଗରେ ନାଗରିକମାନଙ୍କ ପାଇଁ ପ୍ରସ୍ତୁତ ଭୂ-ଲେଖ (ଖତିଆନର କମ୍ପ୍ୟୁଟରୀ କରଣ)କୁ ବାଦ୍‌ଦେଲେ ଇ-ଶାସନ ମାଧ୍ୟମରେ ସାଧାରଣ ଲୋକ ଉପକୃତ ହେବା ପରି କୌଣସି ଠୋସ୍‌ ସେବା ଏ ଯାଏଁ ଉପଲବ୍ଧ ହୋଇନାହିଁ । (ଇ-ଶିଶୁ, ବେତନ ଆଦି ଇ-ବ୍ୟବସ୍ଥା ସହିତ ସାଧାରଣ ସଂପୃକ୍ତି ନାହିଁ) ରାଜ୍ୟରେ ଇ-ରେଜିଷ୍ଟ୍ରେସନ୍‌ଏବଂ ଅନ୍‌ଲାଇନ୍‌ ମ୍ୟୁଟେସନ୍‌ଏ ଯାଏଁ ବାଧ୍ୟତାମୂଳକ ହୋଇପାରିନାହିଁ । ଗତ କେତେବର୍ଷ ଭିତରେ ସରକାର ପ୍ରଚୁର କମ୍ପ୍ୟୁଟର କିଣିଛନ୍ତି, ତେବେ ଅଧିକାଂଶ କାର୍ଯ୍ୟାଳୟ କ୍ଷେତ୍ରରେ କମ୍ପୂଟରକୁ ମୁଖ୍ୟତଃ ଦୁଇ କିସମର ମର୍ଯ୍ୟାଦା ମିଳିଛି । (୧) କମ୍ପ୍ୟୁଟର ସୁନ୍ଦରିଆ ଚିଠିପତ୍ର/ରିପୋର୍ଟ ଲେଖିବା ପାଇଁ ଟାଇପ୍‌ରାଇଟର୍‌ କାମ କରୁଛି । (୨) ଗୀତ ଶୁଣିବା ପାଇଁ ଏବଂ ସିନେମା ଦେଖିବା ପାଇଁ ଏଥିରେ ସୁନ୍ଦର ଉନ୍ନତ ସଂସ୍କରଣ । ଡାଟା ବ୍ୟାଙ୍କ ଏବଂ ଡାଟା ମାଇନିଂର ଧାରଣା ରାଜ୍ୟ ସରକାରଙ୍କ ଅଧିକାଂଶ ବିଭାଗର ନାହିଁ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏହା କାହୁଁ ଆସିବ ? ଏ ସ୍ଥିତିରେ କାଗଜ ହୀନ (ପେପର୍‌ଲେସ୍‌) ଇ-କାର୍ଯ୍ୟାଳୟର ପରିକଳ୍ପନା ସାକାର ହେବା ପାଇଁ ଗୋଟାଏ ଯୁଗ ଲାଗିବ । ଅଥଚ ଆମ ତୁଳନାରେ ଗୁଜରାଟ, ମହାରାଷ୍ଟ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟ ମାନଙ୍କର ସ୍ଥିତି ବେଶ୍‌ ଭଲ । ମହାରାଷ୍ଟ୍ର ସରକାର ନିକଟ ଭବିଷ୍ୟତରେ ମହାରାଷ୍ଟ୍ର ମ୍ୟାଣ୍ଡେଟରି ଇଲେକ୍‌ଟ୍ରୋନିକ୍‌ ଡେଲିଭରି ଅଫ୍‌ ପବ୍ଲିକ୍‌ ସର୍ଭିସେସ୍‌ ଆକ୍ଟ ୨୦୧୦ ପ୍ରଣୟନ କରିବାକୁ ଯାଉଛନ୍ତି ।

 

କେଇଦିନ ତଳେ ସଚିବାଳୟରେ ପ୍ରାଶାସନିକ ସଂସ୍କାର ସେଲ୍‌ରେ ବେଶ୍‌ କେଇ ବର୍ଷ କାମ କରିଥିବା ମୋର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇଥିଲା । କଥା ପ୍ରସଙ୍ଗରେ ତାଙ୍କ ସଚିବାଳୟ ସ୍ତରରେ ହାତକୁ ନିଆଯାଇଥିବା ଇ-ଶାସନ କାର୍ଯ୍ୟକ୍ରମ ମାନଙ୍କ ହାଲ୍‌ ସଂପର୍କରେ ପଚାରିଲି । ବନ୍ଧୁ କହିଲେ, “ବେକାର କଥା ଛାଡ଼ । ସରକାର ସବା ଆଗ ନିୟମ କରନ୍ତୁ ଯେ ସଚିବାଳୟ ସ୍ତରରେ ପ୍ରତ୍ୟେକ ଫାଇଲ୍‌ର ଇ-ଟ୍ରାକିଂ ହେବ । ଆସିଷ୍ଟାଣ୍ଟ୍‌ ସେକ୍ସନ୍‌ ଅଫିସରଙ୍କଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କାହା ପାଖରେ ସର୍ବାଧିକ କେତେଦିନ ଫାଇଲ୍‌ ରହିପାରିବ, ସେକଥା ଆଗ ସ୍ଥିର ହେଉ । ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିମାସରେ ଏ ସ୍ଥିତିର ସମୀକ୍ଷା କରନ୍ତୁ । ପରବର୍ତ୍ତୀ ପର୍ଯ୍ୟାୟରେ ସମାନ ବ୍ୟବସ୍ଥା ଲାଗୁ କରାଯାଉ ଜିଲ୍ଲା ଓ ଚ୍ଳକ ସ୍ତରରେ । ଇ-ଶାସନ ସ୍ଲୋଗାନ୍‌ ଦେବା ଆଗରୁ ପ୍ରାଶାସନିକ କାର୍ଯ୍ୟଶୈଳୀରେ ମୌଳିକ ସଂସ୍କାର ଗୁଡ଼ାକ ଆଗ ଆସୁ ।’’ ସେ ପୁଣି କହିଲେ, କଳାହାଣ୍ଡିର ସୁଶାନ୍ତ କିମ୍ବା ଗୋବିନ୍ଦପୁରର ଶ୍ରୀମତୀ ମହାରଣାଙ୍କ ସମସ୍ୟାର ଆଶୁ ସମାଧାନ ଇ-ଅଭିଯୋଗର ଶୁଭ ମହୁରତ୍‌ ଅବସରରେ ନିରୋଳା ସଂଯୋଗ ହୋଇଥାଇପାରେ, ମାତ୍ର ଏହା ଆମ ପ୍ରାଶାସନିକ ସମ୍ବେଦନା ବା ଇ-ଶାସନର କମାଲ୍‌ କଦାପି ନୁହେଁ । ଆପଣ ତଥାପି ଇ-ଅଭିଯୋଗ କରିପାରନ୍ତି । ଇ- କ୍ରାନ୍ତିର ରଙ୍ଗିନ ସ୍ୱପ୍ନ ଦେଖିପାରନ୍ତି ।

(ସମ୍ବାଦର ସିଧାକଥା ସ୍ତମ୍ଭରେ ଅଗଷ୍ଟ, ୨୦୧୦ରେ ପ୍ରକାଶିତ)

Image

 

ଗୁଜବ, ଅସତ୍ୟ ଓ ଅର୍ଦ୍ଧସତ୍ୟ

 

ମନେ ପଡ଼ୁଛି କିଛି ଦିନ ତଳର କଥା । ସେଇ ସମୟରେ ଯାଜପୁରର ପ୍ରସିଦ୍ଧ ଦଶାଶ୍ଵମେଧ ଘାଟ ନିକଟରେ ଏକ ବିରାଟ ଯଜ୍ଞ ଚାଲିଥାଏ । ଯଜ୍ଞ ଆରମ୍ଭ ଆଗରୁ କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ତିନି ହଜାରରୁ ଅଧିକ ଶ୍ରଦ୍ଧାଳୁ । ଏଗାର ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏଇ ଯଜ୍ଞ ସଂପର୍କରେ ମଝିରେ ମଝିରେ ନାନା କଥା ଶୁଣିବାକୁ ମିଳୁଥିଲା । ଦିନେ ମୋ କାର୍ଯ୍ୟାଳୟର ଜଣେ କର୍ମଚାରୀ ସେ ସଂପର୍କରେ ଉପସ୍ଥାପନ କରିଥିବା ଖବରଟି ଥିଲା ଏମିତି- “ବାବା (ଲୋକେ ଯଜ୍ଞ ଆୟୋଜକଙ୍କୁ ‘ନନା’ ଏବଂ ସମ୍ବାଦପତ୍ରମାନେ ତାଙ୍କୁ ‘ପୂଜ୍ୟପାଦ ଭାଇନା’ ସମ୍ବୋଧନ କରୁଥିଲେ) ନିର୍ମାଣ କରେଇଥିବା ମୁଖ୍ୟ ଯଜ୍ଞବେଦୀର ଆୟତନ ଚାରିଶହ ବର୍ଗଫୁଟ । ଏହା କୋଡ଼ିଏ ଫୁଟ ଗଭୀର । ସାର୍‌, ଯେଉଁଦିନ ଇଞ୍ଜିନିୟରମାନଙ୍କ ଉପସ୍ଥିତିରେ କୁଣ୍ଡକାମ ଆରମ୍ଭ ହେଲା, ସେଦିନ ପାଞ୍ଚ/ଛଅ ଫୁଟ ଖୋଳିବା ପରେ ମାଟିରୁ ବାହାରିଲା ଘିଅର ବାସ୍ନା, ସମସ୍ତେ କହୁଛନ୍ତି ରାଜା ଯଯାତି କୁଆଡ଼େ ଠିକ୍‌ ସେଇଠି ଅଶ୍ଵମେଧ ଯଜ୍ଞ ଆରମ୍ଭ କରିଥିଲେ-।’’ ମୁଁ କିଛି ପଚାରିବା ଆଗରୁ ସେ ପୁଣି କହିଲେ, ‘‘ଲୋକେ କହୁଛନ୍ତି, ବାବା ତିଆରି କରିଥିବା ଯଜ୍ଞସ୍ଥଳୀ ତଳେ ଧ୍ୟାନରେ ବସିଛନ୍ତି ଆଉ ଜଣେ ବାବା । ସେ ଜଣେ ତନ୍ତ୍ର ସାଧକ । ପୂର୍ଣ୍ଣାହୂତି ପରେ ଯଦି ଅକ୍ଷତ ଅବସ୍ଥାରେ ସେ ବାହାରନ୍ତି, ତେବେ ଯାଇ ଦେଶ ରକ୍ଷା ହେବ, ନଚେତ୍‌ ୨୦୧୨ ମସିହାରେ ମହାବିନାଶକୁ କେହି ରୋକି ପାରିବେ ନାହିଁ ।’’ ଯାହା ମୋତେ ମାଲୁମ୍‌, ଏ ଗୁଜବ ସୀମିତ ଥିଲା ଯାଜପୁର ଜିଲ୍ଲାର ଭୌଗୋଳିକ ସୀମା ଭିତରେ ।

 

ପାଠକମାନେ ପରିଚିତ ହୋଇସାରିଛନ୍ତି ଗତ ମାର୍ଚ୍ଚ ମାସରେ ଉଠିଥିବା ଭୂମିକମ୍ପ ଗୁଜବ ସହିତ ଏବଂ ଏହାର ସାତ ଦିନ ଆଗରୁ ଚର୍ଚ୍ଚାକୁ ଆସିଥିବା ‘ଗୋଟିଏ ପୁଅ’ ଗୁଜବ ସହିତ । ଏକଥା ସତ ଯେ ଭୟାତୂର ମଣିଷମାନଙ୍କ ଭିତରେ ଗୁଜବ ଖେଳେଇବା ଖୁବ୍‌ସହଜ । ତେବେ ମନସ୍ତତ୍ତ୍ୱବିତ୍‌ମାନଙ୍କ ବିଚାରରେ ଗୁଜବକୁ ଭିତ୍ତି କରିଥିବା ମନସ୍ତତ୍ତ୍ୱ (ର‍୍ୟୁମର୍‌ ସାଇକୋଲୋଜି) ଅଧିକ ଗବେଷଣାର ଅପେକ୍ଷା ରଖେ । କେବଳ ଗ୍ରାମାଞ୍ଚଳରେ ବା ଅପେକ୍ଷାକୃତ କମ୍‌ ଶିକ୍ଷିତ ଲୋକଙ୍କ ମେଳରେ ଯେ ଗୁଜବର ସଂଚାର ହୁଏ, ଏ କଥା ଭାବିବା ମଧ୍ୟ ଅମୂଳକ ।

 

ଗବେଷଣା ପ୍ରମାଣ କରି ସାରିଛି ଯେ ଗୁଜବ ସବୁ ସମୟରେ ଏବଂ ସବୁଠି ଏକ ଅଲିଖିତ ଶୃଙ୍ଖଳାକୁ ହିଁ ଅନୁସରଣ କରିଥାଏ । ଗୁଜବ ସତରେ ଏକ ଅଜବ ଖବର ଯାହା ସତ୍ୟ ଏବଂ ମିଥ୍ୟାର ଅପମିଶ୍ରଣ ହୋଇପାରେ, ଅର୍ଦ୍ଧସତ୍ୟ ହୋଇପାରେ ଏବଂ ହୋଇପାରେ ଅଧିକାଂଶ ସମୟରେ ନିରୋଳା ମିଛ । ଏହା ସବୁ ସମୟରେ ଥିଲା, ଅଛି ଏବଂ ସମ୍ଭବତଃ ରହିବ । ତେବେ ଗୁଜବକୁ ନେଇ ଏ ଯାଏଁ ହୋଇଥିବା ଗବେଷଣାତ୍ମକ ଅଧ୍ୟୟନ ବେଶ୍‌ ରୋଚକ । ଦ୍ୱିତୀୟ ବିଶ୍ଵଯୁଦ୍ଧ କାଳରେ ଚର୍ଚ୍ଚାକୁ ଆସିଥିବା ଅନ୍ତତଃ ଏକ ହଜାର ଗୁଜବ ଉପରେ ସବିଶେଷ ଅଧ୍ୟୟନ କରିଥିଲେ ରବର୍ଟ ନାପ୍‌ । ମଜା କଥା ହେଉଛି, ସେତେବେଳେ ‘ବୋଷ୍ଟନ୍‌ ହେରାଲ୍‌ଡ଼’ରେ ପ୍ରକାଶିତ ହେଉଥିଲା ଏମିତି ସବୁ ଗୁଜବ ‘ର‍୍ୟୁମର୍‌ କ୍ଲିନିକ’, ସ୍ତମ୍ଭରେ । ନାପ୍‌ ମହାଶୟଙ୍କ ମତରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଗୁଜବ ହେଉଛି ଏମିତି ଏକ ବିଶ୍ଵାସ ଯାହା ପଛରେ ଅନ୍ତତଃ କୌଣସି ସରକାରୀ/ବ୍ୟବସ୍ଥାଗତ ସ୍ୱୀକୃତି ନଥାଏ । ଅନ୍ୟ ଅର୍ଥରେ, ଗୁଜବର ପ୍ରମାଣଯୋଗ୍ୟତା ନଥାଏ । ଗୁଜବ ପୁଣି ଏକ ଅଭୁତ ଅଣପାରମ୍ପରିକ ସାମାଜିକ ନେଟ୍‌ୱାକିଂ ଯେଉଁଠି ଭୟ, ରହସ୍ୟ, ରୋମାଞ୍ଚ ମିଥ୍, କିମ୍ବଦନ୍ତୀ ଏବଂ ଆପାତତଃ ଅନିଶ୍ଚିତତାର ଅଧିକାଂଶ ଉପାଦାନମାନ ପ୍ରାୟତଃ ଉପସ୍ଥିତ ଥାନ୍ତି । ନିଜ ଅଧ୍ୟୟନ ଅବଲମ୍ବନରେ ନାପ୍‌ ଗୁଜବମାନଙ୍କୁ ତିନିଟି ପର୍ଯ୍ୟାୟଭୁକ୍ତ କରିଛନ୍ତି । ୧. ସାର୍ବଜନୀନ ଆଶା/ଆକାଂକ୍ଷାକୁ ନେଇ ଅଙ୍କୁରୁ ଥିବା ଗୁଜବ (ଦ୍ୱିତୀୟ ବିଶ୍ୱଯୁଦ୍ଧ ବନ୍ଦ ହେଉ ବୋଲି ଅନେକ ଚାହୁଁଥିଲେ । ସେତେବେଳେ ଏଇ ଗୁଜବ ପ୍ରଚାରିତ ହୋଇଥିଲା ଯେ ଜାପାନର ତେଲ ରିଜର୍ଭ ସରିଆସିଲାଣି । ଅତଏବ ଯୁଦ୍ଧ ବନ୍ଦ ହେବା ଅବଶ୍ୟମ୍ଭାବୀ) ୨. ଭୟରୁ ଉତ୍ପନ୍ନ ଗୁଜବ (ଯାହାର ଗୋଟିଏ ପୁଅ, ସେମାନେ ତୁରନ୍ତ ଶିବ ମନ୍ଦିରକୁ ଯାଇ ଦୀପ ଜାଳନ୍ତୁ, ନହେଲେ ପୁଅର କ୍ଷତି ହେବ-। ଗାଁ/ସହର ଯୋଉଠି ଏ ଗୁଜବ ରଟିଲା ସେଠି ମନ୍ଦିରରେ ତେଣିକି ଲାଗିଲା ଲମ୍ବାଧାଡ଼ି । ଅନେକ ଉଚ୍ଚ ଶିକ୍ଷିତ ଏବଂ ତଥାକଥିତ ହେତୁବାଦୀ ମାନେ ଶିକାର ହୋଇଥିଲେ ଏ ଅପପ୍ରଚାରର) ୩. ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ/ସଂପ୍ରଦାୟ/ବ୍ୟବସାୟୀ ଶିଳ୍ପ ସଂସ୍ଥାର ଆନୁଗତ୍ୟ ତଥା ପାରସ୍ପରିକ ସଂପର୍କକୁ କ୍ଷତିଗ୍ରସ୍ତ କରିବା ପାଇଁ ଉଦ୍ଦିଷ୍ଟ ଗୁଜବ । ନାଫ୍‌ଙ୍କ ଗବେଷଣା ବିଶ୍ଵଯୁଦ୍ଧ ସମୟର ଗୁଜବ ଉପରେ ଆଧାରିତ ହୋଇଥିଲେ ହେଁ ବୃହତ୍ତର ଅର୍ଥରେ ସବୁ ଗୁଜବ ପାଇଁ ପ୍ରଯୁଜ୍ୟ । ଫରକ ହେଉଛି, ଆମ ସମୟରେ ଗୁଜବର ଚାରିତ୍ରିକ ପରିବର୍ତ୍ତନ ଏବଂ ସଂଚାର ଯାହା ଆପଣେଇଛି ଇଣ୍ଟର୍‌ନେଟ୍‌ ଏବଂ ମୋବାଇଲ୍‌ ଫୋନ୍‌ପରି ବଳିଷ୍ଠ ମାଧ୍ୟମମାନଙ୍କୁ । ପ୍ରଚାର ସର୍ବସ୍ୱ କିଛି ଟିଭି ଚ୍ୟାନେଲ୍‌ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି ।

 

ମନସ୍ତତ୍ତ୍ୱବିତ୍‌ମାନେ ଗୁଜବକୁ ତୁଳନା କରିଛନ୍ତି ଏକ ବୋମା ସହିତ । ଗବେଷଣା ଏକଥା ସ୍ପଷ୍ଟ କରିସାରିଛି ଯେ ଗୁଜବର ଏକ ମନସ୍ତାତ୍ତ୍ୱିକ ବିନ୍ୟାସ ଏବଂ ନିର୍ଦ୍ଦିଷ୍ଟ ବିକାଶଚକ୍ର ମଧ୍ୟ ରହିଛି । ଗୁଜବଟିଏ ଭୂମିଷ୍ଠ ହେବାପରେ କେତୋଟି ଅବସ୍ଥା ସେଇ କ୍ରମରେ ପ୍ରାପ୍ତ ହୁଏ । ବିକାଶ-ବିଲୟ କ୍ରମରେ ସେଇ ଅବସ୍ଥାଗୁଡ଼ିକ ଏମିତି- ୧. ଗୁଜବର ଆବିର୍ଭାବ ଏବଂ ତାହା ନେଇ ଅଧିକାଂଶ ସ୍ଥଳରେ ଯଥାସମ୍ଭବ ସଂକ୍ଷିପ୍ତ ଆଲୋଚନା (ମାତ୍ର ୨।୩ଜଣଙ୍କ ପ୍ରାଥମିକ ଆଲୋଚନାକୁ ଭିତ୍ତିକରି ଗୁଜବଟିଏ ମହାଶକ୍ତିଶାଳୀ ହୋଇପାରେ) ୨. ପରେ ସର୍ବସାଧାରଣ ପରିସରରେ ଗୁଜବର ପ୍ରବେଶ ଏବଂ ଚର୍ଚ୍ଚା, ୩. ଗୁଜବକୁ ନେଇ ମତାମତ, ପରୀକ୍ଷା ନିରୀକ୍ଷା । ସେଇ ମର୍ମରେ ଗୁଜବର କ୍ରମ ସୁଦୃଢ଼ୀକରଣ ନଚେତ୍‌ ଅନ୍ତ । ମନୋବିଜ୍ଞାନୀ ମାନେ ଏକଥା ମଧ୍ୟ କହନ୍ତି ଯେ ଅଧିକାଂଶ ଗୁଜବ ଜନ୍ମ ନେଇଥାଏ ସ୍ଥାନୀୟତା ଆଧାରରେ ଏବଂ ସେଇ ଦୃଷ୍ଟିରୁ ଆଶ୍ରା କରିଥାଏ ସ୍ଥାନୀୟ ସାଂସ୍କୃତିକ ସାମାଜିକ ପାଣିପାଗକୁ । ଦରକାର ପଡ଼ିଲେ ଧର୍ମବିଶ୍ଵାସକୁ । ଗୁଜବର ବିନ୍ୟାସ ‘ଗସିପ୍‌’ ଠୁ (ଗୁଲିଗପ କହିପାରନ୍ତି) ଭିନ୍ନ । ଉଭୟଙ୍କର ଅବଶ୍ୟ ନିଜସ୍ୟ ଆଭିମୁଖ୍ୟ ଥାଏ, ତେବେ ଗସିପ୍‌ ମୁଖ୍ୟତଃ ବ୍ୟକ୍ତିଗତ/ପାରସ୍ପରିକ ସଂପର୍କ ଉପରେ ପର୍ଯ୍ୟବସିତ ହୋଇଥିବା ସ୍ଥଳେ ଗୁଜବ ସଂପର୍କିତ ଥାଏ ଗଣମନସ୍ତତ୍ତ୍ୱ ସହିତ । ଅତଏବ ତୁଳନାତ୍ମକ ସ୍ଥିତିରେ ଗସିପ୍‌ଠୁ ଗୁଲିର ପ୍ରଭାବ ଅଧିକ ଶକ୍ତିଶାଳୀ ।

 

ଗୁଜବ ପ୍ରତ୍ୟକ୍ଷ ଭାବରେ ରୋପିତ ହୋଇଥାଏ ଗଣଚେତନା ସ୍ତରରେ । ସେଠି ଗୁଜବର ଏକ ତାତ୍କାଳିକ ତଥା ସଂକ୍ଷିପ୍ତ ପରୀକ୍ଷା କରାଯାଏ । ଆବଶ୍ୟକ ହେଲେ ସେଥିରେ ଆଉ କିଛି ଉପାଦାନ ଯୋଡ଼ି ଦିଆଯାଏ ନଚେତ୍‌ ବାଦ୍‌ ଦିଆଯାଏ । ଗତ ୧୦ ମାର୍ଚ୍ଚ ରାତିରେ ଭୂମିକମ୍ପ ଗୁଜବ ଆଦ୍ୟ ସ୍ଥିତିରେ ସମ୍ଭାବ୍ୟ ଭୂମିକମ୍ପର ତାରିଖ ଯାହା ସ୍ଥିର କରିଥିଲା । ତେବେ କେଇ ଘଣ୍ଟା ଭିତରେ ‘ଗୁଜବ ଭୂକମ୍ପର ସମୟ ସୀମା ମଧ୍ୟ ସ୍ଥିର କରାଗଲା । ରାତି ୨।୩ଟା ଭିତରେ ଭୂକମ୍ପ ଆସିବ । ମନସ୍ତତ୍ତ୍ୱବିତ୍‌ମାନଙ୍କ ମତ ହେଉଛି ଯେ କୌଣସି ଗୁଜବର ଉଦ୍ଭବ ତଥା ସଂଚାରକୁ ମାନସିକ ସ୍ତରରେ ବରାବର ଖୋରାକ୍‌ ଯୋଗାଇଥାଏ ତିନିଟି କାରଣ । ୧. ଗୁଜବକୁ ନେଇ ପରୀକ୍ଷା ନିରୀକ୍ଷାର ମନୋବୃତ୍ତି, ୨.ସାମାଜିକ ସଂପର୍କର ସଂପ୍ରସାରଣ ବା ସୋସିଆଲ୍‌ ନେଟ୍‌ୱାର୍କିଂ, ୩. ବ୍ୟକ୍ତିଗତ ସ୍ତରରେ ପତିଆରା ବୃଦ୍ଧି । ସଂଚାର କ୍ରମରେ ଗୁଜବର ଆୟତନ ବୃଦ୍ଧିକୁ କୁହାଯାଏ ସ୍ନୋ ବଲିଂ । ଗତିପଥରେ ବରଫର ଛୋଟ ବଲ୍‌ ବରଫ ଟୁକୁଡା ସଂଗ୍ରହ କରି କ୍ରମଶଃ ବଡ଼ ହେବା ପରି ଅବସ୍ଥା ପ୍ରାପ୍ତ ହୁଏ ଗୁଜବ । ତେବେ ଗୁଜବ ସ୍ଥିତିରେ ଜଣଙ୍କ ପ୍ରତିକ୍ରିୟା କଣ ହୁଏ, ସେ ନେଇ ମଧ୍ୟ ତତ୍ତ୍ଵଟିଏ ଅଛି । କୁହାଯାଏ ଯେ ଗୁଜବ ସଂସ୍ପର୍ଶରେ ଆସିବା କ୍ଷଣି ଜଣେ ହେତୁବାଦୀ ଅନୁଶୀଳନ ଧର୍ମୀ ହେବ, ଅର୍ଥାତ୍‌ ଗୁଜବର ଚରିତ୍ରକୁ ସେ ଆଗ ଭେଦିବା ପାଇଁ ଚେଷ୍ଟା କରିବ । ଅସତ୍ୟ ଭିତରୁ ସତ୍ୟକୁ ତଲାସିବ- ଜଣେ ବିଚାରବନ୍ତ, ସ୍ଥିରବୁଦ୍ଧି ସଂପନ୍ନ ନାଗରିକ ଭାବରେ । ସ୍ଥିତି ନଂ. ୨ : ଗୁଜବ ସାମ୍ନାରେ ଜଣେ ନିଜର ଅନୁଶୀଳନ ଦୃଷ୍ଟିଭଙ୍ଗୀକୁ ବ୍ୟବହାର କରିବାର ସାମର୍ଥ୍ୟ ହରେଇ ବସିବ । ସୁତରାଂ ସେ ଗୁଜବର ପ୍ରଚାରରେ ସହାୟକ ହେବ । ସ୍ଥିତି ନଂ୩ : ଜଣଙ୍କର ଅନୁଶୀଳନ ଦୃଷ୍ଟିଭଙ୍ଗା ହୁଏତ ଥିବ, ତେବେ ଗୁଜବର ବିଷୟବସ୍ତୁ ସହିତ ସେ ନିଜେ ସଂପର୍କିତ ବା ପ୍ରଭାବିତ ହେବାର ସମ୍ଭାବନା ନ ଥିବାରୁ ସେଇ ସ୍ଥିତିରେ ନିରପେକ୍ଷ ଭାବରେ ସେ ଗୁଜବ ପ୍ରଚାରର ମାଧ୍ୟମ ହେଉଥିବ । (କେବଳ ଝିଅ ଥିବା ବାପା ମା’ଗୋଟିଏ ପୁଅ ଗୁଜବ’ରେ ଏଇ ଭୂମିକା ନେଇଥିବାର ସମ୍ଭାବନା ଅଧିକ) । କେତେଦିନ ତଳେ ଜଣେ ମନସ୍ତତ୍ତ୍ୱବିତ୍‌ ବନ୍ଧୁଙ୍କ ସହିତ ପ୍ରାବନ୍ଧିକ ଗୁଜବ ସଂପର୍କରେ ଆଲୋଚନା କରିଥିଲେ । ସବୁ ଶୁଣିବା ପରେ ସେ କହିଥିଲେ ଯେ ଗୁଜବର ଇତିହାସ ଆମ ସଭ୍ୟତାର ଇତିହାସ ସହିତ ସମକାଳୀନ । ବନ୍ଧୁ ଜଣକ ଏ କଥା ବି କହିଲେ ଯେ ଶିକ୍ଷିତ ହେବା ସହିତ ଗୁଜବରେ ବିଶ୍ଵାସ/ଅବିଶ୍ୱାସ କରିବାର ସିଧା ସଳଖ ସଂପର୍କ ନାହିଁ । କେତେ ବର୍ଷ ତଳେ ୠଷିଆରେ ଗୁଜବକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଗ୍ରାମାଞ୍ଚଳରେ ଗୁଜବକୁ ବିଶ୍ଵାସ କରୁଥିବା ଲୋକଙ୍କ ସଂଖ୍ୟା ୫୬ ପ୍ରତିଶତ ଥିବା ସ୍ଥଳେ ସହରରେ ଏମାନଙ୍କ ସଂଖ୍ୟା ଥିଲା ୯୫ ପ୍ରତିଶତ ।

 

ଯାଜପୁରରେ ଯଜ୍ଞ ଦେଖିବା ପାଇଁ ମୁଁ ଦିନେ ଯାଇଥିଲି । ମୁଖ୍ୟ ଯଜ୍ଞବେଦୀକୁ ମିଶେଇ ସମୁଦାୟ ଯଜ୍ଞଦେବୀ ସଂଖ୍ୟା ଥିଲା ବାର । ଏହା ବାଦ୍‌ ବାବାଙ୍କ ନିମନ୍ତେ ଏକ ସ୍ଵତନ୍ତ୍ର ଯଜ୍ଞବେଦୀ ଥିଲା । କିଛି ଲୋକଙ୍କୁ ମୋ କାର୍ଯ୍ୟାଳୟର କର୍ମଚାରୀ ବୟାନ କରିଥିବା ଗୁଜବ ସଂପର୍କରେ ପଚାରନ୍ତେ ଜଣେ ମଧ୍ୟବୟସ୍କ (ସେ ଉଚ୍ଚଶିକ୍ଷିତ) ଉତ୍ତର ଦେଲେ, “ଯାହା ଆପଣ ଶୁଣିଛନ୍ତି ସବୁ ସତ । ଆଜ୍ଞା, ମଝିରେ ମଝିରେ ବାବା ହଠାତ୍‌ କୁଆଡ଼େ ଉଭାନ ବି ହୋଇଯାଉଛନ୍ତି !’’

(ସମ୍ବାଦ ତା୨୧/୦୫/୨୦୧୦)

Image

 

ମଲ୍‌ ମାୟା, ନିର୍ବାଣ ଦାସତ୍ୱ

 

କିଛିଦିନ ତଳେ ଖଣ୍ଡେ ଟିଠି ପାଇଥିଲି ଫୁଲବାଣୀର ଥିବା ମୋର ଜଣେ ଅଧ୍ୟାପକ ବନ୍ଧୁଙ୍କ ନିକଟରୁ । ଚିଠିଟି ଇ-ମେଲ୍‌ନଥିଲା । କୋରିଅର୍‌ରେ ବି ଆସିନଥିଲା । ଟିଠି ଆସିଥିଲା ଭାରତୀୟ ଡାକ ବିଭାଗର ସାଦାସିଧା ଲଫାପାରେ । ଅନ୍ୟାନ୍ୟ କଥା ଭିତରେ ବନ୍ଧୁ ଜଣେଇଥିଲେ ଯେ ସେ ୟା ଭିତରେ ଭୁବନେଶ୍ୱରେ କେତେଦିନ ରହି ଫେରି ଆସିଛନ୍ତି । ଏକଥା ବି ସେ ଲେଖିଥିଲେ ଯେ ଗତ କେତେବର୍ଷ ଭିତରେ ଆମ ରାଜଧାନୀର ଚେହେରା ଯଥେଷ୍ଟ, ବଦଳି ଯାଇଛି । ମଝିରେ ମଝିରେ ଭୁବନେଶ୍ୱର ଆସୁଥିବାରୁ ସେ ଅଦୃଶ୍ୟ ଏହାର ପ୍ରସାଧନଗତ ପରିବର୍ତ୍ତନ ସହିତ ଏକଦମ୍‌ ଅପରିଚିତ ନଥିଲେ, ତେବେ ଯାହା ଏଥର (ଭୁବନେଶ୍ୱର ରହଣି କାଳରେ) ତାଙ୍କ ଉପରେ ପ୍ରଭାବ ପକାଇଥିଲା ତାହା ହେଉଛି ଏକ ଦୃଶ୍ୟମାନ ପରିବର୍ତ୍ତିତ ସଂସ୍କୃତି-। ସାଂସ୍କୃତିକ ପାଣିପାଗର ଏଇ ଚିତ୍ରକୁ ବନ୍ଧୁ ତାଙ୍କ ଚିଠିରେ ‘ମଲ୍‌ସଂସ୍କୃତି’ ବୋଲି ଉଲ୍ଲେଖ କରିଛନ୍ତି-। ଠାଏ ସେ ଲେଖିଛନ୍ତି ଯେ ତାଙ୍କ ପକେଟ୍‌ରେ ପଇସା ଥିଲେ ବି ବାହାରକୁ ଖୁବ୍‌ ଭବ୍ୟ ମନେ ହେଉଥିବା ରାଜଧାନୀର କେତୋଟି ସପିଂ ମଲ୍‌ଭିତରକୁ ଯିବା ପାଇଁ ସେ ସାହସ କରିପାରିନଥିଲେ-। ଏଥିପାଇଁ ଅବଶ୍ୟ ପ୍ରିୟତମା ପତ୍ନୀ ଏବଂ ପିଲାମାନଙ୍କ ସମାଲୋଚନା ତାଙ୍କୁ ହଜମ କରିବା ପାଇଁ ପଡ଼ିଥିଲା । ତାଙ୍କର କାହିଁକି ମନେ ହେଲା ଯେ ଏମିତି ମଲ୍‌ ସବୁ କେବଳ ଖର୍ଦି ବିକ୍ରିର ବଜାର ନୁହେଁ, ବରଂ ଏ ସବୁ ଊର୍ଦ୍ଧ୍ଵରେ ଏକ ଭିନ୍ନ ପରିସର, ଯେଉଁଠି ପରିଚ୍ଛନତା, ପରିଚର୍ଯ୍ୟା ଏବଂ ଆଖି ଝଲସେଇ ଦେଉଥିବା ସୁପର୍‌ବ୍ରାଣ୍ଡ ମାନଙ୍କ ଆଢ଼ୁଆଳରେ ଛପି ରହିଛି ଏକ ଅଦୃଶ୍ୟ ଅଥଟ ଘାତକ ଆକ୍ରମଣକାରୀ । ତାଙ୍କର ଡର ଥିଲା ଯେ ସେ ହୁଏତ କ୍ଷତାକ୍ତ ହୋଇପାରନ୍ତି ଅତର୍କିତ ଆକ୍ରମଣରେ-

 

୨୦୦୯ ଶେଷ ସୁଦ୍ଧା ଭାରତରେ ଅନତଃ ୬୦୦ ବୃହତ୍‌ ମଲ୍‌ସେମାନଙ୍କ ଆସ୍ଥାନ ଜମେଇ ସାରିଥିଲେ । ଅର୍ଥନୈତିକ ମାନ୍ଦାବସ୍ଥା ଖୁବ୍‌ ଅଧିକ ପ୍ରଭାବିତ କରିପାରି ନଥିଲା ମଲ୍‌ମାନଙ୍କ ବ୍ୟବସାୟକୁ । ଅନ୍ୟୂନ ୮୦ ନିୟୁତ ବର୍ଗଫୁଟ୍‌ ମସୃଣ ଚଟାଣ (ସଫିଂ ଫ୍ଲୋର) ଏଇ ସମୟ ସୁଦ୍ଧା ଥିଲା ମଲ୍‌ମାନଙ୍କ ଆୟତ୍ତରେ । ଅଳ୍ପ କେତେ ବର୍ଷ ଭିତରେ ଭାରତରେ ପର୍ଯ୍ୟାପ୍ତ ମଲ୍‌ମନସ୍କ ଗ୍ରାହକ ମିଳିବେ ଏବଂ ସେମାନଙ୍କ ଭିତରୁ ଏକ ସିଂହଭାଗ ମଲ୍‌ ସଂସ୍କୃତିର ପ୍ରତ୍ୟକ୍ଷ ପୃଷ୍ଠପୋଷକତା ସାଜିବେ-ଏ ବିଶ୍ଵାସ କାହାରି ନଥିଲା । ଅନେକଙ୍କର ବରଂ ଧାରଣା ଥିଲା ଯେ ମଲ୍‌ମାନିଆ ମୋଟାମୋଟି ଟାର୍ଗେଟ୍‌ କରିବ ଆମ ଯୁବ ପିଢ଼ିକୁ । ଜେନେରେସନ୍‌-ଓ୍ୱାଇକୁ । ଏ କଥା ସତ ଯେ ଭାରତ ପରି ପ୍ରକାଣ୍ଡ ଦେଶରେ ୬୦୦ ମଲ୍‌ର ସାଂଖ୍ୟ ସ୍ଥିତି ନଗଣ୍ୟ, ହେଲେ ମଲ୍‌ମାୟା ଗ୍ରାସ କରିଛି ଏମିତି ଏକ ବର୍ଗକୁ ଯେଉଁ ବର୍ଗଟି ପାଖରେ ମହଜୁଦ୍‌ ଅଛି ଦେଶକୁ ଆଗେଇ ନେବାର ସାମର୍ଥ୍ୟ । ସ୍ଵପ୍ନ ଦେଖିବାର, ସପ୍ନକୁ ସାକାର କରିବାର ଏବଂ ନାଆର ମଙ୍ଗ ଧରିବାର ସ୍ୱପ୍ନ । ଏକାଧିକ ସର୍ଭେ ଏକଥା ସ୍ପଷ୍ଟ କରିସାରିଛି ଯେ ମଲ୍‌ ମାୟା ଗ୍ରାସ କରି ସାରିଛି ୨୫ ରୁ ୭୫ ପର୍ଯ୍ୟନ୍ତ ବୟସ ବନ୍ଧନୀରେ ଥିବା ମଧ୍ୟବିତ୍ତ ଏବଂ ଉଚ୍ଚ ଆୟକାରୀମାନଙ୍କୁ । ମଲ୍‌ ଦୌଡ଼ରେ କେବଳ ବହୁରାଷ୍ଟ୍ରୀୟ କମ୍ପାନୀମାନେ ନାହାନ୍ତି, ବୃହତ୍‌ ଭାରତୀୟ ସଂସ୍ଥା ବି ସାମିଲ ହୋଇ ସାରିଛନ୍ତି । ସପିଂ ଫ୍ଲୋର୍‌ସଜେଇ, ଆକର୍ଷଣ ରିହାତି ଦେଇ ଏବଂ ହସି ହସି କଥା କହୁଥିବା ସେଲ୍‌ସ୍‌ମ୍ୟାନଙ୍କୁ ରଖି ମଲ୍‌ମାନେ କେବଳ ଉପଭୋକ୍ତାମାନଙ୍କୁ ଆକର୍ଷିତ କରୁନାହାନ୍ତି, ସେମାନେ ଅଲକ୍ଷ୍ୟରେ ଏହାଠୁ ଯଥେଷ୍ଟ ଅଧିକ କରୁଛନ୍ତି । ସମାଜତତ୍ତ୍ୱବିତ୍‌ମାନଙ୍କ ମତରେ ଉତ୍ତର ଆଧୁନିକ ଶିଳ୍ପ ସଭ୍ୟତାରେ ତଥା ଜଗତ୍‌କରଣର ମୁକ୍ତ ଆବାହାୱାରେ ମଲ୍‌ସଂସ୍କୃତି ଏକ ସ୍ୱାଭାବିକ ପରିଣତି ତେବେ ଏହାର ଗୁରୁତ୍ଵପୂର୍ଣ୍ଣ ସାମାଜିକ- ସାଂସ୍କୃତିକ ଦିଗମାନ ମଧ୍ୟ ରହିଛି । ଗତ ଶତାବ୍ଦୀର ସତୁରି ଦଶକରେ ପ୍ରଥମେ ଆମେରିକାର ଏବଂ ମଧ୍ୟମ ଚରଣରେ ୟୁରୋପୀୟ ଦେଶମାନଙ୍କରେ ନିଜର ଆସ୍ଥାନ ସୁଦୃଢ଼ କରିବା ପରେ ମଲ୍‌ସଂସ୍କୃତି ଟାର୍ଗେଟ୍‌ କରିଥିଲା ଭାରତ ପରି ବିକାଶଶୀଳ ଅର୍ଥନୀତିକୁ ।

 

ମଲ୍‌ବ୍ୟବସାୟ ଶୈଳୀ ଉପରେ ଗବେଷଣା ସ୍ପଷ୍ଟ କରିଛି ଯେ ଗୋଟାଏ ସପିଂ ମଲ୍‌ରେ ଉପରକୁ ହୁଏତ ନିରୋଳା କିଣାବିକା ଦେଖାଯାଉଥାଏ, କିନ୍ତୁ ଭିତରେ ଭିତରେ ସମାଜର ‘ତିସ୍‌ନି-କରଣ’ (ଡିସ୍‌ନିଲ୍ୟାଣ୍ଡରୁ ଉଦ୍ଭବ) ବରାବର ଚାଲିଥାଏ । କୌଣସି ମଲ୍‌ରୁ ପାଞ୍ଚ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ଏକକାଳୀନ କିଣିବା ବେଳେ ଯଦି ନିଜ ଜୀବନଶୈଳୀ ଉପରେ ଆପଣଙ୍କୁ ଏକ ଫର୍ମ ପୂରଣ କରିବା ପାଇଁ ପଡ଼ୁଥାଏ କିମ୍ବା କୌଣସି ମଲ୍‌ର ପ୍ରମୁଖ ଗ୍ରାହକ ଭାବରେ ଆପଣ ଷ୍ଟାର୍‌କାର୍ଡ଼ ପାଉଥିବାରୁ ନିଜର ଏବଂ ପତ୍ନୀଙ୍କ ଜନ୍ମଦିନରେ ଆପଣ ଏସ୍‌ଏମ୍‌ଏସ୍‌ରେ ଶୁଭେଚ୍ଛା ବାର୍ତ୍ତା ସହିତ ସ୍ୱତନ୍ତ୍ର ରିହାତିର ସୁଯୋଗ ପାଉଥାନ୍ତି, ତେବେ ନିଃସନ୍ଦେହରେ ଆପଣ ଧରିନିଅନ୍ତୁ ଯେ ସଂପୃକ୍ତ ସପିଂ ମଲ୍‌ର ମାୟାରେ ଆପଣ ଗୋଟାପଣେ ପଡ଼ି ସାରିଛନ୍ତି ।

 

ଉପଭୋକ୍ତାର ବ୍ୟକ୍ତିଗତ ଆବଶ୍ୟକତାକୁ ଡାଟାବେସ୍‌ଭାବେ ପ୍ରସ୍ତୁତ କରି ଏବଂ ଜଣେ ଆତ୍ନୀୟ ପରି ତା ନିଜ ହସଖୁସିରେ ସ୍ୱତଃପ୍ରବୃତ୍ତ ଭାବରେ ସାମିଲ ହେବାର ଅନ୍ଦାଜ ସପିଂ ମଲ୍‌ମାନଙ୍କର ଗବେଷଣାସିଦ୍ଧ, ଠୋସ୍‌ ରଣନୀତି ।’ ଆମେ ହିଁ ଆପଣଙ୍କର ଖାସ୍‌ ଖିଆଲ୍‌ ରଖୁଛୁ, କାରଣ ଆପଣ ଆମର ଖାସ୍‌ ଗ୍ରାହକ ।’ ସପିଂ ମଲ୍‌ର ଏଇ ମାର୍କେଟିଂ ଚାଲ୍‌ କେବଳ ମଲ୍‌ରେ ସୀମିତ ନରହି ସଂପ୍ରସାରିତ ହୋଇସାରିଛି ଇନ୍‌ସ୍ୟୁରାନ୍‌ସ ଏବଂ ବ୍ୟାଙ୍କ ସେବା କ୍ଷେତ୍ରକୁ । ଥରେ ଗରାଖକୁ ଟିହ୍ନଟ କରିବା ପରେ ଏବଂ ତା ମନିପର୍ସର ସ୍ୱାସ୍ଥ୍ୟ ବିଷୟରେ ଖଚର ନେବା ପରେ କୌଣସି ପ୍ରକାର ତାକୁ ମାଲୁଣୀର ମେଣ୍ଢା କରି ରଖିବା ପାଇଁ ଚାହାନ୍ତି ଏ ସବୁ ସଂସ୍ଥା । ଆପଣ ମଲ୍‌ରୁ କୌଣସି ଏକ ସାମଗ୍ରୀ କିଣିବା ବେଳେ ସେଲ୍‌ସମ୍ୟାନ୍‌ର ହସ ହସ ମୁହଁ ଏବଂ ଭାରି ଆତ୍ମୀୟ ଆତ୍ମୀୟ ମନେ ହେଉଥିବା ଚେହେରା ଏବଂ ଆଳାପ ଏସବୁ ଆଧୁନିକ ମାର୍କେଟିଂ ଯୋଜନାର ଅଂଶବିଶେଷ । ସାମାନ୍ୟ ନିରିଖେଇ ଚାହିଁଲେ ବୁଝିବା ପାଇଁ କଷ୍ଟ ହେବ ନାହିଁ ଯେ ଗତ କେତେ ର୍ଷ ଧରି ଟେଲିଭିଜନ୍‌, ଇଣ୍ଟରନେଟ୍‌, ମଲ୍‌ ଏବଂ ମଲ୍‌ଟିପ୍ଲେକ୍ସର ମିଳିତ ଆକ୍ରମଣ ମଧ୍ୟବିତ୍ତର ଜୀବନଚର୍ଯ୍ୟାକୁ ବୈପ୍ଳବିକ ଭାବେ ବଦଳେଇ ଦେଇଛି । ଏସବୁ ସହିତ ତାଳ ଦେଇଛି ଆମେ ଆୟୋଜନ କରୁଥିବା ଯାବତୀୟ ତଥାକଥିତ ସାଂସ୍କୃତିକ/ବାଣିଜ୍ୟିକ ମେଳା-ମହୋତ୍ସବ ।

 

ମଲ୍‌ମାନଙ୍କ ସଫିଫ୍ଲୋରକୁ ସେଇ ଦୃଷ୍ଟିରୁ ଏକ ପରିବର୍ତ୍ତିତ ଶଙ୍କରଜାତୀୟ ସଂସ୍କୃତିର ପ୍ରୟୋଗଶାଳା ମଧ୍ୟ କୁହାଯାଇପାରିବ । ପ୍ରକୃତି ରାଜ୍ୟରେ ଜୈବ ବିବିଧତା ବ୍ୟାପକ ଭାବରେ କ୍ଷୟ ହୋଇସାରିଥିବା ପରି ଆମ ସମାଜରେ ବେଶ ପୋଷାକଠୁ ଆରମ୍ଭ କରି ଜୀବନଶୈଳୀ ନାଟକୀୟ ଭାବରେ ଏକ ପ୍ରକାରର ବା ୟୁନିଫର୍ମ ହେବା ଆରମ୍ଭ କଲାଣି । କେତେବର୍ଷ ତଳେ ୧୫ ରୁ ୫୦ ବର୍ଷ ପଯ୍ୟନ୍ତ ବୟସ ବନ୍ଧନୀରେ ପୁରୁଷ ଓ ସ୍ତ୍ରୀ ପାଞ୍ଚ ପ୍ରକାରର ପୋଷାକ ପିନ୍ଧୁଥିଲେ । ଏବେ ମନୋକ୍ରଫି ପରି ଆମେ ଭେଟୁଥିବା ଅଧିକାଂଶକୁ କେବଳ ଦେଖିବାକୁ ମିଳୁଛି ଟି-ସାର୍ଟ ଏବଂ ଜିନ୍‌ସରେ । ସହରର ମଧ୍ୟବିତ୍ତ ଏବଂ ଉଚ୍ଚ ଆୟକାରୀ ମଲ୍‌କୁ ପରିଣତ କରିଛନ୍ତି ନିଜର ସମ୍ପ୍ରସାରିତ ଡ୍ରଇଂ ରୁମ୍‌ରେ ଯେଉଁଠି ଜଣେ ପିଜା ଖାଇ ପାରିବ, ଜନ୍ମଦିନ ପାର୍ଟି ଦେଇ ପାରିବ ଏବଂ ସମୟ କାଟି ପାରିବ । ଆମ ଜନସଂଖ୍ୟାର ଏକ ପ୍ରମୁଖ ଭାଗ ଯଦିଓ ମଲ୍‌ମାନଙ୍କଠୁ ଅପହଞ୍ଚ ଦ୍ୱରତ୍ୱରେ ଏବେ ବି ଅଛନ୍ତି, ତଥାପି ସାଂସ୍କୃତିକ ଉପନିବେଶୀକରଣର ଏକ ପ୍ରଭାବଶାଳୀ ହତିଆର ଭାବରେ ମଲ୍‌ସଂସ୍କୃତି ଯଥେଷ୍ଟ ସକ୍ରିୟ । ଜଣେ ମ୍ୟାକ୍‌ଡୋନାଲ୍‌ଡ଼, ପିଜା, ହଟ୍‌, ଲାକୋଷ୍ଟ, ବେନେଟନ୍‌ ଏବଂ ଆଡିଡାସ୍‌ଠାରୁ ଦୂରରେ ରହି ବି ସେମାନଙ୍କ ଦ୍ଵାରା ସଂକ୍ରମିତ ହୋଇ ପାରିବ, ଏହା ଆମ ବିଜ୍ଞାପନ ସର୍ବସ୍ୱ ସମୟର ସ୍ୱାକ୍ଷର । ଆଉ ମଲ୍‌ମାନେ ହିଁ ଏଇ ମନସ୍ତାତ୍ତ୍ୱିକ କାନ୍‌ଭାସ୍‌ର କୁହୁକ ଦ୍ୱୀପ । ଯାହା ୟୁରୋପୀୟ ଦେଶମାନଙ୍କରେ ପ୍ରତିଷ୍ଠିତ ହେବା ପାଇଁ କୋଡ଼ିଏରୁ ତିରିଶ ବର୍ଷ ନେଇଥିଲା, ତାହା ଭାରତରେ ଏକ ଆକର୍ଷଣୀୟ ସ୍ଥିତିରେ ପହଞ୍ଚିବା ପାଇଁ ଏବଂ ମୂଲ୍ୟବୋଧର ନୂଆ ପାଠ୍ୟକ୍ରମ ଏ ଦେଶରେ ପ୍ରସ୍ତୁତ କରିବା ପାଇଁ ନେଲା ମାତ୍ର ୬-୭ବର୍ଷ । ଏ କ୍ଷେତ୍ରରେ ପ୍ରଶ୍ନ ଏକ ପଶ୍ଚିମା ସଂସ୍କୃତିକୁ ଆପଣେଇବାରେ ଯେତିକି ନୁହେଁ, ସେତିକି ହେଉଛି ଆମେ ଏତ ଶୀଘ୍ର ଆତ୍ମବିସ୍ତୃତ ହେବାରେ, ଛିନ୍ନମୂଳ ହେବାରେ ।

 

ମୁମ୍ୱାଇ ଏବଂ ଦିଲ୍ଲୀ ପରି ମେଟ୍ରୋରେ ମନସ୍ତତ୍ତ୍ୱବିତ୍‌ମାନଙ୍କର ଏବେ ସାକ୍ଷାତ ହେଲାଣି ଗୋଟାଏ ନୂଆ ପ୍ରଜାତିର ମାନସିକ ରୋଗୀଙ୍କ ସହିତ । ସେମାନେ ମଦ୍ୟପାନ ବା ଡ୍ରଗ୍‌ର ଶିକାର ନୁହନ୍ତି । କଲ୍‌ସେଣ୍ଟରରେ ଅତ୍ୟଧିକ ମାନସିକ ଚାପର ଶିକାର ବି ନୁହନ୍ତି । ଜେନେରେସନ୍‌-ଏକ୍ସର କିଛି ସଦସ୍ୟଙ୍କୁ ଏବେ ଧରିଛି ଗୋଟାଏ ନୂଆ ରୋଗ, ଯାହାକୁ କୁହାଯାଉଛି ‘ସପାହୋଲିଜମ୍‌’ ଅର୍ଥାତ୍‌ ଅତ୍ୟଧିକ ସପିଂ ପ୍ରବଣତାରୁ ଉତ୍ପନ୍ନ (ମାନସିକ) ଅବସାଦ । ଚିକିତ୍ସକ ମାନଙ୍କର ଆଶଙ୍କା ଯେ ଏମାନଙ୍କ ସପିଂ ମାନିଆ ଅପୂର୍ଣ ରହିଲେ ବା ପ୍ରତିହତ ହେଲେ ଏମାନେ ଚୋରି କରିବାକୁ ବି ପଛେଇବେ ନାହିଁ । ଉଗ୍ର ସପିଂ ଜଣେ ଉପଭୋକ୍ତାକୁ ସାମୟିକ ଆତ୍ମସନ୍ତୋଷ ଦେଇପାରେ, ମାପିଚୁପି ଚଳୁଥିବା ଜଣେ ଲୋକକୁ ଖୁବ୍‌ ଖୋଲା ହାତ ବି କରିପାରେ, ଉପଭୋକ୍ତା ହିଁ ସମ୍ରାଟ ବୋଲି ଜ୍ଞାନର ଉଦ୍ରେକ ବି କରେଇପାରେ, ତଥାପି ମଲ୍‌ସଂସ୍କୃତି ଏକ ସୁପରିକଳ୍ପିତ ପ୍ରଚ୍ଛନ୍ନ ଆକ୍ରମଣ । ଏହା ଯେତିକି ଉପଭୋକ୍ତାକୁ ନିର୍ବାଣ ଦିଏ ନାହିଁ, ବରଂ ମାନସିକ ଦାସତ୍ଵରେ ବାନ୍ଧି ଦିଏ-। ସେ ଦୃଷ୍ଟିରୁ ଫୁଲବାଣୀରୁ ଚିଠି ଦେଇଥିବା ମୋର ବନ୍ଧୁଙ୍କ ଆଶଙ୍କାକୁ ଅମୂଳକ ଆଦୌ କରି ହେବ ନାହିଁ ।

(ସମ୍ବାଦ ତା୧୨/୩/୨୦୧୦)

Image

 

କୃତ୍ରିମ ଜୀବନ, ଅପହଞ୍ଚ ଈଶ୍ୱର

 

ଏଇ ଅଳ୍ପ କିଛି ଦିନ ତଳେ କ୍ରେଗ୍‌ଭେଣ୍ଟରଙ୍କ ଜିନୋମ୍‌ ପ୍ରକଳ୍ପ ଟିମ୍‌ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଏ ନେଇ ଝଡ଼ ଯଦିଏ ସୃଷ୍ଟି ହୋଇନାହିଁ, ତଥାପି ରୀତିମତ ବିତର୍କ ଆରମ୍ଭ ହୋଇସାରିଛି ବିଜ୍ଞାନ ଜଗତରେ ଏବଂ ନୈତିକତା ପ୍ରସଙ୍ଗ ଉଠାଉଥିବା ଧର୍ମାନୁଷ୍ଠାନ, ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ମଧ୍ୟରେ । ସଦ୍ୟ ପ୍ରକାଶିତ ସମ୍ବାଦ ଅନୁଯାୟୀ ଓବାମା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଏକ ବିଶେଷ କମିଟିକୁ, ଭେଣ୍ଟରଙ୍କ ଆବିଷ୍କାର ଏବଂ ଏହାର ପ୍ରଭାବ ଉପରେ ଆସନ୍ତା ୬ମାସ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାପାଇଁ । ବ୍ୟାକ୍‌ଟେରିଆ ମାଇକୋପ୍ଳାଜ୍‌ମା ମାଇକଡିସ୍‌ର କୃତ୍ରିମ ଜିନୋମ୍‌ନିର୍ମାଣ ପାଇଁ ଭେଣ୍ଟରଙ୍କ ଟିମ୍‌କୁ ଦୀର୍ଘ ୧୫ ବର୍ଷ ଅଧ୍ୟୟନ କରିବା ପାଇଁ ପଡ଼ିଥିଲା-। ୧୦୦୦ ସେକ୍ସନ ପୂର୍ବ ପ୍ରସ୍ତୁତ ଡିଏନ୍‌ଏ ୟୁନିଟ୍‌ରୁ ପ୍ରସ୍ତୁତ କରାଯାଇଥିଲା ଏମ୍‌.ମାଇକଡ଼ିସ୍‌ର ରାସାୟନିକ / କୃତ୍ରିମ ଜିନୋମ୍‌ । ଏହା ଶେଷ ହେବାପରେ ବୈଜ୍ଞାନିକ ମାନେ ସେଇ କୃତ୍ରିମ ଜିନୋମ୍‌କୁ ପ୍ରତ୍ୟାରୋପିତ କରିଥିଲେ ଆଉ ଏକ ବ୍ୟାକ୍‌ଟେରିଆ ମାଇକ୍ରୋପ୍ଲାଜ୍‌ମା କ୍ୟାପ୍ରିକୋରମ୍‌ଠାରେ ଯାହାକୁ ଏହାର ନିଜସ୍ୱ ଜିନୋମ୍‌ରୁ ପରୀକ୍ଷା ନିମନ୍ତେ ବଞ୍ଚିତ କରାଯାଇଥିଲା-। ଗବେଷକମାନେ କହିଛନ୍ତି ଯେ ପ୍ରତ୍ୟାରୋପଣ ଉପରାନ୍ତ ଡିଏନ୍‌ଏ କ୍ରିୟାଶୀଳ ହୁଅନ୍ତେ ପ୍ରତ୍ୟାରୋପିତ କୃତ୍ରିମ ଏମ୍‌.ମାଇକଡିସ୍‌ର ଜିନୋମ୍‌ ଅବିକଳ ମୂଳ ବ୍ୟାକ୍‌ଟେରିଆ ପରି ବ୍ୟବହାର କଲା । ଅର୍ଥାତ୍‌, ନିଜର ଅଭିବୃଦ୍ଧି ଅବ୍ୟାହତ ରଖିଲା ଯାହା ପ୍ରାକୃତିକ ସ୍ଥିତିରେ ଘଟିଥାନ୍ତା-। ଯେଉଁ ଜୀବକୋଷ ଉପରେ ଏମ୍‌.ମାଇକଡିସ୍‌ର କୃତ୍ରିମ ଜିନୋମ୍‌ ସବାର୍‌ ହୋଇଥିଲା ତାହା ନିରୋଳା ବାହନଟିଏ ହୋଇ ନିଜର ମୌଳିକତା ହରେଇ ବସିଲା ଏବଂ କ୍ରମଶଃ ପରିବର୍ତ୍ତିତ ହୋଇସାରିଥିଲା ଏମ୍‌.ମାଇକଡିସ୍‌ ଚରିତ୍ରକୁ ।

 

ଭେଣ୍ଟର୍‌ ଇନ୍‌ଷ୍ଟିଚ୍ୟୁଟର ଗବେଷକମାନେ ସ୍ପଷ୍ଟ କରିଛିନ୍ତି ଯେ ପ୍ରତ୍ୟାରୋପଣ ଉତ୍ତାରୁ ନୂତନ ଜିନୋମ୍‌ର ସ୍ୱାଭାବିକ ପ୍ରକ୍ରିୟା ଆରମ୍ଭ ହେବା ପାଇଁ ଏହାର ଡିଏନ୍‌ଏ ଆଶ୍ରା କରିଥିଲା ଏମ୍‌.କ୍ୟାପ୍ରିକୋରମ୍‌ ଜୀବକୋଷର ଅନ୍ତର୍ନିହିତ ଗୁଣାଂଶକୁ । କୁହାଯାଇଛି, ସେସବୁ ପ୍ରାକୃତିକ ଉପାଦାନରେ ଏମିତି କିଛି କାରିଗରୀ ନିହିତ ଥିଲା ଯାହା ନୂତନ ଜିନୋମ୍‌ର ପରିଚୟକୁ ପ୍ରକଟ କରିବାପାଇଁ ସହାୟକ ହୋଇଥିଲା । ତେଣୁ ଯେତେବେଳେ ଏମ୍‌.ମାଇକଡିସ୍‌ର କୃତ୍ରିମ ଜିନୋମ୍‌ ସେଠି ପାଦ ଥାପିଲା, ଏମ୍‌.କ୍ୟାପ୍ରିକୋରମ୍‌ର ଜୀବକୋଷ ଅନଃସ୍ଥ ସୂକ୍ଷ୍ମ ପକ୍ରିୟା ଆଗନ୍ତୁକର ଡିଏନ୍‌ଏକୁ ଚିହ୍ନିବା ପାଇଁ ଆଦୌ ତୃଟି କଲେ ନାହିଁ । ଅର୍ଥାତ୍‌ ବୁଟିଂ ଉରାରୁ ସ୍ୱାଭାବିକ ଭାବେ କ୍ରିୟାଶୀଳ ହେଲା ଜୀବକୋଷ ଏକ ପରିବର୍ତ୍ତିତ ପରିଚୟକୁ ନେଇ । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଏଇ କୃତ୍ରିମ ଜିନୋମ୍‌ର ନିର୍ମାଣତତ୍ତ୍ଵ । ରାସାୟନିକ ପ୍ରକ୍ରିୟା ଦ୍ଵାରା ପ୍ରସ୍ତୁତ ଏଇ ଜିନୋମ୍‌ ସଂପୂର୍ଣ୍ଣ ଭାବରେ ଆଧାର କରିଥିଲା କମ୍ପୁଟର କୋଡ୍‌କୁ । ଏହାର ଉତ୍ପତ୍ତି ପଛରେ ପ୍ରାକୃତିକ ନିୟମକାନୁନ କାମ କରୁନଥିଲା, ବରଂ ଜଟିଳ କମ୍ପୁଟର ପ୍ରୋଗ୍ରାମିଂ ହିଁ ଭୂମିଷ୍ଠ କରାଇଥିଲା ଏହାକୁ-। ଭେଣ୍ଟରଙ୍କ ଟିମ୍‌ଇଷ୍ଟକୁ ଅଠା ଭାବରେ ବ୍ୟବହାର କରିଥିଲେ ହଜାର ହଜାର ଡିଏନଏର ସୂକ୍ଷ୍ମାଂଶମାନଙ୍କୁ ଯୋଡ଼ିବା ପାଇଁ । ପ୍ରତ୍ୟେକ ତିଏନ୍‌ଏ କ୍ଷୁଦ୍ରାଂଶରେ ଥିଲା ୧୦୮୦ ମୂଳ ଯୋଡ଼ା । ଶେଷରେ ଏକ ନିୟୁତ ଅଶୀ ହଜାର ମୂଳ ଯୋତା ଥିବା କୃତ୍ରିମ ଜିନୋମ୍‌ ଗଠନ ସମ୍ଭବ ହେଲା । ସେଥିପାଇଁ ଏଇ କୃତ୍ରିମ ଜିନୋମ୍‌ ନିର୍ମାଣ ଶୈଳୀ ଅନୁସରଣ କରିଥିଲା ପ୍ରାକୃତିକ ଭାବେ ନିର୍ମିତ ଏମ୍‌.ମାଇକଡିସ୍‌ର ଜିନ୍‌ଶୃଙ୍ଖଳା ବା ଜିନୋମକୁ । ଥରେ ଥରେ କୃତ୍ରିମ ସିକ୍ୱେନ୍‌ସିଂ ବା ଜିନୋମ୍‌ ଗଠନର ଅନୁକ୍ରମିକତା ମୂଳ ସହିତ ଖାପ ଖାଉନଥିଲା ଏବଂ ସବୁ ଠିକ୍‌ଠାକ୍‌ କରିବା ପାଇଁ ପୁଣି ସମୟ ଲାଗି ଯାଉଥିଲା । ଟିମ୍‌ର ଭୟ ଥିଲା ଯେ ସାମାନ୍ୟତମ ବିଚ୍ୟୁତି ନିର୍ମାଣାଧୀନ କୃତ୍ରିମ ଜିନୋମକୁ ହୁଏତ କ୍ରିୟାଶୀଳ ନ କରାଇପାରେ । ତେବେ ଏହାର ଗଠନରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଥିଲା ବୋଲି ଏବେ କୁହାଯାଉଛି । ତାହା କେବଳ ପାକ୍ତିକ ବ୍ୟାକ୍‌ଟେରିଆଠୁ ଏଇ କୃତ୍ରିମ ଅସ୍ତିତ୍ଵକୁ ଭିନ୍ନ ଭାବେ ଚିହ୍ନଟ କରିବା ପାଇଁ । ଏହାକୁ କୁହାଯାଉଛି ‘ଓ୍ୟାଟର ମାର୍କିଂ’ ।

କୃତ୍ରିମ ଜୀବକୋଷର ନିର୍ମାଣ ଆଗାମୀ ଦିନରେ କେବଳ ବିଜ୍ଞାନ ଜଗତରେ ନୁହେଁ, ଆମ ଜୀବନରେ କ୍ରାନ୍ତି ଆଣିବ ବୋଲି କୁହାଗଲାଣି । ଜୈବ ଇନ୍ଧନ ପ୍ରସ୍ତୁତି ଏବଂ ପରିବେଶଗତ ଦୁଃସ୍ଥିତିକୁ ରୋକିବା ପାଇଁ ଏହା ବ୍ୟବହାର ହେବ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ବିଶ୍ଵାସ ମଧ୍ୟ କରାଯାଉଛି । ତେବେ ବିଜ୍ଞାନର ଦୁରୂପଯୋଗର ଭୟ ବି ପରିସ୍ଥିତିରୁ ଗୋଳମାଳିଆ କରିବା ଆରମ୍ଭ କରିଦେଇଛି । ସମାଲୋଚକମାନଙ୍କ ମତ ହେଉଛି, ଭେଣ୍ଟର୍‌ ଈଶ୍ଵରଙ୍କ ସହିତ ରୀତିମତ ଫାଜିଲାମି କରୁଛନ୍ତି । କୃତିମ ପଦ୍ଧତିରେ ସୃଷ୍ଟି ହେଉଥିବା ଜୀବକୋଷ ଉପରେ ସବୁବେଳେ ଯେ ଗବେଷକମାନେ ନିୟନ୍ତ୍ରଣ ରଖିପାରିବେ, ଏମିତି ଗ୍ୟାରେଣ୍ଟି ଦେଇ ହେବ ନାହିଁ ବ୍ୟାକ୍‌ଟେରିଆର ବିଛେଦନ ଗତ ପୁନର୍ନବୀକରଣ କୌଣସି ଏକ ମୋଡ଼ରେ ହୁଏତ ଭୟଙ୍କର ପ୍ରମାଣିତ ହୋଇପାରେ । ଜୈବ ରସାୟନ ଉପରେ କାବୁ ପାଇବା ଏତେ ସହଜ ବ୍ୟାପାର ନୁହେଁ । ତେଣୁ ଏ ନେଇ ଆନ୍ତର୍ଜାତିକ ସ୍ତରରେ ନିର୍ଦ୍ଦିଷ୍ଟ ନୀତି ନିର୍ଧାରଣ ହେବା ଆଗରୁ ଭେଣ୍ଟର୍‌ କୃତ୍ରିମ ଜୀବକୋଷକୁ ନେଇ ତାଙ୍କ ପରବର୍ତ୍ତୀ ପରୀକ୍ଷଣରୁ ନିବୃତ୍ତ ରୁହନ୍ତୁ ।

ଏବେ ଆସନ୍ତୁ ଶ୍ରୀଯୁକ୍ତ ଭେଣ୍ଟର୍‌ଙ୍କୁ ଶୁଣିବା । ୨୦୦୦ ମସିହାରେ ମଣିଷ ଜିନୋମର ସଫଳ ସିକ୍ଵେନ୍‌ସିଂର ଶ୍ରେୟ ଯାଇଥିଲା ଭେଣ୍ଟର୍‌ଙ୍କୁ ଟିମ୍‌କୁ । ତାଙ୍କର ମତ ହେଉଛି କୃତ୍ରିମ ଜୀବନକୁ ନେଇ ମଣିଷର ଅନୁସନ୍ଧିତ୍ସା ଖୁବ୍‌ ପ୍ରାଚୀନ ପ୍ରକୃତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତାର ଦୁର୍ବାର ଆଗ୍ରହ ବି ସମାନ ଭାବରେ ପ୍ରାଚୀନ । ତାଙ୍କ ଗବେଷଣାର ସଫଳତା ସେଇ ଦିଗରେ ବିନମ୍ର ଆରମ୍ଭ ମାତ୍ର । ପାଠକମାନଙ୍କ ନିମନ୍ତେ ସ୍ପଷ୍ଟ କରୁଛି ଯେ ୧୯୪୬ ଅକ୍ଟୋବର ୧୪ ତାରିଖରେ ଆମେରିକାରେ ଜନ୍ମିତ ଏଇ ଜୀବବିଜ୍ଞାନୀ ଚଳିତ ଶତାବ୍ଦୀ ଆରମ୍ଭରେ ଜନ୍‌ମ୍ୟାଫି ଶେଷ କରି ବିଶ୍ଵ ବୈଜ୍ଞାନିକ ସମୁଦାୟକୁ ଚମତ୍କୃତ କରିଥିଲେ । ଏ ପ୍ରକଳ୍ପରେ ତାଙ୍କର ମୁଖ୍ୟ ସହଯୋଗୀ ଥିଲେ ପ୍ରାଂନ୍‌ସିସ୍‌ କଲିନ୍‌ସ । ତେବେ ସେପ୍ଟେମ୍ବର ୪, ୨୦୦୭ରେ ଭେଣ୍ଟର ପ୍ରକାଶ କଲେ ମଣିଷର ୬ ବିଲିୟନ୍‌ ଅକ୍ଷର ବିଶିଷ୍ଟ ଜିନୋମ୍‌ନକ୍ସା । ଏବେ ଭେଣ୍ଟର୍‌ଙ୍କ ଟିମ୍‌ର ଆବିଷ୍କାର (ତାଙ୍କର କିଛି ସମାଲୋଚକ ସିନ୍ଥେଟିକ୍‌ ସେଲ୍‌କୁ ‘ସିଂଥିଆ’ କହୁଛନ୍ତି) ଭବିଷ୍ୟତରେ ପ୍ରାଙ୍କେନ୍‌ଷ୍ଟାଇନଙ୍କ ରାକ୍ଷସରେ ପରିଣତ ହୋଇପାରେ ବୋଲି ଚର୍ଚ୍ଚା ବି ହେଲାଣି । ତେବେ ଭେଣ୍ଟରଙ୍କ ମତ ଯେ ତାଙ୍କ ଗବେଷଣା ଏବେ ପ୍ରାଥମିକ ସ୍ତରରେ ରହିଛି ଏଚଂ ସେମାନେ ତିଆରି କରିଥିବା ବ୍ୟାକ୍‌ଟେରିଆର କୃତ୍ରିମ ଜିନୋମ୍‌ ମଣିଷର ଜିନୋମ୍‌ ତୁଳନାରେ କାହିଁ କେତେଗୁଣ କ୍ଷୁଦ୍ର-। ଅନ୍ୟ କିଛି ବିଜ୍ଞାନୀଙ୍କ ମତ ଯେ ରାସାୟନିକ ପଦ୍ଧତିରେ କୃତ୍ରିମ ଜୀବକୋଷର ନିର୍ମାଣ ଏଇ ପ୍ରଥମ ନୁହେଁ । ତେବେ କୃତ୍ରିମ ଜିନୋମ୍‌ର ଏକ ପ୍ରାକୃତିକ ବ୍ୟାକ୍ଟେରିଆ ସେଲ୍‌ରେ ପ୍ରତ୍ୟାରୋପଣ ଏବଂ ତଦୁପରାନ୍ତ ପ୍ରତ୍ୟାରୋପିତ କୃତ୍ରିମ ଜିନୋମ୍‌ର ଚରିତ୍ର ଭିତ୍ତିରେ ଆଧାରର ଅଭିବୃଦ୍ଧି ନିଶ୍ଚିତ ଭାବରେ ବୈପ୍ଳବିକ । ସେମାନେ ଏ କଥା ମଧ୍ୟ କହନ୍ତି ଯେ ଭେଣ୍ଟର୍‌ଏ ଯାଏଁ କୃତ୍ରିମ ଜୀବକୋଷର ସଂପୂର୍ଣ ନିର୍ମାଣ କରିପାରି ନାହାନ୍ତି । ତାଙ୍କ ତଥାକଥିତ କୃତ୍ରିମ ଜୀବକୋଷର ଜିନୋମ୍‌ ଯାହା କୃତ୍ରିମ । ଜିନୋମ୍‌ବାଦ୍‌ ଅଛି ଜୀବକୋଷର ଅନ୍ୟାନ୍ୟ ଅଂଶ ଯାହା ଏଇ ପରୀକ୍ଷଣରେ ପ୍ରାକୃତିକ ସ୍ଥିତିରେ ବ୍ୟବହୃତ ହୋଇଛନ୍ତି । ସେସବୁ ଅଂଶର ଗଠନ ଅନ୍ତତଃ ବର୍ତ୍ତମାନ ମଣିଷ (ବୈଜ୍ଞାନିକ) ର ସାଧ୍ୟ ବାହାରେ ! ସେଇ ଦୃଷ୍ଟିରୁ ଭେଣ୍ଟରଙ୍କ ଗବେଷଣା ବିଧାତାଙ୍କ ସୃଜନତତ୍ତ୍ଵର କାଣିଚାଏ ଟି ହେବ ନାହିଁ । ଅର୍ଥାତ୍‌, ଈଶ୍ଵର ଏବେ ବି ଅଛନ୍ତି ଅପହଞ୍ଚ ଦୂରତ୍ୱରେ ।

ଏସବୁ ପରେ ବି କୃତ୍ରିମ ଭାବରେ ଜିନୋମ୍‍ ନିର୍ମାଣ ଆଦୌ ପିଲାଖେଳ ନୁହେଁ, କାରଣ ଜିନୋମ୍‌ ହେଉଛି ଏକ ଜୀବନ ସତ୍ତାର ବଂଶାନୁକ୍ରମିକ ଧାରାବାହିକତା ବା ଏହାର ସ୍ଥିତିର ସମଗ୍ରତା ଯାହା ଆଧାର କରିଛି ତାର ଡିଏନ୍‌ଏକୁ । ସୃଷ୍ଟିର ଏଇ ସୂକ୍ଷ୍ମ ବିନ୍ୟାସର ଅନୁକରଣ କରି ରାସାୟନିକ ଜିନୋମ୍‌ ପ୍ରସ୍ତୁତ କରିବା ଢେର୍‌ ଜଟିଳ ବ୍ୟାପାର । ଭେଣ୍ଟରଙ୍କ ଭାଷାରେ ସେଇ ଦୃଷ୍ଟିରୁ ଆମ ଗ୍ରହରେ ଏଇ ନୁଆ ଜିନୋମ୍‌ ନିଶ୍ଚିତ ଭାବରେ ତେଣୁ ଏକ ନୂଆ ପ୍ରଜାତି ଯାହାର ସୃଷ୍ଟି ପ୍ରକୃତିରୁ ନୁହେଁ, ଗୋଟାଏ କମ୍ପ୍ୟୁଟରରୁ । ଗବେଷଣା ଲବ୍ଧ ନିଷ୍କର୍ଷକୁ କେବଳ ବିଜ୍ଞାନର ପ୍ରଗତି କହି ସୀମିତ କରାଯାଇ ପାରିବ ନାହିଁ; କାରଣ ଶାଶ୍ୱତକୁ ନେଇ ଆମ ଅନ୍ୱେଷଣ ମାର୍ଗରେ ଏହା ଏକ ନୂତନ ଉପଲବ୍ଧି । ଭେଣ୍ଟରଙ୍କ ଗବେଷଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ଆଉ ଜଣେ ଖ୍ୟାତନାମା ବିଜ୍ଞାନୀ କହିଛନ୍ତି, ଭେଣ୍ଟର ଏ ଯାଏଁ କୃତ୍ରିମ ଜୀବନ ସୃଷ୍ଟି କରି ନାହାନ୍ତି, ଜୀବନର ଅନୁକରଣ ସେ ଯାହା କରିଛନ୍ତି ।

ଭେଣ୍ଟରଙ୍କ ଟିମ୍‌ରେ ସାମିଲ୍‌ ଅଛନ୍ତି ତିନିଜଣ ଭାରତୀୟ ଆମେରିକୀୟ ବିଜ୍ଞାନୀ: ସଞ୍ଜୟ ଭାସି, ରାଧାକ୍ରିଷ୍ଣ କୁମାର ଏବଂ ପ୍ରଶାନ୍ତ ପାର୍‌ମାର୍‌ । ପ୍ରକଳ୍ପରେ ମୋଟ ଖର୍ଚ୍ଚ ହୋଇଛି ୪୦ ନିୟୁତ ଡଲାର୍‌ । ଭେଣ୍ଟରଙ୍କ ଟିମ୍‌ ପ୍ରସ୍ତୁତ କରିଥିବା ସିନ୍ଥେଟିକ୍‌ ଜିନୋମ୍‌ରେ ଯେଉଁ ଓ୍ୱାଟର୍‌ମାର୍କ ଅଛି ତହିଁରେ ଠାଏ ସ୍ଥାନିତ ହୋଇଛି ୪୬ ଜଣ ଲେଖକ ଏବଂ ବୈଜ୍ଞାନିକଙ୍କ ନାଁ ଯେଉଁମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏଇ ପ୍ରକଳ୍ପ ସହିତ ଜଡ଼ିତ । ଏଥିରେ ପୁଣି ସ୍ଥାନିତ ଜେମ୍‌ସ ଜୟଯସ୍‌ଙ୍କର ଏକ ପ୍ରସିଦ୍ଧ ଆପ୍ତବାକ୍ୟ ଯାହାର ମୁକ୍ତ ଅନୁବାଦ ହେବ ଏମିତି : ‘‘ମଣିଷ ଜିଇବ, ଭୁଲ୍‌କରିବ, ଝୁଣ୍ଟି ପଡ଼ିବ, ପୁଣି ଉଠିବ ଏବଂ ଜିଣିବ-ଜୀବନ ଭିତରୁ ନୂଆ ଜୀବନର ଅଙ୍କୁରୋଦ୍‌ଗମ ସେଇ ହିଁ ସମ୍ଭବ କରେଇବ ।” ଭେଣ୍ଟର ଠିକ୍‌ ତାହାହିଁ କରିଛନ୍ତି । ତେବେ ଏହାକୁ ସିଧାସଳଖ କୃତ୍ରିମ ଜୀବନ ବା ନୂତନ ଜୀବନ ବୋଲି ଆମେ କହିପାରିବା ନାହିଁ । ବରଂ ଆମେ ଏମିତି କହିବା, ଶାଶ୍ଵତର ସୃକ୍ଷ୍ମ ସାମ୍ରାଜ୍ୟକୁ ଭେଦିବା ପାଇଁ ଏହା ଏକ ସମର୍ଥ ଉପକ୍ରମ ।

(ସମାଦ ତା୪/୬/୨୦୧୦)

Image

 

Unknown

ନିଜ ପାଇଁ ପ୍ରାର୍ଥନା କରିବି ନାହିଁ

 

ଶହୀଦ୍‌ ଭଗତ ସିଂଙ୍କୁ ଏ ଦେଶ ଜାଣିଛି ଜଣେ ମହାନ୍‌ ବିପ୍ଳବୀ ଭାବରେ । ମାତ୍ର ୨୩ ବର୍ଷ ବୟସରେ ଫାଶୀ ପାଇଥିବା ଏଇ ମହାନ୍‌ ଦେଶଭକ୍ତଙ୍କ ବୌଦ୍ଧିକ ବିଚାରଧାରା କିଛି କମ୍‌ ରୋମାଞ୍ଚକର ନଥିଲା । ଭଗତ୍‌ ସିଂ ଭାରତର ଆଦ୍ୟ ମାକ୍ସବାଦୀ ଚିନ୍ତକମାନଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଥିଲେ । ଜେଲ୍‌ରେ ଥିଲାବେଳେ ସେ ଲେଖିଥିଲେ ମୋଟ ୫ଖଣ୍ଡ ବହି ଯାହା ଭିତରେ ଥିଲା ଏକ କ୍ଷୁଦ୍ର ପୁସ୍ତକ "Why am an Atheist ?" ମୁଁ କାହିଁକି ଜଣେ ନାସ୍ତିକ ? ତାଙ୍କ ମୃତ୍ୟୁ ଅଳ୍ପ କେତେଦିନ ଆଗରୁ ଲେଖା ହୋଇଥିଲା ଏଇ ଖଣ୍ଡିଏ ଛୋଟିଆ ବହିକୁ ବାଦ୍‌ ଦେଲେ ଅନ୍ୟ ଚାରୋଟି ବହି ନିରୁଦ୍ଦିଷ୍ଟ ହୋଇସାରିଛି । ବିଶ୍ଵାସ କରାଯାଏ ଯେ ଉତ୍ପୀଡ଼କ ବ୍ରିଟିଶ୍‌ ଶାସନ ଭୟରେ ସେସବୁ କୃତୀକୁ ନଷ୍ଟକରି ଦିଆଯାଇଥିଲା । ଭଗତ୍‌ ସିଂଙ୍କ ପିତାଙ୍କ ଉଦ୍ୟମରେ ଜୁନ୍‌ ୧୯୩୧ ରେ ‘ଦି ପିପୁଲ୍‌’ରେ ପ୍ରଥମେ ପ୍ରକାଶିତ ହୋଇଥିଲା ତାଙ୍କର ଶେଷ ରଚନାଟି । ୨୦୦୬ ରେ ଭଗତ୍‌ ସିଂଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏଇ ପୁସ୍ତକର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ ନ୍ୟାସନାଲ୍‌ ବୁକ୍‌ଟ୍ରଷ୍ଟ । ଈଶ୍ଵରଙ୍କ ଅସ୍ତିତ୍ଵକୁ ସ୍ୱୀକାର କରିବା ପାଇଁ ସେ କାହିଁକି ପ୍ରସ୍ତୁତ ନୁହନ୍ତି, ସେ ସଂପର୍କରେ ଚମତ୍କାର ଯୁକ୍ତି ଉପସ୍ଥାପନ କରିଛନ୍ତି ଭଗତ୍‌ ସିଂ ।

 

ଭଗତ୍‌ ସିଂ କହିଛନ୍ତି, ଅନେକଙ୍କର ଧାରଣା ଯେ ତାଙ୍କ ଅହଙ୍କାର ହିଁ ତାଙ୍କୁ ପରମେଶ୍ୱରଙ୍କଠାରୁ ଦୂରେଇ ରଖିଛି- ଯାହା ପ୍ରକୃତରେ ସତ ନୁହେଁ । ଜଣେ ନିଜ ମତକୁ ସାବସ୍ତ୍ୟ କରିବା ପାଇଁ ଅସଙ୍ଗତ ଭାବରେ ତାହା ଅନ୍ୟମାନଙ୍କ ଉପରେ ଲଦି ଦେବାପାଇଁ ପ୍ରୟାସ କରିପାରେ, ସେଇ କ୍ରମରେ ସେ ଅନ୍ୟମାନଙ୍କୁ ମାନସିକ ସ୍ତରରେ ଆହତ କ୍ଷୁବ୍ଧ କରିପାରେ, ତେବେ ଏଥିପାଇଁ ତାଙ୍କୁ ଅହଙ୍କାରୀ କୁହାଯାଇପାରିବ ନାହିଁ । ପୁଣି ଜଣଙ୍କର ଏଇ ଆଚରଣ ସହିତ ତାର ଈଶ୍ଵର ବିଶ୍ୱାସ/ଅବିଶ୍ୱାସକୁ ଆଦୌ ଯୋଡ଼ା ଯାଇ ପାରିବ ନାହିଁ । ନିଜ ସଂପର୍କରେ ଭଗତ ସିଂ ଲେଖିଛନ୍ତି ଯେ ତାଙ୍କ ପିଲାବେଳ ବିତିଛି ପାରମ୍ପରିକ ଆର୍ଯ୍ୟସମାଜ ସଂସ୍କାରରେ । ସାନବେଳେ ସେ ଈଶ୍ଵରଙ୍କୁ ପ୍ରାର୍ଥନା କରିଛନ୍ତି । ଗାୟତ୍ରୀ ମନ୍ତ୍ର ଜପ କରିଛନ୍ତି । ଈଶ୍ଵରଙ୍କୁ ରୀତିମତ ବିଶ୍ୱାସ ବି କରିଛନ୍ତି । କଲେଜରେ ପଢ଼ିବା ବେଳେ ଭଗତ୍‌ ଲମ୍ବା ବାଳ ରଖୁଥିଲେ, ତେବେ ଶିଖ୍‌ଧର୍ମର ତତ୍ତ୍ୱ, ଦର୍ଶନ ବା ଅନ୍ୟ କୌଣସି ଧର୍ମରେ ତାଙ୍କର ଜମାରୁ ବିଶ୍ୱାସ ନଥିଲା । ତାଙ୍କ ବିପ୍ଲବୀ ଜୀବନରେ ଯେଉଁମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ ସେମାନଙ୍କ ଭିତରୁ ଅନେକେ ଈଶ୍ଵରଙ୍କୁ ବିଶ୍ୱାସ କରୁଥିଲେ । ସେମାନଙ୍କ ଭିତରେ କୁଆଡ଼େ ଜଣେ ମାତ୍ର କହୁଥିଲେ, ଦର୍ଶନ ହେଉଛି ମଣିଷର ଦୁର୍ବଳତା ବା ଜ୍ଞାନର ସୀମିତ ପରିଣତି । ହେଲେ ସେ ବିପ୍ଲବୀ ଜଣକ ବି ଭଗବାନଙ୍କ ଅସ୍ତିତ୍ଵ ନେଇ ନିଶ୍ଚିତ ନ ଥିଲେ । ଈଶ୍ଵରଙ୍କ ଅସ୍ତିତ୍ଵକୁ ଅସ୍ୱୀକାର କରିବାର ପ୍ରକ୍ରିୟା ଭଗତ୍‌ ସିଂଙ୍କୁ ଆକସ୍ମିକ ଭାବରେ ନୁହେଁ, ବରଂ ତାଙ୍କୁ ପ୍ରାପ୍ତ ହୋଇଥିଲା ଗଣବିପ୍ଳବର ମାର୍ଗକୁ ନେଇ ଘାରିଥିବା ଅଭୁତ ନିଶାରୁ । କହିପାରନ୍ତି ଅନୁରାଗରୁ । ବିପ୍ଳବ ପାଇଁ ହିଂସା ହିଁ ଏକମାତ୍ର ମାଧ୍ୟମ ନୁହେଁ ବୋଲି ତାଙ୍କର ମଧ୍ୟ ହୃଦ୍‌ବୋଧ ହୋଇଥିଲା । ତେବେ କେବଳ ଅଖଣ୍ଡ ବିଶ୍ୱାସକୁ ଆଧାର କରି ନୁହେ ବାସ୍ତବିକତାକୁ ଆଶ୍ରା କରିବ ବିପ୍ଲବ, ଏଇ ଅବଧାରଣା ପ୍ରଭାବିତ କରିଥିଲା ତାଙ୍କର ଅବଶିଷ୍ଟ ଜୀବନକୁ । ସେଇ ସମୟରେ ସେ ପଢ଼ିଥିଲେ ମାର୍କ୍ସ, ଲେଲିନ୍‌, ଟ୍ରଟ୍‌ସ୍କି ଏବଂ ବାକୁନିନ୍‌କୁ । ୧୯୨୬ ଆଡ଼କୁ ସେ ରୀତିମତ ନାସ୍ତିକରେ ପରିବର୍ତ୍ତିତ ହୋଇସାରିଥିଲେ ।

 

ଭଗତ୍‌ ସିଂ ସ୍ପଷ୍ଟ କରିଛନ୍ତି ଯେ ଈଶ୍ଵର ବିଶ୍ୱାସ ମଣିଷକୁ ଅପୂର୍ବ ସାନ୍ତ୍ୱନା ଦିଏ, ଭରସା ବି ଦିଏ, ତେବେ ଏକଥା ବି ସତ ଯେ ସେଇ ବିଶ୍ୱାସ ହିଁ ତାକୁ ବାସ୍ତବିକ ସ୍ଥିତି ସହିତ ଯୁଝିବା ପାଇଁ ନିରୁତ୍ସାହିତ କରିପକାଏ । ଅନ୍ୟପକ୍ଷରେ ପରୀକ୍ଷାର ଅସଲ ଘଡ଼ିରେ ମଣିଷ ପ୍ରକୃତରେ ଏକା ନଥାଏ । ହୁଏତ ତା ସହିତ ଈଶ୍ଵର ନଥାନ୍ତି, ତଥାପି ଏକ ଅଲଘଂନୀୟ ଆତ୍ମବିଶ୍ଵାସ ଜୀବନ ସହିତ ସାମ୍ନାସାମ୍ନି ହେବା ପାଇଁ ତା ସହିତ ବରାବର ମିତ ହୋଇ ରହିଥାଏ । ଅର୍ଥାତ୍‌, ତା ଅଲକ୍ଷ୍ୟରେ ଅଥଚ ତା ନିଜ ଭିତରେ ସବୁ ଉପସ୍ଥିତ ଥାଏ । ଏଇ ଉଦ୍ଦାମ ଆତ୍ମବିଶ୍ଵାସକୁ କଦାଚିତ୍‌ ଅହଙ୍କାର ବୋଲି କୁହାଯାଇପାରିବ ନାହିଁ । ଭଗତ୍‌ ସିଂଙ୍କ ମତରେ ଅସଲ ବିପ୍ଲବୀ ମନରେ ଆଦୌ କଳଙ୍କି ଲାଗିପାରିବ ନାହିଁ । ମୁକ୍ତ ବିଚାର ଏବଂ ସୃଜନାତ୍ମକ ସମାଲୋଚନା ତା ସାଥୀରେ ଅବଶ୍ୟ ରହିବ ଏବଂ କୌଣସି ବିଚାର ବା ସିଦ୍ଧାନ୍ତକୁ ସେ ବିନା ପ୍ରଶ୍ନରେ, ସ୍ୱକୀୟ ଅନୁଶୀଳନର ଅନୁପସ୍ଥିତିରେ ଗ୍ରହଣ କରିପାରିବ ନାହିଁ । ଈଶ୍ଵରଙ୍କ ଅସ୍ତିତ୍ଵ ପ୍ରସଙ୍ଗକୁ ଏଇ ପର୍ଯ୍ୟାୟଭୁକ୍ତ କରାଯାଇପାରିବ । କେବଳ ଆମର ବାପା, ବଡ଼ ବାପା, ଜେଜେବାପା ମାନେ ଭଗବାନଙ୍କୁ ବିଶ୍ୱାସ କରି ଆସିଛନ୍ତି; ଆମର ସାମାଜିକ, ସାଂସ୍କୃତିକ ଜୀବନଧାରାରେ ଈଶ୍ୱର କେଉଁ ଯୁଗରୁ ଫୁଲ ଚନ୍ଦନ ପିନ୍ଧି ପୂଜା ପାଉଛନ୍ତି, ଆଉ ଖାସ୍‌ସେଥିପାଇଁ ତାଙ୍କୁ ବିଶ୍ଵାସ କରାଯିବ- ଏହା ନିରୋଳା ଅନ୍ଧବିଶ୍ୱାସ ଭିନ୍ନ ଆଉ କିଛି ନୁହେଁ । ଭଗତ୍‌ ସିଂ ଲେଖିଛନ୍ତି ସେ କଣ ପାଇଁ ଈଶ୍ୱରଙ୍କୁ ବିଶ୍ଵାସ କରୁନାହାନ୍ତି, ଏହାର ବିଧିବଦ୍ଧ କାରଣ ଅଛି । ଜଣେ ହେତୁ ପାଇବା ପରଠାରୁ ତା ଚାରିପାଖର ପୃଥିବୀକୁ ବିଲ୍‌କୁଲ୍‌ ଅଣଦେଖା କରିପାରିବ ନାହିଁ । ପୁଣି ଯେଉଁଠି ପ୍ରତ୍ୟକ୍ଷ ପ୍ରମାଣର ସୁଯୋଗ ମିଳୁଥିବ ସେଠି ସେ ଅନୁମାନକୁ ଆଦୌ ଅବଲମ୍ବନ କରିବ ନାହିଁ । ବରଂ ସେ ନିଜ ବାଟରେ ତା ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବ । ସବୁତକ ପ୍ରଶ୍ନ ଏବଂ ସେସବୁ ପ୍ରଶ୍ନର ଉତ୍ତର ସେ ଏଇଠି ଖୋଜିବ । ଭଗତ୍‌ ସିଂ ଚାର୍ବାକ୍‌ଙ୍କ ପ୍ରସଙ୍ଗ ଉଠେଇଛନ୍ତି, ତାଙ୍କ ଆଲୋଚନାରେ । ଚାର୍ବାକ୍‌ ନାସ୍ତିକ ଥିଲେ । ପାଠକ ଜାଣନ୍ତି, ଚାର୍ବାକ୍‌ ଦର୍ଶନ ଲୋକାୟତ ଦର୍ଶନ ଭାବରେ ଖ୍ୟାତ । ଏ ଦର୍ଶନର ତତ୍ତ୍ୱ ଏବଂ ସିଦ୍ଧାନ୍ତମାନ ଦୃଶ୍ୟମାନ ଜଗତ ଏବଂ ଜୀବନ ଉପରେ ଆଧାରିତ । ସେଇ ଦୃଷ୍ଟିରୁ ଏହା ଏକ ବସ୍ତୁବାଦୀ ଦର୍ଶନ । ଏହାର ମୀମାଂସା ସହିତ ଆଧୁନିକ ଜୀବନ, ମନୋବିଜ୍ଞାନ ଏବଂ ଜୀବବିଜ୍ଞାନ ସଂପୃକ୍ତ । ଭଗତ୍‌ ସିଂଙ୍କ ମତରେ ପ୍ରଗତି ମନାସୁଥିବା ପ୍ରତ୍ୟେକଟି ମଣିଷ ପ୍ରଚଳିତ ବିଶ୍ୱାସକୁ ପ୍ରଶ୍ନ ପଚାରିବା ପାଇଁ ପଡ଼ିବ । ପ୍ରାଚୀନ କାଳରେ ବିଦ୍ୱାନ୍‌ମାନେ ଠିକ୍‌ ତାହାହିଁ କରିଛନ୍ତି । ଅବିଦ୍ୟା, ଅଜ୍ଞାନ ଏବଂ ଅନ୍ଧକାରରୁ ମୁକ୍ତି ପାଇବା ପାଇଁ ସମାଧାନ ଆମକୁ ବାସ୍ତବିକତା ଭିତରୁ, ପ୍ରକୃତି ଭିତରୁ ତଲାସ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । ସେସବୁ ନକରି ଧର୍ମ ଏବଂ ଈଶ୍ଵରଙ୍କ ନାଁରେ ମଣିଷ ପ୍ରକାରାନ୍ତରେ ଆଳସ୍ୟର ଏବଂ ଉଦାସୀନତାର ଶିକାର ଯାହା ପାଲଟୁଛି । ଅନ୍ୟପକ୍ଷରେ, ଏକଥା ନିରାଟ ସତ ଯେ ପ୍ରକୃତିକୁ ନେଇ ମଣିଷର ଜୟଯାତ୍ରା ପ୍ରକୃତି ଉପରେ ନିୟନ୍ତ୍ରଣ ପାଇବା ପାଇଁ ଅଭିପ୍ରେତ । ପ୍ରକୃତିର ନିଜସ୍ୱ ନିୟମ ଅବଶ୍ୟ ଅଛି କିନ୍ତୁ ଆଲୌକିକ ଶକ୍ତି ବା କଳ୍ପିତ ସ୍ରଷ୍ଟା ଏହାର ନିୟାମକ ନୁହନ୍ତି ।

 

ଯେଉଁମାନେ ଈଶ୍ୱରଙ୍କୁ ବିଶ୍ଵାସ କରନ୍ତି ସେମାନଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ ଭଗତ୍‌ ସିଂ । ଯଦି କେହି ସର୍ବ ଶକ୍ତିମାନ୍‌, ସର୍ବବ୍ୟାପୀ ସ୍ରଷ୍ଟା ବା ଈଶ୍ଵର ଅଛନ୍ତି ତେବେ କଣ ଭାବି ସେ ପୃଥିବୀର ସଂରଚନା କରିଥିଲେ ? ପୃଥିବୀ ଯେଉଁଠି ଅପ୍ରମିତ ଦୁଃଖ ଓ ଦୁର୍ଭାଗ୍ୟ ଶାଶ୍ୱତ ହୋଇ ବିଦ୍ୟମାନ - ଯେଉଁଠି କେହି ଜଣେ ବି ପ୍ରକୃତରେ ସନ୍ତୁଷ୍ଟ, ନୁହେଁ ? ସେ ପୁଣି କହିଛନ୍ତି ଯେ ସ୍ୱୟଂ ପରମେଶ୍ୱର ବି ନିୟମରେ ବନ୍ଧା - କେହି ଏମିତି ନିର୍ବୋଧ ଉତ୍ତର ନଦେଉ, କାରଣ ଯିଏ ସର୍ବୋତ୍ତମ ଏବଂ ସର୍ବ ଶକ୍ତିମାନ ତା ପାଇଁ ପୁଣି ନିୟମ କଣ ? ମଣିଷମାନଙ୍କ ଦୁର୍ଭାଗ୍ୟକୁ କେହି ପରମଆତ୍ମାଙ୍କ ଖେଳ ବୋଲି ମଧ୍ୟ ନ୍ୟାୟତଃ କହିପାରିବ ନାହିଁ, କାରଣ ରାଜାଙ୍କ ଅଜବ ଖିଆଲ୍‌ ପାଇଁ ନିରୋଙ୍କ ପ୍ରଜାମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ପାଇଁ ପଡ଼ିଥିଲା । ନିରୋ ଇତିହାସ ପୃଷାରେ ଏକ କଳଙ୍କ ହୋଇ ଯାହା ରହିଛନ୍ତି । ଈଶ୍ଵର ଏବଂ ନିରୋଙ୍କ ଭିତରେ ତେବେ ପ୍ରଭେଦ କଣ ? ସମାନ ପ୍ରଶ୍ନ ପଚାରିଥିଲେ ଭଗତ୍‌ ସିଂ ମୁସଲମାନ୍‌ ଏବଂ ଖ୍ରୀଷ୍ଟିୟାନ୍‌ମାନଙ୍କୁ । କଣ ପାଇଁ ସେମାନଙ୍କ ଈଶ୍ଵର ଏତେ ପରିଶ୍ରମ କରି ସୃଷ୍ଟିରେ ମଗ୍ନ ଥିଲେ ? କଣ ଏଇଆ ଦେଖିବା ପାଇଁ- କେମିତି ନିୟୁତ ନିୟୁତ ମଣିଷ ପୋକମାଛି ପରି ଏ ପୃଥିବୀରେ ସଢ଼ୁଛନ୍ତି, ପୁଞ୍ଜିପତିମାନେ ସେମାନଙ୍କର ବଳକା ଖାଦ୍ୟଶସ୍ୟକୁ ସମୁଦ୍ରରେ ଫିଙ୍ଗି ଦେଉଛନ୍ତି ଆଉ ଏଣେ ମଣିଷ ଭୋକରେ ଛଟପଟ ହୋଇ ମରୁଛି ? ଏହା ବାଦ୍‌ବି ତାଙ୍କ ଈଶ୍ୱର ଆଶ୍ଵାସନା ଦେଉଛନ୍ତି ଯେ ସବୁ ଠିକ୍‌ଠିକ୍‌ ଚାଲୁଛି । (ଅଲ୍‌ ଇଜ୍‌ ଉଏଲ୍‌) । ପୁଞ୍ଜିପତିମାନଙ୍କର ଉଗ୍ର ଉପଭୋଗ, ଲୁଣ୍ଠନ ଏବଂ ଉତ୍ପୀଡ଼ନକୁ କଣ କୌଣସି ଧର୍ମ ପୂର୍ବଜନ୍ମର ଫଳ କହି ଆଖି ବୁଜିଦେବ ? ଯଦି ବି ଯୁକ୍ତି କରାଯାଏ ଯେ ପରମେଶ୍ଵର ପ୍ରାଣୀର ପୂର୍ବଜନ୍ମର କର୍ମଫଳ ଅନୁଯାୟୀ ଏ ଜନ୍ମରେ ମଣିଷକୁ ଦଣ୍ଡ ଦେଉଛନ୍ତି ତେବେ ନୂତନ ବିଚାର ଅନୁଯାୟୀ ଈଶ୍ଵରଙ୍କ ଦଣ୍ଡ ବ୍ୟବସ୍ଥାକୁ ଆଦୌ ସଂସ୍କାରଧର୍ମୀ କୁହାଯାଇପାରିବ ନାହିଁ । କାରଣ ଦୋଷୀକୁ ଜୀବନର ମୁଖ୍ୟସ୍ରୋତକୁ ଫେରେଇ ଆଣିବା ହେଉଛି ଉଦାରବାଦୀ ଆଧୁନିକ ଦୃଷ୍ଟିଭଙ୍ଗୀ । ପୁଣି ନିଜର ପୂର୍ବଜନ୍ମ ଉପରେ କାହାର ଧାରଣା ଅଛି ? କିଏ ସତରେ କହିପାରିବ ଯେ ପୂର୍ବଜନ୍ମରେ ସେ କଣ ଥିଲା ବୋଲି ? ଗଧ କି ମେଣ୍ଢା... ? ପ୍ରସଙ୍ଗ କ୍ରମେ ଭଗତ୍‌ ସିଂ ଉଦ୍ଧାର କରିଛନ୍ତି ସିନ୍‌ କ୍ଲେୟୋର୍‌ଙ୍କୁ, ଯିଏ କହିଥିଲେ, ମଣିଷକୁ ଥରେ ଈଶ୍ୱର ବିଶ୍ଵାସୀ କରାଇଦିଅ ଏବଂ ତାପରେ ତାର ଧନସମ୍ପଦ ସବୁ ଲୁଟି ଆଣ । ଦେଖିବ ସେ ସ୍ଥିତିରେ ବି ସେ ତୁମକୁ ବିନା ପ୍ରତିବାଦରେ ସାହାଯ୍ୟ କରୁଛି।

 

ଭଗତ୍‌ ସିଂଙ୍କ ମତରେ ଦାରିଦ୍ର୍ୟ ହିଁ ଅସଲ ପାପ । ହେଲେ ଅନେକଙ୍କୁ ଚିର ବଞ୍ଚିତ ତଥା ଅସହାୟ କରି ରଖିବା ମୂଳରେ ପ୍ରକ୍ରିୟାରତ ଯେଉଁ ପୁଞ୍ଜିବାଦ ବ୍ୟବସ୍ଥା ସେଥିରେ ବି ସାମିଲ ହୋଇଛନ୍ତି ଧର୍ମର ମଙ୍ଗୁଆଳମାନେ । ପାପ-ପୁଣ୍ୟ, ପୂର୍ବଜନ୍ମ- ଯେତେକ ଅଜବ ତତ୍ତ୍ୱ, ଜେଲ୍‌ ଓ ଫାଶୀଖୁଣ୍ଟ ପରି ଯେତେକ ମାରାତ୍ମକ ଅନୁଷ୍ଠାନ- ଏ ସମସ୍ତ ସେଇ ମାନଙ୍କର ସୃଷ୍ଟି । ବୈଷମ୍ୟକୁ ଚିରହରିତ୍‌ କରି ରଖିବା ପାଇଁ ଯାବତୀୟ କାଣ୍ଡକାରଖାନାରେ ମଣିଷ ଈଶ୍ୱରଙ୍କୁ ଭାଗୀଦାର କରିସାରିଛି । ସେ ପୁଣି କହିଛନ୍ତି, ଯଦି ଈଶ୍ଵର ଅଛନ୍ତି ତେବେ କଣ ପାଇଁ ସେ ମଣିଷକୁ ପାପ କରିବାରୁ ରୋକୁ ନାହାନ୍ତି ? ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ସଦ୍‌ବୁଦ୍ଧି ଦେଉନାହାନ୍ତି ? ପୁଞ୍ଜିପତି ମାନଙ୍କ ହୃଦୟରେ କରୁଣାମୟ କାହିଁପାଇଁ କରୁଣାର ଉଦ୍ରେକ କରାଉନାହାନ୍ତି ? ଯଦି ଏ ସ୍ଥିତିରେ ପରମେଶ୍ୱର ଅଛନ୍ତି, ତେବେ ସେ ସତରେ କେଉଁଠି ଅଛନ୍ତି ଏବଂ କଣ କରୁଛନ୍ତି ?

 

କ୍ଷୁଦ୍ର ପୁସ୍ତକଟିର ଶେଷ ଆଡ଼କୁ ଭଗତ୍‌ ସିଂ କହିଛନ୍ତି ଯେ ଆସ୍ତିକମାନେ ପ୍ରଶ୍ନ ଉଠାଇ ପାରନ୍ତି ଯେ ଯଦି ଈଶ୍ଵର ନାହାନ୍ତି ତେବେ ତମାମ ପୃଥିବୀରେ ଏତେ ଈଶ୍ୱର ବିଶ୍ଵାସୀ କାହୁଁ ଆସିଲେ ? ପୁଣି ଖୋଦ୍‌ ଇଶ୍ଵରଙ୍କ କଳ୍ପନା କେଉଁ ପରିସ୍ଥିତିରେ ଆସିଲା ? ତାଙ୍କ ମତରେ ଏସବୁ ଉତ୍ତର ଜଟିଳ ନୁହେଁ । ମଣିଷ ତାର ଜ୍ଞାନ, କ୍ଷମତା ଏବଂ ଦୁର୍ବଳତାର ସୀମା ସରହଦକୁ ଚିହ୍ନିବା ପାଇଁ ସଭ୍ୟତାର ଇତିହାସରେ କମ୍‌ ସମୟ ନେଇଥିଲା । ବାସ୍ତବିକତାର ମଟାଳ ଭୂଇଁରେ ସେ ଭାରି ଶୀଘ୍ର ହାପି ଯାଉଥିଲା । ତାର ହାତ ଧରିବା ପାଇଁ, ତାକୁ ଆଶ୍ଵାସନା ଦେବା ପାଇଁ ଏବଂ ନିୟନ୍ତ୍ରଣ କରିବା ପାଇଁ ଈଶ୍ୱର ଆସିଲେ । ପିତା, ମାତା, ଭାଇ, ଭଉଣୀ, ସଖା ଏବଂ ଶିକ୍ଷକ ହୋଇ ଆସିଲେ । ସଭ୍ୟତାର ବିକଶିତ ସୋପାନରେ ଈଶ୍ଵର ଅତି ବେଶୀରେ ଏକ ମଧୁର ମିଥ୍‌ ।

 

ଭଗତ୍‌ ସିଂଙ୍କୁ ତାଙ୍କର ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ ଯେ ସେ ପ୍ରାର୍ଥନା କରନ୍ତୁ କାରଣ ଶେଷ ଜୀବନରେ ସେ ଈଶ୍ୱରଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେବେ । ଭଗତ୍‌ ସିଂଙ୍କ ଉତ୍ତର ଥିଲା ସ୍ପଷ୍ଟ ସେ କଦାପି ପ୍ରାର୍ଥନା କରିବେ ନାହିଁ କାରଣ ପ୍ରାର୍ଥନା ତାଙ୍କ ଚରିତ୍ରର ଅବମୂଲ୍ୟାୟନ କରିବ । ତାହା ହେବ ତାଙ୍କ ଅବରୋହଣ ।’ ପୁଣି ନିଜ ସ୍ୱାର୍ଥ ପାଇଁ ପ୍ରାର୍ଥନା ତାହା ତ ସିଏ କଦାପି କରିବେ ନାହିଁ । ଏହା ବାଦ୍‌ ବି ‘ଅହଂକାରୀ’ ବୋଲାଇବାରେ ତାଙ୍କର ଦୁଃଖ ନାହିଁ ।

Image

 

ଆପଣ କ’ଣ ଈଶ୍ୱରଙ୍କୁ ଖୋଜୁଛନ୍ତି

 

ସଭ୍ୟତା ସାକ୍ଷୀ ଅଛି । ପରମଆତ୍ମାଙ୍କୁ ଠାବ କରିବା ପାଇଁ ଏବଂ ସେଇ ମର୍ମରେ ନିର୍ମଳ ଆନନ୍ଦ ଉପଲବ୍ଧ କରିବା ପାଇଁ ସବୁ କାଳରେ କିଛି ଲୋକ ଜୀବନର କୌଣସି ଏକ ମୋଡ଼ରେ ଗୋଟାଏ ଅଜବ ଅନ୍ୱେଷଣରେ ବାହାରି ପଡ଼ନ୍ତି । ନିଜ ଘରର ଚାରିକାନ୍ଥ ଭିତରେ, କର୍ମ କ୍ଷେତ୍ରରେ ବା ବଜାର ଭିତରେ ପରମେଶ୍ୱରଙ୍କୁ ଖୋଜି ପାଇବା ଅସମ୍ଭବ ମନେକରି ସେମାନଙ୍କ ଭିତରୁ କିଛି ଲୋକ ସଂସାର ତ୍ୟାଗ କରି ସନ୍ନ୍ୟାସକୁ ବି ଆପଣେଇ ଥା’ନ୍ତି । ବିଷୟ ବାସନା ତ୍ୟାଗ କଲେ କୁଆଡ଼େ ଈଶ୍ଵରଙ୍କ ନିକଟକୁ ରାସ୍ତା ଖୋଜିବା ସହଜ ହେବ ବୋଲି ବଦ୍ଧମୂଳ ଧାରଣା ଥାଏ ଏମାନଙ୍କର । କଥା ଏମିତି ବି ହୁଏ । କିଛି ସନ୍ନ୍ୟାସୀ ସେମାନଙ୍କ ସାଧନା ବଳରେ ସିଦ୍ଧପୁରୁଷରେ ପରିଣତ ହେବା ପରେ ପୁଣି ଲେଉଟି ଆସନ୍ତି ସଂସାର ଭିତରକୁ । ହାଟ ଭିତରେ ମାୟା ସଉଦା କରୁଥିବା ସଂସାରୀ ମାନଙ୍କୁ ବାଟକୁ ନେବା ପାଇଁ ସେମାନେ କୁଆଡ଼େ ଫେରନ୍ତି । ନଚେତ୍‌ ସିଦ୍ଧ ହେବା ଉତ୍ତାରୁ ପରବର୍ତ୍ତୀ ଅତିକ୍ରମଣ ପାଇଁ ଏମାନେ ଖାସ୍‌ ନିର୍ଜନ ଅଞ୍ଚଳରେ ଯାହା ରହିବା କଥା ! କଣ କରନ୍ତି ଏମାନେ ସଂସ୍କାରକୁ ଫେରିବା ପରେ ? ଏମାନେ ମଠ କରନ୍ତି, ମନ୍ଦିର କରନ୍ତି, ମଠାଚାର୍ଯ୍ୟ ହୁଅନ୍ତି । ପରମଗୁରୁ, ସଦ୍‌ଗୁରୁ ଇତ୍ୟାଦି ଉପାଧିରେ ଭୂଷିତ ହୋଇପଡ଼ନ୍ତି । ଆମ ସମୟରେ ତ ମଠ, ମନ୍ଦିର ନଚେତ୍‌ ଏମିତି କୌଣସି କୌଣସି ଅନୁଷ୍ଠାନ ମାନ ଅଛନ୍ତି ଯେଉଁମାନେ ନାମୀଦାମୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ପରିଚାଳନା ଶୈଳୀକୁ ମାତ୍‌ ଦେଇଛନ୍ତି । ନିଜ ସଂଗଠନର ଶହ ଶହ ଦରିଆ ପାରି ଶାଖା ଏମାନଙ୍କର ଅଛି ଏବଂ ବିଚକ୍ଷଣ ନେଟ୍‌ୱାର୍କ ମାଧ୍ୟମରେ ଏମାନଙ୍କ ସଂଗଠନର ସଦସ୍ୟ ପରସ୍ପର ସହିତ ତଥା ସଂଗଠନର ଖାସ୍‌ ସ୍ୱାର୍ଥ ସହିତ ଏମିତି ସଂପର୍କିତ ଯେ ଥରେ ଥରେ ଲାଗୁଛି ଫେସ୍‌ବୁକ୍‌, ଅର୍‌କୁଟ୍‌ ଏବଂ ଟ୍ଵିଟର୍‌ ପରି ଇଣ୍ଟର୍‌ନେଟ୍‌ ଭିତ୍ତିକ ପ୍ରଚଣ୍ଡ ସୋସିଆଲ୍‌ ନେଟ୍‌ୱାର୍କିଂ ଏମାନଙ୍କ ଆଗରେ କିଛି ନୁହେଁ । ସଂଗଠନ ମାନଙ୍କର ଆଖିଦୃଶିଆ ଇମାରତ୍‌ ଅଛି, ଅତ୍ୟାଧୁନିକ କର୍ପୋରେଟ୍‌ ଅଫିସ୍‌ ପରି ଅଫିସ୍‌ମାନ ଅଛି ଏବଂ ଭଲ ଦରମା ପାଉଥିବା ସି.ଇ.ଓ ମାନେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଏ ସମସ୍ତ ବିଭବ ସିଦ୍ଧ ପୁରୁଷ ମାନେ ଶୂନ୍ୟରୁ ସୃଷ୍ଟି କରିନାହାନ୍ତି । ଧନସଂପତ୍ତି ସମ୍ଭବ ହୋଇପାରିଛି ଶିଷ୍ୟ, ଶିଷ୍ୟା, ଶ୍ରଦ୍ଧାଳୁ ଏବଂ ଶୁଭାକାଂକ୍ଷୀମାନଙ୍କ ସୌଜନ୍ୟରୁ । ତେବେ ଗୁରୁମାନଙ୍କର ଏ ପ୍ରକରଣ ଯଦିଓ ଭାରତବର୍ଷରେ ସର୍ବାଧିକ, ତଥାପି ଏହା କେବଳ ଆମ ଦେଶରେ ସୀମିତ ନୁହେଁ । ଦେଶ, ଭୌଗୋଳିକ ସୀମା ସରହଦ ଯାହା ବି ହେଉ, ସବୁ ସଂଗଠନର ଲକ୍ଷ୍ୟ ଗୋଟିଏ- ନିଜ ଗୁରୁଙ୍କ ମାର୍ଫତ୍‌ରେ ପରମାତ୍ମାଙ୍କ ଉପଲବ୍ଧି ।

ଏବେ ଆସନ୍ତୁ ଯିବା ଈଶ୍ଵରଙ୍କ ପାଖକୁ । ଅନ୍ତତଃ ଯିବା ପାଇଁ ଚେଷ୍ଟା କରାଯାଉ । ତାଙ୍କୁ ପାଇବା ପାଇଁ ମଠ, ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ବା ଗୁରୁଦ୍ଵାର ଯେ ଜରୁରୀ- ଏକଥା କୌଣସି ସମୟରେ ଚୂଡ଼ାନ୍ତ ହୋଇନାହିଁ । ଅର୍ଥାତ୍‌ ଆଧ୍ୟାତ୍ମିକତାର ମାର୍ଗ ଯେ ପରମେଶ୍ୱରଙ୍କୁ ଫୁଲ ବେଲପତ୍ର ଚଢ଼େଇ ତାଙ୍କୁ ସିଂହାସନରେ ତୁଷ୍ଟ କରିବାର ମାର୍ଗ,ଏହା କୌଣସି ଧର୍ମର ନିଷ୍କର୍ଷ ନୁହେଁ-। ଆଧ୍ୟାତ୍ମିକତା ଆଖି ପାଉ ନଥିବା ସମୟର ଆରମ୍ଭରୁ ଏ ପର୍ଯ୍ୟନ୍ତ ଅଣ ପାରମ୍ପରିକ ହୋଇ ବି ତିଷ୍ଠି ରହିଛି । ତେବେ ଏକଥା ମଧ୍ୟ ସତ ଯେ ଏ ମାର୍ଗକୁ ଅଣଦେଖା କରିଆସିବାର ଚିତ୍ତବୃତ୍ତି ବି ସମୟର ସେଇ ପ୍ରାଚୀନ ଲଗ୍ନରୁ ଆମ ସହିତ ରହିଛି । ଆହୁରି ମଜା କଥା ହେଉଛି, ସବୁ ସମୟରେ ଏସବୁକୁ ଭିତ୍ତି କରି ବାଦବିସମ୍ବାଦ ଉପୁଜିଛି, ଅଥଚ ପାରମ୍ପରିକତାକୁ ପ୍ରାଧାନ୍ୟ ଦେଇଥିବା ଚତୁର ମଣିଷ ସମସ୍ୟାର ମଧ୍ୟ ଏକ ସରଳ ସମାଧାନ ପ୍ରସ୍ତୁତ କରିଛି । ସମାଧାନର ପ୍ରଥମ ପ୍ରସ୍ତ ବା ସୂତ୍ର ଏମିତି । ମଣିଷ ମାନଙ୍କ ଭିତରୁ ୯୦ ପ୍ରତିଶତରୁ ଅଧିକ କୁଆଡ଼େ ସ୍ଥାନ-କାଳ ନିର୍ବିଶେଷରେ ସର୍ବଦା ମୂଢ଼ମତି । ସଂସାରର ମାୟାରୁ ଏମାନେ ବିଲ୍‌କୁଲ୍‌ ମୁକୁଳି ପାରନ୍ତି ନାହିଁ । ସାରା ଜୀବନ ସୁଖ ବା ସଂପଦ ଏବଂ ସଂଭୋଗର ନିଶା ଏମାନଙ୍କୁ ଏମିତି ଘାରିଥାଏ ଯେ ତହିଁରୁ ନିଷ୍କୃତି ପାଇ ପରମେଶ୍ୱରଙ୍କୁ ତଲାସ କରିବା ତ ଦୂରର କଥା, ତାଙ୍କ ନାଁ ନେବା ବି ଅସମ୍ଭବ ହୋଇପଡ଼େ । ତେଣୁ ଏମାନଙ୍କର ଆତ୍ମଜ୍ଞାନ ନଥାଏ ଏବଂ ଜୀବନର କୌଣସି ଏକ ଅସହାୟ ଅବସ୍ଥାରେ ଏମାନେ ଅକସ୍ମାତ୍‌ ଈଶ୍ଵରଙ୍କୁ ଲୋଡ଼ନ୍ତି, ସେଥି ସକାଶେ ଗୋଟାଏ ସର୍ଟକଟ୍‌ର ଆବଶ୍ୟକତା ପଡ଼େ । ଈଶ୍ଵରଙ୍କ ସର୍ଟକଟ୍‌ ବା ସଟ୍‌ଫର୍ମରେ ଆସନ୍ତି ସ୍ଥୂଳ ଈଶ୍ୱର । ଦରକାର ହୁଏ ଚିତ୍ରଟିଏ, ପ୍ରତିମାଟିଏ, ମାଳାଟିଏ ଏବଂ ସେଇ ଧାରାରେ ଯାବତୀୟ ଧର୍ମାନୁଷ୍ଠାନ- ମଠ, ମନ୍ଦିର ଇତ୍ୟାଦି । ଯେହେତୁ ଈଶ୍ୱରଙ୍କ ଠିକଣା ଏମାନଙ୍କୁ ଏମିତି ମିଳିଯାଏ, ତାଙ୍କ ସହିତ ସୂକ୍ଷ୍ମ ସଂପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରି ଏମାନେ ବ୍ରତ, ପୂଜା, ଜପ, ଯଜ୍ଞ- ସବୁ କରନ୍ତି । ମଠ, ମନ୍ଦିରାଦି ପାଇଁ ଦାନ କରି କରି ନହେଲେ ନିଜ ନିଜ ଈଶ୍ଵରମାନଙ୍କ ପାଇଁ ନୂଆ ଘରମାନ ଗଢ଼ି, ସଂକୀର୍ତ୍ତନ କରି ଏମାନଙ୍କ ଭିତରୁ ଥୋକେ ବେଦମ୍‌ ହୋଇଯାନ୍ତି । କିଛି ଲୋକ କୁଆଡ଼େ ଏମିତି ଉଦ୍ଧାର ପାଇଯାନ୍ତି । ପରମେଶ୍ୱରଙ୍କ ସହିତ ସେମାନଙ୍କର କୁଆଡ଼େ ଅନ୍ତତଃ ଥରେ ଭେଟଭାଟ ହୁଏ । ଆପଣ କହିପାରନ୍ତି, ନିଜ ନକ୍ସା ଅନୁଯାଯୀ ଏମାନେ ଅନ୍ତତଃ ସନ୍ତୁଷ୍ଟ ହୁଅନ୍ତି ।

ପାଠକେ, ପୂର୍ବୋକ୍ତ ସମାଧାନର ଏକ ଚମତ୍କାର ତଥା ଆନୁଷଙ୍ଗିକ ୨ୟ ସୂତ୍ର ମଧ୍ୟ ଯଥେଷ୍ଟ ଆଗରୁ ପ୍ରସ୍ତୁତ କରାଯାଇଛି । ସେଇଟି ହେଉଛି ଏମିତି । ବିଜ୍ଞ ମାନଙ୍କର ମତ ଯେ ସ୍ଥୂଳ ଈଶ୍ଵରଙ୍କ ମାଧ୍ୟମରେ ପରମାତ୍ମାଙ୍କ ସହିତ ସୂକ୍ଷ୍ମ ଯୋଗସୂତ୍ର ସ୍ଥାପନ ଜୀବନରେ ଶାନ୍ତିର ଉପସ୍ଥିତି ସମ୍ଭବ ହୁଏତ ହୋଇ ନପାରେ । ଜଣଙ୍କ ବିଶ୍ଵାସ ଚହଲି ଯାଇପାରେ । ମାୟାର ଆବର୍ତ୍ତରୁ ଅକ୍ଷତ ମୁକୁଳିବା ତ ଯୋଗୀମାନଙ୍କ ପକ୍ଷରେ କଷ୍ଟ... ଅତଏବ ମଣିଷ କେତେ ମାତ୍ର ? ମର୍ତ୍ତ୍ୟରେ ଦୁଃଖ ହିଁ ଚିରହରିତ । ମାୟାର ଆଖି ଝଲସେଇ ଦେଉଥିବା କାଉଁରୀ ସାମ୍ରାଜ୍ୟରୁ ବାଛି ବାଛି ସୁଖର ସନ୍ଧାନ କରିବା ପାଇଁ ଲୋଡ଼ା ମାର୍ଗଦର୍ଶନର । ଅର୍ଥାତ୍‌ ଗୁରୁଙ୍କର । ଆପଣ କହିପାରନ୍ତି ଜଣେ ‘ବାବା’ଙ୍କର ବା ଜଣେ ପରମ ପୂଜ୍ୟପାଦଙ୍କର ।

ଆମ ସଂସ୍କୃତିରେ ଧର୍ମ, ଆଧ୍ୟାତ୍ମିକତା, ଈଶ୍ୱର, ପରିତ୍ରାଣ ଏବଂ ଗୁରୁ ସେଇ ଦୃଷ୍ଟିରୁ ଭାରି ଛନ୍ଦିଛାନ୍ଦି ହୋଇ ରହିଯାଇଛନ୍ତି । ତେଣୁ ୨ୟ ସୂତ୍ରରେ କଥା ଛିଣ୍ଡିଲା ଯେ ଜଣେ ଗୁରୁ ( ଆଧ୍ୟାତ୍ମିକ)ଙ୍କ ସଙ୍ଗତ୍‌ରେ ବାହାରିବ ମଣିଷ ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହେଲେ ଯାଇ ସେ ପାଦ ଦେଇ ପାରିବ ପରମପିତାଙ୍କ ସାମ୍ରାଜ୍ୟରେ । ୨ୟ ସୂତ୍ରର ବିଶେଷ ଅନୁସଙ୍ଗଟିଏ ଅବଶ୍ୟ ଅଛି । ତାହା ହେଉଛି ନିରୋଳା ଈଶ୍ଵରଙ୍କ ସାନ୍ନିଧ୍ୟ ପାଇଁ ନୁହେଁ, ସାଂସାରିକ ଜୀବନକୁ ସବୁମନ୍ତେ ଭୋଗ୍ୟ କରିବାକୁ ହେଲେ, ପ୍ରତିଯୋଗିତା କ୍ରମରେ ଆଉ ପଚାଶ-ଶହେ ଲୋକଙ୍କୁ ଠେଲିପେଲି ଆଗଧାଡ଼ିକୁ ଯିବା ପାଇଁ ହେଲେ ଗୁରୁଙ୍କର ଏକାନ୍ତ ଆବଶ୍ୟକତା ରହିଛି । ଏଇ ମର୍ମରେ ଆମ କର୍ପୋରେଟ୍‌ ଜଗତରେ ହାଇ ପ୍ରୋଫାଇଲ୍‌ ଗୁରୁମାନଙ୍କର ସାମ୍ରାଜ୍ୟ ଏବେ ମଜବୁତ-। ୨ୟ ସୂତ୍ରର ସଂପ୍ରସାରିତ ପର୍ଯ୍ୟାୟରେ ଗୁରୁମାନଙ୍କର ସାଂଗଠନିକ ଦକ୍ଷତା ବେଶ୍‌ ଲକ୍ଷଣୀୟ । ତେବେ ସୌଖୀନ୍‌ ଘରୋଇ ଗୁରୁମାନଙ୍କ ବାହାରେ ବି ଅଛନ୍ତି ବେଶ୍‌ କିଛି ବ୍ରାଣ୍ଡେଡ଼୍ ଗୁରୁ, ଯେଉଁମାନଙ୍କ ଆଧ୍ୟାତ୍ମିକ ବ୍ୟବସାୟ ଏବେ ସ୍ନାତକୋତ୍ତର ସ୍ତରରେ ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମରେ ସ୍ଥାନ ପାଇବାକୁ ବସିଛି । ବିନା ମୂଳଧନରେ ବେପାର ଆରମ୍ଭ କରି ଅଳ୍ପ କେତେବର୍ଷ ଭିତରେ ସେମାନଙ୍କ ଆଧ୍ୟାତ୍ମିକ ସଂସ୍ଥା ସବୁ କେମିତି ଲାଭଜନକ ଉଦ୍ୟୋଗରେ ପରିଣତ ହୋଇପାରିଛି ତାହା ଗବେଷଣାର ବିଷୟବସ୍ତୁ ।

ପରିବର୍ତ୍ତିତ ସମୟରେ ମନସ୍ତତ୍ତ୍ୱବିତ୍‌ ମାନେ ଏବେ ଏଇ ଗୁରୁମନସ୍କତାକୁ ନେଇ ଖୁବ୍‌ମଜା କଥା କହିଲେଣି । ସେମାନଙ୍କର ମତ ହେଉଛି, ଠିକ୍‌ ଯେଉଁ ଅନୁପାତରେ ଲୋକେ ସିଡ଼ିର ତଳପାହାଚମାନଙ୍କୁ ଅତିକ୍ରମି ମଧ୍ୟବର୍ଗ/ଉଚ୍ଚ ମଧ୍ୟବର୍ଗରେ ପାଦ ଥୋଇବେ, ଠିକ୍‌ ସେଇ ଅନୁପାତରେ ଲାଭଜନକ ପରିଣତ ହେବ ଭାରତ ପରି ଦେଶରେ ଗୁରୁମାନଙ୍କର ଆଧ୍ୟାତ୍ମିକ ଉଦ୍ୟୋଗ । ଏହାର କାରଣ ହେଉଛି, ଆଧ୍ୟାତ୍ମିକତାକୁ ଆମେ ଆତ୍ମାର ପରିପୋଷକ ଭାବେ ନୁହେଁ, ବରଂ ଗ୍ରହଣ କରିଆସୁଛୁ ଷ୍ଟାଟସ୍‌ ସିମ୍ୱଲ୍‌ ଭାବରେ । ସେଇ ଅର୍ଥରେ ଆଧୁନିକ ମଣିଷ ପାଇଁ ଆଧ୍ୟାତ୍ମିକତା, ଈଶ୍ୱର, ଧର୍ମ ଏବଂ ଗୁରୁ ଗୋଟାଏ ବ୍ରେକ୍‌ପାଇଁ ଚମତ୍କାର କକ୍‍ଟେଲ୍‌ । ଅଳ୍ପ କେତେଦିନ ତଳେ ଯୌନ କେଳେଙ୍କାରୀରେ ଛନ୍ଦି ହୋଇ ଗିରଫ ହୋଇଥିବା ଗୁରୁ ନିତ୍ୟାନନ୍ଦ ଏବଂ ତାଙ୍କ ପରି ଆହୁରି ଅନେକ ହାଇପ୍ରୋଫାଇଲ୍‌ ଗୁରୁ ଆମ ଭୋଗବାଦୀ ଜୀବନଧାରାର ମୋଟିଫ୍‌ । ଅର୍ଥାତ୍‌ ପ୍ରବଚନ ଆମେ ଆତ୍ମଶୁଦ୍ଧି ପାଇଁ ଶୁଣୁ ନାହୁଁ, ଯୋଗ ପ୍ରାଣାୟମ ଆମେ କେବଳ ସ୍ୱାସ୍ଥ୍ୟରକ୍ଷା ପାଇଁ କରୁନାହୁଁ- ସେସବୁ ଆମେ ବରଂ ଏଇଥିପାଇଁ କରୁଛୁ ଯେ ଅମୁକ ଗୁରୁଙ୍କ ଅନୁଗତ ବା ଶିଷ୍ୟ ଭାବରେ ନିଜର ଗୋଟାଏ ନିଆରା ପରିଚୟ ରହିବ । ନିଜର ଗୋଟାଏ ଖାସ୍‌ ଗୋଷ୍ଠୀ ବି ରହିବ ଏବଂ ସେଇ କ୍ରମରେ ନିଜର ବ୍ରାଣ୍ଡ ଭାଲ୍ୟୁ ବଢ଼ିବ ।

ପାଠକେ ଲକ୍ଷ୍ୟ ରଖନ୍ତୁ, ଗୁରୁ ଏବଂ ସେମାନଙ୍କର ସୁସଂହତ (ପରିଚାଳନା ଅର୍ଥରେ) ସଂଗଠନମାନେ ସେଇ ମର୍ମରେ ପରସ୍ପର ସହିତ ଆମକୁ ଯୋଡ଼ୁ ନାହାନ୍ତି, ବରଂ ଧର୍ମ, ଜାତି, ଭାଷା ନାଁରେ ଶତଧା ବିଦୀର୍ଣ୍ଣ ହୋଇପଡ଼ିଥିବା ଭାରତକୁ ଏକ ନୂଆ ସାମାଜିକ ବିଭାଜନ/ବର୍ଗୀକରଣ ଆଡ଼କୁ ବାଟ କଢ଼େଇ ନେଉଛନ୍ତି । ଗୁରୁତ୍ଵର ସହିତ ଏକଥା ଥରେ ଭାବନ୍ତୁ ।

କେତେମାସ ତଳେ ଏକ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ ସଫ୍‌ଟ୍‌ୱୟାର କମ୍ପାନୀର ଚେନ୍ନାଇ ଶାଖାରେ କାମ କରୁଥିବା ମୋର ଜଣେ ବନ୍ଧୁ ଲେଖିଥିଲେ, ‘‘ଭାଇ, ନେଟ୍‌ୱାର୍କିଂ କାମ ସିନା ମୁଁ ଜାଣିଛି, ହେଲେ ମୋ ନିଜ ଅଫିସରେ ମୋ ସୋସିଆଲ ନେଟ୍‌ୱାର୍କିଂ ଭାରି ଖରାପ । ମୁଁ କାହା ଘରକୁ ଟିକେ ବୁଲି ଯାଇପାରୁନି... ‘‘ବନ୍ଧୁ ଜଣକ ବେଶ୍‌ ମେଳାପୀ । ମୁଁ ଏହାର କାରଣ ପଚାରନ୍ତେ ସେ ଜଣେଇଥିଲେ, ‘‘ମତେ ଏବଂ ଆଉ ଦି’’ ଜଣଙ୍କୁ (ସେମାନେ ନବାଗତ) ଛାଡ଼ିଦେଲେ ଆମ ଅଫିସର ସମସ୍ତେ ଅମୁକ ବାବାଙ୍କ ଅନୁଗତ । ମୋ ଉପରେ ପ୍ରେସର୍‌ ଥିଲା, କିନ୍ତୁ ମୁଁ ସେ ବାବାଙ୍କ ଶିଷ୍ୟ ହେବି ନାହିଁ ବୋଲି ରୋକ୍‌ଠୋକ୍ ଜଣେଇଦେବା ପରେ ରୀତିମତ ଏକଘରିଆ ହୋଇଯାଇଛି-।’’ ମନସ୍ତତ୍ତ୍ଵବିତ୍‌ମାନଙ୍କ ମତ ହେଉଛି, ଅଧିକାଂଶ ଗୁରୁ ଆମ ଭିତରୁ ସଂକୀର୍ଣ୍ଣତାକୁ ହଟେଇ ତ ପାରନ୍ତି ନାହିଁ, ବରଂ ନିଜ ଢଙ୍ଗରେ ସେମାନେ ଆମ ସଂକୀର୍ଣ୍ଣତାଗୁଡ଼ାକୁ ନୂଆ ମୋଡ଼ ଯାହା ଦିଅନ୍ତି-। ଆଧୁନିକ ଜୀବନ ଯୋଗ ।

ପାଠକେ, ଉଦାହରଣ ଅନାବଶ୍ୟକ ଯେ ଏସବୁ ସହିତ ମଣିଷ-ମଣିଷ ଭିତରେ ବ୍ୟବଧାନ ବଢ଼ି ବଢ଼ି ଚାଲିଛି । ନିଜକୁ ଖାପ ଖୁଆଇବା ପରି ଧର୍ମ ଏବଂ ଆଧ୍ୟାତ୍ମିକତାର ବ୍ୟବଛେଦ ଆମ ସମୟରେ ଯଥେଷ୍ଟ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଚାଲିଛି । କୃଷ୍ଣମୂର୍ତ୍ତିଙ୍କ ଭାଷାରେ ଯେଉଁଠି ଅସଲ ଧର୍ମର ଭାବଟି ଥାଏ ସେଠି ତ ଆଦୌ ଦ୍ୱନ୍ଦ୍ୱ ନଥାଏ । ଅବସାଦ ନଥାଏ । ପ୍ରବଚନ ବି ନଥାଏ । ଧର୍ମ ବାଟ କଢ଼େଇ ନେଉଥିବା ଚେତନାକୁ କସ୍ମିନ୍‌ କାଳେ କୌଣସି ଆଧ୍ୟାତ୍ମିକ କର୍ତ୍ତୃପକ୍ଷ ନିୟନ୍ତ୍ରଣ କରି ନଥାନ୍ତି । ଧାର୍ମିକ ହେବା ପାଇଁ, ଆଧ୍ୟାତ୍ମର ତଲାସ ପାଇଁ ସେଇ କାରଣରୁ କୌଣସି ଗୁରୁଙ୍କର ମଧ୍ୟ ଆବଶ୍ୟକତା ନଥାଏ । ଆଉ ଗୁରୁଙ୍କ ମାଧ୍ୟମରେ ପରମାତ୍ମାଙ୍କ ସନ୍ଧାନ ବିଶୁଦ୍ଧ କଳ୍ପନା ବିଳାସ ।

 

ଯେଯାଏଁ ନିଜ ଭିତରେ ଏବଂ ବାହାରେ ଦ୍ୱନ୍ଦ୍ୱ ଉପୁଜୁଛି, ଯେଯାଏଁ ମନ ଏକଦମ୍‌ ତୁନି ନ ପଡ଼ିଛି, ଯେଯାଏଁ ସଚେତନ ଭାବରେ ପବିତ୍ର ହେବା ଚେଷ୍ଟାରୁ ଆମେ ଅବ୍ୟାହତି ନ ନେଇଛୁ, ସେଯାଏଁ ଗୁରୁମାନେ ଆମ ସହରକୁ ଆସୁଥିବେ, ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟରେ ଆମକୁ ପ୍ରବଚନ ଦେଉଥିବେ ଏବଂ ତାଙ୍କ ବ୍ରାଣ୍ଡର୍‌ ଯୋଗ ଦୂସ୍‌ରା ବ୍ରାଣ୍ଡ ଯୋଗଠୁ, ତାଙ୍କ ନିର୍ଦ୍ଦେଶିତ ନିର୍ବାଣ, ଆମ୍‌ ନିର୍ବାଣଠୁ ନିଆରା ବୋଲି କହୁଥିବେ । ଅର୍ଥାତ୍‌ ଅନନ୍ତକୁ ଯେଉଁ ପର୍ଯ୍ୟନ୍ତ ସର୍ଚ୍ଚ ଲାଇଟ୍‌ ପକେଇ ଖୋଜି ଚାଲିଥିବ ମଣିଷ, ସେଯାଏଁ ଈଶ୍ଵର ତ ଧରାଦେବେ ନାହିଁ, କିନ୍ତୁ ସମ୍ୱେଦନଠୁ ଅୟୁତ କ୍ରୋଶ ଦୂରରେ ଆତ୍ମା ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ ଏବଂ ଦୁର୍ନୀତିଗ୍ରସ୍ତ ହୋଇ ଚାଲିଥିବ । ଈଶ୍ଵରଙ୍କୁ ତଥାପି ଆପଣ ଖୋଜିପାରନ୍ତି, ନଚେତ୍‌ ଏଇ ମୁହୂର୍ତ୍ତରୁ ଭିତରକୁ ନିରେଖି ଚାହିଁପାରନ୍ତି । ନିଜ ଭିତରକୁ ଟର୍ଚ୍ଚ ପକେଇବା ପାଇଁ ଗୁରୁଙ୍କର ଆବଶ୍ୟକତା ଜମାରୁ ନାହିଁ ।

(ଆମ ରୁଚି,ପ୍ରତିଭା ବିଶେଷାଙ୍କ-୨୦୧୦)

Image

 

ସ୍ରଷ୍ଟାଙ୍କୁ ଖୋଜିବା ଲୋଡ଼ା ନାହିଁ

 

ବୃହଦାରଣ୍ୟକ ଉପନିଷଦରେ ବ୍ରହ୍ମାଣ୍ଡର ଉତ୍ପତ୍ତି ସମ୍ୱନ୍ଧରେ କୁହାଯାଇଛି ଯେ ଆରମ୍ଭରେ (ସୃଷ୍ଟି) କିଛି ବି ନଥିଲା । କେବଳ ମୃତ୍ୟୁ ଥିଲା । ଋଗ୍‌ବେଦରେ ପ୍ରାୟ ସମାନ କଥା ଅଛି । ସୃଷ୍ଟି ପୂର୍ବରୁ ପ୍ରଳୟ କାଳରେ ଅନ୍ଧକାର ଯାହା ଆପଣା ସ୍ଥିତି ଜାହିର କରୁଥିଲା । ସେତେବେଳେ ନା ଥିଲା ‘ସତ୍‌’ ନା ‘ଅସତ୍‌’ । ନା ଥିଲା ଜୀବନ ନା ଅମରତ୍ୱ । କେବଳ ଉପସ୍ଥିତ ଥିଲେ ବ୍ରହ୍ମ । ତେବେ ଉପନିଷଦରେ ଏକଥା ମଧ୍ୟ କୁହାଯାଇଛି ଯେ ସେଇ ଅନ୍ଧାର ଭିତରେ ଦେଦୀପ୍ୟମାନ ଥିଲା ଚେନାଏ ଆଲୋକ । ଅଥଚ ଚେତନା ଏବଂ ଇନ୍ଦ୍ରିୟାନୁଭବର ଅନୁପସ୍ଥିତି ଆଲୋକର ସତ୍ତାକୁ ଅନାବିଷ୍କୃତ ରଖିବା ପାଇଁ ବାଧ୍ୟ ଥିଲା । ପ୍ରକୃତରେ କଣ ଥିଲା ସେଇ ଅବସ୍ଥା ଯେତେବେଳେ ଅନ୍ଧକାରର ରାଜତ୍ୱ ଅପରାହତ ରହିଥିଲା ? ଅନ୍ଧାରର ସେଇ ବିସ୍ତୃତି ଭିତରେ ପ୍ରଚ୍ଛନ୍ନ ଭାବରେ ରହିଥିଲା ହୁଏତ ଭିନ୍ନ ଏକ ଅନ୍ୱେଷଣ । ନିଆରା ଏକ କ୍ଷୁଧା । ସେ କ୍ଷୁଧା ଜୈବିକ ବା ଜାନ୍ତବ ନଥିଲା, ତାହା ଥିଲା ସୟଂ ଗୋଟାଏ ଆଧିଭୌତିକ ମହାତତ୍ତ୍ୱ । ସୃଜନର ଉନ୍ମେଷ ସନ୍ଧିକ୍ଷଣରେ ଆତ୍ମାର ଭିତ୍ତିସ୍ଥାପନ ଏବଂ ଉତ୍ତରଣ ନିମନ୍ତେ ଉଦ୍ଦିଷ୍ଟ ପ୍ରାଥମିକ ଆହାର । ସୃଜନର ତାହା ହିଁ କୁଆଡ଼େ ଥିଲା ପ୍ରାକ୍‌ ସ୍ଥିତି । ଅଖଣ୍ଡ ତଥା ଅବ୍ୟକ୍ତର ପରିପ୍ରକାଶ ନିମନ୍ତେ ପ୍ରକୃତିର ପ୍ରସ୍ତୁତି ପର୍ବ । ତେବେ ମୂଳ ପ୍ରଶ୍ନର ଏହା ସନ୍ତୋଷଜନକ ଉତ୍ତର ହୋଇ ନପାରେ । ଶୂନ୍ୟରୁ କେମିତି ସମ୍ଭବ ହୋଇପାରିଲା ସୃଷ୍ଟି ? ଯଦି କିଛି ବି ଉପସ୍ଥିତ ନଥିଲା କେମିତି ରଚନା ହେଲା ସୃଜନର ବିପୁଳ ବର୍ଣ୍ଣାଳୀ ? ଅନ୍ତରୀକ୍ଷ, ନଭମଣ୍ଡଳ, ଗ୍ରହ, ନକ୍ଷତ୍ର ଏବଂ ଜୀବଜଗତ ? ଏତେ ବିବିଧତା ? ଆମ ବେଦ ବେଦାନ୍ତରେ ଏହାର ଉତ୍ତର ବି ରହିଛି ଯାହା ଯଥେଷ୍ଟ ବିଜ୍ଞାନସମ୍ମତ ମନେ ହେବ । କୁହାଯାଇଛି, ଯେହେତୁ ଶୂନ୍ୟରୁ ସୃଷ୍ଟି ସମ୍ଭବ ନୁହେଁ ତେଣୁ ଆଦି କାଳରେ ବି ଉପସ୍ଥିତ ଥିଲା ଏକ ପୃଥକ୍‌ ଅବସ୍ଥା ଅତ୍ୟନ୍ତ ସୂକ୍ଷ୍ମ ଭାବରେ, ଯାହା ସୃଜନର କାରଣ ହୋଇ ରହିଥିଲା । ତହୁଁ ସୃଷ୍ଟି ଉପନୀତ ହୋଇଥିଲା ‘ଫଳାଫଳ’ ଭାବରେ । ଏଇ ଅନୁଶୀଳନ ଆଧାରରେ ଉପନିଷଦ ବର୍ଣ୍ଣିତ ‘ମୃତ୍ୟୁ’ ସାଧାରଣ ଅର୍ଥରେ ମୃତ୍ୟୁ ନଥିଲା । ସେ ଥିଲେ ଚିର ଉତ୍ତରିତ ସତ୍ତା । ସୃଷ୍ଟି ପାଇଁ ତେଣୁ ରୀତିମତ ଈଶ୍ୱରଙ୍କର ଆବଶ୍ୟକତା ପଡ଼ିଲା । ତହୁଁ ପରିବ୍ୟାପ୍ତ ଅନ୍ଧକାର ଭିତରୁ ପ୍ରକଟିତ ହେଲେ ‘ମହତ୍‌’ । ତାଙ୍କୁ ବେଦରେ ‘ହିରଣ୍ୟଗର୍ଭ’ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଈଶ୍ଵରଙ୍କ ପ୍ରବେଶ ଉତ୍ତାରୁ ଅବ୍ୟାହତ ରହିଲା ସୃଷ୍ଟି । ସବୁ ତାଙ୍କରିଠୁ ଆରମ୍ଭ ହୋଇଥିଲା, ଅର୍ଥାତ୍‌ ସେ ନିଜର ସକଳ ସୃଷ୍ଟିଠାରୁ ଏବଂ ସୃଷ୍ଟି ତାଙ୍କଠାରୁ ଅଲଗା ନଥିଲା । ‘‘ସେଇ ମୂଳ ସୃଷ୍ଟି ତତ୍ତ୍ୱ ପ୍ରକଟ ହେବା ପରେ ବିଭାଜିତ ହୁଅନ୍ତେ ତହିଁରୁ ଭୂମି ଆଦି ପିଣ୍ଡ ଏବଂ ତାପରେ ପ୍ରାଣୀ ମାନଙ୍କର ଉତ୍ପତ୍ତି ହେଲା ।’’ ଈଶୋପନିଷଦରେ ‘ଈଶାବାସ୍ୟମ୍‌’, ଅର୍ଥାତ୍‌ ସବୁକିଛି ପରମେଶ୍ୱରଙ୍କ ପାଇଁ ବୋଲି କୁହାଯାଇଛି । ଏଠି ଈଶ୍ଵର ଆଦୌ ଅସ୍ପଷ୍ଟ ନୁହନ୍ତି । ସେ ଭିନ୍ନ ଏକ ଇଲାକାରୁ ଆସିନାହାନ୍ତି ବା ଦୂରରୁ ଆମକୁ ନିୟନ୍ତ୍ରଣ କରୁନାହାନ୍ତି । ସେ ଏଇଠି ଅଛନ୍ତି । ନଶ୍ଵର, ନିରନ୍ତର, ଜଡ଼ ଓ ଜୀବନ ସବୁଠି ସେ ସମାହିତ ।

 

କିନ୍ତୁ ଏସବୁ ଭିତରେ ପଶିବାକୁ ରାଜି ନୁହନ୍ତି ପ୍ରଫେସର୍‌ ଷ୍ଟିଫେନ୍‌ ହକିଂ । ସୃଜନରେ ଈଶ୍ୱରଙ୍କ ଭୂମିକା (ପରୋକ୍ଷରେ ତାଙ୍କର ଅସିତ୍ୱ)କୁ ନିକଟରେ ସିଧାସଳଖ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ‘ଦି ଗ୍ରାଣ୍ଡ ଡିଜାଇନ୍‌’ ରେ । ଅନ୍ୟତମ ପଦାର୍ଥ ବିଜ୍ଞାନୀ ଲିଓନାର୍ଡ଼ଙ୍କ ସହିତ ସେ ଲେଖିଥିବା ଏଇ ପୁସ୍ତକରେ ସ୍ପଷ୍ଟ କରାଯାଇଛି ଯେ ବ୍ରହ୍ମାଣ୍ଡର ସୃଜନ ପ୍ରକ୍ରିୟା ସହିତ ଈଶ୍ଵରଙ୍କର ବିଲ୍‌କୁଲ୍‌ ସଂପର୍କ ନାହିଁ । ୧୯୮୮ରେ ପ୍ରକାଶିତ ହୋଇଥିଲା ହକିଂଙ୍କ ଅନ୍ୟତମ ପ୍ରସିଦ୍ଧ ପୁସ୍ତକ ‘ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍‌ ଟାଇମ୍‌’ । ସେଥିରେ ସେ ଈଶ୍ୱର ନାହାନ୍ତି ବୋଲି ସିଧାସିଧା ମନା କରିନଥିଲେ । ତାଙ୍କର ମତ ଥିଲା ଯେ ବିଜ୍ଞାନର ନିଜସ୍ୱ ନିୟମମାନଙ୍କ ଖାତିର୍‌ରେ ପରମେଶ୍ୱରଙ୍କ ଉପସ୍ଥିତି ହୁଏତ ଏକାବେଳକେ ଭ୍ରମାତ୍ମକ ହୋଇନପାରେ । ତେବେ ଆଇନ୍‌ଷ୍ଟାଇନଙ୍କ ମତକୁ ଖଣ୍ଡନ କରି ସେ ଯୁକ୍ତି ବାଢ଼ିଥିଲେ ଯେ ତର୍କ ଛଳରେ ଯଦି ଈଶ୍ଵରଙ୍କ ଅସ୍ତିତ୍ଵକୁ ଗ୍ରହଣ କରାଯାଏ ଏବଂ ସେଇ ହିଁ ସ୍ରଷ୍ଟା ବୋଲି ଧରି ନିଆଯାଏ, ତେବେ ସେ ସ୍ଥିତିରେ ଈଶ୍ଵରଙ୍କ ସୃଷ୍ଟି ତତ୍ତ୍ୱ ଆଦୌ ସୁସଂହତ ବା ପ୍ରମାଦ ରହିତ ପ୍ରମାଣିତ ହେବ ନାହିଁ । ଯଦି ସେ ମହାଶୟ ସୃଜନର ଶୁଭାରମ୍ଭ କରିଥାନ୍ତି, ତେବେ ମନଧ୍ୟାନ ଦେଇ ନୁହେଁ, ବରଂ ନିର୍ବିଚାରରେ, ବିଶୁଦ୍ଧ ଗମାତରେ ସେ ପ୍ରକ୍ରିୟା ସେ ଆରମ୍ଭ କରିଛନ୍ତି । ଅତଏବ, ଈଶ୍ୱର ଅଲ୍‌ବତ୍‌ ପଶା ଖେଳନ୍ତି । ଏଥର କିନ୍ତୁ ହ଼କିଂଙ୍କ ସ୍ଵର ନିଆରା । ତାଙ୍କର ମତ ଯେ ବ୍ରହ୍ମାଣ୍ଡର ସୃଜନ ଅଥବା ସଂଚାଳନ ପଦାର୍ଥ ବିଜ୍ଞାନର ଏକ ଅବଧାରିତ ପ୍ରକ୍ରିୟା । ଅର୍ଥାତ୍‌ ସମୟର ସୁଦୂର ଅତୀତରେ ବିଗ୍‌ବ୍ୟାଙ୍ଗ୍ ପରି ଏକ ମହା ବିସ୍ଫୋରଣ ମୂଳରେ ଅନ୍ଥଃସ୍ଥ ଥିଲା ‘ସ୍ୱତଃସ୍ପୁର୍ତ୍ତ’ ସୃଜନର ତତ୍ତ୍ୱ । ଅନ୍ୟ ଅର୍ଥରେ, ସ୍ୱତଃସ୍ପୁର୍ତ୍ତ, ସୁନିୟନ୍ତ୍ରିତ ସୃଜନ ହିଁ ହେଉଛି ସେଇ କାରଣ ଯାହା ପ୍ରମାଣିତ କରୁଛି ଏଇ ବିପୁଳ ସୃଷ୍ଟିକୁ-ପୃଥିବୀ ବକ୍ଷରେ ଆମର ସ୍ଥିତିକୁ । ଜୀବନର ଶେଷ ତିରିଶ ବର୍ଷ କାଳ ଆଇନ୍‌ଷ୍ଟାଇନ୍‌ ଏମିତି ଏକ ତତ୍ତ୍ୱ ତଲାସରେ ଥିଲେ ଯେଉଁ ତତ୍ତ୍ୱ ବା ମହାନିୟମ ସମସ୍ତ ସଂଶୟର ଅନ୍ତ ଘଟାଇବ- ପ୍ରକୃତିର ନିଜସ୍ୱ ନିୟମ ଉପରେ ମଣିଷର ସୀମିତ ଜ୍ଞାନକୁ ପରିମାର୍ଜିତ କରିବ । ଅଥଚ ସେମିତି ହୋଇ ପାରିନଥିଲା । ଆପଣା ଜୀବଦ୍ଦଶା ଭିତରେ ଆଇନ୍‌ଷ୍ଟାଇନ୍‌ ଈପ୍‌ସିତ ‘ୟୁନିଫାଏଡ଼୍‌ ଥିଓରି’ (ସମନ୍ୱିତ ଏକକ ନିୟମ)ଠାରୁ ଥିଲେ ଦୂରରେ । ୧୯୮୮ରେ ସମୟର ସଂକ୍ଷିପ୍ତ ଇତିହାସ ଲେଖିବା ବେଳେ ଖୋଦ୍‌ ହକିଂଙ୍କ ଧାରଣା ଥିଲା ଯେ ଅଦୂର ଭବିଷ୍ୟତରେ ହୁଏତ ଏମିତି ଏକ ନିଷ୍ପର୍ଷ ଆଧୁନିକ ବିଜ୍ଞାନକୁ ମିଳିଯିବ । କିନ୍ତୁ ଏଥର ପ୍ରଫେସର୍‌ ହକିଂ ଦୃଢ଼ତାର ସହିତ କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ତତ୍ତ୍ୱ ଆଧାରରେ ବ୍ରହ୍ମାଣ୍ଡର ଉତ୍ପତ୍ତି ସମ୍ୱନ୍ଧରେ ସିଦ୍ଧାନ୍ତରେ ପହଞ୍ଚିବା ଅପେକ୍ଷା ଅଧିକ ବିଜ୍ଞାନ ସମ୍ମତ ହେବ ଯଦି ଆମେ ଏ ବାବଦରେ ଉପଲବ୍ଧ ଏକାଧିକ ତତ୍ତ୍ୱ/ନିୟମ ଏବଂ ନୂତନ ଆବିଷ୍କାର ଅବଲମ୍ୱନରେ ସମସ୍ୟାଟିର ସମାଧାନ କରିବା । ପୁସ୍ତକରେ ହକିଂ ଉପସ୍ଥାପନ କରିଥିବା ଠୋସ୍‌ ତତ୍ତ୍ୱଟି ହେଉଛି ‘ଏମ୍‌-ଥିଓରି’ । ଏମ୍‌-ଥିଓରି ପ୍ରକୃତରେ ଗୋଟିଏ ତତ୍ତ୍ୱ ନୁହେଁ ବରଂ ଏହାକୁ ଏକାଧିକ ତତ୍ତ୍ୱମାନଙ୍କର ଶୃଙ୍ଖଳା କୁହାଯାଇପାରିବ । ବୈଜ୍ଞାନିକ ମାନଙ୍କ ମତ ହେଉଛି ଯେ ଏଯାବତ୍‌ ଏମ୍‌-ଥିଓରି ସଂପୂର୍ଣ୍ଣ ଚିକଶତ ହୋଇ ପାରିନାହିଁ ଯଦିଓ ତତ୍ତ୍ୱଟିର ଗୁରୁତ୍ୱ ରହିଛି । ଏହା ପ୍ରକାରାନ୍ତରେ ଏକ ଶାରୀରିକ ନିୟମ ଯାହା ଅନୁଯାୟୀ ଆଦୌ କିଛି ଉପସ୍ଥିତି ନଥାଇ (ଶୂନ୍ୟରୁ) ବି ସୃଷ୍ଟି ସମ୍ଭବ । ବ୍ୟାପକ ଭାବରେ ଗାଣିତିକ ଏଇ ଅଲିଖିତ ନିୟମର ଏହାହିଁ ନିର୍ଯ୍ୟାସ । ହକିଂଙ୍କ ବିଚାରରେ ଆମ ସୂର୍ଯ୍ୟ, ଆମ ଛାୟାପଥ, ଅନ୍ତରୀକ୍ଷ ଏବଂ ଆମ ଆକଳନର ବ୍ରହ୍ମାଣ୍ଡ ଏକମାତ୍ର ବ୍ରହ୍ମାଣ୍ଡ ହୋଇନପାରେ । ବରଂ ବିଦ୍ୟମାନ ଥାଇପାରେ ସହସ୍ର ବ୍ରହ୍ମାଣ୍ଡ ଯାହା ଉପରେ ଆମର ସାମାନ୍ୟତମ ଧାରଣା ମଧ୍ୟ ନାହିଁ । ତେବେ ବିଜ୍ଞାନକୁ ଏଯାବତ୍‌ ଉପଲବ୍ଧ ତତ୍ତ୍ୱ ଆଧାରରେ ଯେହେତୁ ବ୍ରହ୍ମାଣ୍ଡର ସୃଜନ ପ୍ରକ୍ରିୟାକୁ ବୁଝି ହେଉଛି, ସେଥି ସକାଶେ ଈଶ୍ୱରଙ୍କୁ ଖୋଜିବାର ଆଦୌ ଆବଶ୍ୟକତା ନାହିଁ । ସୃଷ୍ଟି ତାଙ୍କ ମତରେ ପଦାର୍ଥ ବିଜ୍ଞାନ ଜଗତରେ କାର୍ଯ୍ୟରତ ମୌଳିକ ନିୟମ ମାନଙ୍କର ସ୍ୱତଃସ୍ଫୂର୍ତ ପରିଣତି । ସ୍ୱୟଂ ନିୟତି ।

 

ପୁସ୍ତକରେ ବାସ୍ତବତାର ସାମାନ୍ୟ ଭିନ୍‌ ବ୍ୟାଖ୍ୟା କରିଛନ୍ତି ହକିଂ । ଗୋଲାକୃତି ଆକ୍ୱାରିୟମ୍ ଭିତରେ ଥିବା ମାଛକୁ ଦୃଶ୍ୟମାନ ହେଉଥିବା ବାସ୍ତବିକତା (ଉଦାହରଣ-ବାହ୍ୟଗତି) ଆକ୍ୱାରିୟମ୍‌ ବାହାରେ ଉପସ୍ଥିତ ବାସ୍ତବିକତାଠୁ ପୃଥକ୍‌ ହୋଇପାରେ । ମାଛକୁ ଗୋଲାକୃତି ଆକ୍ଵାରିଅମ୍‌ ଭିତରୁ ସରଳ ରୈଖିକ ଗତି ବି ବକ୍ର ମନେ ହୋଇପାରେ, ତେବେ ନିର୍ଦ୍ଦିଷ୍ଟ ଭାବରେ ମାଛର ବାସ୍ତବିକତାକୁ (ଏ କ୍ଷେତ୍ରରେ ବକ୍ର ଦୃଷ୍ଟି) ପ୍ରମାଦପୂର୍ଣ୍ଣ ବୋଲି କୁହାଯାଇ ପାରିବନାହିଁ । କାରଣ ମାଛର ପର୍ଯ୍ୟବେକ୍ଷଣ ସେଇ ସ୍ଥିତିରେ ଗତିକୁ ନେଇ ନୂତନ ବୈଜ୍ଞାନିକ ନିୟମ ପ୍ରସ୍ତୁତ କରିପାରିବ, ଯାହା ଗତିକୁ ନେଇ ଆମେ ଗଢ଼ିଥିବା ନିୟମଠାରୁ ଜଟିଳ ହେବ । ଏଇ ପରିପ୍ରେକ୍ଷୀରେ କୌଣସି ଗୋଟିଏ ବାସ୍ତବିକତାକୁ ନିରାଧାର ବି ପ୍ରମାଣିତ କରି ହେବ ନାହିଁ ।

 

ହକିଂ କହନ୍ତି ଯେ ବାସ୍ତବତା କୌଣସି ନିର୍ଦ୍ଦିଷ୍ଟ ନିୟମର ବଶବର୍ତ୍ତୀ ନୁହେଁ ବରଂ ବୃହତ୍ତର ଅର୍ଥରେ ଏହା ଏକ ଶାରୀରିକ ନିୟମ ଯାହା ପର୍ଯ୍ୟବେକ୍ଷଣକୁ ଭିତ୍ତି କରିଥିବା ଅନ୍ୟାନ୍ୟ ନିୟମ ସହିତ ସମନ୍ୱିତ । ଆଧୁନିକ ବିଜ୍ଞାନର ଏହା ହିଁ ଧାରା । ବାସ୍ତବତାର ଏଇ ନିୟମ ଅନୁଯାୟୀ ଆମ ବ୍ରହ୍ମାଣ୍ଡର ଗୋଟିଏ ନୁହେଁ ବରଂ ଏକାଧିକ ଇତିହାସ ଏବଂ ଏକାଧିକ ବାସ୍ତବତା ସମ୍ଭବ । ଅନ୍ତତଃ ସେଇ ଦୃଷ୍ଟିରୁ ତ ସ୍ରଷ୍ଟାଙ୍କୁ ଉତ୍ପତ୍ତି ସହିତ ସଂଯୁକ୍ତ କରାଯାଇ ପାରନ୍ତା ? ନାଁ, ହକିଂ ସେଥିପାଇଁ ପ୍ରସ୍ତୁତ ନୁହନ୍ତି । ତାଙ୍କ ମତରେ ଈଶ୍ଵରଙ୍କର ଆଦୌ ଆବଶ୍ୟକତା ହିଁ ନାହିଁ । ଦର୍ଶନ ମୃତ । ତାଙ୍କ ସହିତ ଈଶ୍ଵରଙ୍କ ପରିକଳ୍ପନା ବି ମୃତ ।

 

ହକିଂଙ୍କ ନୂଆ ବହି ମୃଦୁ ଝଡ଼ ସୃଷ୍ଟି କରିବା ଆରମ୍ଭ କରି ଦେଇଛି । ‘ହକିଂ ଏବଂ ଈଶ୍ଵର- ଏକ ଘନିଷ୍ଠ ସଂପର୍କ’ ଏଇ ଶିରୋନାମାରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ବୈଜ୍ଞାନିକ ଲେଖିଛନ୍ତି ଯେ ବ୍ରହ୍ମାଣ୍ଡର ଉତ୍ପତ୍ତି ନେଇ ଏମିତି ଏକ ନିର୍ଣ୍ଣାୟକ ତତ୍ତ୍ୱର ଅବତାରଣା ପଦାର୍ଥ ବିଜ୍ଞାନର ସାରାଂଶକୁ ହିଁ ବିରୋଧ କରୁଛି । ବିପୁଳ ପ୍ରକୃତିର ଶିଳ୍ପମାନଙ୍କୁ ଆମେ ତଉଲିବୁ, ମାପଚୁପ କରିବୁ- ସେ ଲାଗି ଆବଶ୍ୟକ ସାଜ ସରଞ୍ଜାମ ତ ଆମେ ଏ ଯାଏଁ ପ୍ରସ୍ତୁତ କରି ପାରିନାହୁଁ । ପ୍ରକୃତିର ଅନେକ ଚମତ୍କାରୀ ଶକ୍ତି ଏ ଯାଏଁ ତ ଆମକୁ ବିସ୍ମୟ ବିମୂଢ଼ କରି ରଖିଛନ୍ତି । ମଣିଷ ଯେ ପ୍ରକୃତିର ସ୍ଵରୂପକୁ ଠିକ୍‌ଠିକ୍ ଚିହ୍ନିବ, ଏ ନେଇ ବିଜ୍ଞାନର ଘୋର ସନ୍ଦେହ ରହିଛି... ତେଣୁ ଏ ସ୍ଥିତିରେ ହକିଂ ବରଂ ଈଶ୍ୱରଙ୍କୁ ତାଙ୍କ ବାଟରେ ଛାଡ଼ି ଦେଲେ ଭଲ ହୁଅନ୍ତା । ହକିଂଙ୍କ ବହି ପଢ଼ିବା ପରେ ନିକଟରେ ଆଉ ଜଣେ ପାଖାପାଖି ଏମିତି କହିଛନ୍ତି, ପରୀକ୍ଷା ନିରୀକ୍ଷାରେ ବିଶ୍ୱାସ ରଖୁଥିବା ଆଧୁନିକ ବିଜ୍ଞାନ ଈଶ୍ୱରଙ୍କୁ ଖୋଜି ନ ପାଇପାରେ, ତେବେ ତାଙ୍କୁ ଖୋଜିବା ଦରକାର ବି ନାହିଁ । ବ୍ରହ୍ମାଣ୍ଡଙ୍କୁ ଈଶ୍ଵର ସୃଷ୍ଟି କରି ନ ଥାଇପାରନ୍ତି, ତେବେ ବ୍ରହ୍ମାଣ୍ଡକୁ ତ ସ୍ଵୟଂ ଈଶ୍ଵର ଭାବରେ ଗ୍ରହଣ କରାଯାଇ ପାରିବ । ଏହାର ଉତ୍ପତ୍ତିରେ ଈଶ୍ଵରଙ୍କ ଡ୍ରଇଂ ବୋର୍ଡ଼ର ଯୋଗଦାନ ନଥାଇପାରେ । ହୋଇପାରେ, ଏହା ବିଜ୍ଞାନର କେଉଁ ଏକ ସ୍ୱୟଂଚାଳିତ ଗୂଢ଼ ନିୟମ- ନିରୋଳା ଗାଣିତିକ ଅବା ଜ୍ୟାମିତିକ ଆବଶ୍ୟକତା, କିନ୍ତୁ ହକିଂଙ୍କ ପରିଭାଷାରେ ବ୍ରହ୍ମାଣ୍ଡ ନିଜେ ହିଁ ଉତ୍ପନ୍ନ ହୋଇଛି (ସୟଂଭୂ) ଏବଂ ନିଜକୁ ନିୟନ୍ତ୍ରଣ ବି କରୁଛି । ସେଇ ଦୃଷ୍ଟିରୁ ଈଶ୍ୱର ତ ବରାବର ଆମ ପାଖେ ପାଖେ ଅଛନ୍ତି-। ତାଙ୍କୁ ଆଉ କେଉଁଠି ଖୋଜିବାର ଆବଶ୍ୟକତା କ’ଣ ? ପୁଣି ଫେରିବା ବେଦକୁ । ଋଗ୍‌ବେଦରେ (ମଣ୍ଡଳ-୧୦, ସୂକ୍ତ-୧୨୯) ସୃଷ୍ଟି ସଂପର୍କରେ ରହିଛି ଏକ ଚତ୍ମକାର ଶ୍ଳୋକ (ଇୟଂ ବିସୃଷ୍ଟିର୍ଯ୍ୟତ...) ଯାହାର ଭାବାର୍ଥ ଏମିତି ହେବ- ସୃଷ୍ଟି କେଉଁଠୁ ଉପନ୍ନ ହେଲା, ଏହାକୁ କିଏ ରଚନା କଲା ଏସବୁ ସେଇ ବିଧାତା ହିଁ ଜାଣନ୍ତି । ସମ୍ଭବତ ସ୍ୱୟଂ ବିଧାତା ମଧ୍ୟ ଏ ସମ୍ପର୍କରେ ସଂପୂର୍ଣ୍ଣ ଭାବରେ ଜାଣନ୍ତି ନାହିଁ ।

(ସମ୍ୱାଦ, ତା ୦୩/୧୨/୧୦)

Image

 

ରଜାଙ୍ଗକୁ ଆଉ ଥରେ

 

ତା ୪ ଜୁଲାଇ ୨୦୧୦ । ରଜାଙ୍ଗରେ ଆମେ ସେଦିନ ପହଞ୍ଚିବା ବେଳକୁ ଦିନ ଗୋଟାଏ ବାଜିଥାଏ । ରଜ ଆଗରୁ ଆମର ଯିବାର ଥିଲା ରଜାଙ୍ଗ, କିନ୍ତୁ ସୁବିଧା ହୋଇ ପାରିନଥିଲା । କାର୍ତ୍ତିକ ପୂର୍ଣ୍ଣିମା ଏବଂ ରଜ ଆଗରୁ ଆମେ କେଇ ଜଣ ବନ୍ଧୁ ରଜାଙ୍ଗ ଯାଉଥିଲୁ ଗତ ୩ବର୍ଷ ଧରି । ଆମର କୌଣସି ଏନ୍‌ଜିଓ ନଥିଲା । ସରକାରୀ ସାହାଯ୍ୟ ସେ ଜଙ୍ଗଲ ମୁଲକରେ ପହଞ୍ଚେଇବା ପାଇଁ ଶାସନରେ ଯେଉଁ ଖାସ୍‌ ପକଡ଼ ଦରକାର, ତାହା ବି ଆମର ନଥିଲା । ତେବେ ସମଭାବାପନ୍ନ କେତେ ଜଣ ରଜାଙ୍ଗର ଆଦିବାସୀ ପିଲାଙ୍କ ପାଇଁ ସହଯୋଗର ହାତ ବଢ଼େଇ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠୁ ପ୍ରାୟ ୬୦କିଲୋମିଟର ଦୂରରେ ଗୋଠମୁଣ୍ଡିଆ ପାହାଡ଼ ତଳେ ଅବସ୍ଥିତ ଏଇ ଛୋଟିଆ ଗାଁର ସାନ ସାନ ପିଲାଙ୍କ ପାଇଁ ସେମାନେ ପଠାଉଥିଲେ ନୂଆ ପୋଷାକ ଓ ଖେଳନା । ପୁନେଇଁ ପର୍ବରେ ପିଲାଟିଏ ନୂଆ ଜାମା କି ଫ୍ରକ୍‌ଟିଏ ପିନ୍ଧିବ, ଟିକେ ହସିବ-ଅନ୍ତତଃ ଏତିକି ଆମେ ଚାହୁଁଥିଲୁ । ଏଥର ରଜାଙ୍ଗ ସମେତ ପାଖ ଗାଁ ମୁରୁଡ଼ାର କିଛି ପିଲାମାନଙ୍କ ପାଖରେ ବି ଆମ୍ଭେ ପହଞ୍ଚିଥିଲୁ । ‘ଫେସ୍‌ବୁକ୍‌’ରେ ‘ରଜାଙ୍ଗ ସର୍କଲ’ ପ୍ରତି ଅନ୍ୟମାନଙ୍କ ଶ୍ରଦ୍ଧା ଓ ସହାନୁଭୂତି ଆମକୁ ବେଶ୍‌ ଉତ୍ସାହିତ କରିଥିଲା । ସୁଦୂର ଓମାନ୍‌ରୁ ଜଣେ ବନ୍ଧୁ ଲେଖିଥିଲେ ଯେ ସେ ବି ଆମ ସହିତ ସାମିଲ୍‌ ହେବା ପାଇଁ ଚାହୁଁଛନ୍ତି । ଚେନ୍ନାଇରେ ୟୁ.ଏସ୍.ଏଡ଼୍‌ରେ କାମ କରୁଥିବା ଜଣେ ବରିଷ୍ଠ ଅଧିକାରୀ ପରାମର୍ଶ ଦେଇଥିଲେ ‘ରଜାଙ୍ଗ ସର୍କଲ’କୁ ଲାଭ ପାଇଁ ଅଭିପ୍ରେତ ହୋଇ ନଥିବା ଏକ କମ୍ପାନୀ ଭାବରେ ଖୁବ୍ ଶୀଘ୍ର ପଞ୍ଜିକରଣ କରାଯାଉ, ଯାହା ଫଳରେ ଆମ କାମ ପାଇଁ ବିଦେଶୀ ସହାୟତା ମିଳିପାରିବ । ଆଉ ଜଣେ ଏଥିପାଇଁ ଟ୍ରଷ୍ଟ ଗଠନ କରାଯାଉ ବୋଲି ମତ ଦେଇଥିଲେ । ଆମେ ଏ ସଂପର୍କରେ କୌଣସି ନିଷ୍ପତ୍ତି ନେଇ ନଥିଲୁ । ଆମର ଦୃଢ଼ ଧାରଣା ଥିଲା ଯେ ବିଭିନ୍ନ ଯୋଜନାରେ ସରକାର ଯେତିକି ଅର୍ଥ ବ୍ୟୟ କରୁଛନ୍ତି କେବଳ ସେତିକିର ସଦୁପଯୋଗ ରଜାଙ୍ଗ ପରି ହଜାର ହଜାର ଗାଁର ଛବି ବଦଳେଇ ଦେଇପାରନ୍ତା । ତେବେ ଅଜ୍ଞାତ କାରଣରୁ ତାହା ସମ୍ଭବ ହେଉ ନଥିଲା । ଢେକାନାଳ-ହିନ୍ଦୋଳ ରାସ୍ତାରେ ରାସୋଳଠାରୁ ୧୨/୧୩ କିମି ଦୂର ଏଇ ଗାଁ ଅପହଞ୍ଚ ଏବଂ ଅବହେଳିତ ହୋଇ ରହିଥିଲା ।

 

ସେଦିନ ରଜାଙ୍ଗକୁ ଯିବା ଆଗରୁ ଦଣ୍ଡିରୀରେ ଆଗ ଦେଖାହେଲା ସହଦେବ ପ୍ରଧାନଙ୍କ ସହିତ । ସହଦେବ ରଜାଙ୍ଗର ମୁଖିଆ । ସଉଦା କିଣିବା ପାଇଁ ସେ ଦଣ୍ଡିରୀ ଆସିଥିଲେ । ତାଙ୍କୁ ଦେଖୁ ଦେଖୁ ଆମେ ରାନୁ କଥା ପଚାରିଲୁ । ରାନୁ ଦେହୁରୀ ପଢ଼ୁଛି ନା ନାହିଁ ? ସହଦେବ ହସିଲେ-। କହିଲେ, କାଠକୁମ୍ପା ସ୍କୁଲକୁ ରାନୁ ବରାବର ଯାଉଛି । ଉପର କ୍ଲାସକୁ ଯାଇଛି ଏ ବର୍ଷ । ସେମିତି ବର୍ଷା ଏ ଯାଏଁ ହୋଇ ନଥିବାରୁ ତାର ସ୍କୁଲ ଯିବା ପାଇଁ ଅସୁବିଧା ନାହିଁ । ଟିକେ ରହି ସହଦେବ ପୁଣି କହିଲେ, ବାବୁ, ଗଲା ଥର ଆପଣ ରାନୁକୁ ଦେଇଥିବା ଦଉଡ଼ି ଡିଆଁକୁ ଟୋକୀଟା ସ୍କୁଲରେ କୋଉଠି ହଜେଇ ଦେଇଛି । ସହଦେବଙ୍କୁ ଜିପ୍‌ରେ ବସେଇ ଆମେ ରଜାଙ୍ଗ ଆଡ଼କୁ ଚାଲିଥିଲୁ । ରାସ୍ତା ଆଗପରି ଖରାପ ଥିଲା । ଜିପ୍‌ରେ ଫୋର୍‌ହ୍ୱିଲ୍ ପଡ଼ୁଥିଲା । ସହଦେବ କହିଲେ ଏ ସନ ବି ୮/୧୦ ଘର ଦାଦନ ଖଟିବା ପାଇଁ କେରଳ ଯାଇଛନ୍ତି । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ମିଳୁନି । ଗତ ବର୍ଷ ନଭେମ୍ୱର ପହିଲା ଦିନ ଆମେ ରଜାଙ୍ଗ ଯାଇଥିଲୁ । ଏ ସଂପର୍କରେ ‘ସମ୍ବାଦ’ରେ ଲେଖା ପ୍ରକାଶ ପାଇବା ପରେ ସରକାର ଗାଁର ଅବଶିଷ୍ଟ ପରିବାରଙ୍କୁ ଜବ୍‌ କାର୍ଡ଼ ଯାହା ଯୋଗେଇ ଦେଇଥିଲେ । ବୋଲିଂ ନାଳ ଉପରେ ବର୍ଷ ବର୍ଷ ଧରି ଅଧା ଗଢ଼ା ହୋଇ ପଡ଼ିଥିବା କଲ୍‌ଭର୍ଟ୍ ଉପରେ ଶିଉଳି ଜମି ପ୍ରାଗୈତିହାସିକ ଲାଗୁଥିଲା । ଅଙ୍କାବଙ୍କା ଜଙ୍ଗଲି ରାସ୍ତା, ଖାଲଖମା, କନ୍ଧରା ସଂରକ୍ଷିତ ଜଙ୍ଗଲ ଭିତରେ ରଙ୍ଗ ଛାଡ଼ି ଯାଇଥିବା ଏକ ପ୍ରକଳ୍ପ ଫଳକ, ଗୋଠମୁଣ୍ଡିଆ ପାହାଡ଼-ସବୁ ଅବିକଳ ସେମିତି ଥିଲା । ମହ୍ଲାର ବସ୍ତି ପାଖାପାଖି ହେବା ବେଳକୁ ଆମେ ସହଦେବଙ୍କୁ ପଚାରିଥିଲୁ, ବୈରାଗୀ ସଂପର୍କରେ । ବୈରାଗୀ ଗତ ଥର ‘ସମ୍ୱାଦ’ରେ ବାହାରିଥିବା ତା ଫଟୋ କଥା ଶୁଣିବା ପରେ କୁଆଡ଼େ ଖୁସି ଥିଲା । ରଜାଙ୍ଗର ପାଞ୍ଚୋଟି ‘ମହ୍ଲାର’ ପରିବାର ଭିତରୁ ବୈରାଗୀ ହିଁ ଥିଲା ସବୁଠୁଁ ବୟସ୍କ ମହ୍ଲାର । ଗଲା ଥର ଭାରି ଉଦାସ ଦିଶୁଥିଲା ବୈରାଗୀ । ହାତରେ ଏକ ଅଜବ ଗଣ୍ଠିଥିବା ବାଡ଼ିଟିଏ ଧରିଥିଲା । ସହଦେବ କହିଲେ, ବାବୁ ଆପଣ ଯିବାର ମାସେ ଖଣ୍ଡେ ପରେ ବୈରାଗୀ ବେମାର ପଡ଼ିଲା । ତା ବଡ଼ ପୁଅ ଗଦା ଜଙ୍ଗଲରୁ ଫେରିବାରେ ଟିକେ ଡେରି ହେଇଯାଇଥିଲା । ବୁଢ଼ାର ମୁଣ୍ଡ ବୁଲେଇ ଦେଲା । ଲଥ୍‌ କରି ପଡ଼ିଲା । ଆମକୁ ବ୍ୟସ୍ତ ଲାଗିଲା । ଗଦା ଫେରିଲା ? ଆମେ ପଚାରିଥିଲୁ । ‘ଫେରିଲା ଆଜ୍ଞା, ହେଲେ ତା ବାପର ସେତେବେଳକୁ ଆଉ ଲୋକ ଚିହ୍ନିବା ଅବସ୍ଥା ନଥିଲା । ମୁର୍ଦ୍ଦାର ପରି ବିଛଣାରେ ଯାହା ସେ ଦି ମାସ ପଡ଼ିଲା’ ସହଦେବ ଉତ୍ତର ଦେଲେ ।

 

ରଜାଙ୍ଗ ପାଖାପାଖି ହେଲା ବେଳକୁ ଭେଟ ହେଲା ରଘୁ ତିହୁ ସହିତ । କାନ୍ଧରେ ୫୬ ବର୍ଷର ଗୋଟିଏ ପିଲାକୁ ବସେଇ ଆମ ଆଡ଼କୁ ଆସୁଥିଲା ରଘୁ । ଗତ ଥର ରଘୁ ସହିତ ଆମର ପରିଚୟ ହୋଇଥିଲା । ଜିପ୍‌ ଅଟକେଇଲୁ । କାନ୍ଧରୁ ପିଲାକୁ ତଳକୁ ଓହ୍ଲେଇ ନମସ୍କାର କଲା ରଘୁ-। ହସ ହସ ମୁହଁ । ବୟସ ୩୫ ପାଖାପାଖି ହେବ । ପୁଅକୁ ନେଇ କୂଆଡ଼େ ଯାଉଛ ରଘୁ ? ଆମେ ପଚାରିଲୁ । ପୁଅକୁ କାନ୍ଧକୁ ଉଠେଇ ରଘୁ କହିଲା, ‘ଆପଣ ଚାଲନ୍ତୁ ଆଜ୍ଞା, ମୁଁ ସାଙ୍ଗେ ସାଙ୍ଗେ ଫେରୁଛି ।’ ରଘୁର ପୁଅ ପଢ଼ୁଛି ନା ନାହିଁ ବୋଲି ଆମେ ସହଦେବଙ୍କୁ ପଚାରିଥିଲୁ । ସହଦେବ କହିଲେ, ‘ଆଜ୍ଞା, ରଘୁର ପୁଅପାତି ନାହିଁ- ମୁନାକୁ ରଘୁ ଏଇସନ ପୁଅ କରିଛି । ମେଲେରିଆରେ ପିଲାଟିର ବାପା ମା ଉଭୟେ ମାରା ପଡ଼ିଛନ୍ତି ।’ ରଜାଙ୍ଗ, ମୁରୁଡ଼ା, ଛାଡ଼ୋଇ, କନ୍‌କା ଏବଂ ଗୁରୁଜଙ୍ଗା ପର୍ଯ୍ୟନ୍ତ ପ୍ରାୟ ୯।୧୦ କିମି ଜଙ୍ଗଲ ରାସ୍ତାରେ ପଡ଼ୁଥିବା ପଡ଼ାରେ ମ୍ୟାଲେରିଆ ସବୁଠୁ ବଡ଼ ସାସ୍ଥ୍ୟ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ତା ସାଙ୍ଗକୁ ପୁଷ୍ଟିହୀନତା । ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷା ଦିନେ ପହଞ୍ଚିବା କଷ୍ଟକର ।

 

ରଜାଙ୍ଗରେ ପହଞ୍ଚୁ ପହଞ୍ଚୁ ଆମ ଆଖିରେ ପଡ଼ିଲା ସର୍ବଶିକ୍ଷା ଅଭିଯାନରେ ତିଆରି ହୋଇଥିବା ଦୁଇ ବଖୁରିଆ ପ୍ରାଇମେରୀ ସ୍କୁଲ । ଗତ ଥର ଆସିବା ବେଳେ ସ୍କୁଲ ତିଆରି ଶେଷ ହୋଇ ଆସୁଥିଲା । ସେଦିନ ସ୍କୁଲ ଛୁଟି ଥିଲା (ରବିବାର) । କିନ୍ତୁ ୧୦।୧୨ ଜଣ ପିଲା ବାରଣ୍ଡାରେ ଖେଳୁଥିଲେ । ଅଧିକାଂଶ ପିନ୍ଧିଥିଲେ ଆକାଶ ରଙ୍ଗର ୟୁନିଫର୍ମ । ଚୂନଧଉଳା ସ୍କୁଲ କାନ୍ଥରେ ‘ସର୍ବଶିକ୍ଷା ଅଭିଯାନ’ର ସ୍ଲୋଗାନ୍‌ ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ସ୍ପଷ୍ଟ ପଢ଼ି ହେଉଥିଲା । ଗୋଟିଏ ପେନ୍‌ସିଲ୍‌ର ଦୁଇମୁଣ୍ଡରେ ବସି ଦୁଇଟି କୁନି କୁନି ପିଲା ଉଡ଼ୁଥିଲେ। ଚିତ୍ରଟି ରଙ୍ଗିନ୍‌ ଥିଲା । ପାଖରେ ଜିପ୍ ରଖି ଆମେ ଓହ୍ଲେଇ ପଡ଼ିଲୁ । ଭାରି ଖୁସି ଲାଗିଲା । ଏତେ ଦିନ ପରେ ରଜାଙ୍ଗରେ ସ୍କୁଲ ହେଲା । ରାନୁ ପରି ସାନ ପିଲାଙ୍କୁ ୭।୮ କିଲୋମିଟର ଚାଲି ଚାଲି ଆଉ ଯିବାକୁ ପଡ଼ିବନି । ସ୍କୁଲ ବାରଣ୍ଡାକୁ ଉଠୁ ଉଠୁ ଦେଖାହେଲା ଜଣେ ବୟସ୍କ ଭଦ୍ରଲୋକଙ୍କ ସହିତ । ସେ ଗାଁ ଆଡ଼ୁ ଆସି ପହଞ୍ଚିଥିଲେ । ନାଁ ହରିହର ସାହୁ । ବୟସ ୬୫ରୁ କମ୍‌ହେବ ନାହିଁ । ଆଗରୁ ଦୁଇଥର ଆମେ ତାଙ୍କୁ ଦେଖିଥିଲୁ । ସେ ପାଖ ଗାଁର ଜଣେ ପଢ଼ାଶୁଣା ଲୋକ ବୋଲି ବି ଜାଣିଥିଲୁ । ସେଦିନ କଥା ହେବା ଭିତରେ ସହଦେବ କିନ୍ତୁ ହରି ବାବୁଙ୍କର ଏକ ସଂପୂର୍ଣ୍ଣ ନୂତନ ପରିଚୟ ଆମକୁ ଦେଇଥିଲା । ସଂକ୍ଷେପରେ ତାହା ଥିଲା ଏମିତି । ଗତ ୩।୪ ବର୍ଷ ଧରି ରଜାଙ୍ଗରେ ପ୍ରାଇମେରୀ ସ୍କଲ୍‌ କୁଆଡ଼େ କେବଳ କାଗଜ କଲମରେ ଚାଲିଛି । ୩୦।୪୦ ଜଣ ପିଲାଙ୍କୁ ପଢ଼େଇବା ପାଇଁ ଦିନେ ବି କୌଣସି ଶିକ୍ଷକ ଆସନ୍ତି ନାହିଁ । ତେବେ ଆଜିକୁ ୫ବର୍ଷ ହେବ ହରି ସାର୍‌ ହିଁ ଗାଁ ପିଲାଙ୍କ ପଢ଼େଇବା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ସେଥିପାଇଁ ସେ କୌଣସି ପାରିଶ୍ରମିକ ପାଆନ୍ତି ନାହିଁ-। ସ୍କୁଲ ଘର ତିଆରି ହେବା ଆଗରୁ ଚାହାଳୀରେ ପଢ଼ାଉଥିଲେ । ପିଲାମାନେ ଜାଣିଛନ୍ତି ଯେ ହରି ସାର୍‌ହିଁ ତାଙ୍କ ସାର୍‌ । ଏଣେ ସର୍ବଶିକ୍ଷା ଅଭିଯାନରେ ପ୍ରଥମ ଚରଣରେ ସ୍ଥାନ ପାଇଥିଲା ଢେଙ୍କାନାଳ ଜିଲ୍ଲା । ସରକାରୀ ପରିସଂଖ୍ୟାନ ଅନୁଯାୟୀ କେବଳ ୨୦୦୯-୧୦ ଆର୍ଥିକ ବର୍ଷରେ ଓଡ଼ିଶାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟୟବରାଦ କରିଥିଲେ ୬୨,୮୨୦ ଲକ୍ଷ ଟଙ୍କା । ଢେଙ୍କାନାଳ ପାଇଁ ତ ଆହୁରି ଭଲ ଖବର ଥିଲା । ଜିଲ୍ଲାରେ ସାକ୍ଷରତା ହାର ୬୦ ରୁ ୬୫ ପ୍ରତିଶତ-। ୬ ରୁ ୧୪ ବର୍ଷ ବୟସ ବନ୍ଧନୀରେ ଏ ଜିଲ୍ଳାରେ ପିଲାଙ୍କ ସଂଖ୍ୟା ୧,୮୯,୨୭୯ ଏବଂ ସେମାନଙ୍କ ଭିତରୁ ୧,୮୫,୩୪୧ ଜଣ ସ୍କୁଲରେ ଦାଖଲ ହୋଇ ସାରିଛନ୍ତି । କିନ୍ତୁ ପ୍ରକୃତ ସ୍ଥିତିତ ଭିନ୍ନ । ରଜାଙ୍ଗଠୁ ପ୍ରାୟ ୨୦ କିମି ଦୂର ଗଣ୍ଡାନଳୀରେ ଜଣେ ଶିକ୍ଷକଙ୍କୁ କୁଆଡ଼େ ଏ ସ୍କୁଲର ଦାୟିତ୍ୱ ଦିଆଯାଇଛି । ପିଲାମାନେ ତାଙ୍କୁ କେବେ ଦେଖିନାହାନ୍ତି । ସହଦେବଙ୍କୁ ଆମେ ପଚାରିଥିଲୁ, ସେମାନେ ଅଭିଯୋଗ କରୁନାହାନ୍ତି କାହିଁକି ? ଉତ୍ତର ସଂକ୍ଷିପ୍ତ ଥିଲା - ‘କିଏ ଶୁଣୁଛି ?’ ହରି ସାର୍‌ଙ୍କୁ ପଚାରିଥିଲୁ ବିନା ପାରିଶ୍ରମିକରେ ସେ ବର୍ଷ ବର୍ଷ ଧରି ପିଲାମାନଙ୍କୁ କେମିତି ପଢ଼ାଉଛନ୍ତି-? ହରି ସାର୍‌ ସେତେବେଳକୁ ପିଲାମାନଙ୍କୁ ବାରଣ୍ଡାରେ ଧାଡ଼ି କରି ବସାଉଥିଲେ । ଆମେ ଆସିବା ଖବର ରଘୁ ତିହୁଁ ଗାଁରେ ଦେଇ ସାରିଥିଲା । ସାର୍‌ କହିଲେ, ଏ ଗାଁ ବାଲାଙ୍କ ସାଙ୍ଗରେ ମୋର ଭାବ ଲାଗିଯାଇଛି ଆଜ୍ଞା ! ଈଶ୍ଵରଙ୍କ ଦୟାରୁ ମୋର ପିଲାମାନେ ପାରି ଗଲେଣି-। ମୁଁ ସେମିତି ପାଠଶାଠ ପଢ଼ିନି । ଏ ବୁଢ଼ା ବୟସରେ ଅନ୍ତତଃ କାହାର କାମରେ ତ ଲାଗିପାରୁଛି, ସେଇ ମୋର ଖୁସି । ବାକି ଭଗବାନଙ୍କ ଇଚ୍ଛା । ଅଧିକାଂଶ ପିଲା ୟୁନିଫର୍ମ ପିନ୍ଧି ଆସିଥିଲେ । ଆକାଶିଆ ରଙ୍ଗର ୟୁନିଫର୍ମ । ସେମାନଙ୍କ ଭିତରୁ ରାନୁକୁ ଚିହ୍ନିବାରେ ଆଦୌ ଅସୁବିଧା ହୋଇ ନଥିଲା । ସହଦେବଙ୍କ ପାଖକୁ ଲାଗି ଆସି ଆସ୍ତେ ଆସ୍ତେ ସେ କଣ କହିଲା । ସହଦେବ ବି ହସୁଥିଲେ । ‘ଦଉଡ଼ ଡିଆଁ କିଲୋ ?’ ମୁଁ ରାନୁକୁ ପଚାରିଲି । ତଳକୁ ମୁହଁ କରି ରାନୁ ଲାଜେଇ ଲାଜେଇ ହସୁଥିଲା । ନଖରେ ଗାର ପକାଉଥିଲା । ସିଏ ବି ୟୁନିଫର୍ମ ପିନ୍ଧିଥିଲା । କୁନ୍ତି ଡବଲ ବେଣୀରେ ଦି’ଟା ନାଲି ରିବନ୍‌ ବାନ୍ଧିଥିଲା । ରଜାଙ୍ଗ ପ୍ରାଇମେରୀ ସ୍କୁଲ କାନ୍ଥରେ ପେନ୍‌ସିଲ୍‌ରେ ବସି ଉଡ଼ୁଥିବା ଝିଅର ଚିତ୍ର ପରି । ମତେ କାହିଁକି ଲାଗିଲା, କେବଳ ରାନୁ ନୁହେଁ, ସେ ମୂଲକରେ ପିଲାଠୁ ବୁଢ଼ା ପଯ୍ୟନ୍ତ ସମସ୍ତେ ଯେମିତି ୟୁନିଫର୍ମ ପିନ୍ଧିଛନ୍ତି । ଆକାଶ ରଙ୍ଗର ୟୁନିଫର୍ମ । ଅସୁମାରି ଆଶା ଏବଂ ଅସରନ୍ତି ଦୁଃଖର ୟୁନିଫର୍ମ ।

(ସମ୍ବାଦ, ତା ୩୦/୦୬/୨୦୧୦)

Image

 

ମନସୁନ୍‌ ପ୍ରଧାନ ପାଇଁ ଫ୍ରକ୍‌ଟିଏ

 

ନଭେମ୍ବର ୧୪ ୨୦୧୦ । କାର୍ତ୍ତିକ ପୂର୍ଣ୍ଣିମା ଆଗରୁ ରଜାଙ୍ଗରେ ଆମେ ପହଞ୍ଚି ସାରିଥିଲୁ । ‘ରଜାଙ୍ଗ ସର୍କଲ’ ଏବଂ ପରେ ଇ-ଓଡ଼ିଶାରେ ସ୍ଥାନ ପାଇବା ପରେ ଶୁଭେଚ୍ଛୁଙ୍କ ସଂଖ୍ୟା ଢେର୍‌ ବଢ଼ି ସାରିଥିଲା । ମୁମ୍ବାଇରେ 'ଇଣ୍ଟିଗ୍ରେଟେଡ଼ ଲ' ପଢ଼ୁଥିବା ଯାଜପୁରର ଝିଅ ନବନୀତାର ଉଦ୍ୟମ ଥିଲା ପ୍ରଶଂସନୀୟ । ପଚାଶରୁ ଅଧିକ ବନ୍ଧୁଙ୍କ ପାଖରେ ମାତ୍ର କେଇଦିନ ଭିତରେ ରଜାଙ୍ଗ ସର୍କଲକୁ ସେ ପହଞ୍ଚେଇ ପାରିଥିଲା । ନବନୀତା ଆମ ପାଖକୁ ପଠେଇଥିଲା ପାଞ୍ଚଶହ ଟଙ୍କା ନିଜ ପକେଟ୍‌ ଖର୍ଚ୍ଚ/ସେଲ୍‌ଫୋନ୍‌ ବିଲ୍‌ କମେଇ ସେ ସଂଚୟ କରିଥିବା ଅର୍ଥ । ଆଗ ଅପେକ୍ଷା ଆମେ ଅଧିକ ଉତ୍ସାହିତ ହୋଇ ପଡ଼ିଥିଲୁ । ରଜାଙ୍ଗ (ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ) ସମେତ ପାଖ ପଡ଼ାଗାଁ ବାଗୁଲି, ଛାଡ଼ୋଇ ଓ ମୁରୁଡ଼ା ଏଥର ଅନ୍ତର୍ଭୁକ୍ତ ହୋଇଥିଲେ ଆମ କାର୍ଯ୍ୟକ୍ରମରେ । ସଂଗୃହୀତ ହୋଇଥିବା ମୋଟ ସହାୟତା ରାଶିର ପରିମାଣ ଷାଠିଏ ହଜାରକୁ ଛୁଇଁଥିଲା । ଜଣେ ସହୃଦୟ ବନ୍ଧୁ ୬୦ ଖଣ୍ତ କମ୍ବଳ ବି ପଠେଇ ଥିଲେ । ଆମ ପାଇଁ ଖୁସି ହେବାର ଆଉ ଏକ ଖାସ୍‌ କାରଣ ବି ଥିଲା । ଗତ ଜୁଲାଇ ୩୦ ତାରିଖରେ 'ସମ୍ବାଦ'ରେ ପ୍ରାବନ୍ଧିକର ରଜାଙ୍ଗ ସଂପର୍କିତ ଏକ ଲେଖା ପଢ଼ିବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ କିଛିଟା ତତ୍ପରତା ପ୍ରକାଶ ପାଇଥିଲା-। ଦଣ୍ଡିରୀ ଠାରୁ ରଜାଙ୍ଗ ଯିବା ରାସ୍ତାରେ ବହୁ ବର୍ଷ ଆଗରୁ ଅଧାଗଢ଼ା ହୋଇ ପଡ଼ିଥିବା କଲ୍‌ଭର୍ଟ ବାବଦରେ ଖୋଳତାଡ଼ ଆରମ୍ଭ ହୋଇସାରିଥିଲା । କଲ୍‌ଭର୍ଟ ଉପରେ ସ୍ଲାବ୍‌ ପଡ଼ି ନଥିଲା-। କିନ୍ତୁ କାର୍ଯ୍ୟାଦେଶ ପାଇଥିବା ଜଣେ ସ୍ଥାନୀୟ ରାଜନେତାଙ୍କ ଡ୍ରାଇଭର୍‌ ସେ ବାବଦରେ ତାର ଚୂଡ଼ାନ୍ତ ପ୍ରାପ୍ୟ ନେଇ ସାରିଥିଲା । ସ୍ଥାନୀୟ ପଞ୍ଚାୟତ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିବାଦ ତୁଟୁ ନଥିବାରୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦଣ୍ଡିରୀ ଠାରୁ ୯/୧୦ କି.ମି ଦୀର୍ଘ ଅଣଓସାରିଆ ଜଙ୍ଗଲ ରାସ୍ତା କାମ ହୋଇ ପାରୁନଥିଲା । ସେ ବାବଦରେ କୁଆଡ଼େ ନିଷ୍ପତି ନିଆଯାଇଥିଲା । ରଜାଙ୍ଗ ପ୍ରାଇମେରୀ ସ୍କୁଲ ପାଇଁ ଜଣେ ନିୟମିତ ଶିକ୍ଷକଙ୍କୁ ପୋଷ୍ଟିଂ କରାଯାଇଥିଲା । ସ୍ଥାନୀୟ ପ୍ରଶାସନରେ କାର୍ଯ୍ୟରତ ଆମର ଜଣେ ବନ୍ଧୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ ଯେ ଆଗାମୀ ଜନସଂପର୍କ ଶିବିର ସେ ରଜାଙ୍ଗରେ କରନ୍ତୁ ।

 

ଦଣ୍ଡିରୀରେ ଆମେ ପହଞ୍ଚିବା ବେଳକୁ ଦିନ ୧୧ ଟା ପାଗ ସେଦିନ ଶୁଖିଲା ଥିଲା, କିନ୍ତୁ ଆକାଶରେ ଥିଲା ଭସା ମେଘ । ଦଣ୍ଡିରୀଠାରୁ ଦୁଇଟି ଜିପ୍‌ରେ ଆମେ ରଜାଙ୍ଗ ରାସ୍ତାରେ ଗଲାବେଳେ ରାସ୍ତା ଆଗ ଅପେକ୍ଷା ଟିକିଏ ସଫାସୁତୁରା ଲାଗୁଥିଲା । ବୋଲିଂ ନାଳରେ ଅଳ୍ପ ପାଣି ଥିଲା । ଆମ ସାଙ୍ଗରେ ଏଥର ଥିଲା ଅବିନାଶ । ଅଧ୍ୟାପକ ଅବିନାଶ ଆଗରୁ ଆମ ଗ୍ରୁପ୍‌ରେ ଥିଲା, କିନ୍ତୁ ପ୍ରଥମ ଥର ପାଇଁ ରଜାଙ୍ଗ ଆସିଥିଲା । ବୋଲିଂ ନାଳ ଉପରେ ହୋଇଥିବା ଅଧ୍ୟାଗତା କଲଭର୍ଟ ଆମେ ଅବିନାଶକୁ ଚିହ୍ନେଇବା । ଆଗରୁ ସେ ନିଜେ ସେଇଠି ଜିପ୍‌ ଅଟକେଇବା ପାଇଁ କହିଲା । ଆମ ସହିତ ଦଣ୍ଡିରୀରୁ ଜିପ୍‌ରେ ଆସିଥିଲା ସୁରେଶ ପ୍ରଧାନ । ରଜାଙ୍ଗ ଗାଁ ମୁଖିଆଙ୍କ ପୁଅ । ବୟସ ୪୦/୪୨ ହେବ । ବର୍ଷରେ ଖୁବ୍‌ଜୋର୍‌ରେ ମାସେ - ଦି ମାସ ସୁରେଶ ଗାଁ ରେ ରହେ । ଅବଶିଷ୍ଟ ଦିନ କେରଳରେ । ଦଶବର୍ଷ ତଳେ ସେଠିକୁ ଯାଇଥିଲା ମୂଲିଆ ଭାବରେ ଦାଦନ ଖଟିବା ପାଇଁ । ଏବେ କାମ ଶିଖି ରାଜମିସ୍ତ୍ରୀ । ଗାଁରୁ ଆଉ ୬/୭ ଜଣଙ୍କୁ ନେଇ ପାଖରେ ରଖିଛି । ତା ସହିତ ଆମର କମ୍‌ ଦେଖା ହୁଏ । ସୁରେଶ ଭାରି କୁହାଳିଆ । କହିଲା- ବାବୁ, ବିଲ୍‌ ସରି ଟଙ୍କା ଚଳୁ ହୋଇ ସାରିଛି ୪/୫ ବର୍ଷ ହେଲାଣି ନେତାଙ୍କ ଡ୍ରାଇଭର୍‌ । ଚାରିଖୁଣ୍‌ ମାଫ୍‌ । ହେଲେ ମୁଁ ଛାଡ଼ିବା ଲୋକ ନୁହେଁ ଆଜ୍ଞା । ଏଇ ୮/୧୦ ଦିନ ତଳେ ଦେଖା ହୋଇଥିଲା ରାସୋଳ ବଜାରରେ-। ବହେ ଶୋଧିଲି । ବ୍ଳକରେ ପୁଣି କାମ ନଉଛି ଯା ନାଁରେ.... ତା ନାଁରେ । ଅବିନାଶ ହସିଲା । କହିଲା- ହେଲେ ମତେ ତ କାହିଁ ଏ ରାସ୍ତା ସଫାସୁତୁରା ଦିଶୁଛି । ଏ ଉଠାଣିରେ ନୂଆ ମାଟି ପଡ଼ି ଖାଲ ସମାନ ଦିଶୁଛି । ସରକାର ତୁମ ରାସ୍ତା କାମ ବୋଧ ହୁଏ ଆରମ୍ଭ କରିଦେଲେଣି ! ଜୋର୍‌ରେ ହସିଲା ସୁରେଶ, କହିଲା- ସାର୍‌, ଆପଣମାନେ ଆସିବା ଖବର ପାଇ ଆମେ ୩୦।୪୦ ଗାଁ ବାଲା ଏ ରାସ୍ତା କାମ ନିଜ ଆଡ଼ୁ କରିଛୁ । ରାସ୍ତାରେ ମାଟି ଗଣ୍ଡାଏ ପଡ଼ିଛି । ଆମେ ଚୁପ୍‌ ହୋଇ ସାରିଥିଲୁ-

 

ରଜାଙ୍ଗ ପ୍ରାଇମେରୀ ସୁଲ ପାଖରେ ପହଞ୍ଚିବା ବେଳକୁ ବେଶ୍‌କିଛି ଗାଁ ଲୋକ ସେଠି ରୁଣ୍ଡ ହୋଇ ସାରିଥିଲେ। ସେ ଦିନ ସୁଲ ଛୁଟିଥିଲା । ସରକାରୀ ଶିକ୍ଷକ ଆସିନଥିଲେ । ତେବେ ପିଲାଙ୍କ ମେଳରେ ହରି ସାର୍‌ଙ୍କୁ ଚିହ୍ନିବାରେ ଆମର ଅସୁବିଧା ହୋଇନଥିଲା । ବିନା ପାରିଶ୍ରମିକରେ ହରି ସାର୍‌ ରଜାଙ୍ଗରେ ଚାହାଳୀ ଏବଂ ପରେ ସ୍କୁଲ୍‌ଘର ତିଆରି ହେବା ପରେ ସରକାରୀ ଶିକ୍ଷକଙ୍କ ନିରନ୍ତର ଅନୁପସ୍ଥିତିରେ ପିଲାଙ୍କୁ ପଢ଼ଉଥିଲେ । ଆମେ ପଚାରିଥିଲୁ, “ଶିକ୍ଷକ ପୋଷ୍ଟିଂ ହେବା ପରେ ବି କଣ ଆପଣ ପଢ଼ଉଛନ୍ତି ? ହରି ସାର୍‌ କହିଲେ- ପୁରୁଣା ଅଭ୍ୟାସ ସାର୍‌ । ଏତେ ଶୀଘ୍ର ଯିବନି । ଆଜି ଶିଶୁ ଦିବସ । ସକାଳୁ ସକାଳୁ ପିଲାଙ୍କ ପାଖକୁ ଚାଲିଆସିଲି । ରଜାଙ୍ଗ ପାଇଁ ସଂଗୃହୀତ ଅର୍ଥରେ ଆମେ ଆଣିଥିଲୁ ପୁଅ ଝିଅଙ୍କ ପାଇଁ ପୋଷାକ, ଖେଳନା, କମ୍ବଳ, ଧୋତି, ଶାଢୀ ଏବଂ ବାସନ । ଅରବିନ୍ଦ ଏବଂ ଆଉ କେତେଜଣ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ପିଲାମାନଙ୍କର ଡାଟାବେସ୍‌ ଆଗରୁ ପ୍ରସ୍ତୁତ କରାଯାଇଥିଲା ଯାହାକି ସେମାନଙ୍କ ବୟସ ଅନୁସାରେ ଆମକୁ ପୋଷାକ କିଣିବାରେ ସାହାଯ୍ୟ କରିବ । ରଜାଙ୍ଗ ଓ ମୁରୁଡ଼ା ପାଇଁ କିଛି ଅସୁବିଧା ନଥିଲା । କାରଣ ସେ ଦୁଇଟି ଗାଁ ଗତଥର ମଧ୍ୟ ଆମ ତାଲିକାରେ ଥିଲେ । ହେଲେ ଏଥର ଏକ ଅଭାବନୀୟ ସମସ୍ୟାର ସମ୍ମୁଖୀନ ଆମକୁ ହେବାକୁ ପଡ଼ିଲା ଯେତେବେଳେ ବାଗୁଲି ଓ ଛାଡ଼ୋଇର ପିଲାମାନଙ୍କୁ ପୋଷାକ ଦିଆଗଲା । ୧୦/୧୧ ବର୍ଷର ପିଲାଙ୍କ ପାଇଁ ଆମେ ଆଣିଥିବା ପୋଷାକ ସେମାନଙ୍କୁ ବଡ଼ ହେଉଥିଲା । (ଓଭର୍‍ ସାଇଜ୍‌) ୨/୩ଥର ପୋଷାକ ବଦଳେଇ ଟିକେ ଛୋଟ ମାପର ପୋଷାକ ଦେବାବେଳେ ଆମେ ଭାବୁଥିଲୁ ଯେ ପିଲାମାନଙ୍କ ବୟସ ଆମ ତାଲିକାରେ ଠିକ୍‌ ଠିକ୍‌ ଲେଖା ହୋଇନି । ଅରବିନ୍ଦ ସର୍ଭେ କଲାବେଳେ ବୟସ ଭୁଲ୍‌ ପକେଇଛି ।

 

ମୁଁ ଅରବିନ୍ଦ ମୁହଁକୁ ଚାହିଁଲି । ସେ ମୋ କଥା ଠିକ୍‌ ବୁଝି ପାରୁଥିଲା । କହିଲା- ସାର୍‌ ବୟସ ଟିପିବାରେ ମୋର ଭୁଲ୍‌ ହୋଇନି, ହେଲେ ସମସ୍ୟା ଅଲଗା । ମୁଁ ଆଗକୁ ଚାହିଁଲି । ବିଶ୍ୱଜିତ୍‌ ନାଁ ଡାକୁଥିଲା, ରଶ୍ମିତା- ୧୨ବର୍ଷ, ମଣ୍ଟୁ- ୧୦ ବର୍ଷ, ରିନା- ୫ବର୍ଷ, ସୁବ୍ରତ ପ୍ରଧାନ ପି- କ୍ଷେତ୍ରବାସୀ, ୧ ୧ବର୍ଷ । ରଶ୍ମିତା ଏବଂ ମଣ୍ଟୁକୁ ଦିଆଯାଇଥିବା ପୋଷାକ ସେମାନଙ୍କୁ ବେଶ୍‌ବଡ଼ ହେଉଥିଲା । ବୟସ ଠିକ୍‌ ଅଛି କି ନାହିଁ ଜାଣିବା ପାଇଁ ମଣ୍ଟୁକୁ ଆମେ ତା ବୟସ ପଚାରିଥିଲୁ । ଟିକେ ଭାବିବା ପରେ ମଣ୍ଟୁ କହିଲା ୧୦/୧୨ ବର୍ଷ । ପଢ଼ୁଛୁ ? ଆମେ ପୁଣି ପଚାରିଲୁ । ମୁଣ୍ଡ ହଲେଇ ନା କହିଲା ମଣ୍ଟୁ । ମଣ୍ଟୁ ଦିଶୁଥିଲା ଖୁବ୍‌ବେଶୀରେ ସାତ-ଆଠ ବର୍ଷର ପିଲାଟିଏ ପରି । ଆଖି ସାମାନ୍ୟ ଭିତରକୁ ପଶି ଯାଇଥିଲା | କୁଞ୍ଚୁକୁଞ୍ଚିଆ ବାଳ । ସରୁସରୁ ହାତ । ଅର୍ଦ୍ଧାହାର ଏବଂ ପୁଷ୍ଟିହୀନତାର ସଂଜ୍ଞା ଖୋଜିବା ତେଣିକି ଆଉ କଷ୍ଟକର ହୋଇ ନଥିଲା । ଅଧିକାଂଶ ପିଲା ଏଇଥିପାଇଁ ସେମାନଙ୍କ ବୟସ ତୁଳନାରେ ସାନ ଦେଖା ଯାଉଥିଲେ । ସ୍ୱାଭାବିକ୍‌, ସେମାନଙ୍କୁ ପୋଷାକ ବଡ଼ ହେଉଥିଲା । ସୁରେଶ କହିଲା- "ବାବୁ ଯୋଉ ପିଲା ସ୍କୁଲରେ ପଢ଼ୁଛନ୍ତି ସେମାନଙ୍କୁ ଅନ୍ତତଃ ମଧ୍ୟାହ୍ନଭୋଜନ ଗଣ୍ଡାକ ମିଳିଯାଉଛି । ହେଲେ ମଣ୍ଟୁ ପରି ଢେର୍‌ ପିଲାଙ୍କର ପିଞ୍ଜରା ହାଡ଼ ଗଣିବାରେ କିଛି ଅସୁବିଧା ହେବନି । ଆମର ଡାକ୍ତର ବଇଦ କେହି ନାହାନ୍ତି । ବର୍ଷାଦିନେ ଡୋଳାରେ ରୋଗୀଙ୍କୁ ନଉ ରାସୋଳ । ଏ ରାସ୍ତାରେ ଅଟୋ ବାଲା ପଶିବାକୁ ମଙ୍ଗନ୍ତିନି । ଭଡ଼ା ହାଙ୍କିବେ ସାତ ଶତ । ଆମର ଟଙ୍କା କାହିଁ ? ଫି ବର୍ଷ ନଭେମ୍ବରରୁ ମେ-ଜୁନ୍‌ ଭିତରେ ବ୍ରେନ୍‌ ମେଲେରିଆରେ ଏସବୁ ଗାଁରୁ ମରନ୍ତି ୮/୧୦ । କେଇମାସ ତଳେ ମାରା ପଡ଼ିଛି ଝିଅଟିଏ ଏଇ ରଜାଙ୍ଗରୁ, ପାଖ ଗାଁରୁ ହଳଧର ପ୍ରଧାନ ଆଉ ନନ୍ଦ ବେହେରା । ମାସରେ ଥରେ ଅଧେ ସ୍ୱାସ୍ଥ୍ୟକର୍ମୀ ଦଣ୍ଡିରୀ ଆସନ୍ତି । ଟୀକା ଦେବା ପାଇଁ ପିଲାଙ୍କୁ ଆମେ ସେଇଠିକୁ ନଉ । ଜଣେ ଆଶାକର୍ମୀ ଦିଦି ପାଖ ଗାଁରେ ରହନ୍ତି । ବାସ୍‌ ସେତିକି ।’’

 

ଅବିନାଶକୁ ଆମେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କଥା ପଚାରିଲୁ । ଅବିନାଶ କହିଲା ଏନ୍‌.ଆର୍‌.ଏଚ୍‌.ଏମ୍‌ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ମିସନକୁ ପାଞ୍ଚ ବର୍ଷ ପୂରିଲାଣି । ଓଡ଼ିଶା ସମେତ ୧୮ଟି ରାଜ୍ୟକୁ ହାଇ ଫୋକସ୍‌ ମାନ୍ୟତା ମିଳିଛି । ୧୯୯୯ରେ ଦେଶର ମୋଟ ଘରୋଇ ଉତ୍ପାଦନର ୦.୯% ବିନିଯୋଗ ହେଉଥିଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ଯାହାକୁ ୨୦୧୨ ସୁଦ୍ଧା ୩%କୁ ବୃଦ୍ଧି କରାଯିବ ବୋଲି ଲକ୍ଷ୍ୟ ରହିଥିଲା । ମ୍ୟାଲେରିଆ ନିୟନ୍ତ୍ରଣ ମଧ୍ୟ ଏହାର ପରିସର ଭୁକ୍ତ । ତା ସହିତ ଶିଶୁ ମୃତ୍ୟହାର, ପୁଷ୍ଟିହୀନତା ଏବଂ ସଂକ୍ରାମକ ରୋଗ ରୋକାଯିବା ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏହାର ଅନ୍ତର୍ଭୁକ୍ତ । ୨୦୦୫-୦୬ରୁ ୨୦୦୯-୧୦ ପର୍ଯ୍ୟନ୍ତ ଏନ୍‌.ଆର୍‌.ଏଚ୍‌.ଏମ୍‌ରେ କେନ୍ଦ୍ରୀୟ ବ୍ୟୟବରାଦ ହୋଇଥିଲା ମୋଟ୍‌ ୫୨,୬୦୦ କୋଟି ଟଙ୍କା । ୨୦୦୫-୦୬ ରୁ ୨୦୦୮-୦୯ ଭିତରେ ଆମ ରାଜ୍ୟରେ ଏ ବାବଦରେ ଖର୍ଚ୍ଚ ହୋଇ ସାରିଛି ୯୦୮.୫୮ କୋଟି । ସେଇ ସମୟ ଭିତରେ ୧୪୪୪ଟି ରୋଗୀକଲ୍ୟାଣ ସମିତି ଗଠନ ହୋଇଛି, ୩୪,୨୫୨ ଆଶାକର୍ମୀକୁ ନିଯୁକ୍ତି ମିଳିଛି, ଡାକ୍ତରଖାନା ନିର୍ମାଣ/ନବୀକରଣ ତଥା ଡାକ୍ତରୀ ଉପକରଣ କ୍ରୟ ନିମନ୍ତେ ବ୍ୟୟ ବରାଦ ହୋଇଛି ୩୬୦.୩୧ କୋଟି, ଡାକ୍ତର ଏବଂ ଅନ୍ୟାନ୍ୟ ଷ୍ଟାଫ୍‍ ନିଯୁକ୍ତି ପାଇଁ ୯୨.୮୦ କୋଟି । ଦୁଇବର୍ଷ ତଳେ କେବଳ ଢେଙ୍କାନାଳ ଜିଲ୍ଲାରେ ଏନ୍‌.ଆର୍‌.ଏଚ୍‌.ଏମ୍‌ ବଜେଟ୍‌ଥିଲା ୭୨୦ ଲକ୍ଷ ଟଙ୍କା ।

 

ଗହଳି ଭାଙ୍ଗି ଆସୁଥିଲା । ସୁରେଶ କିଛି ଗାଁ ବାଲାଙ୍କୁ ଭାଷଣ ଶୁଣାଉଥିଲା । ‘‘ତୁମେ ଗାଁ ବାଲା ଯେତେ ବାଡ଼େଇ ହେଲେ କିଛି ହବନି । ତୁମ ପାଖରେ ଭୋଟ କାହିଁ ? ଅଧାରୁ ଅଧିକା ତୁମ ଗାଁରେ ଛୁଆ ପିଲା । କେଇ ଶହ ଭୋଟ ପାଇଁ ତୁମ ଗାଁକୁ କିଏ କାହିଁକି ଆସିବ ?” ଅବିନାଶ ବି ସେଠି ପହଞ୍ଚି ସାରିଥିଲା । କେଇଜଣ ସେମାନଙ୍କୁ ମିଳିଥିବା ଜବକାର୍ଡ଼ ତାକୁ ଦେଖାଉଥିଲେ । ଗାର ଟଣା କାର୍ଡ଼ ସବୁ ଖାଲି ଥିଲା । ସେମାନଙ୍କ ଭିତରେ ଥିଲା ଧ୍ରୁବ ଦେହୁରୀର ଜବ୍‌ କାର୍ଡ଼ । ନଂ. ୩୪୪୬୨ । ଆରମ୍ଭରୁ ଖାଲି, ଅଥଚ ଦୁଇ ପ୍ରସ୍ତ ଜରି ଖୋଳ ଭିତରେ ସୁରକ୍ଷିତ । ଆମେ ବାହାରିବା ବେଳକୁ ଝିପିଝିପି ବର୍ଷା ପକାଉଥିଲା । ଜିପ୍‌ ଷ୍ଟାର୍ଟ ସରିଛି, ଆମକୁ ପଛରୁ ଡାକିଲେ ହରିସାର୍‌ ।

 

ମଇଳା ଚାଦରଖଣ୍ଡେ ଘୋଡ଼ାଇ ହୋଇ ଆମ ଆଡ଼କୁ ଆସୁଥିଲା ବୈରାଗୀ ପ୍ରଧାନ । ତା ସାଙ୍ଗରେ ଛୋଟିଆ ଝିଅଟିଏ । ବୈରାଗୀକୁ ଆମେ ଆଗରୁ ଜାଣିଥିଲୁ ? କଣ ହେଲା ? ଜିପରୁ ଓହ୍ଲେ‌ଇ ବିଶ୍ୱଜିତ୍‌ ପଚାରିଲା । ଆଜ୍ଞା ! ବୈରାଗୀ ଝିଅ ପୋଷାକ ନେବା ପାଇଁ ଆଜି ଆସି ନଥିଲା-। ବିଚାରୀକୁ ଜ୍ୱର । ଆମେ ତୀର୍ଥବାସୀ ହାତରେ ତା ପାଇଁ ଫ୍ରକ୍‌ ପଠେଇଥିଲୁ । ଫ୍ରକ୍‌ଟା ତାକୁ ଭାରି ବଡ଼ ହଉଛି ବାବୁ, ବଦଳେଇ ଦିଅନ୍ତେ ନି ! ବୈରାଗୀ ଆମ ପାଖକୁ ଥିଲା । ସେ ଯାଏଁ ବୈରାଗୀର ହାତକୁ ଧରିଥିଲା ଝିଅଟି । ଅଲରା ବାଳ । ବେଶ୍‌ ବଡ଼ ବଡ଼ ଆଖି । ବୟସ ୭/୮ ବର୍ଷରୁ ଅଧିକ ମନେ ହେଉନଥିଲା । ବୈରାଗୀ କହିଲା, ବାବୁ, ପିଲାଟାକୁ ପ୍ରକୃତରେ ଏଗାର ପୂରିଲା । ସବୁବେଳେ ତା ଦିହ ଖରାପ ଜାମାଟା ବଦଳେଇ ଦିଅନ୍ତେ ନି ! ବିଶ୍ୱଜିତ୍‌ ପେଟି ଭିତରୁ ଛୋଟ ଫ୍ରକ୍‌ଟିଏ ଖୋଜିବା ଆରମ୍ଭ କରିଦେଇଥିଲା ।

 

ସେ ଜାଣିଥିଲା, ଛୋଟ ଫ୍ରକ୍‌ନାହିଁ । "ତୁ ସେଇ ଫ୍ରକ୍‌ ରଖିଥା ଝିଅ । ତୋ ପାଇଁ ଆଉ ଗୋଟାଏ ଫ୍ରକ୍‌ ଆମେ ଖୁବ୍‌ ଶୀଘ୍ର ପଠେଇଦବୁ, ୩/୪ ଦିନ ଭିତରେ ।’’ ଝିଅଟି ହାତକୁ ଗୋଟାଏ ହଳଦିଆ ପ୍ଲାଷ୍ଟିକ୍‌ କାର୍‌ ବଢ଼େଇ ଦେଇ କହିଲା ଅବିନାଶ । ସେଥିରେ ଲେଖା ହୋଇଥିଲା 'ହୋଣ୍ଡା’-। ଫିକ୍‌କିନା ହସି ଦେଲା ଝିଅଟି । “ତୋ ନାଁ କଣ ମା ?’’ ମୁଁ ପଚାରିଲି । 'ମନ୍‌ସୁନ୍‌' । ପ୍ଳାଷ୍ଟିକ୍‌ କାର୍‌କୁ ଆଉଁସୁ ଆଉଁସୁ ସେ କହିଲା । ହଠାତ୍‌ ଜୋରରେ ବର୍ଷା ହେବା ଆରମ୍ଭ ହୋଇଗଲା-

(ସମ୍ବାଦ ତା ୨୪/୧୨/୨୦୧୦)

Image

 

ଉପରେ ଆଉ ଜାଗା କାହିଁ ?

 

ଗତ ମାଟ୍ରିକ୍‌ ପରୀକ୍ଷାରେ ଶ୍ରେଷ୍ଠ ଦଶଟି ସ୍ଥାନରେ ଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା 'ସମ୍ବାଦ’ ତରଫରୁ । ଏହାର ସଂପାଦକ ଶ୍ରୀ ପଟ୍ଟନାୟକ ସେଦିନ ଦେଇଥିବା ଅଭିଭାଷଣରେ ସଂପାଦିତ ଅଂଶ ପ୍ରକାଶ ପାଇଥିଲା ସମ୍ବାଦର ଜୁନ୍‌ ୧୫ ସଂସ୍କରଣରେ-। ଶୀର୍ଷକ ଥିଲା: ‘ଉପରେ ସବୁବେଳେ ଜାଗା ଅଛି’ । ମାଟ୍ରିକ୍‌ ପରୀକ୍ଷାର କୃତି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେ ଏଥର କହିଥିବା କଥା ନିଆରା ଥିଲା । ପ୍ରଥମ ଥର ଖବରକାଗଜରେ ତାହା ପଢ଼ିଲା ବେଳେ ପ୍ରାବନ୍ଧିକର ମନେ ହେଲା, ଯେମିତି ଶ୍ରୀ ପଟ୍ଟନାୟକ ରାଜ୍ୟର ଅନେକ ସ୍ୱାଭିମାନୀଙ୍କ ସଚ୍ଚା ପ୍ରତିନିଧି ଭାବେ ପିଲାମାନଙ୍କୁ ବୁଝାଉଛନ୍ତି । ପୁଣି ଲାଗିଲା ଯେ କେବଳ ପିଲାମାନଙ୍କୁ ନୁହେଁ, ପିଲାଙ୍କର ଅଭିଭାବକ / ଗାର୍ଜନ ମାନଙ୍କ ସହିତ ବି ସେ ହୃଦୟର ସହିତ କଥାବାର୍ତ୍ତା କରୁଛନ୍ତି । ମଝିରେ ଏମିତି ବି ମନେ ହେଲା ଯେ ଅଭିଜ୍ଞ ସାମ୍ବାଦିକ ସକଳ ନିଷ୍ଠା ଏବଂ ଗମ୍ଭୀରତାର ସହିତ ତା ସମୟର ଧାରା ବିବରଣୀ ଶୁଣାଉଛି- ତମାମ ଓଡ଼ିଶାବାସୀଙ୍କୁ । ସିଏ ସେଇ ସମୟ, ସେଇ କାଳଖଣ୍ଡର କାହାଣୀ ଶୁଣାଉଛି ଯେଉଁ ସମୟକୁ ସେ ଅଂଗେ ନିଭେଇଛି, ଯେଉଁ ସମୟକୁ ଜୀଉଛି ଏବଂ ସମୟର ଆଗ ଛକରେ ଭବିଷ୍ୟର ଯେଉଁ ଦିଗ୍‌ବଳୟଟି ତାଳୁ ଦିଶି ଯାଉଛି-। ସଂପାଦକଙ୍କ ସହିତ ମୁଁ ସେଦିନ ୩୦ ମିନିଟ୍‌ରୁ କିଛି ଅଧିକ ସମୟ ପର୍ଯ୍ୟନ୍ତ କଥା ହୋଇଥିଲି । ତାଙ୍କ ସହିତ ଏକମତ ହୋଇଥିଲି ଏବଂ କିଛି ପ୍ରସଙ୍ଗକୁ ନେଇ ମୋର ସାମାନ୍ୟ ଭିନ୍ନ ମତ ଥିବା କଥା ମଧ୍ୟ କହିଥିଲି । ସେଇ ଆଲୋଚନାକୁ ଆଧାର କରିଛି ଏ ଆଲେଖ୍ୟ ।

 

ମୁଁ କହିଲି ଯେ ଏବେ ଶ୍ରୀ ପଟ୍ଟନାୟକଙ୍କ ପିଢ଼ିର ଅବିକଳ ଅଭାବବୋଧ ହୁଏତ ଆଉ ନାହିଁ । ନୂତନ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପିଠିରେ ଲାଉ ହୋଇ ଅତୀତର ଅନେକ ଅସହାୟତା ଏବେ ନିଜକୁ ବେଶ୍‌ ସମର୍ଥ ମନେ କଲେଣି । ପରୀକ୍ଷା ଫଳ ଜାଣିବା ପାଇଁ ସୁଦୂର ମଫସଲରେ ଉପଲବ୍ଧ ମାଳମାଳ ମୋବାଇଲ୍‌ ଫୋନ୍‌ ଯଥେଷ୍ଟ । ଖବରକାଗଜକୁ ଅପେକ୍ଷା କରିବାର ସମୟ ବି ଶେଷ ହୋଇ ଆସିଲାଣି । ବାସି ଖବରର ଯୁଗତ ଆମ ରାଜ୍ୟରେ ଅନ୍ତତଃ ୨୫ ବର୍ଷ ତଳୁ ଚାଲିଗଲାଣି । ତେବେ ଅଭାବବୋଧ ତିଷ୍ଠି ରହିଛି ନୂଆ ଅବତାରରେ । ସେଇଟି ଆଗ ଅପେକ୍ଷା ବରଂ ଅଧିକ କ୍ଷୁଧିତ ଏବଂ ଅଧିକ ଅବହେଳିତ ହୋଇ ରହିଛି । ବର୍ଦ୍ଧିଷ୍ଣୁ ସାମାଜିକ-ଅର୍ଥନୈତିକ ବୈଷମ୍ୟ ଅଭାବବୋଧକୁ ଉଗ୍ର ଏବଂ ଉତ୍‌କ୍ଷିପ୍ତ ବି ରହିଛି । ସୂଚନା ବିଜ୍ଞାନ ସୌଜନ୍ୟରୁ ଗୋଟାଏ ଦୃଷ୍ଟିରୁ ହାଇପର୍‌ବ୍ୟାଣ୍ଡ ସଂଯୋଗୀ କରଣ ସାରା ପୃଥିବୀକୁ କେଇକ୍ଷଣରେ ଆମ ମୋବାଇଲ୍‌ ପରଦାକୁ ନେଇ ଆସୁଛି ସତ, କିନୁ “ବସୁଧୈବ କୁଟୁମ୍ବକର” ସେଇ ପକେଟ୍‌ ସଂସ୍କରଣ ଆମ ସମୟରେ ନୂତନ ସଂକୀର୍ଣ୍ଣତା ଏବଂ ନୂତନ ଆଳସ୍ୟର କାରଣ ବି ହୋଇଛି । କେହି ଆଉ କିଛି ଖୋଜିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଏହାର ଆବଶ୍ୟକତା ଯେମିତି ଆଉ ନାହିଁ । ଅନେକ କିଛି ଅସ୍ୱାଭାବିକ ଭାବେ ହାଲୁକା ଏବଂ ସହଜଲବ୍ଧ ହୋଇସାରିଛି । ଚିନ୍ତକମାନଙ୍କ ମତ ଯେ ବିଜ୍ଞାନ ଏବଂ ବ୍ଳାକ୍‌ବେରି ଏକ ଭିନ୍ନ ଦୃଷ୍ଟିରୁ ମଣିଷର ଅନେକ କୋମଳ ଅନ୍ୱେଷାର ଅନ୍ତ ଘଟାଇ ଚାଲିଛନ୍ତି-। ଏହା ଅପ୍ରତିହତ ରହିବ ।

ବାକି ରହିଲା ଉପର ମୁଣ୍ଡରେ ଯାଗା କଥା । ‘ଦେୟାର୍‌ ଇଜ୍‌ ଅଲ୍‌ଉଏଜ୍‌ ଏ ରୁମ୍‌ ଆଟ୍‌ ଦି ଟପ୍‌ ।’ ଅବିକଳ ଏମିତି ଧାଡ଼ିଟିଏ ପ୍ରଚଳନକୁ ଆସିବା ଆଗରୁ ହିଁ ସୁକୁମାର ସମ୍ଭାବନା ଟିଏ ଚିର ସବୁଜ ହୋଇ ସଭ୍ୟତାର ଭୂଇଁରେ ଠିଆ ହୋଇଛି । ତେବେ ନିଚ୍ଛକ ସତ ହେଉଛି, ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ପାଣିପାଗରେ ସଫଳ କାହାଣୀର ନାୟକ ହେବା କେବଳ ଛାତ୍ରର ମେଧା ବା ଅଧ୍ୟବସାୟ ଉପରେ ନିର୍ଭର କରୁନାହିଁ । ମୁଁ ପୁଣି ଯୁକ୍ତି ଦର୍ଶାଇଥିଲି ଯେ ଶ୍ରୀ ପଟ୍ଟନାୟକ ଓଡ଼ିଶା ଏବଂ ଓଡ଼ିଆଙ୍କୁ ଗଭୀର ଭାବେ ଭଲପାନ୍ତି । ତେବେ ସମ୍ଭାବନାର ଏଇ ମାଂଗଳିକ ମନ୍ତ୍ରୋଚ୍ଚାରଣ ଅଙ୍କୁରୋଦ୍‌ଗମ୍‌ ଉତ୍ତାରୁ ଓଡ଼ିଶାର ମଟାଳ ମାଟିରେ ବଞ୍ଚି ରହି ଆଗକୁ ମହାଦ୍ରୁମରେ ପରିଣତ ହେବ ବୋଲି ଯେଉଁ ଆଶା ପ୍ରକଟ କରିଛନ୍ତି ତାହା ସେତେ ଉଜ୍ଜଳ କାହିଁ ଦେଖାଯାଉନାହିଁ । ସ୍କୁଲ ପର୍ଯ୍ୟନ୍ତ ପାଠଶାଠ ଅଲଗା ଥିଲା । ଏଣିକି ଆଗକୁ ନିଆରା ହଂପ୍‌ସ୍‌ । ଭିନ୍ନ ଏକ ଅବସରରେ ଶ୍ରୀ ପଟ୍ଟନାୟକଙ୍କ ସହିତ ହୋଇଥିବା ଆଲୋଚନାକୁ ଇଙ୍ଗିତ କରି ପ୍ରାବନ୍ଧିକ ସେଦିନ କହିଥିଲା ଯେ ଉଗ୍ର ପ୍ରତିଯୋଗିତାର ଏଇ ଅଜବ ସନ୍ଧିକ୍ଷଣରେ ଓଡ଼ିଶା ପରି ରାଜ୍ୟର ଭବିଷ୍ୟତ ଆଗକୁ ସେତେ ସବୁଜ କାହିଁକି ଦିଶୁନାହିଁ । ସଂପାଦକ କହିଥିଲେ ଯେ ଯାହା ମନେ ହେଉଛି, ଆଗାମୀ ଦଶବର୍ଷ ଭିତରେ ଏ ରାଜ୍ୟର ମଙ୍ଗୁଆଳ ହେବେ ଅତି ବେଶୀରେ ମୋଟେ ହଜାରେ ସରିକି ପରିବାର । ରାଜନୀତି, ଶାସନ, ଶିଳ୍ପ, ଶିକ୍ଷା ଏବଂ ସଂସ୍କୃତିର ସେଇମାନେ ହିଁ ହେବେ ଭାଗ୍ୟବିଧାତା । ଏମିତି ଏକ ଅବକ୍ଷୟମୁଖୀ ପରିବର୍ତ୍ତନ ଆରମ୍ଭ ହୋଇସାରିଛି । ଗଣତନ୍ତ୍ରର ମୁଖା ତଳୁ ସାମନ୍ତମାନଙ୍କ ଚେହେରା ବାରି ହୋଇ ପଡ଼ିଲାଣି । ଗଣଜୀବନ ସହିତ ସକାରାତ୍ମକ ସଂପୃକ୍ତି ରଖିଥିବା ଯୁବନେତା ଆଗାମୀ ବର୍ଷରେ ଓଡ଼ିଶାରେ ରାଜନୀତିକୁ ଆସିବେ- ଏମିତି କାହିଁକି ଜମାରୁ ଦେଖା ଯାଉନାହିଁ । ଭୋଟ୍‌ଦେବାକୁ ଗଲାବେଳେ ସାଧାରଣ ଭୋଟର ହୁଏତ ଜାଣୁଛି ଯେ ନେତାମାନେ ରାଜନୀତିକୁ ଲୋକସେବା ନାଁରେ ଗୋଟାଏ ଲାଭଜନକ ବ୍ୟବସାୟରେ ପରିଣତ କରିସାରିଛନ୍ତି, କିନ୍ତୁ ତା ପାଖରେ ବିକଳ୍ପ ନାହିଁ । ଏ ବାବଦରେ ଶ୍ରୀ ପଟ୍ଟନାୟକଙ୍କ ଉତ୍ତର ଥିଲା ସ୍ପଷ୍ଟ । ସେ କହିଥିଲେ ଯେ ପ୍ରକୃତରେ ରାଜନୀତି ହିଁ ମାନ୍ଧାତା ଅମଳର କଳାପଟାରୁ ପୁରୁଣା ପାଠକୁ ଲିଭେଇ ଦେଇ ପାରନ୍ତା, କିନ୍ତୁ ସେ ବ୍ରାଣ୍ଡର୍‌ ରାଜନୀତି ନାହିଁ । ଗାନ୍ଧୀଙ୍କ ପ୍ରସଙ୍ଗ ଉଲ୍ଲେଖ କରି ସେ ପୁଣି କହିଥିଲେ ଯେ ଗାନ୍ଧୀ ଆଣ୍ଠୁ ଲୁଚୁ ନଥିବା ଖଦଡ଼ ଲୁଗା ପିନ୍ଧୁଥିଲେ, ଦେଶବାସୀଙ୍କୁ ଅରଟରେ ସୂତା କାଟିବା ପାଇଁ ବୁଝାଉଥିଲେ, ରେଳରେ ତୃତୀୟ ଶ୍ରେଣୀର କଂପାର୍ଟମେଣ୍ଟରେ ଯାତ୍ରା କରୁଥିଲେ ଏବଂ କୌଣସି ଏକ ଦାବୀ ପୂରଣ ନହେଲେ ଦିନ ଦିନ ଉପବାସରେ ରହୁଥିଲେ । ତେବେ ପରିବର୍ତ୍ତନ ଖାସ୍‌ ଏଇଥିପାଇଁ ଆସିନଥିଲା । ଏସବୁ ବରଂ ଅନେକାଂଶରେ ସାଙ୍କେତିକ ଥିଲା ଏବଂ ସ୍ୱାଧୀନତା ସଂଗ୍ରାମକୁ ଏକ ଗଣ ଆନ୍ଦୋଳନରେ ରୂପାନ୍ତରିତ କରିବା ପାଇଁ, ଧନୀ-ଗରିବ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚମତ୍କାର ସାଧନ ମାନ ଥିଲା । ମୁଁ କହିଲି, ଏବେ ବି ଗାନ୍ଧୀଙ୍କର ଅଭାବ ନାହିଁ, ତେବେ ଦୁଃଖ ହେଉଛି ସେମାନେ ରାଜନୀତିରେ ନାହାନ୍ତି । ସାର୍ବଜନୀନ ଭାଗ୍ୟ ସହିତ ଏକାତ୍ମ ହେବାର ମାନସିକତା ମ୍ଳାନ ପଡ଼ିଗଲାଣି । ନେତୃତ୍ୱର ଉଦାର, ସମର୍ପିତ ଭାଷାକୁ ସଂପର୍କିତ କରାଯାଉଛି ପ୍ରତିପତ୍ତି ସହିତ । ପରାକ୍ରମ ସହିତ । ବୈଭବ ସହିତ । ୫୦ ବର୍ଷ ଆଗରୁ ଏ ରାଜ୍ୟର ଲୋକେ ନେତା ଉଡ଼ୁଥିବା ହେଲିକପ୍ଟରକୁ ଦେଖି କୃତକୃତ୍ୟ ହେଉଥିଲେ । ୫୦ ବର୍ଷ ପରେ ଏବେ ବି ଭୋଟରମାନେ ଉଡ଼ାଣ ପ୍ରିୟ ନେତାଙ୍କୁ ଭାରି ପସନ୍ଦ କରୁଛନ୍ତି । ଏହାହିଁ ଆମର ଦୁର୍ଭାଗ୍ୟ ।

ରାଜନୀତିରେ ଚାଲିଥିବା କ୍ଷମତାର ବାଘ-ବକରୀ ଖେଳ, ବିଚକ୍ଷଣ ଗୋଟି ଚାଳନାର କୌଶଳ ସଂକ୍ରମିତ ହୋଇସାରିଛି ଅମଲାତନ୍ତ୍ରକୁ । ଏଠି ବି ମହାପ୍ରଭୁ ମାନେ ଅଛନ୍ତି, ନବରତ୍ନ ଅଛନ୍ତି । ଅତୀବ ଦଳମନସ୍କ କର୍ମୀମାନଙ୍କ ପରି ବିପଦଜନକ ଭାବରେ ବିଶ୍ଵସ୍ତ ଅମଲାମାନେ ମଧ୍ୟ ଏ ରାଜ୍ୟରେ, ଅଛନ୍ତି ଯେଉଁମାନେ ନିଜର ସୁଖସୁବିଧା ପାଇଁ ନିର୍ବିଚାରରେ ଗୋଷ୍ଠୀଭୁକ୍ତ ହୋଇ ସାରିଛନ୍ତି । ଆମ୍‌ ଆଦ୍‌ମି ଏ ମଧୁଚନ୍ଦ୍ରିକାକୁ ଭେଦିବା କାଠିକର ପାଠ । ଦେଶର ପ୍ରଧାନମନ୍ତ୍ରୀ ତ ଏବେ ସ୍ୱୀକାର କଲେଣି ଯେ ଭାରତରେ କ୍ରୋନି କ୍ୟାପିଟାଲିଜମ୍‌ ବା ଅନୁଚର ଭିତ୍ତିକ ପୁଞ୍ଜିବାଦ ମୁଣ୍ଡ ଟେକିଲେଣି, ଅର୍ଥାତ୍‌ ନିଜର ବଶମ୍ବଦ ବା ଅନୁଗତ ମାନଙ୍କୁ ଅନୁକମ୍ପା ଯୋଗାଇ ଦେଉଛି ଆମ ଶାସନତନ୍ତ୍ର ଯାହା ସୁହାଉଛି ଅନୁଚର ମାନଙ୍କ ବ୍ୟାବସାୟିକ ସ୍ୱାର୍ଥକୁ । ଆମ ରାଜ୍ୟରେ ଏମିତି ଉଦାହରଣର ଅଭାବ ନାହିଁ । ଏଠି କେବଳ କ୍ରୋନି କ୍ୟାପିଟାଲିଜମ୍‌ ନୁହେଁ, ତା ସହିତ ପ୍ରକ୍ରିୟାରତ ବ୍ୟୁରୋକ୍ରାଟ୍ରିକ୍‌ କ୍ୟାପିଟାଲିଜମ୍‌ ବା ଅମଲାତନ୍ତ୍ରିକ ପୁଞ୍ଜିବାଦ । ଶତକଡ଼ା ପ୍ରାୟ ୫୦ ଭାଗ ଗରିବ ହୋଇ ରହିଥିବା ଏକ ରାଜ୍ୟରେ ପୁଞ୍ଜିବାଦର ଉଭୟ ସଂସ୍କରଣ ଘାତକସିଦ୍ଧ ପ୍ରମାଣିତ ହୋଇ ଆସୁଛନ୍ତି । ସୁନେଲି ଭବିଷ୍ୟର ସ୍ୱପ୍ନ ଦେଖୁଥିବା ମାଟ୍ରିକ୍‌ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏ ନେଟ୍‌ୱାର୍କର ପ୍ରଭାବରୁ ମୁକ୍ତ ରହିବା ପାଇଁ ପଡ଼ିବ । ଦୁଃଖ ଏତିକିରେ ସରି ନାହିଁ । ଓଡ଼ିଶାରେ ବେଶ୍‌ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି ମାଇନିଂ / ଶିଳ୍ପ ଲବି, ରିଅଲ୍‌ ଇଷ୍ଟେଟ୍‌ / ଲ୍ୟାଣ୍ଡ ଲବି, ଶିକ୍ଷାକୁ ବର୍ଷ ବର୍ଷ ଧରି ଏକ ସୌଖୀନ ତଥା ଲାଭଜନକ ଉଦ୍ୟୋଗରେ ପରିଣତ କରିଥିବା ଘରୋଇ ଶିକ୍ଷାନୁଷ୍ଠାନ ଲବି ଏବଂ କେତେକାଂଶରେ ସାହିତ୍ୟ ଏବଂ ସଂସ୍କୃତିକୁ ଢାଲ କରି ପ୍ରକାରନ୍ତରେ ନିଜକୁ ଥୋପିବାକୁ ଉଦ୍ୟମରତ ସଂସ୍କୃତି ଲବି ।

ଏବେ ସାମାନ୍ୟ ବିଶଦ ଭାବରେ ଆଲୋଚନା କରିବା । ମାଇନିଂ ମହାସ୍କାମରେ ଆମେ କେବଳ ମୂଲ୍ୟବାନ ଖଣିଜ ପଦାର୍ଥ, ଜଙ୍ଗଲ, ଜୈବ ବିବିଧତା ଏବଂ ହଜାର ହଜାର କୋଟିର ରାଜସ୍ୱ ହରେଇ ନାହୁଁ, ବର୍ଷବର୍ଷ ଧରି ପ୍ରାୟୋଜିତ ହୋଇ ଆସୁଥିବା ମାଇନିଂ ଡକାୟତି କିଛି ଲୋକଙ୍କୁ ଅସମ୍ଭବ ଭାବେ ଧନୀ ତଥା କ୍ଷମତାଶାଳୀ କରିସାରିଛି । ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷ ବା ବ୍ୟବସାୟ ସଂସ୍ଥା ପାଖରେ କେନ୍ଦ୍ରୀଭୂତ ପୁଞ୍ଜି ସାଧାରଣ ଜୀବନରେ ପରୋକ୍ଷରେ ତାର ପ୍ରଭାବ ବିସ୍ତାର କରୁଛି ଯେତେବେଳେ ସେଇ ପୁଞ୍ଜି ରାଜନୀତିରେ ଭାଗ୍ୟ ନିର୍ଣ୍ଣୟ କରୁଛି ।

ଶିକ୍ଷାର ଉଗ୍ର ଘରୋଇକରଣ (ଉଚ୍ଚ ଶିକ୍ଷା) ଓଡ଼ିଶାକୁ ଭାରତର ଅନ୍ୟତମ ପ୍ରଧାନ ଶିକ୍ଷା ହବ୍‌ ଭାବରେ ପରିଚିତ କରାଇ ସାରିଲାଣି । ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଆଧୁନିକ ଭିତ୍ତିଭୂମି ଏବଂ ଶିକ୍ଷକଙ୍କ ଅଭାବ ଜାରି ରହିଥିବା ବେଳେ ଘରୋଇ ଉଦ୍ୟୋଗରେ ପରିଚାଳିତ ଅନୁଷ୍ଠାନମାନଙ୍କୁ ସରକାର ପରୋକ୍ଷରେ ପ୍ରୋତ୍ସାହିତ କରି ଆସୁଛନ୍ତି । ଏସବୁ ସଂସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ନାମକୁ ମାତ୍ର । ନିକଟରେ ମୋର ଜଣେ ବନ୍ଧୁ କହିଲେ ଯେ ରାଜଧାନୀରେ ଆଗଧାଡ଼ିର କେତୋଟି ଘରୋଇ ଶିକ୍ଷାନୁଷ୍ଠାନ ସୌଜନ୍ୟରୁ ନେତା, ବଡ଼ବଡ଼ ଅମଲା ଏବଂ ତାଙ୍କ ସଂପର୍କୀୟ ମାନେ ଟିକେ ଆରାମରେ ଅଛନ୍ତି । ମୁଁ ଏହାର ରହସ୍ୟ ପଚାରନ୍ତେ ସେ ଉତ୍ତର ଦେଇଥିଲେ ଯେ ଏହା ଖୁବ୍‌ ସହଜ । ନେତା ଓ ଟାଣୁଆ ହାକିମମାନଙ୍କ ସଂପର୍କୀୟ ମାନଙ୍କୁ ଏସବୁ ସଂସ୍ଥାରେ ଭଲ ଦରମାରେ ଚାକିରୀ ମିଳିଯାଉଛି, ପୁଣି ସରକାରୀ କଲେଜରେ ଦାଖଲ ହୋଇ ପାରୁନଥିବା ସେମାନଙ୍କ ପିଲାମାନଙ୍କୁ ଏସବୁ ଅନୁଷ୍ଠାନରେ ମ୍ୟାନେଜ୍‌ମେଣ୍ଟ୍‌ କୋଟାରେ ଆରାମରେ ଆଡ଼୍‌ମିସନ୍‌ ମିଳିଯାଉଛି । ଆଜିକାଲି ଇଞ୍ଜିନିୟର୍‌ହେବା ତ ସବୁଠୁ ସହଜ । ଏହା ବାଦ୍‌ ଅଛି ରିଅଲ ଇଷ୍ଟେଟ ଲବି । ରାଜନେତାମାନଙ୍କର ଭୋଟ ଫଣ୍ଡ ପରିଚାଳନା କରୁଥିବାରୁ ଏମାନେ ବି ଯୋଜନା ଏବଂ ନୀତି ନିର୍ଦ୍ଧାରଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲେଇ ଆସୁଛନ୍ତି । ବାକି ରହିଲା ସଂସ୍କୃତି ଲବି । ନିଜ ଜନସଂଖ୍ୟାର ୧୦ ପ୍ରତିଶତ ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚୁ ନଥିବା ଏ ରାଜ୍ୟରେ କିଛି ଲୋକଙ୍କର ଏକ ଅଜବ ଧାରଣା ରହିଛି ଯେ ସେମାନଙ୍କ ପାଦ ତଳର ବାସ୍ତବିକତା ନୁହେଁ, ମହାକାଳରେ ମହାବାସ୍ତବିକତା ହୋଇ ରହିଯିବ କବିତାର ପଂକ୍ତି । ଅନ୍ୟ ଲବି ମାନଙ୍କ ପରି ଏମାନେ ବି ଭୟଙ୍କର ପ୍ରତିଯୋଗିତା ମୋଡ଼ରେ ଅଛନ୍ତି, ଯଦିଓ ନିରାଟ ସତ ହେଉଛି ଯେ ଓଡିଆ ଭାଷାର ପାଠକ ସଂଖ୍ୟା ସେମିତି ବଢ଼ୁନାହିଁ । ଯେଉଁ କୃତି ଛାତ୍ରଛାତ୍ରୀ ମାନଙ୍କୁ 'ସମ୍ବାଦ' ସମ୍ବର୍ଧିତ କରିଛି, ସେମାନେ ଓଡିଆ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଖୁବ୍‌ସମ୍ଭବ ଏଇଥି ପାଇଁ ପଡ଼ିଥିଲେ, କାରଣ ଇଂରେଜୀ ମାଧ୍ୟମରେ ପଢ଼ିବା ପାଇଁ ସେମାନେ ସୁଯୋଗ ପାଇନଥିଲେ । ତେବେ ଆଶା କରାଯାଉ ଯେ ସେମାନେ ନିଜ ଭାଷାକୁ ବଞ୍ଚେଇ ରଖିବେ ।

ପ୍ରାୟ ତିରିଶ ମିନିଟର କଥାବାର୍ତ୍ତା ପରେ ଶ୍ରୀ ପଟ୍ଟନାୟକଙ୍କର ବକ୍ତବ୍ୟ ଥିଲା ଯେ ଅଧ୍ୟବସାୟ ଏବଂ ଆଦର୍ଶର ମାପକାଠିକୁ କୌଣସି ସମୟର ବିଷଚକ୍ର ପ୍ରତିହତ କରିପାରିନାହିଁ । ମୁଁ ଅରାଜି ନଥିଲି । କହିଲି, ନୂଆ ପିଢ଼ିକୁ ନିଜ ସମୟର ଅଭିସନ୍ଧିରୁ ଅକ୍ଷତ ମୁକୁଳିବା ପାଇଁ ଢେର୍‌ ପରିଶ୍ରମ କରିବା ପାଇଁ ପଡ଼ିବ । ଈଶ୍ଵର ସେମାନଙ୍କୁ ସହାୟ ହୁଅନ୍ତୁ ।

Image

 

ଅଭିବୃଦ୍ଧିର ଅପହର୍ତ୍ତାମାନେ

 

ରାଜ୍ୟର ଅର୍ଥନୈତିକ ସ୍ଥିତି ଏବଂ କୃଷିକ୍ଷେତ୍ରରେ ସ୍ଥାଣୁତା ସଂପର୍କରେ ଶ୍ରୀ ଅର୍ଧେନ୍ଦୁ ଷଡ଼ଙ୍ଗୀର ଦୁଇଟି ଅନୁଶୀଳନ ମୂଳକ ପ୍ରବନ୍ଧ ସମ୍ବାଦର ତା୨୨.୧୨.୨୦୧୦ ଏବଂ ୨୮.୧୨.୨୦୧୦ ସଂସ୍କରଣରେ ପ୍ରକାଶ ପାଇସାରିଛି । ଠୋସ୍‌ ପରିସଂଖ୍ୟାନ ଆଧାରରେ ଦର୍ଶାଯାଇଛି ଯେ ଚଳିତ ଦଶକରେ ଯଦିଓ ଓଡ଼ିଶାର ମୋଟ ଉତ୍ପାଦନର ଲକ୍ଷଣୀୟ ଅଭିବୃଦ୍ଧି ଘଟିଛି ଆନୁପାତିକ ଭାବରେ ଏହା ଆମର ଦାରିଦ୍ର୍ୟ ହଟେଇ ପାରିନାହିଁ । କୃଷି ବାବଦରେ ଉଲ୍ଲେଖ ଅଛି ଯେ ଆମ ସର୍ବବ୍ୟାପୀ ଦାରିଦ୍ର୍ୟର ମୂଳ କାରଣ କୃଷିର ସ୍ଥାଣୁତା । ପୁଣି କୃଷି କ୍ଷେତ୍ରରେ ହିଁ ଅଛନ୍ତି ସଂଖ୍ୟାଧିକ ଲୁକ୍କାୟିତ ବେକାର । ଏଇ ଆଲୋଚନାକୁ ଶ୍ରୀ ଷଡ଼ଙ୍ଗୀ ଉପସ୍ଥାପନ କରିଥିବା ମୂଳ ପ୍ରସଙ୍ଗର ଅନୁସଂଗ ଭାବରେ ଗ୍ରହଣ କରାଯାଇପାରେ ।

 

ସମାଜବାଦୀ ଛାଞ୍ଚରେ ସ୍ଵାଧୀନୋତ୍ତର ଭାରତୀୟ ଅର୍ଥନୀତିର ଦୀର୍ଘ ଅଭିସାର ଅନ୍ତେ ତଥାକଥିତ ଉଦାରୀକରଣ ମୋଡ଼୍‌ରେ କୋଡ଼ିଏ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ଆସନ୍ତୁ, ଆଗ ଆଖି ପକେଇବା ଜାତୀୟ ଅର୍ଥନୀତି ଉପରେ । ଯୋଜନା କମିଶନ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ (୧୯୯୯-୨୦୦୦ ମୂଲ୍ୟସୂଚୀ ଆଧାରରେ ୦୧.୧୦.୨୦୧୦ ସୁଦ୍ଧା) ମୋଟ ଘରୋଇ ଉତ୍ପାଦ ଭିତ୍ତିରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୦୯-୧୦ରେ ଥିଲା ୬.୭ ପ୍ରତିଶତ । ୨୦୦୩-୦୪ ରୁ ୨୦୦୮-୦୯ ମଧ୍ୟରେ ଏହା ଥିଲା ଯଥାକ୍ରମେ ୮.୫, ୭.୫, ୯.୪, ୯.୯ ଏବଂ ୯ ପ୍ରତିଶତ । କୃଷି ଉତ୍ପାଦ କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦୦୮-୦୯ରେ ଥିଲା ୧.୬ ପ୍ରତିଶତ ଯାହା ପୂର୍ବ ୪ବର୍ଷରେ ଥିଲା ହାରାହାରି ୨.୨୧ ପ୍ରତିଶତ । କୃଷି ନିମନ୍ତେ ଏହା ଉତ୍ସାହଜନକ ଆଦୌ ନୁହେଁ । ଚଳିତ ମୂଲ୍ୟସୂଚୀ ଭିତ୍ତିରେ ଯୋଜନା କମିଶନ ଏକଥା ବି ପ୍ରକାଶ କରିଛନ୍ତି ଯେ ୨୦୦୩-୦୪ରୁ ୨୦୦୮-୦୯ ପର୍ଯ୍ୟନ୍ତ ମୋଟ ଘରୋଇ ଉତ୍ପାଦନ ଆଧାରରେ ଭାରତର ଅଭିବୃଦ୍ଧି ହାର ଥିଲା ହାରାହାରି ୧୩.୮୯ ପ୍ରତିଶତ ଯାହା ସେଇ ସମୟ ପାଇଁ ଓଡ଼ିଶା କ୍ଷେତ୍ରରେ ଥିଲା ୧୮.୦୫ ପ୍ରତିଶତ । ସାମାନ୍ୟ ପଛକୁ ଗଲେ ୧୯୯୭-୯୮ ଠାରୁ ୨୦୦୮-୦୯ ଯାଏଁ ରାଜ୍ୟର ଅଭିବୃଦ୍ଧି ହାର ଥିଲା ହାରାହାରି ୧୪.୬୬ ପ୍ରତିଶତ । ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, କେରଳ ସମେତ ଅନ୍ୟାନ୍ୟ ରାଜ୍ୟ ମାନଙ୍କର ଅଭିବୃଦ୍ଧି ହାର ଆମଠୁ କମ୍‌ ଥିଲା । ପ୍ରକୃତରେ ଏଇ ସମୟ ଭିତରେ ଗୋଟିଏ ମାତ୍ର ରାଜ୍ୟ ଥିଲା ମଧ୍ୟପ୍ରଦେଶ ଯାହାର ଅଭିବୃଦ୍ଧି ହାର ଥିଲା ୧୯.୭୧ ପ୍ରତିଶତ । ତେବେ ସ୍ୱାଭାବିକ ପ୍ରଶ୍ନ ଉଠୁଛି - ଆମ ରାଜ୍ୟର ଆକର୍ଷଣୀୟ ଅଭିବୃଦ୍ଧି ଅଚାନକ ଉଭେଇଗଲା କେମିତି ?

 

ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା (୬୧ ତମ ରାଉଣ୍ଡ) ତଥ୍ୟ ମୁତାବକ ଆମ ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ୩୯.୯ ଭାଗ । ସର୍ବଭାରତୀୟ ସ୍ତରରେ ଏହା ୨୧.୮%, ବିହାର କ୍ଷେତ୍ରରେ ୩୨.୫%, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ କ୍ଷେତ୍ରରେ ଯଥାକ୍ରମେ ୩୮.୮ ଏବଂ ୩୨.୪ ପ୍ରତିଶତ । ଓଡ଼ିଶା ତୁଳନାରେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ବରଂ ବିହାରର ସ୍ଥିତି ସୁଧୁରିଛି । ତେବେ ଅର୍ଥନୈତିକ ବିକାଶର ଗ୍ରାଫ୍‌ ଓଡ଼ିଶା ପାଇଁ ଉର୍ଧ୍ୱମୁଖୀ ରହିଥିଲେ ହେଁ ବିକାଶ ଆମର ଜନଜୀବନକୁ ଯେତିକି ଭେଦିବା କଥା ସେତିକି ଭେଦି ପାରିନାହିଁ । ସଂକ୍ଷେପରେ ଆସିବା ରାଜ୍ୟର କୃଷିକୁ । ୧୯୯୦ ରୁ ୧୯୯୮ ପର୍ଯ୍ୟନ୍ତ କୃଷି ଉଦ୍ୟୋଗ (ଏକକ ଭାବରେ ବ୍ୟବହୃତ) କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ଥିଲା ୬.୮୪% ଯାହା ୧୯୯୮ ରୁ ୨୦୦୫ ମଧ୍ୟରେ ବୃଦ୍ଧି ପାଇଥିଲା ୮.୫୮% କୁ । କୃଷି କ୍ଷେତ୍ରରେ ଆମର ଉତ୍ପାଦ ବଢ଼ୁନଥାଇ ପାରେ, ମାତ୍ର ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ କୃଷି ଉପରେ ନିର୍ଭରଶୀଳ ପରିବାରଙ୍କ ସଂଖ୍ୟା ବା କୃଷି ଉଦ୍ୟୋଗ ବୃଦ୍ଧି ପାଉଛି । ଅର୍ଥାତ୍‌, ଚାଷ ଜମି ଦିନକୁ ଦିନ କମି ଚାଲିଛି, କିନ୍ତୁ ଚାଷୀ ବଢ଼ୁଛନ୍ତି । ଇଆଡ଼େ କୃଷି ଉତ୍ପାଦନରେ ଉନ୍ନତି ନାହିଁ । ୧୯୯୮ରୁ ୨୦୦୫ ମଧ୍ୟରେ କୃଷି ଉଦ୍ୟୋଗ ମାନଙ୍କର ସାଂଖ୍ୟ ସାମର୍ଥ୍ୟ ପୂର୍ବ ସର୍ବେକ୍ଷଣ ଅବଧି (୧୯୯୦ ରୁ ୧୯୯୮) ତୁଳନାରେ ୨.୨ ପ୍ରତିଶତ ବୃଦ୍ଧିପାଇଛି । ଅଣକୃଷି କ୍ଷେତ୍ରରେ ୧୯୯୮ ରୁ ୨୦୦୫ ଭିତରେ ରାଜ୍ୟର ଅଭିବୃଦ୍ଧି ହାର ୩.୩୧% । ହେଲେ ନିଯୁକ୍ତି/କର୍ମସଂସ୍ଥାନ କ୍ଷେତ୍ରରେ ଏଇ ସମୟ ଭିତରେ ଆମର ଅଭିବୃଦ୍ଧି ଆଦୌ ସନ୍ତୋଷଜନକ ନୁହେଁ । ୧୯୯୦ ରୁ ୧୯୯୮ମଧ୍ୟରେ ଏ କ୍ଷେତ୍ରରେ ଆମର ଅଭିବୃଦ୍ଧି ହାର ୨.୩୧% ଥିବାବେଳେ ୧୯୯୮ ରୁ ୨୦୦୫ ମଧ୍ୟରେ ତାହା ବୃଦ୍ଧି ପାଇଛି ୨.୮୨%କୁ । ପାର୍ଥକ୍ୟ ମାତ୍ର ୦.୫୧% ଯାହା ସାମାନ୍ୟ । ୟା ଭିତରେ ଯୋଜନା କମିଶନ ଏକାଦଶ ପଞ୍ଚବାର୍ଷିକ ଯୋଜନାର ଅନ୍ତରିଣ ସମୀକ୍ଷା ଶେଷ କରିଛନ୍ତି । ତହିଁରୁ ଉପଲବ୍ଧ ପରିସଂଖ୍ୟାନ ମୁତାବକ କୃଷି ଏବଂ ଆନୁସଂଗିକ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଉତ୍ସାହଜନକ ନୁହେଁ-। ରାଜ୍ୟ କ୍ଷେତ୍ରରେ ୨୦୦୭-୦୮ ଏବଂ ୨୦୦୮-୦୯ରେ ଏହା ଯଥାକ୍ରମେ ୬.୭ ଏବଂ ୩.୮ପ୍ରତିଶତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସପ୍ତମ ପଞ୍ଚବାର୍ଷିକ ଯୋଜନାକାଳରେ ଏଇ ବାର୍ଷିକ ଅଭିବୃଦ୍ଧି ହାର ଥିଲା ହାରାହାରି ୦.୮%, ଅଷ୍ଟମ, ନବମ ଏବଂ ଦଶମ ଯୋଜନା କାଳରେ ଏହା ଯଥାକ୍ରମେ ୨.୪ (-)୧.୦ ଏବଂ ୪.୭ ପ୍ରତିଶତ । ଅତଏବ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କୃଷି କ୍ଷେତ୍ରରେ ଆମର ଅଗ୍ରଗତି ନାହିଁ କହିଲେ ଚଳିବ । ଏଣେ ଓଡ଼ିଶା ଏକ କୃଷି ପ୍ରଧାନ ଅର୍ଥନୀତି ବୋଲି ଆମେ ରଚନା ଲେଖିବା ଅବ୍ୟାହତ ରଖିଛୁ । ରାଜ୍ୟର ପାଞ୍ଚଭାଗରୁ ୩ ଭାଗ ଲୋକେ (ଅନ୍ତତଃ ଗ୍ରାମାଞ୍ଚଳର) ଚାଷକୁ ହୁଏତ ଜୀବିକା କରିଥାଇ ପାରନ୍ତି, ତେବେ ନିରାଟ ସତ ହେଉଛି, ବର୍ଷ ବର୍ଷ ଧରି ଆମ ଆଖି ଆଗରେ ଚାଷ ଉଜୁଡ଼ି ସାରିଛି । ହୁଏତ ଆମର କୃଷି ନୀତି ଅଛି । ସୁଲଭ ମୂଲ୍ୟରେ ବିହନ ଓ ସାର ଆମେ ଚାଷୀଙ୍କୁ ଯୋଗେଇ ଦେଉଛନ୍ତି । ଆମେ ସମବାୟ ସମିତି ଏବଂ ବ୍ୟାଙ୍କ ଜରିଆରେ ଚାଷୀକୁ ଋଣ ଦେଉଛୁ, ରିହାତି ବି ଦେଉଛୁ, କିନ୍ତୁ ଶାସନର ସଂପୂର୍ଣ୍ଣ ଜ୍ଞାତସାରରେ ଉଭୟ ଚାଷ ଏବଂ ଚାଷୀ ତଳିତଳାନ୍ତ ହୋଇ ସାରିଛନ୍ତି । ବର୍ତ୍ତମାନର ଉଦ୍‌ବେଗଜନକ ସ୍ଥିତି ଜାରି ରହିଲେ ଆଉ ପାଞ୍ଚ ବର୍ଷ ପରେ କୃଷକ ଆତ୍ମହତ୍ୟା ଖୁବ୍‌ ମାମୁଲି ଘଟଣା ହୋଇ ରହିଯିବ ।

 

କିନ୍ତୁ କଥାଟି କେବଳ କୃଷି ପାଖରେ ଅଟକି ନାହିଁ, କାରଣ ଆମ ମୋଟ ଘରୋଇ ଉତ୍ପାଦନରେ କୃଷିର ଅବଦାନ ପାଖାପାଖି ୨୫ ପ୍ରତିଶତ ମାତ୍ର । ଏହା ସତ୍ତ୍ୱେ ଯେହେତୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଅବ୍ୟାହତ ରହିଛି ଏହାର କାରଣ ଆମକୁ ଅନ୍ୟତ୍ର ଖୋଜିବା ପାଇଁ ପଡ଼ିବ । ଅନ୍ୟ ଅର୍ଥରେ ରାଜ୍ୟର ସମୃଦ୍ଧିର ମଂଜି ଅଣକୃଷି କ୍ଷେତ୍ରରେ । ଯୋଜନା କମିଶନଙ୍କ ପରିସଂଖ୍ୟାନ ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ୭ମ ପଞ୍ଚବାର୍ଷିକ ଯୋଜନା କାଳରେ ଆମର ବାର୍ଷିକ ଅଭିବୃଦ୍ଧି ହାର ଥିଲା ୯.୪% ଯାହା ଅଷ୍ଟମ ଯୋଜନାରେ ୩.୪% ନବମରେ ୪.୨, ଦଶମରେ ୧୬. ୧% ଏବଂ ଏକାଦଶ ଯୋଜନାରେ ପ୍ରଥମ ଦୁଇବର୍ଷରେ ହାରାହାରି ୧୦.୩% । ପାଠକମାନଙ୍କପାଇଁ ସ୍ପଷ୍ଟ କରୁଛି ଯେ ୨୦୦୭-୦୮ରେ ନିର୍ଦ୍ଦିଷ୍ଟ ଭାବରେ ଏହା ଥିଲା ୨.୦ ପ୍ରତିଶତ ଯାହା ଦେଶରେ ସର୍ବାଧିକ ଥିଲା । ସେବା କ୍ଷେତ୍ରରେ ବି ଆମେ ଆଗୁଆ । ୭ମ ପଞ୍ଚବାର୍ଷିକ ଯୋଜନାଠୁ ଦଶମ ଯୋଜନା ପର୍ଯ୍ୟନ୍ତ ରାଜ୍ୟର ବାର୍ଷିକ ଅଭିବୃଦ୍ଧି ହାର ଥିଲା ହାରାହାରି ୭.୫% ଯାହା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ବେଶ୍‌ ଭଲ । ଏକାଦଶ ଯୋଜନାରେ ପ୍ରଥମ ଦୁଇ ବର୍ଷରେ ଏହା ପହଞ୍ଚିଛି ୮.୯% ଏବଂ ୧୩.୬%ରେ । ଏସବୁ ସତ୍ତ୍ଵେ ଆମର ମୁଣ୍ଡପିଛା ଆୟ କମ୍‌ । ମୁଣ୍ଡ ପିଛା ଘର ଖର୍ଚ୍ଚ କମ୍‌ । ଦାରିଦ୍ର୍ୟ ଦୂରୀକରଣର ବାର୍ଷିକ ହାର ଖୁବ୍‌ବେଶୀରେ ୧.୫% । ସେତିକି ନୁହେଁ, ଆନ୍ତର୍ଜାତିକ ମାନଦଣ୍ଡରେ ଯଦି ମୁଣ୍ଡ ପିଛା ଦୈନିକ ରୋଜଗାରକୁ ଅନ୍ତତଃ ଗୋଟିଏ ଡଲାର୍‌ ବୋଲି ଧରାଯିବ ତେବେ ଆମ ରାଜ୍ୟର ଅଧାରୁ ଅଧିକ ଲୋକେ ରହିବେ ଦାରିଦ୍ର୍ୟ ସୀମା ରେଖା ତଳେ । କଣ ପାଇଁ ଏ ଦୈନ୍ୟ ସ୍ଥିତି, ଏଇ ଭୟଙ୍କର ଦୁଃସ୍ଥିତି ?

 

ଗତ ୧୦ ବର୍ଷ ଭିତରେ ଆମେ ହଜାର ହଜାର କୋଟି ଟଙ୍କାର ଏମ୍‌.ଓ.ୟୁ ସ୍ୱାକ୍ଷର କରିସାରିଛୁ । ଆମ ଖଣି ଖାଦାନ୍‌ ହଜାର ହଜାର କୋଟିର ଘୋଟାଲା ଉତ୍ପନ୍ନ କରିଥାଇପାରେ କିନ୍ତୁ ଖଣିଜ ଦ୍ରବ୍ୟରୁ ଆମର ରାଜସ୍ଵ ଆୟ ବି ବଢ଼ିଛି । ପରିସଂଖ୍ୟାନକୁ ଜଣେ ଶତ ପ୍ରତିଶତ ପ୍ରମାଦଶୂନ୍ୟ ବୋଲି ବିଚାର କରିନପାରେ (ଏହା ପ୍ରକୃତରେ, ସମ୍ଭବ ନୁହେଁ) ତେବେ ଜଣେ ସ୍ୱୀକାର କରିବା ପାଇଁ ବାଧ୍ୟ ହେବ ଯେ ଆମ ରାଜ୍ୟ ଫୁଲୁଛି । ଉତ୍ପାଦ ବଢ଼ିଛି, ସମ୍ପଦ ବଢ଼ିଛି- ଚାଷରୁ ନହୋଇ ତାହା ପଛକେ ଅଣକୃଷି କ୍ଷେତ୍ରରେ ହୋଇଥାଉ । ତେବେ ଏ ସମୃଦ୍ଧିର ଚିହ୍ନବର୍ଣ୍ଣ ଆମ ସାଧାରଣ ଜୀବନରେ ଦୃଶ୍ୟମାନ ନୁହେଁ । ଅଭିବୃଦ୍ଧିର ଗୋଟାଏ ନାଟକୀୟ ଅପହରଣ କେମିତି ସମ୍ଭବ ହେଲା ? ଏ ବାବଦରେ ଗୋଟିଏ ମତ ହେଉଛି କେବଳ କୃଷି କ୍ଷେତ୍ରରେ ଅନଗ୍ରସରତା ବା ସ୍ଥାଣୁତା ଆମ ଶାସନର ଏକମାତ୍ର ବିକଳ ଚେହେରା ନୁହେଁ, ତାଠୁ କାହିଁ କେତେଗୁଣ ଭୟଙ୍କର ଆମ ଶାସନତନ୍ତ୍ରର କ୍ରମ ଉପନିବେଶୀ କରଣ ଯାହା ବ୍ୟବସ୍ଥାଗତ ତୃଟିବିଚ୍ୟୁତିର ଫାଇଦା ନେଇ ଅର୍ଥନୀତିର ସବୁତକ ସୁବର୍ଣ୍ଣ ଫସଲ ପରଶି ଦେଉଛି ଖାସ୍‌ ସେଇମାନଙ୍କ ଥାଳିରେ, ଯାହାଙ୍କ ପେଟ ଢେର୍‌ ଆଗରୁ ପୂରି ସାରିଛି । ସାର୍ବଜନୀନ ଭାଗ୍ୟର ଅପହର୍ତ୍ତାମାନଙ୍କ ମଧ୍ୟରେ ବର୍ଷବର୍ଷ ଧରି ସାମିଲ ହୋଇସାରିଛନ୍ତି ରାଜନୈତିକ ନେତୃତ୍ୱ, ଅମଲାତନ୍ତ୍ର ଏକ ଅଂଶ ହାତଗଣତି ଶିଳ୍ପ ବା ବ୍ୟବସାୟ ସଂସ୍ଥା ଏବଂ ଆମ ତଥାକଥିତ ସିଭିଲ୍‌ସୋସାଇଟିର କିଛି ଚଇନ୍‌ଫିଟ୍‌ଭଦ୍ରଲୋକ ଯେଉଁମାନେ ଆପଣାଛାଏଁ ଆମ ପ୍ରଗତିର ମଙ୍ଗୁଆଳ ବା ମାର୍ଫତ୍‌ଦାର୍‌ବୋଲି ଦାବି କରୁଛନ୍ତି । ଅର୍ଥାତ୍‌ମୁଷ୍ଟିମେୟ ପାରିବା ଲୋକଙ୍କ ହାତପାଣ୍ଠିରେ ବା ହସ୍ତମୁଦି ମାହାଲରେ ପରିଣତ ହୋଇଛି ରାଜ୍ୟର ଅଭିବୃଦ୍ଧି । କେଇଦିନ ତଳେ ଏଇ ଖବରକାଗଜର ସଂପାଦକ ପ୍ରସଙ୍ଗ କ୍ରମେ ଖୁବ୍‌ଗୁରୁତ୍ଵପୂର୍ଣ୍ଣ କଥାଟିଏ ଉଠାଇଛନ୍ତି । ସେ କହିଛନ୍ତି ଯେ ୧୯୮୦ ପରେ ରାଜ୍ୟରେ ରାଜନୈତିକ ସ୍ଥିରତା ତ ଆସିଛି, ଅଥଚ ବିକାଶ ସମ୍ଭବ ହୋଇପାରିନାହିଁ । ଆଗରୁ ୫୦ ଲକ୍ଷ ପରିବାର ରାଜ୍ୟକୁ ନିୟନ୍ତ୍ରଣ କରୁଥିଲେ । ଏବେ ତାହା ଯଥେଷ୍ଟ ହ୍ରାସ ପାଇସାରିଲାଣି । ଆଗାମୀ ୫ବର୍ଷ ଭିତରେ ରାଜ୍ୟର ନିୟନ୍ତ୍ରଣ ଚାଲିଆସିବ ମାତ୍ର ହଜାରେ ପରିବାର ହାତକୁ । ସେଇମାନେ ହିଁ ଆମ ଗଣ ଜୀବନର (କହିପାରନ୍ତି ଗଣଦୁର୍ଗତି) ଭାଗ୍ୟବିଧାତା ହୋଇ ରହିବେ । ଅସଲରେ ଗତ ଦୁଇ ଦଶନ୍ଧି ଧରି ମାତ୍ର କେଇ ହଜାର ପରିବାର ହିଁ ତ ଏ ରାଜ୍ୟକୁ ଚଳଉଛନ୍ତି । ରାଜ୍ୟର ଅଭିବୃଦ୍ଧିକୁ ସେଇମାନେ ହିଁ ଖୁବ୍‌ସମ୍ଭବ ଅପହରଣ କରି ନେଇଛନ୍ତି । ଓଡ଼ିଶା ସେମାନଙ୍କ ଜାଗିରରେ ପରିବର୍ତ୍ତିତ ହେବା ଜାରି ରହିଛି । ଗୋଟାଏ ଦୃଷ୍ଟିରୁ ତ ଆମ ଅଭିବୃଦ୍ଧିର ରାତିଆକରଣ ହୋଇସାରିଛି । ସେ କଥା ଆଉ ଥରେ ।

(ସମ୍ବାଦ, ଜାନୁୟାରୀ ୧୪, ୨୦୧୧)

Image